ସିଫନୀୟ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ ଲେଖକ ସିଫନୀୟ 1:1ରେ ଲେଖକ ନିଜେ ନିଜ ବିଷୟରେ “ହିଜକୀୟଙ୍କ ବୃଦ୍ଧ ପ୍ରପୌତ୍ର, ଅମରୀୟଙ୍କ ପ୍ରପୌତ୍ର, ଗଦଲୀୟଙ୍କ ପୌତ୍ର, କୂଶୀଙ୍କ ପୁତ୍ର ସଫନୀୟ” ବୋଲି ପ୍ରକାଶ କରନ୍ତି। ସିଫନୀୟ ନାମର ଅର୍ଥ “ପରମେଶ୍ୱର ପ୍ରତିରକ୍ଷକ” ଉଲ୍ଲେଖନୀୟ ଭାବରେ ଯିରିମୀୟରେ ଜଣେ ଯାଜକ (21:1; 29:25, 29; 37:3; 52:24), କିନ୍ତୁ ସିଫନୀୟଙ୍କ ବିଷୟରେ ସେମିତି କିଛି ନାହିଁ। ଅନେକ ସମୟରେ ଏହା ଦାବି କାରାଯାଏ ଯେ ସିଫନୀୟଙ୍କର ରାଜକୀୟ ପୃଷ୍ଠଭୂମି ଥିଲା। ସିଫନୀୟ ହେଉଛନ୍ତି ପ୍ରଥମ ଲେଖକ ଭବିଷ୍ୟଦ୍ବକ୍ତା ଯିଏ ଯିହୁଦା ବିରୁଦ୍ଧରେ ଭବିଷ୍ୟଦ୍ବାଣୀ ଯିଶାଇୟ ଏବଂ ମୀଖାଙ୍କ ସମୟରେ କରିଥିଲେ। ସମୟ ଓ ସ୍ଥାନ ପ୍ରାୟ 640-607 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି। ସିଫନୀୟ ପୁସ୍ତକ ପ୍ରକାଶ କରେ ଯେ ସିଫନୀୟ ଯିହୁଦାର ରାଜା ଯୋଶୀୟଙ୍କ ରାଜତ୍ଵରେ ଭବିଷ୍ୟଦ୍ବାଣୀ କରିଥିଲେ (ସିଫ. 1:1)। ପ୍ରାପକ ଯିହୁଦାର ଦକ୍ଷିଣ ରାଜ୍ୟର ଲୋକ ଏବଂ ସାଧାରଣ ଭାବରେ ସମସ୍ତ ପରମେଶ୍ୱରଙ୍କ ଲୋକମାନେ। ଉଦ୍ଦେଶ୍ୟ ସିଫନୀୟଙ୍କର ବିଚାର ଏବଂ ପ୍ରୋତ୍ସାହନର ବାର୍ତ୍ତା ତିନୋଟି ଗୁରୁତ୍ଵପୂର୍ଣ୍ଣ ଶିକ୍ଷାଗୁଡ଼ିକୁ ଅନ୍ତର୍ଭୁକ୍ତ କରେ, ସମସ୍ତ ଦେଶ ଉପରେ ପରମେଶ୍ୱରଙ୍କର ସାର୍ବଭୌମତ୍ଵ ଅଧିକାର ରହିଛି, ବିଚାର ଦିନରେ ଦୁଷ୍ଟ ଦଣ୍ଡ ପାଇବ ଓ ଧାର୍ମିକ ନିର୍ଦ୍ଦୋଷ ହେବ, ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରନ୍ତି ଯେଉଁମାନେ ମନପରିବର୍ତ୍ତନ କରି ତାହାଙ୍କଠାରେ ଭରସା ରଖନ୍ତି। ବିଷୟବସ୍ତୁ ପ୍ରଭୁଙ୍କ ମହାନ ଦିନ ରୂପରେଖା 1. ବିନାଶ ନିମନ୍ତେ ଆସୁଥିବା ପ୍ରଭୁଙ୍କ ମହାନ ଦିନ — 1:1-18 2. ଆଶାର ମଧ୍ୟବର୍ତ୍ତୀ — 2:1-3 3. ଦେଶଗୁଡ଼ିକ ଉପରେ ବିନାଶ — 2:4-15 4. ଯିରୂଶାଲମ ଉପରେ ବିନାଶ — 3:1-7 5. ଆଶାର ପ୍ରତ୍ୟାବର୍ତ୍ତନ — 3:8-20
1 ଆମୋନ୍ଙ୍କ ପୁତ୍ର ଯିହୁଦାର ରାଜା ଯୋଶୀୟର ଅଧିକାର ସମୟରେ, ହିଜକୀୟଙ୍କ ବୃଦ୍ଧ ପ୍ରପୌତ୍ର, ଅମରୀୟଙ୍କ ପ୍ରପୌତ୍ର, ଗଦଲୀୟଙ୍କ ପୌତ୍ର, କୂଶୀଙ୍କ ପୁତ୍ର ସଫନୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
ଯିହୁଦା ପ୍ରତି ସଦାପ୍ରଭୁଙ୍କ ବିଚାର 2 ସଦାପ୍ରଭୁ କହନ୍ତି, “ଆମ୍ଭେ ଭୂମିରୁ ସମଗ୍ର ବସ୍ତୁ ନିଃଶେଷ ରୂପେ ସଂହାର କରିବା,” 3 “ଆମ୍ଭେ ମନୁଷ୍ୟ ଓ ପଶୁଗଣକୁ ସଂହାର କରିବା; ଆମ୍ଭେ ଆକାଶର ପକ୍ଷୀଗଣକୁ, ସମୁଦ୍ରର ମତ୍ସ୍ୟଗଣକୁ ଓ ଦୁଷ୍ଟଗଣ ସହିତ ବିଘ୍ନସକଳ ସଂହାର କରିବା; ଆଉ, ଆମ୍ଭେ ଭୂମିରୁ ମନୁଷ୍ୟକୁ ଉଚ୍ଛିନ୍ନ କରିବା,” ଏହା ସଦାପ୍ରଭୁ କହନ୍ତି। 4 ପୁଣି, “ଆମ୍ଭେ ଯିହୁଦାର ବିରୁଦ୍ଧରେ ଓ ଯିରୂଶାଲମର ନିବସୀସକଳର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା; ଆମ୍ଭେ ଏହି ସ୍ଥାନରୁ ବାଲ୍ର ଅବଶିଷ୍ଟାଂଶକୁ ଓ ଯାଜକଗଣ ସହିତ ପୁରୋହିତମାନଙ୍କର ନାମ; 5 ଆଉ, ଯେଉଁମାନେ ଛାତ ଉପରେ ଆକାଶର ବାହିନୀକୁ ପ୍ରଣାମ କରନ୍ତି ଓ ଯେଉଁମାନେ ସଦାପ୍ରଭୁଙ୍କ ନିକଟରେ ଶପଥ କରନ୍ତି ଓ ମାଲ୍କମ୍[a] ନାମରେ ଶପଥ କରି ପ୍ରଣାମ କରନ୍ତି; 6 ଆଉ, ଯେଉଁମାନେ ସଦାପ୍ରଭୁଙ୍କ ପଶ୍ଚାତ୍ଗମନରୁ ବିମୁଖ ହୋଇଅଛନ୍ତି; ପୁଣି, ଯେଉଁମାନେ ସଦାପ୍ରଭୁଙ୍କର ଅନ୍ଵେଷଣ କରି ନାହାନ୍ତି, କିଅବା ତାହାଙ୍କର ଅନୁସନ୍ଧାନ କରି ନାହାନ୍ତି, ସେସମସ୍ତଙ୍କୁ ଆମ୍ଭେ ଉଚ୍ଛିନ୍ନ କରିବା।” ସଦାପ୍ରଭୁଙ୍କର ଦିନ ସନ୍ନିକଟ 7 ତୁମ୍ଭେ ପ୍ରଭୁ ସଦାପ୍ରଭୁଙ୍କ ଛାମୁରେ ନୀରବ ହୁଅ; କାରଣ ସଦାପ୍ରଭୁଙ୍କର ଦିନ ସନ୍ନିକଟ; କାରଣ ସଦାପ୍ରଭୁ ଏକ ଯଜ୍ଞର ଆୟୋଜନ କରିଅଛନ୍ତି, ସେ ଆପଣା ନିମନ୍ତ୍ରିତଗଣକୁ ପବିତ୍ର କରିଅଛନ୍ତି। 8 ପୁଣି, ସଦାପ୍ରଭୁଙ୍କର ସେହି ଯଜ୍ଞ ଦିନ “ଆମ୍ଭେ ଅଧିପତିଗଣକୁ ଓ ରାଜପୁତ୍ରଗଣକୁ ଓ ବିଦେଶୀୟ ବସ୍ତ୍ରରେ ବସ୍ତ୍ରାନ୍ୱିତ ସମସ୍ତଙ୍କୁ ଦଣ୍ଡ ଦେବା। 9 ଆଉ, ଯେଉଁମାନେ ଚୌକାଠ ଡେଇଁ କରି ଯାʼନ୍ତି, ଯେଉଁମାନେ ଆପଣାମାନଙ୍କ କର୍ତ୍ତାର ଗୃହ[b] ଦୌରାତ୍ମ୍ୟରେ ଓ ପ୍ରବଞ୍ଚନାରେ ପରିପୂର୍ଣ୍ଣ କରନ୍ତି, ସେସମସ୍ତଙ୍କୁ ଆମ୍ଭେ ସେହି ଦିନ ଦଣ୍ଡ ଦେବା।” 10 ପୁଣି, ସଦାପ୍ରଭୁ କହନ୍ତି, “ସେହି ଦିନ ମତ୍ସ୍ୟଦ୍ୱାରଠାରୁ କ୍ରନ୍ଦନର ଶବ୍ଦ ଓ (ନଗରର) ଦ୍ୱିତୀୟ ବିଭାଗଠାରୁ ହାହାକାର ଶବ୍ଦ ଓ ଉପପର୍ବତଗଣରୁ ମହାଭଙ୍ଗର ଶବ୍ଦ ଶୁଣାଯିବ। 11 ହେ ମକ୍ତେଶ[c] ନିବାସୀଗଣ, ତୁମ୍ଭେମାନେ ହାହାକାର କର, କାରଣ କିଣାନର ଲୋକ ସମସ୍ତେ ବିନଷ୍ଟ ହୋଇଅଛନ୍ତି ଓ ରୌପ୍ୟ ବାହକ ସମସ୍ତେ ଉଚ୍ଛିନ୍ନ ହୋଇଅଛନ୍ତି। 12 ପୁଣି, ସେହି ସମୟରେ ଆମ୍ଭେ ପ୍ରଦୀପ ଜ୍ୱଳାଇ ଯିରୂଶାଲମର ଅନ୍ଵେଷଣ କରିବା; ଆଉ, ଯେଉଁମାନେ ଆପଣା ଆପଣା ମଳ ଉପରେ ସୁସ୍ଥିର ହୋଇ ବସିଅଛନ୍ତି ଓ ମନେ ମନେ କହନ୍ତି, ସଦାପ୍ରଭୁ ମଙ୍ଗଳ କରିବେ ନାହିଁ କିଅବା ଅମଙ୍ଗଳ କରିବେ ନାହିଁ, ସେମାନଙ୍କୁ ଆମ୍ଭେ ଦଣ୍ଡ ଦେବା। 13 ପୁଣି, ସେମାନଙ୍କର ସମ୍ପତ୍ତି ଲୁଟିତ ହେବ ଓ ସେମାନଙ୍କର ଗୃହ ଧ୍ୱଂସସ୍ଥାନ ହେବ; ଆହୁରି ସେମାନେ ଗୃହ ନିର୍ମାଣ କରିବେ, ମାତ୍ର ତହିଁରେ ବାସ କରିବେ ନାହିଁ; ଆଉ, ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବେ, ମାତ୍ର ତହିଁରୁ ଦ୍ରାକ୍ଷାରସ ପାନ କରିବେ ନାହିଁ।” 14 ସଦାପ୍ରଭୁଙ୍କର ମହାଦିନ[d] ନିକଟବର୍ତ୍ତୀ, ତାହା ଅର୍ଥାତ୍, ସଦାପ୍ରଭୁଙ୍କର ଦିନର ଶବ୍ଦ ନିକଟବର୍ତ୍ତୀ ଓ ଅତି ଶୀଘ୍ର ଆସୁଅଛି; ବୀରପୁରୁଷ ସେହି ସ୍ଥାନରେ ଅତିଶୟ ରୋଦନ କରୁଅଛି। 15 ସେହି ଦିନ କ୍ରୋଧର ଦିନ, ସଙ୍କଟ ଓ କ୍ଳେଶର ଦିନ, ଉଜାଡ଼ ଓ ସର୍ବନାଶର ଦିନ, ଅନ୍ଧକାର ଓ ଘୋର ତିମିରର ଦିନ, ମେଘ ଓ ନିବିଡ଼ ଅନ୍ଧକାରର ଦିନ, 16 ତୂରୀଧ୍ୱନି ଓ ଭୟାନକ ନାଦର ଦିନ, ତାହା ପ୍ରାଚୀର-ବେଷ୍ଟିତ ନଗର ଓ ଉଚ୍ଚ ଚୂଡ଼ାସକଳର ବିପକ୍ଷରେ ଉପସ୍ଥିତ ହେବ। 17 ପୁଣି, ଆମ୍ଭେ ମନୁଷ୍ୟମାନଙ୍କ ଉପରେ ଦୁଃଖ ଘଟାଇବା, ତହିଁରେ ସେମାନେ ଅନ୍ଧ ଲୋକ ପରି ବୁଲିବେ, କାରଣ ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛନ୍ତି; ଆଉ, ସେମାନଙ୍କର ରକ୍ତ ଧୂଳି ପରି ଓ ସେମାନଙ୍କର ମାଂସ ମଳ ପରି ଢଳାଯିବ। 18 ପୁଣି, ସଦାପ୍ରଭୁଙ୍କ କ୍ରୋଧର ଦିନରେ ସେମାନଙ୍କର ରୂପା କିଅବା ସେମାନଙ୍କର ସୁନା ସେମାନଙ୍କୁ ଉଦ୍ଧାର କରି ପାରିବ ନାହିଁ; ମାତ୍ର ତାହାଙ୍କର ଅନ୍ତର୍ଜ୍ୱାଳାରୂପ ଅଗ୍ନିରେ ସମୁଦାୟ ଦେଶ ଗ୍ରାସିତ ହେବ; କାରଣ ସେ ଦେଶ ନିବାସୀ ସମସ୍ତଙ୍କୁ ନିଃଶେଷ କରିବେ, ହଁ, ଭୟାନକ ରୂପେ ନିଃଶେଷ କରିବେ।
ସିଫନୀୟ 2 ->
1 ଆମୋନ୍ଙ୍କ ପୁତ୍ର ଯିହୁଦାର ରାଜା ଯୋଶୀୟର ଅଧିକାର ସମୟରେ, ହିଜକୀୟଙ୍କ ବୃଦ୍ଧ ପ୍ରପୌତ୍ର, ଅମରୀୟଙ୍କ ପ୍ରପୌତ୍ର, ଗଦଲୀୟଙ୍କ ପୌତ୍ର, କୂଶୀଙ୍କ ପୁତ୍ର ସଫନୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।