6 ସେହି ଦିନ ଆମ୍ଭେ ଯିହୁଦାର ଅଧ୍ୟକ୍ଷଗଣକୁ କାଷ୍ଠ ମଧ୍ୟରେ ଅଗ୍ନିଧାରୀ ପାତ୍ର ସ୍ୱରୂପ ଓ ଶସ୍ୟବିଡ଼ା ମଧ୍ୟରେ ମଶାଲ ସ୍ୱରୂପ କରିବା ଆଉ, ସେମାନେ ଦକ୍ଷିଣ ଓ ବାମରେ ଚତୁଃପାର୍ଶ୍ଵସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ ଗ୍ରାସ କରିବେ; ଆଉ, ଯିରୂଶାଲମ ପୁନର୍ବାର ସ୍ୱ ସ୍ଥାନରେ, ଅର୍ଥାତ୍, ଯିରୂଶାଲମରେ ବାସ କରିବ।
7 ଆହୁରି, ଦାଉଦ-ବଂଶର ଗୌରବ ଓ ଯିରୂଶାଲମ ନିବାସୀଗଣର ଗୌରବ ଯେପରି ଯିହୁଦା ବଂଶର ଉପରେ ଉନ୍ନତ ନ ହୁଏ, ଏଥିପାଇଁ ସଦାପ୍ରଭୁ ପ୍ରଥମରେ ଯିହୁଦାର ତମ୍ବୁସବୁକୁ ଉଦ୍ଧାର କରିବେ। 8 ସେହି ଦିନ ସଦାପ୍ରଭୁ ଯିରୂଶାଲମର ନିବାସୀଗଣକୁ ରକ୍ଷା କରିବେ ଓ ସେମାନଙ୍କ ମଧ୍ୟରେ ଯେଉଁ ଜନ ଦୁର୍ବଳ, ସେହି ଦିନ ସେ ଦାଉଦ ପରି ହେବ ଓ ଦାଉଦ ବଂଶ ପରମେଶ୍ୱରଙ୍କ ପରି, ସେମାନଙ୍କର ଅଗ୍ରଗାମୀ ସଦାପ୍ରଭୁଙ୍କର ଦୂତ ପରି ହେବେ। 9 ଆଉ, ଯେଉଁମାନେ ଯିରୂଶାଲମର ବିରୁଦ୍ଧରେ ଆସନ୍ତି, ସେହି ସମସ୍ତ ଗୋଷ୍ଠୀଙ୍କୁ ଆମ୍ଭେ ସେହି ଦିନ ନଷ୍ଟ କରିବାକୁ ମନସ୍ଥ କରିବା।
10 ପୁଣି, ଆମ୍ଭେ ଦାଉଦ ବଂଶ ଉପରେ ଓ ଯିରୂଶାଲମ ନିବାସୀମାନଙ୍କ ଉପରେ ଅନୁଗ୍ରହ ଓ ବିନତିଜନକ ଆତ୍ମା ବୃଷ୍ଟି କରିବା; ତହିଁରେ ସେମାନେ ଆମ୍ଭ ପ୍ରତି, ଅର୍ଥାତ୍, ଯାହାଙ୍କୁ ସେମାନେ ବିଦ୍ଧ କରିଅଛନ୍ତି, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ; ଆଉ, କେହି ଯେପରି ଆପଣାର ଏକମାତ୍ର ପୁତ୍ର ଲାଗି ଶୋକ କରେ, ସେପରି ସେମାନେ ତାହାଙ୍କ ପାଇଁ ଶୋକ କରିବେ ଓ କେହି ଯେପରି ଆପଣା ପ୍ରଥମଜାତର ନିମନ୍ତେ ବ୍ୟାକୁଳିତ ହୁଏ, ସେପରି ସେମାନେ ତାହାଙ୍କ ପାଇଁ ବ୍ୟାକୁଳିତ ହେବେ। 11 ସେଦିନ ମଗିଦ୍ଦୋନ୍ ଉପତ୍ୟକାରେ ହଦଦ୍ ରିମ୍ମୋଣର ଶୋକ ତୁଲ୍ୟ ଯିରୂଶାଲମରେ ମହାଶୋକ ହେବ। 12 ପୁଣି ଦେଶ, ପ୍ରତ୍ୟେକ ଗୋଷ୍ଠୀ ନିଜେ ନିଜେ ଶୋକ କରିବେ; ଦାଉଦ-ବଂଶର ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ; ନାଥନ-ବଂଶର ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ; 13 ଲେବୀ-ବଂଶର ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ; ଶିମୀୟିର ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ ନିଜେ ଶୋକ କରିବେ; 14 ଅବଶିଷ୍ଟ ସମୁଦାୟ ଗୋଷ୍ଠୀ ମଧ୍ୟରୁ ପ୍ରତ୍ୟେକ ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ ନିଜେ ଶୋକ କରିବେ।
<- ଯିଖରୀୟ 11ଯିଖରୀୟ 13 ->