Link to home pageLanguagesLink to all Bible versions on this site
15
ଖ୍ରୀଷ୍ଟଙ୍କ ଆଦର୍ଶର ଅନୁକରଣ
1 ବିଶ୍ୱାସରେ ବଳବାନ ଯେ ଆମ୍ଭେମାନେ, ଦୁର୍ବଳମାନଙ୍କ ଦୁର୍ବଳତା ସହିବା ଆମ୍ଭମାନଙ୍କର ଉଚିତ, ଆଉ ନିଜ ନିଜର ସୁଖ ଚେଷ୍ଟା କରିବା ଉଚିତ୍ ନୁହେଁ। 2 ଆସ ଆମ୍ଭମାନଙ୍କର ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀର ନିଷ୍ଠା ନିମନ୍ତେ ମଙ୍ଗଳ ସାଧନ କରି ତାହାର ସୁଖ ଚେଷ୍ଟା କରୁ। 3 କାରଣ ଖ୍ରୀଷ୍ଟ ମଧ୍ୟ ଆପଣାର ସୁଖ ଚେଷ୍ଟା କରି ନ ଥିଲେ; କିନ୍ତୁ ଯେପରି ଲେଖାଅଛି, ତୁମ୍ଭ ନିନ୍ଦକମାନଙ୍କର ନିନ୍ଦା ମୋʼ ଉପରେ ପଡ଼ିଲା। 4 ପୁଣି, ଆମ୍ଭେମାନେ ଯେପରି ଶାସ୍ତ୍ର ଅନୁସାରେ ଧୈର୍ଯ୍ୟ ଓ ସାନ୍ତ୍ୱନା ଦ୍ୱାରା ଭରସା ପ୍ରାପ୍ତ ହେଉ, ଏଥିନିମନ୍ତେ ପୂର୍ବକାଳରେ ଯାହା ଯାହା ଲେଖା ହୋଇଥିଲା, ସେହିସବୁ ଆମ୍ଭମାନଙ୍କର ଶିକ୍ଷା ପାଇଁ ଲେଖା ହୋଇଅଛି। 5 ଧୈର୍ଯ୍ୟ ଓ ସାନ୍ତ୍ୱନାଦାତା ଈଶ୍ବର ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ଅନୁରୂପରେ ପରସ୍ପର ଏକମନା ହେବାକୁ ଦିଅନ୍ତୁ, 6 ଯେପରି ଏକଚିତ୍ତରେ ଏକ ମୁଖରେ ତୁମ୍ଭେମାନେ ଈଶ୍ବରଙ୍କ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତାଙ୍କର ଗୌରବ କର। 7 ଅତଏବ ଈଶ୍ବରଙ୍କ ଗୌରବ ନିମନ୍ତେ ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ଗ୍ରହଣ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ଗ୍ରହଣ କର।
ଯିହୁଦୀ ଓ ଅଣଯିହୁଦୀଙ୍କ ଭରସା ଖ୍ରୀଷ୍ଟ ହିଁ
8 କାରଣ ମୁଁ କହେ, ଖ୍ରୀଷ୍ଟ, ଈଶ୍ବରଙ୍କ ସତ୍ୟ ନିମନ୍ତେ ସୁନ୍ନତିପ୍ରାପ୍ତ ଲୋକମାନଙ୍କର ସେବକ କରାଯାଇଅଛନ୍ତି, ଯେପରି ସେ ପିତୃପୁରୁଷମାନଙ୍କୁ ପ୍ରଦତ୍ତ ପ୍ରତିଜ୍ଞାସକଳ ସ୍ଥିର କରନ୍ତି, 9 ପୁଣି, ଯେପରି ଅଣଯିହୁଦୀମାନେ ଈଶ୍ବରଙ୍କ ଦୟା ନିମନ୍ତେ ତାହାଙ୍କର ଗୌରବ କରନ୍ତି; ଯେପରି ଲେଖାଅଛି,
“ଏଥିପାଇଁ ମୁଁ ଅଣଯିହୁଦୀମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି,
ଆଉ ତୁମ୍ଭ ନାମର କୀର୍ତ୍ତନ କରିବି।”
10 ପୁନଶ୍ଚ ସେ କହନ୍ତି,
“ହେ ଅଣଯିହୁଦୀମାନେ, ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କ ସହିତ ଆନନ୍ଦ କର।”
11 ପୁନଶ୍ଚ, “ହେ ଅଣଯିହୁଦୀ ସମସ୍ତେ ପ୍ରଭୁଙ୍କ ପ୍ରଶଂସା କର, ଆଉ, ଲୋକମାନେ ସମସ୍ତେ ତାହାଙ୍କର ପ୍ରଶଂସା କରନ୍ତୁ।” 12 ପୁନର୍ବାର ଯିଶାଇୟ କହନ୍ତି,
“ଯିଶୀଙ୍କ ମୂଳ ରହିବ,
ଆଉ ଯେ ଅଣଯିହୁଦୀଙ୍କ ଉପରେ ଶାସନ କରିବାକୁ ଉଠିବେ,
ଅଣଯିହୁଦୀମାନେ ତାହାଙ୍କ ଉପରେ ଭରସା ରଖିବେ।”

13 ସେହି ଭରସାର ଈଶ୍ବର ତୁମ୍ଭମାନଙ୍କୁ ବିଶ୍ୱାସ ଦ୍ୱାରା ସମସ୍ତ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ କରନ୍ତୁ, ଯେପରି ତୁମ୍ଭେମାନେ ପବିତ୍ର ଆତ୍ମାଙ୍କ ଶକ୍ତିରେ ଭରସାର ପ୍ରଚୁରତା ଅନୁଭବ କର।

ପାଉଲ ଅଣଯିହୁଦୀମାନଙ୍କ ନିମନ୍ତେ ଯୀଶୁଙ୍କ ସେବକ
14 ଆଉ ହେ ମୋହର ଭାଇମାନେ, ତୁମ୍ଭେମାନେ ଯେ ଆପେ ଆପେ ଉତ୍ତମତା ଓ ସମସ୍ତ ଜ୍ଞାନରେ ପରିପୂର୍ଣ୍ଣ; ପୁଣି, ପରସ୍ପରକୁ ଚେତନା ଦେବା ନିମନ୍ତେ ମଧ୍ୟ ସକ୍ଷମ, ଏହା ମୁଁ ନିଜେ ସୁଦ୍ଧା ତୁମ୍ଭମାନଙ୍କ ବିଷୟରେ ନିଶ୍ଚୟ ବୋଧ କରୁଅଛି। 15 ତଥାପି ମୋତେ ଈଶ୍ବରଙ୍କ କର୍ତ୍ତୃକ ଦିଆଯାଇଥିବା ଅନୁଗ୍ରହ ହେତୁ ମୁଁ ତୁମ୍ଭମାନଙ୍କୁ ପୁନର୍ବାର ସ୍ମରଣ କରାଇବା ନିମନ୍ତେ କେତେକ ପରିମାଣରେ ଅଧିକ ସାହସ ସହିତ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି। 16 କାରଣ ଅଣଯିହୁଦୀମାନେ ଯେପରି ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ନୈବେଦ୍ୟ ସ୍ୱରୂପେ ସୁଗ୍ରାହ୍ୟ ହୁଅନ୍ତି, ଏଥିନିମନ୍ତେ ସେମାନଙ୍କ ନିକଟରେ ଖ୍ରୀଷ୍ଟ ଯୀଶୁଙ୍କ ସେବକ ହୋଇ ଈଶ୍ବରଙ୍କ ସୁସମାଚାରର ଯାଜକତ୍ୱ କରିବା ପାଇଁ ମୋତେ ସେହି ଅନୁଗ୍ରହ ଦତ୍ତ ହୋଇଅଛି। 17 ଏଣୁ ଈଶ୍ବରଙ୍କ ସେବା ବିଷୟରେ ମୋହର ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରିବାର ଅଛି। 18 କାରଣ ଅଣଯିହୁଦୀମାନଙ୍କୁ ଆଜ୍ଞାବହ କରିବା ନିମନ୍ତେ ଖ୍ରୀଷ୍ଟ ମୋʼ ଦ୍ୱାରା ବାକ୍ୟରେ ଓ କର୍ମରେ, ଅର୍ଥାତ୍‍ ନାନା ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମରେ, ପବିତ୍ର ଆତ୍ମାଙ୍କ ଶକ୍ତିରେ ଯାହା ଯାହା ସାଧନ କରି ନାହାନ୍ତି, ଏପରି କୌଣସି ବିଷୟ କହିବାକୁ ମୁଁ ସାହସ କରିବି ନାହିଁ। 19 ଏହି ପ୍ରକାରେ ଯିରୂଶାଲମଠାରୁ ଇଲ୍ଲୁରିକ ଦେଶ ପର୍ଯ୍ୟନ୍ତ ଚତୁର୍ଦ୍ଦିଗରେ ମୁଁ ଖ୍ରୀଷ୍ଟଙ୍କ ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାର କରିଅଛି, 20 ହଁ, ଯେପରି ମୁଁ ଅନ୍ୟ ଲୋକର ମୂଳଦୁଆ ଉପରେ ନ ଗଢ଼େ, ଏଥିନିମନ୍ତେ ଯେଉଁ ସ୍ଥାନରେ ଖ୍ରୀଷ୍ଟଙ୍କ ନାମ ଉଚ୍ଚାରିତ ହୋଇ ନାହିଁ, ଏପରି ସ୍ଥାନରେ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ଲକ୍ଷ୍ୟ କରି ଆସିଅଛି; 21 ଯେପରି ଲେଖାଅଛି,
“ଯେଉଁମାନେ ତାହାଙ୍କ ସମ୍ବାଦ ପାଇ ନାହାନ୍ତି, ସେମାନେ ଦେଖିବେ,
ଆଉ ଯେଉଁମାନେ ଶୁଣି ନାହାନ୍ତି, ସେମାନେ ବୁଝିବେ।”
ରୋମ ଯିବା ନିମନ୍ତେ ପାଉଲଙ୍କ ସଙ୍କଳ୍ପ
22 ଏହି କାରଣରୁ ମଧ୍ୟ ମୁଁ ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଅନେକ ଥର ରୋକାଯାଇଅଛି; 23 କିନ୍ତୁ ଏବେ ଏହିସବୁ ଅଞ୍ଚଳରେ କାର୍ଯ୍ୟ କରିବାକୁ ଆଉ ସ୍ଥାନ ନ ଥିବାରୁ ପୁଣି, ଅନେକ ବର୍ଷ ହେଲା ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଆକାଂକ୍ଷା କରି ଆସୁଥିବାରୁ, 24 ମୁଁ ସ୍ପେନ ଦେଶକୁ ଯିବା ସମୟରେ ଆସିବି; କାରଣ ବାଟରେ ତୁମ୍ଭମାନଙ୍କୁ ସାକ୍ଷାତ କରି ପ୍ରଥମରେ ତୁମ୍ଭମାନଙ୍କ ସହଭାଗିତାରେ କେତେକ ପରିମାଣରେ ତୃପ୍ତିଲାଭ କଲା ଉତ୍ତାରେ ସେ ସ୍ଥାନକୁ ଯିବା ନିମନ୍ତେ ତୁମ୍ଭେମାନେ ମୋତେ ବାଟ ବଳାଇଦେବ ବୋଲି ଆଶା କରୁଅଛି। 25 କିନ୍ତୁ ଏବେ ସାଧୁମାନଙ୍କର ସେବା କରିବା ନିମନ୍ତେ ମୁଁ ଯିରୂଶାଲମ ସହରକୁ ଯାଉଅଛି। 26 କାରଣ ଯିରୂଶାଲମସ୍ଥ ସାଧୁମାନଙ୍କ ମଧ୍ୟରେ ଯେଉଁମାନେ ଦରିଦ୍ର, ସେମାନଙ୍କ ନିମନ୍ତେ ମାକିଦନିଆ ଓ ଆଖାୟାର ମଣ୍ଡଳୀ-ସମୂହ ସହଭାଗିତାସୂଚକ କିଛି ଦାନ ସଂଗ୍ରହ କରିବାକୁ ଭଲ ମଣିଅଛନ୍ତି। 27 ହଁ, ସେମାନେ ଏହା ଭଲ ମଣିଅଛନ୍ତି ସତ, ହେଲେ ସେମାନେ ସେମାନଙ୍କ ନିକଟରେ ଋଣୀ ମଧ୍ୟ ଅଟନ୍ତି; କାରଣ ଯଦି ଅଣଯିହୁଦୀମାନେ ସେମାନଙ୍କ ଆତ୍ମିକ ବିଷୟର ସହଭାଗୀ ହୋଇଅଛନ୍ତି, ତେବେ ସେମାନେ ସାଂସାରିକ ବିଷୟରେ ମଧ୍ୟ ସେମାନଙ୍କର ସେବା କରିବା ନିମନ୍ତେ ଋଣୀ। 28 ଅତଏବ, ଏହି କର୍ମ ସମ୍ପନ୍ନ କଲା ଉତ୍ତାରେ ଓ ଏହି ସଂଗୃହୀତ ଧନରୂପ ଫଳ ସେମାନଙ୍କ ହସ୍ତରେ ସମର୍ପଣ କଲା ପରେ ତୁମ୍ଭମାନଙ୍କ ନିକଟ ଦେଇ ସ୍ପେନକୁ ଯିବି। 29 ଆଉ ମୁଁ ଜାଣେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେବି, ସେତେବେଳେ ଖ୍ରୀଷ୍ଟଙ୍କ ଆଶୀର୍ବାଦର ପୂର୍ଣ୍ଣତାରେ ଉପସ୍ଥିତ ହେବି। 30 ହେ ଭାଇମାନେ, ମୁଁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହେତୁ ଓ ଆତ୍ମାଙ୍କ ପ୍ରେମ ହେତୁ ମୋʼ ନିମନ୍ତେ ଈଶ୍ବରଙ୍କ ନିକଟରେ ମୋʼ ସହିତ ଯତ୍ନ ସହକାରେ ପ୍ରାର୍ଥନା କରିବା ପାଇଁ ତୁମ୍ଭମାନଙ୍କୁ ବିନତି କରୁଅଛି, 31 ଯେପରି ମୁଁ ଯିହୂଦିୟା ପ୍ରଦେଶରେ ଅନାଜ୍ଞାବହ ଲୋକମାନଙ୍କଠାରୁ ଉଦ୍ଧାର ପାଏ, ଆଉ ଯିରୂଶାଲମ ନିମନ୍ତେ ମୋହର ଯେଉଁ ସେବା, ତାହା ଯେପରି ସାଧୁମାନଙ୍କ ନିକଟରେ ସୁଗ୍ରାହ୍ୟ ହୁଏ, 32 ପୁଣି, ଈଶ୍ବରଙ୍କ ଇଚ୍ଛାରେ ମୁଁ ଯେପରି ଆନନ୍ଦରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ତୁମ୍ଭମାନଙ୍କ ସହିତ ଆରାମ ପ୍ରାପ୍ତ ହୁଏ। 33 ଶାନ୍ତିଦାତା ଈଶ୍ବର ତୁମ୍ଭ ସମସ୍ତଙ୍କ ସହିତ ଥାଆନ୍ତୁ, ଆମେନ୍‍।

<- ରୋମୀୟ 14ରୋମୀୟ 16 ->