7 “ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ; ଯେ ଏହି ପୁସ୍ତକର ଭାବବାଣୀସବୁ ପାଳନ କରେ, ସେ ଧନ୍ୟ।” 8 ମୁଁ ଯୋହନ ସ୍ୱୟଂ ଏହି ସମସ୍ତ ଶ୍ରବଣ ଓ ଦର୍ଶନ କରିବା ପରେ, ଯେଉଁ ଦୂତ ମୋତେ ଏହି ସମସ୍ତ ଦର୍ଶନ କରାଇଲେ, ମୁଁ ତାହାଙ୍କ ପାଦ ତଳେ ପ୍ରଣାମ କରିବା ନିମନ୍ତେ ଉବୁଡ଼ ହେଲି। 9 କିନ୍ତୁ ସେ ମୋତେ କହିଲେ, ସାବଧାନ, ଏହା କର ନାହିଁ, କାରଣ ମୁଁ ତୁମ୍ଭର, ତୁମ୍ଭର ଭ୍ରାତୃବୃନ୍ଦ ଭାବବାଦୀମାନଙ୍କର ଓ ଏହି ପୁସ୍ତକର ବାକ୍ୟ ପାଳନକାରୀମାନଙ୍କର ସହଦାସ; ଈଶ୍ବରଙ୍କୁ ପ୍ରଣାମ କର। 10 ଆଉ ସେ ମୋତେ କହିଲେ, ତୁମ୍ଭେ ଏହି ପୁସ୍ତକର ଭାବବାଣୀସବୁ ମୁଦ୍ରାଙ୍କିତ କର ନାହିଁ, କାରଣ ସମୟ ସନ୍ନିକଟ। 11 ଯେ ଅଧର୍ମାଚାରୀ, ସେ ଆହୁରି ଅଧର୍ମାଚରଣ କରୁ; ଯେ ଅଶୁଚି, ସେ ଆହୁରି ଅଶୁଚି ହେଉ; ପୁଣି, ଯେ ଧାର୍ମିକ, ସେ ଆହୁରି ଧର୍ମାଚରଣ କରୁ; ଯେ ପବିତ୍ର ସେ ଆହୁରି ପବିତ୍ର ହେଉ।
12 “ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ; ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି। 13 ଆମ୍ଭେ ଆଲଫା ଏବଂ ଓମେଗା, ପ୍ରଥମ ଓ ଶେଷ, ଆଦି ଓ ଅନ୍ତ। 14 ଜୀବନ ବୃକ୍ଷର ଅଧିକାରୀ ହେବା ନିମନ୍ତେ ଓ ଦ୍ୱାର ଦେଇ ନଗରୀରେ ପ୍ରବେଶ କରିବା ନିମନ୍ତେ ଯେଉଁମାନେ ଆପଣା ଆପଣା ବସ୍ତ୍ର ଧୌତ କରନ୍ତି, ସେମାନେ ଧନ୍ୟ। 15 କୁକୁରମାନେ, ମାୟାବୀ, ବ୍ୟଭିଚାରୀ, ନରଘାତକ, ପ୍ରତିମାପୂଜକ ପୁଣି, ମିଥ୍ୟାପ୍ରିୟ ଓ ମିଥ୍ୟାଚାରୀମାନେ ବାହାରେ ରହିବେ। 16 ଆମ୍ଭେ ଯୀଶୁ, ମଣ୍ଡଳୀମାନଙ୍କ ନିମନ୍ତେ ତୁମ୍ଭମାନଙ୍କ ନିକଟରେ ଏହି ସମସ୍ତ ସାକ୍ଷ୍ୟ ଦେବା ପାଇଁ ଆମ୍ଭର ଦୂତକୁ ପ୍ରେରଣ କରିଅଛୁ। ଆମ୍ଭେ ଦାଉଦଙ୍କ ମୂଳ ଓ ବଂଶଜ, ସେହି ଉଜ୍ଜ୍ୱଳ ପ୍ରଭାତୀ ତାରା।” 17 ଆତ୍ମା ଓ କନ୍ୟା କହନ୍ତି, ଆସ। ପୁଣି, ଯେ ଶୁଣେ, ସେ କହୁ, ଆସ। ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ।