Link to home pageLanguagesLink to all Bible versions on this site
89
ଜାତିର ଦୁର୍ଦ୍ଦଶାକାଳୀନ ଗୀତ
ଇଷ୍ରାହୀୟ ଏଥନ୍‍ର ମସ୍କୀଲ୍‍।
1 ମୁଁ ସର୍ବଦା ସଦାପ୍ରଭୁଙ୍କ ବିବିଧ ଦୟା ବିଷୟ ଗାନ କରିବି;
ମୁଁ ଆପଣା ମୁଖରେ ତୁମ୍ଭର ବିଶ୍ୱସ୍ତତା ସମସ୍ତ ପିଢ଼ି ପ୍ରତି ପ୍ରକାଶ କରିବି।
2 କାରଣ ଦୟା ସଦାକାଳ ଗଢ଼ାଯିବ ବୋଲି ମୁଁ କହିଅଛି;
“ତୁମ୍ଭେ ଆପଣା ବିଶ୍ୱସ୍ତତା ସ୍ୱର୍ଗରେ ହିଁ ସ୍ଥାପନ କରିବ।”
3 “ଆମ୍ଭେ ଆପଣା ମନୋନୀତ ଲୋକ ସଙ୍ଗେ ନିୟମ କରିଅଛୁ,
ଆମ୍ଭେ ଆପଣା ଦାସ ଦାଉଦ ସଙ୍ଗେ ଶପଥ କରିଅଛୁ।
4 ‘ଆମ୍ଭେ ତୁମ୍ଭ ବଂଶକୁ ସଦାକାଳ ସୁସ୍ଥିର କରିବା
ଓ ପୁରୁଷ-ପରମ୍ପରା ପର୍ଯ୍ୟନ୍ତ ତୁମ୍ଭର ସିଂହାସନ ଗଢ଼ିବା।’ ”
[ସେଲା]
5 ହେ ସଦାପ୍ରଭୋ, ସ୍ୱର୍ଗ ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାର ପ୍ରଶଂସା କରିବ,
ମଧ୍ୟ ପବିତ୍ରଗଣର ସମାଜରେ ତୁମ୍ଭ ବିଶ୍ୱସ୍ତତାର ପ୍ରଶଂସା କରିବ।
6 କାରଣ ଆକାଶରେ ସଦାପ୍ରଭୁଙ୍କ ସଙ୍ଗେ କାହାର ଉପମା କରାଯାଇପାରେ?
ଯେଉଁ ପରମେଶ୍ୱର ପବିତ୍ରଗଣର ସଭାରେ ଅତି ଭୟଙ୍କର
7 ଓ ଆପଣା ଚତୁର୍ଦ୍ଦିଗସ୍ଥ ସମସ୍ତଙ୍କ ଉପରେ ଭୟଯୋଗ୍ୟ,
ସେହି ସଦାପ୍ରଭୁଙ୍କ ତୁଲ୍ୟ ବିକ୍ରମୀ-ସନ୍ତାନଗଣ ମଧ୍ୟରେ କିଏ ଅଛି?
8 ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ୱର,
ତୁମ୍ଭ ତୁଲ୍ୟ ବିକ୍ରମୀ କିଏ?
ତୁମ୍ଭ ବିଶ୍ୱସ୍ତତା ତୁମ୍ଭ ଚତୁର୍ଦ୍ଦିଗରେ ବିଦ୍ୟମାନ।
9 ତୁମ୍ଭେ ସମୁଦ୍ରର ଅହଙ୍କାର ଉପରେ କର୍ତ୍ତୃତ୍ୱ କରୁଅଛ;
ତହିଁର ତରଙ୍ଗମାଳା ଉଠିବା ବେଳେ ତୁମ୍ଭେ ସେସବୁ ଶାନ୍ତ କରୁଅଛ।
10 ତୁମ୍ଭେ ରାହବକୁ[a] ଚୂର୍ଣ୍ଣ କରି ହତ ବ୍ୟକ୍ତିର ସମାନ କରିଅଛ;
ତୁମ୍ଭେ ଆପଣା ବଳିଷ୍ଠ ବାହୁରେ ନିଜ ଶତ୍ରୁମାନଙ୍କୁ ଛିନ୍ନଭିନ୍ନ କରିଅଛ।
11 ସ୍ୱର୍ଗ ତୁମ୍ଭର, ପୃଥିବୀ ହିଁ ତୁମ୍ଭର;
ତୁମ୍ଭେ ଜଗତ ଓ ତହିଁର ପୂର୍ଣ୍ଣତା ସ୍ଥାପନ କରିଅଛ।
12 ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ;
ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆନନ୍ଦ କରନ୍ତି,
13 ତୁମ୍ଭେ ପରାକ୍ରାନ୍ତ ବାହୁବିଶିଷ୍ଟ;
ତୁମ୍ଭର ହସ୍ତ ବଳବାନ ଓ ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚ।
14 ଧର୍ମ ଓ ନ୍ୟାୟବିଚାର ତୁମ୍ଭ ସିଂହାସନର ଭିତ୍ତିମୂଳ;
ଦୟା ଓ ସତ୍ୟତା ତୁମ୍ଭର ସମ୍ମୁଖଗାମୀ।
15 ଯେଉଁ ଲୋକେ ଆନନ୍ଦଧ୍ୱନି ଜାଣନ୍ତି, ସେମାନେ ଧନ୍ୟ;
ହେ ସଦାପ୍ରଭୋ, ସେମାନେ ତୁମ୍ଭ ମୁଖର ଦୀପ୍ତିରେ ଗମନାଗମନ କରନ୍ତି।
16 ସେମାନେ ସାରାଦିନ ତୁମ୍ଭ ନାମରେ ଆନନ୍ଦ କରନ୍ତି
ଓ ତୁମ୍ଭ ଧାର୍ମିକତାରେ ସେମାନେ ଉନ୍ନତ ହୁଅନ୍ତି।
17 କାରଣ ତୁମ୍ଭେ ସେମାନଙ୍କ ବଳର ଗୌରବ ସ୍ୱରୂପ;
ପୁଣି, ତୁମ୍ଭ ଅନୁଗ୍ରହରେ ଆମ୍ଭମାନଙ୍କ ଶୃଙ୍ଗ ଉନ୍ନତ ହେବ।
18 କାରଣ ଆମ୍ଭମାନଙ୍କ ଢାଲ ସଦାପ୍ରଭୁଙ୍କର
ଓ ଆମ୍ଭମାନଙ୍କ ରାଜା ଇସ୍ରାଏଲର ଧର୍ମସ୍ୱରୂପଙ୍କର।
19 ସେସମୟରେ ତୁମ୍ଭେ ଆପଣା ସଦ୍‍ଭକ୍ତମାନଙ୍କୁ ଦର୍ଶନ ଦେଇ କଥା କହିଲ,
ପୁଣି, କହିଲ, “ଆମ୍ଭେ ଏକ ବିକ୍ରମୀ ଉପରେ ସାହାଯ୍ୟ କରିବାର ଭାର ଦେଇଅଛୁ;
ଆମ୍ଭେ ଲୋକମାନଙ୍କ ମଧ୍ୟରୁ ମନୋନୀତ ଏକ ଜଣକୁ ଉନ୍ନତ କରିଅଛୁ।
ଦାଉଦଙ୍କୁ ଈଶ୍ୱରଙ୍କ ପ୍ରତିଜ୍ଞା
20 ଆମ୍ଭେ ଆପଣା ଦାସ ଦାଉଦଙ୍କୁ ପାଇଅଛୁ;
ଆମ୍ଭ ପବିତ୍ର ତୈଳରେ ଆମ୍ଭେ ତାହାକୁ ଅଭିଷିକ୍ତ କରିଅଛୁ;
21 ଆମ୍ଭ ହସ୍ତ ତାହା ସଙ୍ଗରେ ସ୍ଥିରୀକୃତ ହୋଇ ରହିବ;
ମଧ୍ୟ ଆମ୍ଭର ବାହୁ ତାହାକୁ ବଳବାନ କରିବ।
22 ଶତ୍ରୁ ତାହା ପ୍ରତି ଉପଦ୍ରବ କରିବ ନାହିଁ;
କିଅବା ଦୁଷ୍ଟତାର ସନ୍ତାନ ତାହାକୁ କ୍ଳେଶ ଦେବ ନାହିଁ।
23 ଆମ୍ଭେ ତାହାର ବିପକ୍ଷଗଣକୁ ତାହା ସମ୍ମୁଖରେ ଚୂର୍ଣ୍ଣ କରିବା
ଓ ତାହାର ଘୃଣାକାରୀମାନଙ୍କୁ ଆଘାତ କରିବା।
24 ମାତ୍ର ଆମ୍ଭର ବିଶ୍ୱସ୍ତତା ଓ ଦୟା ତାହାର ସହବର୍ତ୍ତୀ ହେବ;
ପୁଣି, ଆମ୍ଭ ନାମରେ ତାହାର ଶୃଙ୍ଗ ଉନ୍ନତ ହେବ।
25 ଆମ୍ଭେ ସମୁଦ୍ର ଉପରେ ତାହାର ହସ୍ତ
ଓ ନଦୀସମୂହ ଉପରେ ତାହାର ଦକ୍ଷିଣ ହସ୍ତ ସ୍ଥାପନ କରିବା।
26 ସେ ଆମ୍ଭଙ୍କୁ ଡାକି କହିବ, ‘ତୁମ୍ଭେ ଆମ୍ଭର ପିତା,
ଆମ୍ଭର ପରମେଶ୍ୱର ଓ ଆମ୍ଭ ପରିତ୍ରାଣର ଶୈଳ।’
27 ଆମ୍ଭେ ମଧ୍ୟ ତାହାକୁ ଆମ୍ଭର ପ୍ରଥମଜାତ,
ପୃଥିବୀସ୍ଥ ରାଜାଗଣ ମଧ୍ୟରେ ସର୍ବୋଚ୍ଚ କରିବା।
28 ଆମ୍ଭେ ଅନନ୍ତକାଳ ତାହା ପକ୍ଷରେ ଆପଣା ଦୟା ରଖିବା,
ପୁଣି, ଆମ୍ଭର ନିୟମ ତାହା ପକ୍ଷରେ ସୁସ୍ଥିର ହେବ।
29 ମଧ୍ୟ ଆମ୍ଭେ ତାହାର ବଂଶକୁ ନିତ୍ୟସ୍ଥାୟୀ କରିବା
ଓ ତାହାର ସିଂହାସନକୁ ଆକାଶମଣ୍ଡଳର ଆୟୁର ତୁଲ୍ୟ ସ୍ଥିର କରିବା।
30 ଯଦି ତାହାର ସନ୍ତାନଗଣ ଆମ୍ଭର ବ୍ୟବସ୍ଥା ପରିତ୍ୟାଗ କରନ୍ତି
ଓ ଆମ୍ଭ ଶାସନରେ ନ ଚାଲନ୍ତି;
31 ଯଦି ସେମାନେ ଆମ୍ଭର ବିଧି ଲଙ୍ଘନ କରନ୍ତି
ଓ ଆମ୍ଭର ଆଜ୍ଞାସବୁ ନ ପାଳନ୍ତି;
32 ତେବେ ଆମ୍ଭେ ଯଷ୍ଟି ଦ୍ୱାରା ସେମାନଙ୍କ ଅପରାଧର
ଓ ପ୍ରହାର ଦ୍ୱାରା ସେମାନଙ୍କ ଅଧର୍ମର ଶାସ୍ତି ଦେବା।
33 ମାତ୍ର ତାହାଠାରୁ ଆମ୍ଭେ ଆପଣା ଦୟା ଏକାନ୍ତ ନେବା ନାହିଁ;
କିଅବା ଆମ୍ଭ ବିଶ୍ୱସ୍ତତାର ତ୍ରୁଟି ହେବାକୁ ଦେବା ନାହିଁ।
34 ଆମ୍ଭେ ଆପଣା ନିୟମ ଲଙ୍ଘନ କରିବା ନାହିଁ,
କିଅବା ଆପଣା ଓଷ୍ଠାଧରରୁ ନିର୍ଗତ କଥା ଅନ୍ୟଥା କରିବା ନାହିଁ।
35 ଆମ୍ଭେ ଆପଣା ପବିତ୍ରତା ଘେନି ଥରେ ଶପଥ କରିଅଛୁ;
ଆମ୍ଭେ ଦାଉଦଙ୍କୁ ମିଥ୍ୟା କହିବା ନାହିଁ।
36 ତାହାର ବଂଶ ସଦାକାଳ ରହିବ
ଓ ତାହାର ସିଂହାସନ ଆମ୍ଭ ସମ୍ମୁଖରେ ସୂର୍ଯ୍ୟ ତୁଲ୍ୟ ରହିବ।
37 ତାହା ସଦାକାଳ ଚନ୍ଦ୍ର ତୁଲ୍ୟ ଓ ଆକାଶସ୍ଥ ବିଶ୍ୱସ୍ତ
ସାକ୍ଷୀ ତୁଲ୍ୟ ସ୍ଥିରୀକୃତ ହେବ।”
[ସେଲା]
ରାଜାଙ୍କ ପରାଜୟରେ ଶୋକ
38 ମାତ୍ର ତୁମ୍ଭେ ଦୂର କରି ଅଗ୍ରାହ୍ୟ କରିଅଛ,
ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କ୍ରୁଦ୍ଧ ହୋଇଅଛ।
39 ତୁମ୍ଭେ ଆପଣା ଦାସର ନିୟମ ଘୃଣା କରିଅଛ;
ତୁମ୍ଭେ ତାହାର ମୁକୁଟ ଭୂମିରେ ପକାଇ ଅଶୁଚି କରିଅଛ।
40 ତୁମ୍ଭେ ତାହାର ସବୁ ବାଡ଼ ଭାଙ୍ଗି ପକାଇଅଛ;
ତୁମ୍ଭେ ତାହାର ଦୃଢ଼ ଗଡ଼ସବୁ ଉଜାଡ଼ କରିଅଛ।
41 ପଥ ଦେଇ ଯିବା ଲୋକ ସମସ୍ତେ ତାହାକୁ ଲୁଟ କରନ୍ତି;
ସେ ଆପଣା ପ୍ରତିବାସୀମାନଙ୍କର ନିନ୍ଦାପାତ୍ର ହୋଇଅଛି।
42 ତୁମ୍ଭେ ତାହାର ବିପକ୍ଷମାନଙ୍କ ଦକ୍ଷିଣ ହସ୍ତ ଉନ୍ନତ କରିଅଛ;
ତୁମ୍ଭେ ତାହାର ସକଳ ଶତ୍ରୁଙ୍କୁ ଆନନ୍ଦିତ କରିଅଛ।
43 ହଁ, ତୁମ୍ଭେ ତାହାର ଖଡ୍ଗଧାର ଫେରାଉଅଛ
ଓ ଯୁଦ୍ଧରେ ତାହାକୁ ଛିଡ଼ା ହେବାକୁ ଦେଇ ନାହଁ।
44 ତୁମ୍ଭେ ତାହାର ରାଜଦଣ୍ଡ[b] ନିବୃତ୍ତ କରିଅଛ
ଓ ତାହାର ସିଂହାସନ ଭୂମିକୁ ପକାଇ ଦେଇଅଛ।
45 ତୁମ୍ଭେ ତାହାର ଯୌବନ ଦିନ ହ୍ରାସ କରିଅଛ;
ତୁମ୍ଭେ ଲଜ୍ଜାରେ ତାହାକୁ ଆଚ୍ଛନ୍ନ କରିଅଛ।
[ସେଲା]
46 ହେ ସଦାପ୍ରଭୋ, କେତେ କାଳ, ତୁମ୍ଭେ କି ସଦାକାଳ ଆପଣାକୁ ଲୁଚାଇବ?
କେତେ କାଳ ତୁମ୍ଭର କୋପ ଅଗ୍ନି ପରି ଜ୍ୱଳିବ?
47 ଆହେ, ମୋହର ସମୟ କିପରି ଅଳ୍ପ, ଏହା ସ୍ମରଣ କର;
ତୁମ୍ଭେ କିପରି ଅସାରତା ନିମନ୍ତେ ମନୁଷ୍ୟ-ସନ୍ତାନ ସମସ୍ତଙ୍କୁ ସୃଷ୍ଟି କରିଅଛ!
48 ଯେ ମୃତ୍ୟୁୁ ନ ଦେଖି ଜୀବିତ ରହିବ ଓ ପାତାଳର
ପରାକ୍ରମରୁ ଆପଣା ପ୍ରାଣ ମୁକ୍ତ କରିବ, ଏପରି ମନୁଷ୍ୟ କିଏ?
49 ହେ ପ୍ରଭୋ, ତୁମ୍ଭେ ଆପଣା ବିଶ୍ୱସ୍ତତା ଦ୍ୱାରା
ଦାଉଦଙ୍କ ନିକଟରେ ଯାହା ଶପଥ କରିଥିଲ, ତୁମ୍ଭର ସେହି ପୂର୍ବ ବିବିଧ ଦୟା କାହିଁ?
50 ହେ ପ୍ରଭୋ, ତୁମ୍ଭ ଦାସମାନଙ୍କର ନିନ୍ଦା ସ୍ମରଣ କର
ଓ ମୁଁ ପରାକ୍ରାନ୍ତ ଗୋଷ୍ଠୀବର୍ଗର ନିନ୍ଦା କିପ୍ରକାରେ ଆପଣା ବକ୍ଷସ୍ଥଳରେ ବହୁଅଛି, ଏହା ସ୍ମରଣ କର।
51 ହେ ସଦାପ୍ରଭୋ, ତଦ୍ଦ୍ୱାରା ତୁମ୍ଭ ଶତ୍ରୁଗଣ ନିନ୍ଦା କରିଅଛନ୍ତି,
ତଦ୍ଦ୍ୱାରା ସେମାନେ ତୁମ୍ଭ ଅଭିଷିକ୍ତଙ୍କ ପଦଚିହ୍ନକୁ ନିନ୍ଦା କରିଅଛନ୍ତି।
52 ସଦାପ୍ରଭୁ ଅନନ୍ତକାଳ ଧନ୍ୟ ହେଉନ୍ତୁ,
ଆମେନ୍‍, ଆମେନ୍‍।

<- ଗୀତସଂହିତା 88ଗୀତସଂହିତା 90 ->