Link to home pageLanguagesLink to all Bible versions on this site

The Epistle of Paul the Apostle to the Philippians
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଲେଖକ
ପାଉଲ ନିଜେ ଦାବି କରନ୍ତି ଯେ ସେ ଏହି ପୁସ୍ତକ ଲେଖିଛନ୍ତି (ଫିଲି. 1:1)। ଭାଷା, ଶୈଳୀ ଏବଂ ଐତିହାସିକ ଘଟଣାଗୁଡ଼ିକର ସମସ୍ତ ଆନ୍ତରିକ ବିଷୟ ଏହାକୁ ପ୍ରମାଣ କରେ। ପ୍ରଥମ ଶତାବ୍ଦୀର ମଣ୍ଡଳୀଗୁଡ଼ିକ ମଧ୍ୟ ସର୍ବଦା ପାଉଲଙ୍କ ଲେଖକତ୍ଵ ଓ ଅଧିକାର ବିଷୟରେ ପ୍ରକାଶ କରନ୍ତି। ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର ଖ୍ରୀଷ୍ଟଙ୍କର ମନ ପ୍ରକାଶ କରେ (ଫିଲି. 2:1-11)। ପାଉଲ ବନ୍ଦୀତ୍ୱ ଅବସ୍ଥାରେ ଥାଇ ମଧ୍ୟ ଆନନ୍ଦରେ ଫିଲିପ୍ପୀୟ ମଣ୍ଡଳୀକୁ ଏହି ପତ୍ର ଲେଖିଥିଲେ। ଫିଲିପ୍ପୀୟ ପୁସ୍ତକ ଶିକ୍ଷା ଦିଏ ଯେ ଖ୍ରୀଷ୍ଟଙ୍କର ବିଶ୍ଵାସୀମାନେ ଦୁଃଖ ଏବଂ ଯନ୍ତ୍ରଣା ସମୟରେ ଆନନ୍ଦ ଅନୁଭବ କରନ୍ତି। ଖ୍ରୀଷ୍ଟଙ୍କଠାରେ ଆଶା ହେତୁ ଆମ୍ଭେମାନେ ଆନନ୍ଦିତ ଅଟୁ।
ସମୟ ଓ ସ୍ଥାନ
ପ୍ରାୟ 61 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।
ପାଉଲ ରୋମର କାରାଗାରରେ ଥିବା ସମୟରେ ଫିଲିପ୍ପୀୟ ବିଶ୍ଵାସୀମାନଙ୍କୁ ଏହି ପତ୍ର ଲେଖିଥିଲେ (ପ୍ରେରିତ 28:30)। ଫିଲିପ୍ପୀୟ ବିଶ୍ଵାସୀମାନଙ୍କୁ ଏହି ପତ୍ର ଏପାଫ୍ରଦିତଙ୍କ ଦ୍ଵାରା ଦେବାର ଥିଲା, ଯିଏ ରୋମକୁ ପାଉଲଙ୍କ ନିମନ୍ତେ ଫିଲିପ୍ପୀୟ ମଣ୍ଡଳୀରୁ ଆର୍ଥିକ ସହାୟତା ନେଇ ଆସିଥିଲେ (ଫିଲି. 2:25; 4:18)। କିନ୍ତୁ ରୋମରେ ଏପାଫ୍ରଦିତ ଅସୁସ୍ଥ ହେଲେ ଏବଂ ଗୃହକୁ ତାହାଙ୍କ ପ୍ରତ୍ୟାବର୍ତ୍ତନ କରିବା ବିଳମ୍ବିତ ହେଲା ଯାହା ଫଳରେ ପତ୍ରକୁ ବିଳମ୍ବରେ ଦେଲେ (ଫିଲି. 2:26-27)।
ପ୍ରାପକ
ଫିଲିପ୍ପୀୟ ସହରର ମଣ୍ଡଳୀ, ଫିଲିପ୍ପୀୟ ସହର ମାକିଦନିଆ ଜିଲ୍ଲାର ଏକ ପ୍ରମୁଖ ସହର ଥିଲା।
ଉଦ୍ଦେଶ୍ୟ
କାରାଗାରରେ ପାଉଲ କିଭଳି ଅବସ୍ଥାରେ ଅଛନ୍ତି (ଫିଲି. 1:12-26) ଏବଂ ସେ କାରାଗାରରୁ ମୁକ୍ତ ହେବା ତାଙ୍କର ଯୋଜନାମାନ କଅଣ ଥିଲା, ସେହି ବିଷୟରେ ମଣ୍ଡଳୀ ଜ୍ଞାତ ହେଉ ବୋଲି ସେ ଇଚ୍ଛା କରୁଥିଲେ (ଫିଲି. 2:23-24)। ମଣ୍ଡଳୀରେ ମତଭେଦ ଓ ଦଳଭେଦ ହେବାର ପ୍ରତୀତ ହେବାରୁ ପାଉଲ ଏକତାରେ ନମ୍ର ହେବା ନିମନ୍ତେ ଉତ୍ସାହିତ କରିବା ନିମନ୍ତେ ଏହି ପତ୍ର ଲେଖିଥିଲେ (ଫିଲି. 2:1-18; 4:2-3)। ପାଉଲ, ଏକ ପାଳକୀୟ ଧର୍ମତତ୍ତ୍ୱବିତ୍ ଥିଲେ, ଯିଏ ଭଣ୍ଡ ଶିକ୍ଷାକୁ ପ୍ରତିରୋଧ କରିବାକୁ ଏବଂ ଭଣ୍ଡ ଶିକ୍ଷକମାନଙ୍କର ପରିଣାମ ବିଷୟରେ ଲେଖିଥିଲେ (ଫିଲି. 3:2-3), ମଣ୍ଡଳୀଗଣକୁ ପ୍ରଶଂସା କରିବା ନିମନ୍ତେ ପାଉଲ ତୀମଥିଙ୍କୁ ଲେଖିଥିଲେ ଏପରିକି ଏପାଫ୍ରଦିତଙ୍କ ସ୍ୱାସ୍ଥ୍ୟ ଏବଂ ତାହାଙ୍କ ଯୋଜନା ବିଷୟରେ ମଧ୍ୟ ଜଣାଇବେ (ଫିଲି. 2:19-30) ଏବଂ ମଣ୍ଡଳୀଗୁଡ଼ିକ ପାଉଲଙ୍କୁ ଅଭାବ ମୋଚନ କରିବା ନିମନ୍ତେ ଦାନ ଦେଇଥିବା ଯୋଗୁଁ ସେ ମଣ୍ଡଳୀକୁ ଧନ୍ୟବାଦ ଜ୍ଞାପନ କରିବାକୁ ମଧ୍ୟ ଲେଖିଥିଲେ (ଫିଲି. 4:10-20)।
ବିଷୟବସ୍ତୁ
ଏକ ଆନନ୍ଦପୂର୍ଣ୍ଣ ଜୀବନ
ରୂପରେଖା
1. ଅଭିବାଦନ — 1:1, 2
2. ପାଉଲଙ୍କ ଅବସ୍ଥା ଏବଂ ମଣ୍ଡଳୀ ନିମନ୍ତେ ଉତ୍ସାହ — 1:3-2:30
3. ଭଣ୍ଡ ଶିକ୍ଷା ବିଷୟରେ ସଚେତନତା — 3:1-4:1
4. ଶେଷ ଉପଦେଶ — 4:2-9
5. କୃତଜ୍ଞତା ଜ୍ଞାପନ — 4:10-20
6. ଶେଷ ନମସ୍କାର — 4:21-23

1
ଅଭିବାଦନ
1 ପାଉଲ ଓ ତୀମଥି, ଖ୍ରୀଷ୍ଟ ଯୀଶୁଙ୍କର ଦୁଇ ଦାସ, ଫିଲିପ୍ପୀରେ ଥିବା ଖ୍ରୀଷ୍ଟ ଯୀଶୁଙ୍କ ଆଶ୍ରିତ ସମସ୍ତ ସାଧୁଙ୍କ ନିକଟକୁ ପୁଣି, ଅଧ୍ୟକ୍ଷ ଓ ସେବକମାନଙ୍କ ନିକଟକୁ ପତ୍ର; 2 ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ପାଉଲଙ୍କ ପ୍ରାର୍ଥନା
3 ମୁଁ ତୁମ୍ଭମାନଙ୍କୁ ଯେତେ ଥର ସ୍ମରଣ କରେ, ସେତେ ଥର ମୋହର ଈଶ୍ବରଙ୍କୁ ଧନ୍ୟବାଦ ଦେଇଥାଏ। 4 ପ୍ରଥମ ଦିନଠାରୁ ଆଜି ପର୍ଯ୍ୟନ୍ତ ସୁସମାଚାରର ପକ୍ଷରେ ତୁମ୍ଭମାନଙ୍କ ସହଭାଗିତା ହେତୁ 5 ତୁମ୍ଭ ସମସ୍ତଙ୍କ ନିମନ୍ତେ ସର୍ବଦା ମୁଁ ମୋହର ପ୍ରତ୍ୟେକ ପ୍ରାର୍ଥନାରେ ଆନନ୍ଦ ସହ ନିବେଦନ କରୁଅଛି 6 କାରଣ ଯେ ତୁମ୍ଭମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତାହା ସାଧନ କରି ସିଦ୍ଧ କରିବେ, ଏହା ତ ମୁଁ ଦୃଢ଼ରୂପେ ବିଶ୍ୱାସ କରେ; 7 ଆଉ ତୁମ୍ଭ ସମସ୍ତଙ୍କ ବିଷୟରେ ମୋହର ଏପରି ଭାବିବା ଉଚିତ୍, ଯେଣୁ ତୁମ୍ଭେ ସମସ୍ତେ ମୋହର ବନ୍ଧନରେ ଯେପରି, ସୁସମାଚାର ପକ୍ଷ ସମର୍ଥନ ଓ ସେଥିର ସତ୍ୟ ପ୍ରମାଣ କରିବାରେ ସେହିପରି ମୋʼ ସହିତ ଅନୁଗ୍ରହର ସହଭାଗୀ ଅଟ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି। 8 କାରଣ ଖ୍ରୀଷ୍ଟ ଯୀଶୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ମୁଁ ତୁମ୍ଭ ସମସ୍ତଙ୍କ ନିମନ୍ତେ କି ପ୍ରକାର ଲାଳାୟିତ, ଏହି ବିଷୟରେ ଈଶ୍ବର ମୋହର ସାକ୍ଷୀ। 9 ପୁଣି, ମୋହର ପ୍ରାର୍ଥନା ଏହି, ତୁମ୍ଭମାନଙ୍କର ପ୍ରେମ, ଜ୍ଞାନ ଓ ସମସ୍ତ ସୂକ୍ଷ୍ମ ବିଚାରରେ ଅଧିକରୁ ଅଧିକ ବୃଦ୍ଧି ପାଉ, 10 ଯେପରି ତୁମ୍ଭେମାନେ ଉତ୍କୃଷ୍ଟ ବିଷୟଗୁଡ଼ିକ ସମର୍ଥନ କରିପାର, ପୁଣି, ଈଶ୍ବରଙ୍କ ଗୌରବ ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକତାର ଯେଉଁ ଫଳ, 11 ସେଥିରେ ପରିପୂର୍ଣ୍ଣ ହୋଇ ଖ୍ରୀଷ୍ଟଙ୍କ ଦିନରେ ଶୁଦ୍ଧ ଓ ଅନିନ୍ଦନୀୟ ହୁଅ।
ସୁସମାଚାର କାର୍ଯ୍ୟର ବୃଦ୍ଧି
12 ହେ ଭାଇମାନେ, ମୋʼ ପ୍ରତି ଯାହା ଯାହା ଘଟିଅଛି, ସେହିସବୁ ଯେ ବରଂ ସୁସମାଚାର କାର୍ଯ୍ୟର ବୃଦ୍ଧି ନିମନ୍ତେ ହୋଇଅଛି, ଏହା ତୁମ୍ଭମାନଙ୍କୁ ଜଣାଇବାକୁ ମୁଁ ଇଚ୍ଛା କରେ; 13 ଯେଣୁ ମୋହର ବନ୍ଧନ ଯେ ଖ୍ରୀଷ୍ଟଙ୍କ ନିମନ୍ତେ, ଏହା ରାଜପ୍ରାସାଦର ସମୁଦାୟ ସୈନ୍ୟଦଳ ଓ ଅନ୍ୟାନ୍ୟ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଲା; 14 ଆହୁରି ମଧ୍ୟ ଅଧିକାଂଶ ଭାଇମାନେ ମୋହର ବନ୍ଧନ ଦ୍ୱାରା ପ୍ରଭୁଙ୍କଠାରେ ନିର୍ଭର କରି ନିର୍ଭୟରେ ଈଶ୍ବରଙ୍କ ବାକ୍ୟ କହିବା ନିମନ୍ତେ ଅତି ଉତ୍ସୁକଭାବେ ସାହସୀ ହୋଇଅଛନ୍ତି। 15 କେହି କେହି ଈର୍ଷା ଓ ବିବାଦ ହେତୁ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଅଛନ୍ତି ସତ୍ୟ, କିନ୍ତୁ ଆଉ କେହି କେହି ସତ୍ ଭାବରେ ତାହା କରୁଅଛନ୍ତି; 16 ମୁଁ ଯେ ସୁସମାଚାରର ପକ୍ଷ ସମର୍ଥନ କରିବା ନିମନ୍ତେ ନିଯୁକ୍ତ ରହିଅଛି, ଏହା ଜାଣି ଏକ ପକ୍ଷ ପ୍ରେମ ହେତୁ ତାହା କରନ୍ତି, 17 କିନ୍ତୁ ଅନ୍ୟ ପକ୍ଷ ମୋହର ବନ୍ଧନରେ ମୋତେ କ୍ଳେଶ ଦେବାକୁ ଭାବି ଅସରଳ ଭାବରେ ସ୍ୱାର୍ଥପରତା ସକାଶେ ଖ୍ରୀଷ୍ଟଙ୍କୁ ପ୍ରଚାର କରନ୍ତି। 18 ସେଥିରେ ବା କଅଣ? କପଟ ଭାବରେ ହେଉ ବା ସତ୍ୟ ଭାବରେ ହେଉ, ଯେକୌଣସି ପ୍ରକାରେ ଖ୍ରୀଷ୍ଟ ପ୍ରଚାରିତ ହେଉଅଛନ୍ତି, ଏଥିରେ ମୁଁ ଆନନ୍ଦ କରୁଅଛି, ହଁ, ଆନନ୍ଦ କରିବି।
ଖ୍ରୀଷ୍ଟଙ୍କଠାରେ ଜୀବନଧାରଣ
19 କାରଣ ମୁଁ ଜାଣେ ଯେ, ତୁମ୍ଭମାନଙ୍କ ନିବେଦନ ଓ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ଏସବୁ ମୋହର ପରିତ୍ରାଣର ଅନୁକୂଳ ହେବ, 20 ଏ ସମ୍ବନ୍ଧରେ ମୋହର ଏକାନ୍ତ ଆକାଂକ୍ଷା ଓ ଭରସା ଅଛି ଯେ ମୁଁ କୌଣସି ବିଷୟରେ ଲଜ୍ଜିତ ହେବି ନାହିଁ, କିନ୍ତୁ ସର୍ବଦା ଯେଉଁପରି, ଏବେ ମଧ୍ୟ ସେହିପରି ଅତି ସାହସରେ, ଜୀବନରେ ହେଉ ବା ମରଣରେ ହେଉ, ଖ୍ରୀଷ୍ଟଙ୍କୁ ମୋହର ଶରୀରରେ ମହିମାନ୍ୱିତ କରିବି। 21 କାରଣ ମୋʼ ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ, ପୁଣି, ମୃତ୍ୟୁଭୋଗ ଲାଭଜନକ। 22 କିନ୍ତୁ ଶରୀରରେ ଜୀବନଧାରଣ ଯଦି ମୋʼ ପକ୍ଷରେ ଫଳପ୍ରଦ କାର୍ଯ୍ୟ ସାଧନ ହୁଏ, ତେବେ ମୁଁ କଅଣ ପସନ୍ଦ କରିବି, ତାହା ଜାଣେ ନାହିଁ। 23 ମୁଁ ଦୁଇଟି ବିଷୟ ଘେନି ମହା ସମସ୍ୟାରେ ପଡ଼ିଅଛି; ଇହଲୋକରୁ ପ୍ରସ୍ଥାନ କରି ଖ୍ରୀଷ୍ଟଙ୍କ ସହିତ ରହିବାକୁ ମୋହର ଇଚ୍ଛା, କାରଣ ତାହା ଅତୀବ ଶ୍ରେୟସ୍କର; 24 ମାତ୍ର ଶରୀରରେ ରହିବା ତୁମ୍ଭମାନଙ୍କ ନିମନ୍ତେ ଅଧିକ ଆବଶ୍ୟକ। 25 ଆଉ ମୁଁ ଦୃଢ଼ରୂପେ ଏହା ଜାଣେ ଯେ, ମୁଁ ରହିବି, ହଁ, ବିଶ୍ୱାସରେ ତୁମ୍ଭମାନଙ୍କର ବୃଦ୍ଧି ଓ ଆନନ୍ଦ ନିମନ୍ତେ ତୁମ୍ଭ ସମସ୍ତଙ୍କ ସହିତ ରହିବି, 26 ଯେପରି ତୁମ୍ଭମାନଙ୍କ ମଧ୍ୟରେ ମୋହର ପୁନର୍ବାର ଉପସ୍ଥିତି ହେତୁ ମୋʼ ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ଦର୍ପ ଅଧିକ ବୃଦ୍ଧି ପାଇବ। 27 ମୋହର ଏହି ମାତ୍ର ଇଚ୍ଛା, ଖ୍ରୀଷ୍ଟଙ୍କ ସୁସମାଚାରର ଯୋଗ୍ୟ ପ୍ରଜା ସ୍ୱରୂପେ ଆଚରଣ କର, ଯେପରି ମୁଁ ଉପସ୍ଥିତ ହୋଇ ତୁମ୍ଭମାନଙ୍କୁ ଦେଖିଲେ ଅବା ଅନୁପସ୍ଥିତ ଥାଇ ତୁମ୍ଭମାନଙ୍କ ବିଷୟରେ ଶୁଣିଲେ ଜାଣି ପାରିବି ଯେ, ତୁମ୍ଭେମାନେ ଏକ ଆତ୍ମାରେ ସ୍ଥିର ରହି ସୁସମାଚାରର ବିଶ୍ୱାସ ନିମନ୍ତେ ଏକ ପ୍ରାଣରେ ଏକସଙ୍ଗରେ ଉଦ୍ୟମ କରୁଅଛ, 28 ପୁଣି, କୌଣସି ବିଷୟରେ ବିପକ୍ଷମାନଙ୍କ ଦ୍ୱାରା ତ୍ରାସଯୁକ୍ତ ନୁହଁ; ତାହା ସେମାନଙ୍କ ପକ୍ଷରେ ବିନାଶ, କିନ୍ତୁ ତୁମ୍ଭମାନଙ୍କ ପକ୍ଷରେ ପରିତ୍ରାଣର ଈଶ୍ବରଦତ୍ତ ଏକ ଲକ୍ଷଣ; 29 କାରଣ ଖ୍ରୀଷ୍ଟଙ୍କଠାରେ କେବଳ ବିଶ୍ୱାସ କରିବା ନିମନ୍ତେ ତୁମ୍ଭମାନଙ୍କୁ ଯେ ଅନୁଗ୍ରହ ଦିଆଯାଇଅଛି, ତାହା ନୁହେଁ, ମାତ୍ର ତାହାଙ୍କ ସକାଶେ ଦୁଃଖଭୋଗ ମଧ୍ୟ କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁଗ୍ରହ ଦିଆଯାଇଅଛି; 30 ଆଉ ମୋତେ ଯେପରି ଯୁଦ୍ଧ କରିବାର ଦେଖିଥିଲ, ପୁଣି, ବର୍ତ୍ତମାନ କରୁଅଛି ବୋଲି ଶୁଣୁଅଛ, ତୁମ୍ଭେମାନେ ସେହିପରି ଯୁଦ୍ଧ କରୁଅଛ।

ଫିଲିପ୍ପୀୟ 2 ->