16 ମାତ୍ର ଯଦି କେହି ଲୌହ ଅସ୍ତ୍ର ଦ୍ୱାରା କାହାରିକୁ ଏପରି ଆଘାତ କରେ ଯେ, ତହିଁରେ ସେ ମରେ, ତେବେ ସେ ନରହତ୍ୟାକାରୀ; ସେହି ନରହତ୍ୟାକାରୀର ଅବଶ୍ୟ ପ୍ରାଣଦଣ୍ଡ ହେବ। 17 ଆଉ ଯାହା ଦ୍ୱାରା ମନୁଷ୍ୟ ମରିପାରେ, ଏପରି ପଥର ହସ୍ତରେ ନେଇ ଯଦି ସେ କାହାକୁ ଆଘାତ କରେ ଓ ତହିଁରେ ସେ ମରେ, ତେବେ ସେ ନରହତ୍ୟାକାରୀ; ସେହି ନରହତ୍ୟାକାରୀର ଅବଶ୍ୟ ପ୍ରାଣଦଣ୍ଡ ହେବ। 18 ଅବା ଯାହା ଦ୍ୱାରା ମନୁଷ୍ୟ ମରିପାରେ, ଏପରି କୌଣସି କାଷ୍ଠ-ଅସ୍ତ୍ର ହସ୍ତରେ ନେଇ ଯଦି ସେ କାହାକୁ ଆଘାତ କରେ ଓ ତହିଁରେ ସେ ମରେ, ତେବେ ସେ ନରହତ୍ୟାକାରୀ; ସେହି ନରହତ୍ୟାକାରୀର ଅବଶ୍ୟ ପ୍ରାଣଦଣ୍ଡ ହେବ। 19 ରକ୍ତର ପ୍ରତିହନ୍ତା ନିଜେ ସେହି ନରହତ୍ୟାକାରୀକୁ ବଧ କରିବ; ସେ ତାହାର ଦେଖା ପାଇଲେ ତାହାକୁ ବଧ କରିବ। 20 ଆଉ ଯଦି ହିଂସା କରି କେହି କାହାକୁ ଧକ୍କା ମାରେ, ଅବା ଛକି ବସି ତାହା ଉପରେ କିଛି ପକାଏ ଓ ତହିଁରେ ସେ ମରେ; 21 କିଅବା ଶତ୍ରୁତା କରି ଯଦି ସେ କାହାକୁ ଆପଣା ହସ୍ତରେ ଆଘାତ କରେ ଓ ତହିଁରେ ସେ ମରେ, ତେବେ ଯେ ତାହାକୁ ଆଘାତ କଲା, ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ; ସେ ନରହତ୍ୟାକାରୀ ରକ୍ତର ପ୍ରତିହନ୍ତା ସେହି ନରହତ୍ୟାକାରୀର ଦେଖା ପାଇଲେ ତାହାକୁ ବଧ କରିବ।
22 ମାତ୍ର ଯଦି କେହି ଶତ୍ରୁତା ବିନା ହଠାତ୍ କାହାକୁ ଆଘାତ କରେ, ଅବା ଛକି ନ ବସି କାହା ଉପରେ କୌଣସି ଅସ୍ତ୍ର ପକାଏ, 23 କିଅବା ଯାହା ଦ୍ୱାରା ମନୁଷ୍ୟ ମରିପାରେ, ଏପରି କୌଣସି ପଥର କାହାରି ଉପରେ ନ ଦେଖି ପକାଏ ଓ ତହିଁରେ ସେ ମରେ, ଅଥଚ ସେ ତାହାର ଶତ୍ରୁ କି ଅନିଷ୍ଟ ଚେଷ୍ଟାକାରୀ ହୋଇ ନ ଥାଏ, 24 ତେବେ ମଣ୍ଡଳୀ ସେହି ବଧକାରୀର ଓ ରକ୍ତର ପ୍ରତିହନ୍ତାର ବିଷୟ ଏହି ଶାସନାନୁସାରେ ବିଚାର କରିବେ। 25 ଆଉ ମଣ୍ଡଳୀ ରକ୍ତର ପ୍ରତିହନ୍ତାର ହସ୍ତରୁ ସେହି ନରହତ୍ୟାକାରୀକୁ ଉଦ୍ଧାର କରିବେ; ପୁଣି, ସେ ଯେଉଁ ସ୍ଥାନକୁ ପଳାଇ ଯାଇଥିଲା, ସେହି ଆଶ୍ରୟ ନଗରରେ ମଣ୍ଡଳୀ ପୁନର୍ବାର ତାହାକୁ ପହୁଞ୍ଚାଇ ଦେବେ ଓ ଯେପର୍ଯ୍ୟନ୍ତ ପବିତ୍ର ତୈଳରେ ଅଭିଷିକ୍ତ ମହାଯାଜକର ମୃତ୍ୟୁୁ ନ ହୁଏ, ସେ ପର୍ଯ୍ୟନ୍ତ ସେ ସେହି ସ୍ଥାନରେ ବାସ କରିବ। 26 ମାତ୍ର ସେହି ନରହତ୍ୟାକାରୀ ଯେଉଁ ଆଶ୍ରୟ ନଗରକୁ ପଳାଇଅଛି, ଯଦି କୌଣସି ସମୟରେ ସେ ତହିଁର ସୀମାର ବାହାରକୁ ଯାଏ 27 ଓ ରକ୍ତର ପ୍ରତିହନ୍ତା ଆଶ୍ରୟ ନଗର-ସୀମାର ବାହାରେ ତାହାକୁ ପାଏ ଓ ତହିଁର ପ୍ରତିହନ୍ତା ତାହାକୁ ବଧ କରେ, ତେବେ ସେ ରକ୍ତପାତର ଅପରାଧୀ ହେବ ନାହିଁ। 28 କାରଣ ମହାଯାଜକର ମୃତ୍ୟୁୁ ପର୍ଯ୍ୟନ୍ତ ଆପଣା ଆଶ୍ରୟ ନଗରରେ ତାହାର ଥିବା ଉଚିତ; ମାତ୍ର ମହାଯାଜକର ମୃତ୍ୟୁୁ ହେଲା ଉତ୍ତାରେ ସେହି ନରହତ୍ୟାକାରୀ ଆପଣା ଅଧିକାର ଗୃହକୁ ଫେରିଯାଇ ପାରିବ।
29 ଆଉ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ସକଳ ନିବାସ ସ୍ଥାନରେ ଏହିସବୁ ତୁମ୍ଭମାନଙ୍କ ବିଚାରର ବିଧି ହେବ। 30 ଯେଉଁ ବ୍ୟକ୍ତି କୌଣସି ଲୋକକୁ ବଧ କରେ, ସେହି ନରହତ୍ୟାକାରୀ ସାକ୍ଷୀମାନଙ୍କ ସାକ୍ଷ୍ୟ ଦ୍ୱାରା ହତ ହେବ; ମାତ୍ର ଏକ ସାକ୍ଷୀର ସାକ୍ଷ୍ୟ କୌଣସି ଲୋକର ପ୍ରତିକୂଳରେ ପ୍ରାଣଦଣ୍ଡ ନିମନ୍ତେ ଗ୍ରାହ୍ୟ ହେବ ନାହିଁ। 31 ଆହୁରି ପ୍ରାଣଦଣ୍ଡ ଯୋଗ୍ୟ ନରହତ୍ୟାକାରୀର ପ୍ରାଣ ନିମନ୍ତେ କୌଣସି ପ୍ରାୟଶ୍ଚିତ୍ତ ଗ୍ରହଣ କରିବ ନାହିଁ; ମାତ୍ର ସେ ଅବଶ୍ୟ ହତ ହେବ। 32 ପୁଣି, କେହି ଯେପରି ଆପଣା ଆଶ୍ରୟ ନଗରକୁ ପଳାଇ ପୁନର୍ବାର ଆପଣା ଦେଶକୁ ଆସି ବାସ କରେ, ଏଥିପାଇଁ ତୁମ୍ଭେମାନେ ଯାଜକର ମରଣ ପର୍ଯ୍ୟନ୍ତ ତାହା ନିମନ୍ତେ କୌଣସି ପ୍ରାୟଶ୍ଚିତ୍ତ ଗ୍ରହଣ କରିବ ନାହିଁ। 33 ଏହିରୂପେ ତୁମ୍ଭେମାନେ ଆପଣାମାନଙ୍କ ନିବାସ ଦେଶ ଅପବିତ୍ର କରିବ ନାହିଁ; କାରଣ ରକ୍ତ ହିଁ ଦେଶକୁ ଅପବିତ୍ର କରେ; ଆଉ ଦେଶରେ ଯେଉଁ ରକ୍ତପାତ ହୁଏ, ରକ୍ତପାତୀର ରକ୍ତ ବିନା ତହିଁ ନିମନ୍ତେ କୌଣସି ପ୍ରାୟଶ୍ଚିତ୍ତ କରାଯାଇ ନ ପାରେ। 34 ଏଣୁ ତୁମ୍ଭମାନଙ୍କର ଯେଉଁ ନିବାସ ଦେଶରେ ଆମ୍ଭେ ବାସ କରୁଅଛୁ, ତୁମ୍ଭେ ତାହା ଅଶୁଚି କରିବ ନାହିଁ; କାରଣ ଆମ୍ଭେ ସଦାପ୍ରଭୁ, ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରେ ବାସ କରୁଅଛୁ।’ ”
<- ଗଣନା ପୁସ୍ତକ 34ଗଣନା ପୁସ୍ତକ 36 ->