12 ତହିଁରେ ମୋଶା ଇଲୀୟାବ୍ର ପୁତ୍ର ଦାଥନକୁ ଓ ଅବୀରାମଙ୍କୁ ଡାକିବା ପାଇଁ ଲୋକ ପଠାଇଲେ; ମାତ୍ର ସେମାନେ କହିଲେ, “ଆମ୍ଭେମାନେ ଯିବା ନାହିଁ। 13 ତୁମ୍ଭେ ଆମ୍ଭମାନଙ୍କୁ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶରୁ ବାହାର କରି ଏହି ପ୍ରାନ୍ତରରେ ମାରିବାକୁ ଆଣିଅଛ, ଏହା କି କ୍ଷୁଦ୍ର ବିଷୟ? ଆହୁରି ତୁମ୍ଭେ ଆପଣାକୁ ଆମ୍ଭମାନଙ୍କ ଉପରେ ରାଜା କରୁଅଛ। 14 ତାହା ବ୍ୟତୀତ ତୁମ୍ଭେ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ଆମ୍ଭମାନଙ୍କୁ ଆଣି ନାହଁ, କିଅବା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ରର ଅଧିକାର ଆମ୍ଭମାନଙ୍କୁ ଦେଇ ନାହିଁ; ତୁମ୍ଭେ କି ଏହି ସମସ୍ତ ଲୋକଙ୍କର ଆଖି ଉପାଡ଼ି ପକାଇବ*ଏହାର ଅର୍ଥ ଲୋକମାନଙ୍କୁ ପ୍ରବଞ୍ଚନା କରିବ?? ଆମ୍ଭେମାନେ ଯିବା ନାହିଁ।”
15 ତହିଁରେ ମୋଶା ଅତିଶୟ କ୍ରୋଧାନ୍ୱିତ ହୋଇ ଉଠିଲେ, ପୁଣି, ସେ ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ ସେମାନଙ୍କର ନୈବେଦ୍ୟ ଗ୍ରହଣ କର ନାହିଁ; ଆମ୍ଭେ ସେମାନଙ୍କଠାରୁ ଗୋଟିଏ ଗଧ ନେଇ ନାହୁଁ, ଅବା ସେମାନଙ୍କ ମଧ୍ୟରୁ କାହାକୁ ହିଁ ହିଂସା କରି ନାହୁଁ।” 16 ତେବେ ମୋଶା କୋରହକୁ କହିଲେ, “କାଲି ତୁମ୍ଭେ ଓ ତୁମ୍ଭର ସମସ୍ତ ମଣ୍ଡଳୀ, ତୁମ୍ଭେ ଓ ସେମାନେ, ପୁଣି, ହାରୋଣ, ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହୁଅ; 17 ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଅଙ୍ଗାରଧାନୀ ନିଅ ଓ ତହିଁ ଉପରେ ଧୂପ ଥୁଅ, ପୁଣି, ତୁମ୍ଭେମାନେ ପ୍ରତ୍ୟେକ ଜଣ ସଦାପ୍ରଭୁଙ୍କ ସମ୍ମୁଖକୁ ଆପଣା ଆପଣା ଅଙ୍ଗାରଧାନୀ, ଦୁଇ ଶହ ପଚାଶ ଅଙ୍ଗାରଧାନୀ ଆଣ; ମଧ୍ୟ ତୁମ୍ଭେ ଓ ହାରୋଣ, ଦୁହେଁ ଆପଣା ଆପଣା ଅଙ୍ଗାରଧାନୀ ଆଣ।” 18 ଏଥିରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଲେ, ପୁଣି, ତହିଁ ଉପରେ ଧୂପ ଥୋଇ ମୋଶା ଓ ହାରୋଣଙ୍କ ସହିତ ସମାଗମ-ତମ୍ବୁ ଦ୍ୱାର ନିକଟରେ ଠିଆ ହେଲେ। 19 ପୁଣି, କୋରହ ସମାଗମ-ତମ୍ବୁ ଦ୍ୱାର ନିକଟରେ ସେମାନଙ୍କ ପ୍ରତିକୂଳରେ ସମସ୍ତ ମଣ୍ଡଳୀକୁ ଏକତ୍ର କଲା; ସେତେବେଳେ ସମସ୍ତ ମଣ୍ଡଳୀ ପ୍ରତି ସଦାପ୍ରଭୁଙ୍କ ପ୍ରତାପ ପ୍ରକାଶିତ ହେଲା।
20 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ, 21 “ତୁମ୍ଭେମାନେ ଏହି ମଣ୍ଡଳୀ ମଧ୍ୟରୁ ଆପଣାମାନଙ୍କୁ ପୃଥକ କର, ତହିଁରେ ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା।” 22 ତହିଁରେ ସେମାନେ ମୁହଁ ମାଡ଼ି ପଡ଼ି କହିଲେ, “ହେ ପରମେଶ୍ୱର, ହେ ସମସ୍ତ ଶରୀରସ୍ଥ ଆତ୍ମାର ପରମେଶ୍ୱର, ଏକ ଜଣ ପାପ କଲେ କି ତୁମ୍ଭେ ସମସ୍ତ ମଣ୍ଡଳୀ ଉପରେ କୋପାନ୍ୱିତ ହେବ?” 23 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, 24 “ତୁମ୍ଭେ ମଣ୍ଡଳୀକୁ କୁହ, ‘ତୁମ୍ଭେମାନେ କୋରହର, ଦାଥନର ଓ ଅବୀରାମର ଆବାସ-ଚତୁର୍ଦ୍ଦିଗରୁ ଉଠିଯାଅ।’ ”
25 ତହିଁରେ ମୋଶା ଉଠି ଦାଥନ ଓ ଅବୀରାମ ନିକଟକୁ ଗଲେ ଓ ଇସ୍ରାଏଲର ପ୍ରାଚୀନବର୍ଗ ତାଙ୍କର ପଶ୍ଚାଦ୍ଗମନ କଲେ। 26 ତହୁଁ ସେ ମଣ୍ଡଳୀକୁ କହିଲେ, “ବିନୟ କରୁଅଛି, ତୁମ୍ଭେମାନେ ଏହି ଦୁଷ୍ଟ ଲୋକମାନଙ୍କ ତମ୍ବୁରୁ ଉଠିଯାଅ ଓ ସେମାନଙ୍କର କିଛିମାତ୍ର ସ୍ପର୍ଶ କର ନାହିଁ, ନୋହିଲେ ତୁମ୍ଭେମାନେ ସେମାନଙ୍କ ପାପସମୂହରେ ବିନଷ୍ଟ ହେବ।” 27 ଏଥିରେ ସେମାନେ କୋରହର, ଦାଥନର ଓ ଅବୀରାମର ଆବାସ-ଚତୁର୍ଦ୍ଦିଗରୁ ଉଠିଗଲେ ପୁଣି, ଦାଥନ ଓ ଅବୀରାମ ବାହାରକୁ ଆସି ଆପଣା ଆପଣା ଭାର୍ଯ୍ୟା ଓ ପୁତ୍ର ଓ ପିଲାମାନଙ୍କ ସହିତ ଆପଣା ଆପଣା ତମ୍ବୁ ଦ୍ୱାରରେ ଠିଆ ହୋଇ ରହିଲେ। 28 ତହୁଁ ମୋଶା କହିଲେ, “ଏହି ସମସ୍ତ କାର୍ଯ୍ୟ କରିବା ପାଇଁ ସଦାପ୍ରଭୁ ମୋତେ ପଠାଇଅଛନ୍ତି; ମୁଁ ଆପଣା ନିଜ ମନରୁ ତାହାସବୁ କରି ନାହିଁ, ତାହା ଏଥିରେ ତୁମ୍ଭେମାନେ ଜାଣିବ। 29 ଯଦି ଏହି ଲୋକମାନେ ସମସ୍ତ ଲୋକଙ୍କ ସାଧାରଣ ମରଣରେ ମରନ୍ତି, କିଅବା ଯଦି ସମସ୍ତ ଲୋକଙ୍କ ଦଣ୍ଡ ଅନୁସାରେ ସେମାନଙ୍କ ଉପରେ ଦଣ୍ଡ ଘଟେ; ତେବେ ସଦାପ୍ରଭୁ ମୋତେ ପଠାଇ ନାହାନ୍ତି। 30 ମାତ୍ର ସଦାପ୍ରଭୁ ଯଦି କୌଣସି ନୂତନ କର୍ମ କରନ୍ତି ଓ ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ସର୍ବସ୍ୱ ଗ୍ରାସ କରେ ଓ ସେମାନେ ଜୀଅନ୍ତା ହୋଇ ପାତାଳକୁ ଧସି ଯାଆନ୍ତି; ତେବେ ସେମାନେ ଯେ ସଦାପ୍ରଭୁଙ୍କୁ ଅବଜ୍ଞା କରିଅଛନ୍ତି, ତାହା ତୁମ୍ଭେମାନେ ବୁଝିବ।”
31 ଏଥିଉତ୍ତାରେ ଏପରି ହେଲା ଯେ, ସେ ଏହି କଥା କହିବାର ସମାପ୍ତ କରନ୍ତେ, ସେମାନଙ୍କ ଅଧଃସ୍ଥ ଭୂମି ଫାଟିଗଲା; 32 ପୁଣି, ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ, ସେମାନଙ୍କ ପରିଜନଗଣକୁ, କୋରହର ସପକ୍ଷ ସମସ୍ତ ଲୋକଙ୍କୁ ଓ ସେମାନଙ୍କ ସକଳ ସମ୍ପତ୍ତି ଗ୍ରାସ କଲା। 33 ଏହିରୂପେ ସେମାନେ ଓ ସେମାନଙ୍କର ସମସ୍ତ ପରିଜନ ଜୀଅନ୍ତା ଥାଉ ଥାଉ ପାତାଳକୁ ଧସି ଗଲେ ଓ ପୃଥିବୀ ସେମାନଙ୍କ ଉପରେ ଆଚ୍ଛାଦନ କଲା, ତହିଁରେ ସେମାନେ ସମାଜ ମଧ୍ୟରୁ ଲୁପ୍ତ ହେଲେ। 34 ପୁଣି, ସେମାନଙ୍କ ରବରେ ସେମାନଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତ ଇସ୍ରାଏଲ ପଳାୟନ କଲେ, ଯେହେତୁ ସେମାନେ କହିଲେ, “କେଜାଣି ପୃଥିବୀ ଆମ୍ଭମାନଙ୍କୁ ଗ୍ରାସ କରିବ।” 35 ଏଉତ୍ତାରେ ସଦାପ୍ରଭୁଙ୍କଠାରୁ ଅଗ୍ନି ନିର୍ଗତ ହୋଇ ଧୂପ ଉତ୍ସର୍ଗକାରୀ ସେହି ଦୁଇ ଶହ ପଚାଶ ଲୋକଙ୍କୁ ଗ୍ରାସ କଲା।
36 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 37 “ତୁମ୍ଭେ ହାରୋଣ ଯାଜକର ପୁତ୍ର ଇଲୀୟାସରକୁ କୁହ, ସେ ଦାହ ମଧ୍ୟରୁ ସେହି ସବୁ ଅଙ୍ଗାରଧାନୀ ବାହାର କରିନେଉ, ପୁଣି, ତୁମ୍ଭେ ସେହି ଅଗ୍ନି ସେଠାରେ ବିଞ୍ଚି ଦିଅ; କାରଣ ସେହି ସବୁ ପବିତ୍ର; 38 ଆପଣା ଆପଣା ପ୍ରାଣର ବିରୁଦ୍ଧରେ ଏହି ପାପକର୍ମକାରୀମାନଙ୍କର ଅଙ୍ଗାରଧାନୀ ହିଁ (ପବିତ୍ର); ଏଣୁ ତାହାସବୁ ଯଜ୍ଞବେଦିର ମଣ୍ଡଣି ନିମନ୍ତେ ପିଟାପାତ୍ର କରାଯାଉ; ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ତାହାସବୁ ଉତ୍ସର୍ଗ କରିଥିଲେ, ଏହି କାରଣରୁ ତାହାସବୁ ପବିତ୍ର; ପୁଣି, ତାହାସବୁ ଇସ୍ରାଏଲ-ସନ୍ତାନଗଣ ପ୍ରତି ଚିହ୍ନସ୍ୱରୂପ ହେବ।” 39 ତହିଁରେ ସେହି ଦଗ୍ଧ ଲୋକମାନେ ଯେଉଁ ଯେଉଁ ପିତ୍ତଳ ଅଙ୍ଗାରଧାନୀ ଉତ୍ସର୍ଗ କରିଥିଲେ, ଇଲୀୟାସର ଯାଜକ ସେହି ସବୁ ନେଲା; 40 ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଯେରୂପ କହିଥିଲେ, ତଦନୁସାରେ ଇସ୍ରାଏଲ-ସନ୍ତାନଗଣର ସ୍ମରଣାର୍ଥେ, ଅର୍ଥାତ୍, ହାରୋଣ-ବଂଶ ଭିନ୍ନ ଅନ୍ୟ ବଂଶୀୟ କୌଣସି ମନୁଷ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜାଳିବା ପାଇଁ ଯେପରି ନିକଟକୁ ନ ଯାଏ; ପୁଣି, କୋରହ ଓ ତାହାର ଦଳସ୍ଥ ଲୋକମାନଙ୍କ ପରି ନ ହୁଏ; ଏଥିପାଇଁ ଲୋକେ ଯଜ୍ଞବେଦିର ମଣ୍ଡଣି ନିମନ୍ତେ ତାହାସବୁ ପିଟିଲେ।
41 ତଥାପି ଆରଦିନ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ବଚସା କରି କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ବଧ କଲ।” 42 ତହୁଁ ସମସ୍ତ ମଣ୍ଡଳୀ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ଏକତ୍ର ହେବା ସମୟରେ ସେମାନେ ସମାଗମ-ତମ୍ବୁ ଆଡ଼େ ଅନାଇଲେ; ଆଉ ଦେଖ, ମେଘ ତାହା ଆଚ୍ଛାଦନ କରିଅଛି ଓ ସଦାପ୍ରଭୁଙ୍କ ପ୍ରତାପ ପ୍ରତ୍ୟକ୍ଷ ହୋଇଅଛି। 43 ସେତେବେଳେ ମୋଶା ଓ ହାରୋଣ ସମାଗମ-ତମ୍ବୁ ସମ୍ମୁଖକୁ ଆସିଲେ। 44 ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 45 “ତୁମ୍ଭେମାନେ ଏହି ମଣ୍ଡଳୀ ମଧ୍ୟରୁ ଉଠିଯାଅ, ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା; ଏଥିରେ ସେମାନେ ମୁହଁ ମାଡ଼ି ପଡ଼ିଲେ।” 46 ତହୁଁ ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ଆପଣା ଅଙ୍ଗାରଧାନୀ ନେଇ ତହିଁ ମଧ୍ୟରେ ଯଜ୍ଞବେଦିରୁ ଅଗ୍ନି ଦିଅ, ପୁଣି, ତହିଁ ଉପରେ ଧୂପ ଥୋଇ ଶୀଘ୍ର ମଣ୍ଡଳୀ ନିକଟକୁ ଯାଇ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କର; କାରଣ ସଦାପ୍ରଭୁଙ୍କଠାରୁ କ୍ରୋଧ ନିର୍ଗତ ହୋଇଅଛି; ମହାମାରୀ ଆରମ୍ଭ ହେଲାଣି।” 47 ତହିଁରେ ହାରୋଣ ମୋଶାଙ୍କର କଥା ଅନୁସାରେ ତାହା ନେଇ ସମାଜ ମଧ୍ୟକୁ ଦୌଡ଼ି ଗଲେ; ସେହି ସମୟରେ ଦେଖ, ଲୋକମାନଙ୍କ ମଧ୍ୟରେ ମହାମାରୀ ଆରମ୍ଭ ହୋଇଥିଲା; ତହିଁରେ ସେ ଧୂପ ଦେଇ ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କଲେ। 48 ପୁଣି, ସେ ମୃତ ଓ ଜୀବିତ ଲୋକମାନଙ୍କ ମଧ୍ୟରେ ଠିଆ ହେଲେ ତହିଁରେ ମହାମାରୀ ନିବୃତ୍ତ ହେଲା। 49 ଯେଉଁମାନେ କୋରହର କଥା ସକାଶୁ ମରିଥିଲେ, ସେମାନଙ୍କ ବ୍ୟତୀତ ଚଉଦ ହଜାର ସାତ ଶହ ଲୋକ ଏହି ମହାମାରୀରେ ମଲେ। 50 ପୁଣି, ମହାମାରୀ ନିବୃତ୍ତ ହୁଅନ୍ତେ, ହାରୋଣ ସମାଗମ-ତମ୍ବୁ ଦ୍ୱାରରେ ମୋଶାଙ୍କ ନିକଟକୁ ଫେରି ଆସିଲେ।
<- ଗଣନା ପୁସ୍ତକ 15ଗଣନା ପୁସ୍ତକ 17 ->- a ଏହାର ଅର୍ଥ ଲୋକମାନଙ୍କୁ ପ୍ରବଞ୍ଚନା କରିବ?