17 ଆଉ ମୋଶା ଏମାନଙ୍କୁ କିଣାନ ଦେଶ ଅନୁସନ୍ଧାନ କରିବାକୁ ପଠାଇ କହିଲେ, “ତୁମ୍ଭେମାନେ ଏହି ଦକ୍ଷିଣ ଦିଗ ଦେଇ ପର୍ବତ ଆରୋହଣ କର; 18 ପୁଣି, ସେହି ଦେଶ କିପରି ଓ ତହିଁରେ ବାସକାରୀ ଲୋକମାନେ ବଳବାନ କି ଦୁର୍ବଳ ଓ ଅଳ୍ପ କି ଅନେକ; 19 ପୁଣି, ସେମାନେ ଯେଉଁ ଦେଶରେ ବାସ କରନ୍ତି, ତାହା ଭଲ କି ମନ୍ଦ ଓ ଯେଉଁ ଯେଉଁ ନଗରରେ ବାସ କରନ୍ତି, ତାହା କି ପ୍ରକାର; ସେମାନେ ତମ୍ବୁରେ କି ଗଡ଼ରେ, କାହିଁରେ ବାସ କରନ୍ତି; 20 ପୁଣି, ସେହି ଭୂମି କି ପ୍ରକାର, ଉର୍ବର କି ଅନୁର୍ବର, ତହିଁ ମଧ୍ୟରେ ବୃକ୍ଷ ଅଛି କି ନାହିଁ, ତାହା ଦେଖ। ଆଉ ତୁମ୍ଭେମାନେ ସାହସୀ ହୋଇ ସେହି ଦେଶର ଫଳରୁ କିଛି ସଙ୍ଗରେ ଆଣ।” ସେହି ସମୟରେ ପ୍ରଥମ ପକ୍ୱ ଦ୍ରାକ୍ଷାଫଳର ସମୟ ଥିଲା।
21 ଏଣୁ ସେମାନେ ସୀନ୍ ପ୍ରାନ୍ତରରୁ ଯାତ୍ରା କରି ହମାତର ପ୍ରବେଶ ସ୍ଥାନସ୍ଥିତ ରହୋବ ପର୍ଯ୍ୟନ୍ତ ଦେଶ ଅନୁସନ୍ଧାନ କଲେ। 22 ଆଉ ସେମାନେ ଦକ୍ଷିଣ ଦିଗ ଦେଇ ଯାଇ ହିବ୍ରୋଣରେ ଉପସ୍ଥିତ ହେଲେ; ସେହି ସ୍ଥାନରେ ଅହୀମାନ୍, ଶେଶୟ ଓ ତଲ୍ମୟ, ଅନାକର ଏହି ସନ୍ତାନମାନେ ଥିଲେ। ମିସରସ୍ଥିତ ସୋୟନ-ପତ୍ତନର ସାତ ବର୍ଷ ପୂର୍ବେ ହିବ୍ରୋଣର ପତ୍ତନ ହୋଇଥିଲା। 23 ଏଉତ୍ତାରେ ସେମାନେ ଇଷ୍କୋଲ-ଉପତ୍ୟକାରେ ଉପସ୍ଥିତ ହୋଇ ସେଠାରେ ଏକ ପେଣ୍ଡା ଫଳଯୁକ୍ତ ଦ୍ରାକ୍ଷାଲତାର ଏକ ଡାଳ କାଟି ତାହା ଦୁଇ ଜଣ ସାଙ୍ଗୀରେ ବହିଲେ; ସେମାନେ ଡାଳିମ୍ବ ଓ ଡିମ୍ବିରି ଫଳ ମଧ୍ୟ ଆଣିଲେ। 24 ଇସ୍ରାଏଲ-ସନ୍ତାନଗଣ ଯେଉଁ ଦ୍ରାକ୍ଷାପେଣ୍ଡା କାଟିଥିଲେ, ତହିଁ ସକାଶୁ ସେହି ସ୍ଥାନ ଇଷ୍କୋଲ (ପେଣ୍ଡା) ଉପତ୍ୟକା ନାମରେ ପ୍ରସିଦ୍ଧ ହେଲା।
30 ତହିଁରେ କାଲେବ ମୋଶାଙ୍କ ପକ୍ଷରୁ ଲୋକମାନଙ୍କୁ କ୍ଷାନ୍ତ କରି କହିଲେ, “ଆସ, ଆମ୍ଭେମାନେ ଏହିକ୍ଷଣି ଉଠିଯାଇ ତାହା ଅଧିକାର କରୁ; ତାହା ପରାସ୍ତ କରିବାକୁ ଆମ୍ଭେମାନେ ସକ୍ଷମ ଅଟୁ।” 31 ମାତ୍ର ଯେଉଁ ଲୋକମାନେ ତାଙ୍କ ସହିତ ଯାଇଥିଲେ, ସେମାନେ କହିଲେ, “ଆମ୍ଭେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ନ ପାରୁ, କାରଣ ସେମାନେ ଆମ୍ଭମାନଙ୍କଠାରୁ ବଳବାନ।” 32 ଏହିରୂପେ ସେମାନେ ଯେଉଁ ଦେଶ ଅନୁସନ୍ଧାନ କରିଥିଲେ, ଇସ୍ରାଏଲ-ସନ୍ତାନଗଣ ନିକଟରେ ସେହି ଦେଶର ଅଖ୍ୟାତି କରି କହିଲେ, “ଆମ୍ଭେମାନେ ଯେଉଁ ଦେଶର ମଧ୍ୟଦେଇ ଅନୁସନ୍ଧାନ କରିବାକୁ ଯାଇଥିଲୁ, ସେହି ଦେଶ ସ୍ୱନିବାସୀମାନଙ୍କୁ ଗ୍ରାସ କରେ, ପୁଣି, ତହିଁ ମଧ୍ୟରେ ଆମ୍ଭେମାନେ ଯେତେ ଲୋକଙ୍କୁ ଦେଖିଲୁ, ସେମାନେ ବଡ଼ ଡେଙ୍ଗା। 33 ଆଉ ସେ ସ୍ଥାନରେ ଆମ୍ଭେମାନେ ମହାବୀରଜାତ ଅନାକର ସନ୍ତାନ ମହାବୀରଗଣକୁ ଦେଖିଲୁ; ଆଉ ଆମ୍ଭେମାନେ ଆପଣାମାନଙ୍କ ଦୃଷ୍ଟିରେ ଫଡ଼ିଙ୍ଗ ପରି ହେଲୁ ଓ ସେମାନଙ୍କ ଦୃଷ୍ଟିରେ ମଧ୍ୟ ସେରୂପ ଥିଲୁ।”
<- ଗଣନା ପୁସ୍ତକ 12ଗଣନା ପୁସ୍ତକ 14 ->