4 ଏଥିଉତ୍ତାରେ ସେମାନଙ୍କ ମଧ୍ୟବର୍ତ୍ତୀ ମିଶ୍ରିତ ଲୋକମାନଙ୍କର ଜନତା ଲୋଭାକ୍ରାନ୍ତ ହେବାକୁ ଲାଗିଲେ; ପୁଣି, ଇସ୍ରାଏଲ-ସନ୍ତାନଗଣ ମଧ୍ୟ ପୁନର୍ବାର ରୋଦନ କରି କହିଲେ, “କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ? 5 ଆମ୍ଭେମାନେ ମିସର ଦେଶରେ ବିନାମୂଲ୍ୟରେ ଯେଉଁ ମାଛ ଖାଉଥିଲୁ, ତାହା ମନରେ ପଡ଼େ; ସେ କାକୁଡ଼ି, ସେ ଖରଭୁଜ, ସେ ପରୁ, ସେ ପିଆଜ ଓ ରସୁଣ (ମନରେ ପଡ଼େ); 6 ମାତ୍ର ଏବେ ଆମ୍ଭମାନଙ୍କର ପ୍ରାଣ ଶୁଷ୍କ ହେଉଅଛି; ଏଠି କିଛି ନାହିଁ; ଏହି ମାନ୍ନା ବ୍ୟତୀତ ଆଉ ଦେଖିବାକୁ କିଛି ନାହିଁ।” 7 ଆଉ ସେହି ମାନ୍ନା ଧନିଆ ପରି ଓ ତହିଁର ଦୃଶ୍ୟ ମୁକ୍ତା ସଦୃଶ। 8 ଲୋକମାନେ ଏଣେତେଣେ ଭ୍ରମଣ କରି ତାହା ସାଉଣ୍ଟିଲେ ଓ ଚକିରେ ତାହା ପେଷିଲେ, ଅବା କୁଟଣୀରେ ତାହା ଚୂର୍ଣ୍ଣ କରି କହ୍ରାଇରେ ସିଝେଇ କରି ପିଠା ପ୍ରସ୍ତୁତ କଲେ; ଆଉ ତୈଳପକ୍ୱ ପିଠା ପରି ତହିଁର ସ୍ୱାଦ ଥିଲା। 9 ରାତ୍ରିରେ ଛାଉଣି ଉପରେ କାକର ପଡ଼ିଲା ସମୟରେ ସେହି ମାନ୍ନା ତହିଁ ସଙ୍ଗରେ ପଡ଼ିଲା। 10 ଏଉତ୍ତାରେ ଲୋକମାନେ ସମୁଦାୟ ପରିବାର ସହିତ, ପ୍ରତ୍ୟେକ ଲୋକ ଆପଣା ତମ୍ବୁଦ୍ୱାର ନିକଟରେ ରୋଦନ କରିବାର ମୋଶା ଶୁଣିଲେ; ତହିଁରେ ସଦାପ୍ରଭୁଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା; ପୁଣି, ମୋଶା ମଧ୍ୟ ଅସନ୍ତୁଷ୍ଟ ହେଲେ। 11 ତହୁଁ ମୋଶା ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ କାହିଁକି ଆପଣା ଦାସ ପ୍ରତି ଅନିଷ୍ଟ ବ୍ୟବହାର କରିଅଛ? ଓ କାହିଁକି ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇ ନାହିଁ, ଯେ ତୁମ୍ଭେ ମୋʼ ଉପରେ ଏହି ସମସ୍ତ ଲୋକଙ୍କ ଭାର ଦେଉଅଛ? 12 ମୁଁ କʼଣ ଏହି ସମସ୍ତ ଲୋକଙ୍କୁ ଗର୍ଭରେ ଧାରଣ କରିଅଛି? ମୁଁ କʼଣ ସେମାନଙ୍କୁ ଜନ୍ମ କରିଅଛି ଯେ, ତୁମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷୟରେ ଶପଥ କରିଥିଲ, ‘ସେହି ଦେଶ ପର୍ଯ୍ୟନ୍ତ ଦୁଗ୍ଧପୋଷ୍ୟ ଶିଶୁ-ପାଳନକାରୀ ପିତା ତୁଲ୍ୟ ସେମାନଙ୍କୁ କୋଳରେ ବହି ଘେନିଯିବା ପାଇଁ ମୋତେ କହୁଅଛ?’ 13 ମୁଁ ଏହି ସମସ୍ତ ଲୋକଙ୍କୁ ଦେବା ପାଇଁ ମାଂସ କେଉଁଠାରୁ ପାଇବି? କାରଣ ସେମାନେ ମୋʼ ନିକଟରେ କାନ୍ଦି କହୁଅଛନ୍ତି, ‘ଆମ୍ଭମାନଙ୍କୁ ମାଂସ ଦିଅ,’ ଆମ୍ଭେମାନେ ଖାଇବା। 14 ମୁଁ ଏକାକୀ ଏତେ ଲୋକଙ୍କର ଭାର ବହି ନ ପାରେ, କାରଣ ଏହା ମୋʼ ପାଇଁ ଅସହ୍ୟ ଅଟେ। 15 ଆଉ ଯଦି ତୁମ୍ଭେ ମୋʼ ପ୍ରତି ଏପରି ବ୍ୟବହାର କର, ତେବେ ବିନୟ କରୁଅଛି, ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଥିଲେ, ସେହିକ୍ଷଣି ମୋତେ ମାରି ପକାଅ; ପୁଣି, ମୋତେ ଆପଣା ଦୁର୍ଗତି ଦେଖିବାକୁ ଦିଅ ନାହିଁ।”
21 ତେବେ ମୋଶା କହିଲେ, “ମୁଁ ଯେଉଁ ଲୋକମାନଙ୍କ ମଧ୍ୟରେ ଅଛି, ସେମାନେ ଛଅ ଲକ୍ଷ ପଦାତିକ; ତଥାପି ତୁମ୍ଭେ କହୁଅଛ, ‘ଆମ୍ଭେ ସେମାନଙ୍କୁ ମାଂସ ଦେବା, ସେମାନେ ତାହା ସମ୍ପୂର୍ଣ୍ଣ ଏକ ମାସ ଖାଇବେ।’ 22 ସେମାନଙ୍କୁ ଅଣ୍ଟିବା ଭଳି କʼଣ ପଲ ପଲ ଗୋମେଷ ବଧ କରାଯିବ? ଅବା ସେମାନଙ୍କୁ ଅଣ୍ଟିବା ଭଳି ସମୁଦ୍ରର ସବୁ ମାଛ କʼଣ ଏକତ୍ର କରାଯିବ?”
23 ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସଦାପ୍ରଭୁଙ୍କର ହସ୍ତ କି ସଙ୍କୁଚିତ ହୋଇଅଛି? ତୁମ୍ଭ ପ୍ରତି ଆମ୍ଭର ବାକ୍ୟ ସଫଳ ହେବ କି ନାହିଁ, ତୁମ୍ଭେ ଏବେ ତାହା ଦେଖିବ।” 24 ଏଥିରେ ମୋଶା ବାହାରକୁ ଯାଇ ଲୋକମାନଙ୍କୁ ସଦାପ୍ରଭୁଙ୍କର କଥା କହିଲେ, ପୁଣି, ସେ ଲୋକମାନଙ୍କର ପ୍ରାଚୀନବର୍ଗ ମଧ୍ୟରୁ ସତୁରି ଜଣଙ୍କୁ ଏକତ୍ର କରି ତମ୍ବୁର ଚତୁର୍ଦ୍ଦିଗରେ ରଖିଲେ। 25 ତହିଁରେ ସଦାପ୍ରଭୁ ମେଘରେ ଓହ୍ଲାଇ ତାଙ୍କ ସହିତ କଥା କହିଲେ, ଆଉ ଯେଉଁ ଆତ୍ମା ତାଙ୍କଠାରେ ଥିଲା, ତହିଁରୁ ନେଇ ସତୁରି ପ୍ରାଚୀନଙ୍କୁ ଦେଲେ; ପୁଣି, ସେହି ଆତ୍ମା ସେମାନଙ୍କ ଉପରେ ଅବସ୍ଥାନ କରନ୍ତେ, ସେମାନେ ଭବିଷ୍ୟତ କଥା ପ୍ରଚାର କଲେ, ମାତ୍ର ତହିଁ ଉତ୍ତାରେ ଆଉ କଲେ ନାହିଁ। 26 ମାତ୍ର ଛାଉଣି ମଧ୍ୟରେ ଦୁଇ ଜଣ ଅବଶିଷ୍ଟ ରହିଲେ, ଜଣକର ନାମ ଇଲଦଦ୍ ଓ ଅନ୍ୟର ନାମ ମେଦଦ୍; ସେମାନଙ୍କ ଉପରେ ସେହି ଆତ୍ମା ଅବସ୍ଥିତି କଲା; ସେମାନେ ସେହି ଲିଖିତ ଲୋକମାନଙ୍କ ମଧ୍ୟରେ ଥିଲେ, ମାତ୍ର ବାହାର ହୋଇ ତମ୍ବୁ ନିକଟକୁ ଯାଇ ନ ଥିଲେ; ସେମାନେ ଛାଉଣି ମଧ୍ୟରେ ଥାଇ ଭବିଷ୍ୟତ କଥା ପ୍ରଚାର କଲେ। 27 ତହୁଁ ଜଣେ ଯୁବା ଦୌଡ଼ିଯାଇ ମୋଶାଙ୍କୁ କହିଲା, “ଇଲଦଦ୍ ଓ ମେଦଦ୍ ଛାଉଣି ମଧ୍ୟରେ ଭବିଷ୍ୟତ କଥା ପ୍ରଚାର କରୁଅଛନ୍ତି।” 28 ତହିଁରେ (ନୂନର ପୁତ୍ର ଯିହୋଶୂୟ ନାମକ) ମୋଶାଙ୍କର ଜଣେ ମନୋନୀତ ପରିଚାରକ ମୋଶାଙ୍କୁ କହିଲେ, “ହେ ମୋହର ପ୍ରଭୁ ମୋଶା, ସେମାନଙ୍କୁ ନିଷେଧ କରନ୍ତୁ।” 29 ତେବେ ମୋଶା କହିଲେ, “ତୁମ୍ଭେ ମୋʼ ସକାଶୁ କʼଣ ଈର୍ଷା କରୁଅଛ? ପରମେଶ୍ୱର କରନ୍ତୁ, ସଦାପ୍ରଭୁଙ୍କର ସମସ୍ତ ଲୋକ ଭବିଷ୍ୟଦ୍ବକ୍ତା ହୁଅନ୍ତୁ ଓ ସଦାପ୍ରଭୁ ସେମାନଙ୍କ ଉପରେ ଆପଣା ଆତ୍ମା ଦିଅନ୍ତୁ!” 30 ଏଉତ୍ତାରେ ମୋଶା ଓ ଇସ୍ରାଏଲର ପ୍ରାଚୀନଗଣ ଛାଉଣିକୁ ଗମନ କଲେ।