6 ଏହିରୂପେ ଆମ୍ଭେମାନେ ପ୍ରାଚୀର ଗଢ଼ିଲୁ ଓ ତହିଁର ଉଚ୍ଚତାର ଅର୍ଦ୍ଧ ପର୍ଯ୍ୟନ୍ତ ସମୁଦାୟ ପ୍ରାଚୀର ଏକତ୍ର ସଂଯୁକ୍ତ କରାଗଲା; ଯେଣୁ କର୍ମ କରିବାକୁ ଲୋକମାନଙ୍କର ମନ ଥିଲା।
7 ମାତ୍ର ଯିରୂଶାଲମ ପ୍ରାଚୀରର ମରାମତି କାର୍ଯ୍ୟ ଅଗ୍ରସର ହେଉଅଛି ଓ ଭଗ୍ନସ୍ଥାନସବୁ ବନ୍ଦ ହେବାକୁ ଲାଗୁଅଛି, ଏହା ଶୁଣି ସନ୍ବଲ୍ଲଟ୍ ଓ ଟୋବୀୟ, ପୁଣି ଆରବୀୟମାନେ ଓ ଅମ୍ମୋନୀୟମାନେ ଓ ଅସ୍ଦୋଦୀୟମାନେ ଅତିଶୟ କ୍ରୁଦ୍ଧ ହେଲେ। 8 ପୁଣି, ସେସମସ୍ତେ ଯିରୂଶାଲମକୁ ଯାଇ ତହିଁ ବିରୁଦ୍ଧରେ ଯୁଦ୍ଧ କରିବାକୁ ଓ ତହିଁ ମଧ୍ୟରେ ଗଣ୍ଡଗୋଳ କରିବାକୁ ଏକତ୍ର ଚକ୍ରାନ୍ତ କଲେ। 9 ମାତ୍ର ଆମ୍ଭେମାନେ ସେମାନଙ୍କ ସକାଶୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲୁ ଓ ଦିବାରାତ୍ର ସେମାନଙ୍କ ବିରୁଦ୍ଧରେ ପ୍ରହରୀ ରଖିଲୁ।
10 ସେତେବେଳେ ଯିହୁଦା କହିଲା, “ଭାରବାହକମାନଙ୍କର ବଳ କ୍ଷୀଣ ହୋଇଅଛି, ଆଉ ଅନେକ ଭଙ୍ଗା କାନ୍ଥ ଅଛି; ଏଣୁ ଆମ୍ଭେମାନେ ପ୍ରାଚୀର ଗଢ଼ି ପାରୁ ନାହୁଁ।” 11 ପୁଣି, ଆମ୍ଭମାନଙ୍କ ବିପକ୍ଷମାନେ କହିଲେ, “ଆମ୍ଭେମାନେ ସେମାନଙ୍କ ମଧ୍ୟରେ ଉପସ୍ଥିତ ହୋଇ ସେମାନଙ୍କୁ ବଧ ଓ ସେମାନଙ୍କ କାର୍ଯ୍ୟ ବନ୍ଦ କରିବା ପର୍ଯ୍ୟନ୍ତ ସେମାନେ ଜାଣିବେ ନାହିଁ ଅବା ଦେଖିବେ ନାହିଁ।” 12 ଆଉ, ସେମାନଙ୍କ ନିକଟବାସୀ ଯିହୁଦୀୟମାନେ ସବୁ ସ୍ଥାନରୁ ଆସି ଆମ୍ଭମାନଙ୍କୁ ଦଶ ଥର କହିଲେ, “ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ନିକଟକୁ ଫେରି ଆସିବାକୁ ହେବ।” 13 ଏହେତୁ ମୁଁ ପ୍ରାଚୀର ପଛଆଡ଼େ ନୀଚସ୍ଥ ମେଲା ସ୍ଥାନରେ ଲୋକମାନଙ୍କୁ ସେମାନଙ୍କ ପରିବାର ଅନୁସାରେ ସେମାନଙ୍କ ଖଡ୍ଗ ଓ ବର୍ଚ୍ଛା ଓ ଧନୁ ସହିତ ନିଯୁକ୍ତ କଲି। 14 ତହୁଁ ମୁଁ ଦୃଷ୍ଟିପାତ କଲି ଓ ଉଠି କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟାନ୍ୟ ଲୋକଙ୍କୁ କହିଲି; “ତୁମ୍ଭେମାନେ ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ; ପ୍ରଭୁଙ୍କୁ ସ୍ମରଣ କର, ସେ ମହାନ ଓ ଭୟଙ୍କର ଅଟନ୍ତି, ଆଉ ତୁମ୍ଭେମାନେ ଆପଣା ଆପଣା ଭ୍ରାତୃଗଣ, ପୁତ୍ର ଓ କନ୍ୟାଗଣ, ଆପଣା ଆପଣା ଭାର୍ଯ୍ୟାଗଣ ଓ ଗୃହ ନିମନ୍ତେ ଯୁଦ୍ଧ କର।”
21 ଏହିରୂପେ ଆମ୍ଭେମାନେ ସେହି କାର୍ଯ୍ୟରେ ପରିଶ୍ରମ କଲୁ, ପୁଣି ପ୍ରତ୍ୟୁଷ ସମୟଠାରୁ ତାରା ଦେଖାଯିବା ପର୍ଯ୍ୟନ୍ତ ସେମାନଙ୍କର ଅର୍ଦ୍ଧେକ ଲୋକ ବର୍ଚ୍ଛା ଧରିଲେ। 22 ସେହି ସମୟରେ ଆମ୍ଭେ ଲୋକମାନଙ୍କୁ ଆହୁରି କହିଲୁ, “ପ୍ରତ୍ୟେକ ଲୋକ ରାତ୍ରିକାଳରେ ଆପଣା ଆପଣା ଦାସ ସହିତ ଯିରୂଶାଲମ ଭିତରେ ରହନ୍ତୁ, ତହିଁରେ ସେମାନେ ରାତ୍ରିରେ ଆମ୍ଭମାନଙ୍କର ପ୍ରହରୀ ହୋଇ ପାରିବେ ଓ ଦିବସରେ କର୍ମ କରି ପାରିବେ।” 23 ଏହିରୂପେ ଆମ୍ଭେ କି ଆମ୍ଭ ଭାଇମାନେ କି ଆମ୍ଭ ଦାସମାନେ କିଅବା ଆମ୍ଭ ପଶ୍ଚାଦ୍ବର୍ତ୍ତୀ ପ୍ରହରୀମାନେ କେହି ଆପଣା ଦେହରୁ ବସ୍ତ୍ର କାଢ଼ିଲୁ ନାହିଁ, ପ୍ରତି ଜଣ ଆପଣା ଆପଣା ଅସ୍ତ୍ରଶସ୍ତ୍ର ସହିତ ଜଳ ନିକଟକୁ ଗଲୁ।
<- ନିହିମୀୟା 3ନିହିମୀୟା 5 ->