Link to home pageLanguagesLink to all Bible versions on this site

ନିହିମୀୟାଙ୍କ ପୁସ୍ତକ
ଲେଖକ
ଯିହୁଦୀ ପରମ୍ପରା ଅନୁସାରେ ନିହିମୀୟା ହେଉଛନ୍ତି ଏହି ଐତିହାସିକ ପୁସ୍ତକର ପ୍ରାଥମିକ ଲେଖକ। ଏହି ପୁସ୍ତକର ଅଧିକାଂଶ ଲେଖା ତାହାଙ୍କ ପ୍ରଥମ ପୁରୁଷ ଚିନ୍ତାଧାରାରୁ ଲେଖାଯାଇଅଛି। ତାହାଙ୍କର ଯୁବାବସ୍ଥା କିମ୍ବା ପୃଷ୍ଠଭୂମି ବିଷୟରେ କୌଣସି ସୂଚନା ନାହିଁ; ଆମ୍ଭେମାନେ ତାହାଙ୍କୁ କେବଳ ରାଜ-ଦରବାରରେ ରାଜା ଅର୍ତ୍ତକ୍ଷସ୍ତଙ୍କର ବ୍ୟକ୍ତିଗତ ପାନପାତ୍ରବାହକ ଭାବରେ ଦେଖିବାକୁ ପାଉ (ନିହିମୀୟା 1:11-2:1)। ନିହିମୀୟା ପୁସ୍ତକକୁ ଏଜ୍ରା ପୁସ୍ତକର ପରବର୍ତ୍ତୀ ପୁସ୍ତକ ଭାବରେ ପାଠ କରାଯାଇ ପାରିବ ଏବଂ ବାଇବଲର କିଛି ବିଦ୍ଵାନମାନଙ୍କ ମତରେ ଏହି ଦୁଇ ପୁସ୍ତକ ମୂଳତଃ, ଗୋଟିଏ ପୁସ୍ତକ ଥିଲା।
ସମୟ ଓ ସ୍ଥାନ
ପ୍ରାୟ 457-400 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ଏହି ପୁସ୍ତକ ବାବିଲରୁ ପ୍ରସ୍ଥାନ କଲା ପରେ, ପାରସ୍ୟ ଶାସନ ସମୟରେ ଯିହୁଦା, ସମ୍ଭବତଃ, ଯିରୂଶାଲମରେ ଲିପିବଦ୍ଧ କରାଯାଇଅଛି।
ପ୍ରାପକ
ବାବିଲରୁ ନିର୍ବାସିତ ଇସ୍ରାଏଲର ପିଢ଼ି ନିହିମୀୟାଙ୍କର ଅଭିପ୍ରେତ ପ୍ରାପକମାନେ ଥିଲେ।
ଉଦ୍ଦେଶ୍ୟ
ଲେଖକ ସ୍ପଷ୍ଟ ଭାବରେ, ଇଚ୍ଛା କରୁଥିଲେ ଯେ ତାହାଙ୍କର ପାଠକମାନେ ପରମେଶ୍ୱରଙ୍କ ଦ୍ଵାରା ମନୋନୀତ ହୋଇଥିବା ଲୋକଙ୍କ ପ୍ରତି ତାହାଙ୍କର ଶକ୍ତି ଏବଂ ପ୍ରେମକୁ ସେମାନେ ଏବଂ ତାହାଙ୍କ ପ୍ରତି ସେମାନଙ୍କର ନିୟମର ଦାୟିତ୍ଵକୁ ବୁଝି ପାରନ୍ତୁ। ପରମେଶ୍ୱର ପ୍ରାର୍ଥନାର ଉତ୍ତର ଦିଅନ୍ତି। ସେ ଲୋକଙ୍କ ଜୀବନ ବିଷୟରେ ଚିନ୍ତା କରନ୍ତି ଏବଂ ତାହାଙ୍କର ଆଜ୍ଞାକାରୀ ହେବା ନିମନ୍ତେ ସେ ସେମାନଙ୍କର ଆବଶ୍ୟକତାକୁ ପୂରଣ କରନ୍ତି। ସେ ଇଚ୍ଛା କରନ୍ତି ଯେ ଲୋକମାନେ ଏକସଙ୍ଗରେ କାର୍ଯ୍ୟ କରନ୍ତୁ ଏବଂ ନିଜର ସାଧନଗୁଡ଼ିକୁ ଅନ୍ୟମାନଙ୍କୁ ପ୍ରଦାନ କରନ୍ତୁ। ପରମେଶ୍ୱରଙ୍କ ଅନୁଗାମୀଙ୍କ ଜୀବନରେ ସ୍ୱାର୍ଥପରତାର କୌଣସି ସ୍ଥାନ ନ ଥାଏ। ଏହି ପୁସ୍ତକରେ ନିହିମୀୟା ଗରିବ ଲୋକମାନଙ୍କଠାରୁ ଫାଇଦା ନ ଉଠାଇବାକୁ ଧନୀ ଏବଂ ଅଭିଜାତ ଶ୍ରେଣୀ ସମ୍ପୃକ୍ତ ଲୋକମାନଙ୍କୁ ସ୍ମରଣ କରାନ୍ତି।
ବିଷୟବସ୍ତୁ
ପୁନର୍ଗଠନ
ରୂପରେଖା
1. ଶାସକ ଭାବରେ ନିହିମୀୟାଙ୍କର ପ୍ରଥମ କାର୍ଯ୍ୟକାଳ — 1:1-12:47
2. ଶାସକ ଭାବରେ ନିହିମୀୟାଙ୍କର ଦ୍ୱିତୀୟ କାର୍ଯ୍ୟକାଳ — 13:1-31

1
ଯିରୂଶାଲମରୁ ସମ୍ବାଦ
1 ହଖଲୀୟର ପୁତ୍ର ନିହିମୀୟାଙ୍କର ବାକ୍ୟ। କୋଡ଼ିଏତମ ବର୍ଷର କିଶ୍ଲେବ୍‍[a] ମାସରେ ମୁଁ ଶୂଶନ୍‍ ରାଜଧାନୀରେ ଥିଲି। 2 ତହିଁରେ ହନାନି ନାମରେ ମୋହର ଭ୍ରାତୃଗଣ ମଧ୍ୟରୁ ଏକ ଜଣ ଓ ଯିହୁଦାରୁ କେତେକ ଲୋକ ଆସିଲେ; ତହୁଁ ମୁଁ ସେମାନଙ୍କୁ ବନ୍ଦୀତ୍ୱରୁ ରକ୍ଷାପ୍ରାପ୍ତ ଅବଶିଷ୍ଟ ଯିହୁଦୀୟମାନଙ୍କ ବିଷୟରେ ଓ ଯିରୂଶାଲମ ବିଷୟରେ ପଚାରିଲି। 3 ସେତେବେଳେ ସେମାନେ ମୋତେ କହିଲେ, “ବନ୍ଦୀତ୍ୱରୁ ରକ୍ଷାପ୍ରାପ୍ତ ସେହି ପ୍ରଦେଶର ଅବଶିଷ୍ଟ ଲୋକେ ମହାଦୁଃଖ ଓ ଅପମାନରେ ଅଛନ୍ତି; କାରଣ ଯିରୂଶାଲମର ପ୍ରାଚୀର ଭଗ୍ନ ହୋଇ ରହିଅଛି ଓ ତହିଁର ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହୋଇଅଛି।”
ନିହିମୀୟାଙ୍କ ପ୍ରାର୍ଥନା
4 ତହୁଁ ମୁଁ ଏହି କଥା ଶୁଣିବାମାତ୍ରେ, ବସି ରୋଦନ କଲି ଓ କେତେକ ଦିନ ପର୍ଯ୍ୟନ୍ତ ବିଳାପ କଲି; ପୁଣି, ମୁଁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଛାମୁରେ ଉପବାସ ଓ ପ୍ରାର୍ଥନା କରି କହିଲି, 5 “ହେ ସଦାପ୍ରଭୋ, ସ୍ୱର୍ଗସ୍ଥ ପରମେଶ୍ୱର, ମୁଁ ବିନୟ କରୁଅଛି, ତୁମ୍ଭେ ମହାନ ଓ ଭୟଙ୍କର ପରମେଶ୍ୱର ଅଟ, ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ସବୁ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ; 6 ମୁଁ ତୁମ୍ଭ ବିରୁଦ୍ଧରେ ଆମ୍ଭମାନଙ୍କ କୃତ ଇସ୍ରାଏଲ-ସନ୍ତାନଗଣର ପାପ ସ୍ୱୀକାର କରି ତୁମ୍ଭ ଦାସ ଇସ୍ରାଏଲର ସନ୍ତାନଗଣ ପକ୍ଷରେ ଦିବାରାତ୍ର ଏହି ସମୟରେ ତୁମ୍ଭ ଛାମୁରେ ଯେଉଁ ପ୍ରାର୍ଥନା କରୁଅଛି, ଆପଣା ଦାସର ସେହି ପ୍ରାର୍ଥନା ଶୁଣିବା ପାଇଁ ଏବେ ତୁମ୍ଭର କର୍ଣ୍ଣ ନିବିଷ୍ଟ ଓ ତୁମ୍ଭର ଚକ୍ଷୁ ମୁକ୍ତ ହେଉ; ମୁଁ ଓ ମୋହର ପିତୃବଂଶ ହିଁ ପାପ କରିଅଛୁ। 7 ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ଅତିଶୟ ଦୁଷ୍କର୍ମ କରିଅଛୁ ଓ ତୁମ୍ଭେ ଆପଣା ଦାସ ମୋଶାଙ୍କୁ ଯେଉଁ ଆଜ୍ଞା ଓ ବିଧି ଓ ଶାସନ ଆଦେଶ କରିଥିଲ, ତାହାସବୁ ଆମ୍ଭେମାନେ ପାଳନ କରି ନାହୁଁ। 8 ତୁମ୍ଭେ ଆପଣା ଦାସ ମୋଶାଙ୍କୁ ଆଜ୍ଞା କରି କହିଥିଲ, ‘ତୁମ୍ଭେମାନେ ସତ୍ୟ-ଲଙ୍ଘନ କଲେ, ଆମ୍ଭେ ତୁମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା; 9 ମାତ୍ର ଯେବେ ତୁମ୍ଭେମାନେ ଆମ୍ଭ ପ୍ରତି ଫେରିବ ଓ ଆମ୍ଭ ଆଜ୍ଞା ପାଳନ କରି ତଦନୁଯାୟୀ କର୍ମ କରିବ, ତେବେ ତୁମ୍ଭମାନଙ୍କର ତ୍ୟକ୍ତ ଲୋକମାନେ ଆକାଶର ପ୍ରାନ୍ତସୀମାରେ ଥିଲେ ହେଁ ଆମ୍ଭେ ସେଠାରୁ ସେମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ଆପଣା ନାମ ସ୍ଥାପନାର୍ଥେ ଯେଉଁ ସ୍ଥାନ ମନୋନୀତ କରିଅଛୁ, ସେହି ସ୍ଥାନକୁ ସେମାନଙ୍କୁ ଆଣିବା; ବିନୟ କରୁଅଛି, ଆପଣାର ଏହି କଥା ସ୍ମରଣ କର।’ 10 ଏମାନେ ତୁମ୍ଭର ଦାସ ଓ ତୁମ୍ଭର ଲୋକ, ତୁମ୍ଭେ ଏମାନଙ୍କୁ ଆପଣାର ମହାପରାକ୍ରମ ଓ ଆପଣାର ବଳବାନ ହସ୍ତ ଦ୍ୱାରା ମୁକ୍ତ କରିଅଛ। 11 ହେ ପ୍ରଭୋ, ବିନୟ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ଭୟ କରିବାକୁ ଆନନ୍ଦ କରନ୍ତି, ଏପରି ତୁମ୍ଭ ଦାସର ପ୍ରାର୍ଥନା ଓ ତୁମ୍ଭ ଦାସମାନଙ୍କ ପ୍ରାର୍ଥନା ପ୍ରତି ଏବେ ତୁମ୍ଭର କର୍ଣ୍ଣ ନିବିଷ୍ଟ ହେଉ; ଆଉ, ପ୍ରାର୍ଥନା କରୁଅଛି, ଆଜି ଆପଣା ଦାସର କାର୍ଯ୍ୟ ସିଦ୍ଧ କର, ପୁଣି ଏହି ବ୍ୟକ୍ତିର ଦୃଷ୍ଟିରେ ତାହାକୁ ଦୟାପ୍ରାପ୍ତ ହେବାକୁ ଦିଅ।”
ଏସମୟରେ ମୁଁ ରାଜାଙ୍କର ପାନପାତ୍ରବାହକ ଥିଲି।

ନିହିମୀୟା 2 ->