17 ଯୀଶୁ ଯିରୂଶାଲମ ସହରକୁ ଯାତ୍ରା କରିବା ନିମନ୍ତେ ଉଦ୍ୟତ ହେଉଥିବା ସମୟରେ ଦ୍ୱାଦଶଙ୍କୁ ପୃଥକ୍ କରି ପଥ ମଧ୍ୟରେ ସେମାନଙ୍କୁ କହିଲେ, 18 “ଦେଖ, ଆମ୍ଭେମାନେ ଯିରୂଶାଲମ ସହରକୁ ଯାତ୍ରା କରୁଅଛୁ, ଆଉ ମନୁଷ୍ୟପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରେ ସମର୍ପିତ ହେବେ, 19 ପୁଣି, ସେମାନେ ତାହାଙ୍କୁ ପ୍ରାଣ ଦଣ୍ଡାଜ୍ଞା ଦେଇ ପରିହାସ, କୋରଡ଼ା ପ୍ରହାର ଓ କ୍ରୁଶରେ ବଧ କରିବା ନିମନ୍ତେ ଅଣଯିହୁଦୀମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ତୃତୀୟ ଦିବସରେ ସେ ଉଠିବେ।”
20 ସେତେବେଳେ ଜେବଦୀଙ୍କ ସ୍ତ୍ରୀ ଆପଣା ପୁତ୍ରମାନଙ୍କୁ ସାଙ୍ଗରେ ନେଇ ତାହାଙ୍କ ଛାମୁକୁ ଆସି ପ୍ରଣାମ କରି ତାହାଙ୍କଠାରୁ କିଛି ମାଗିଲେ। 21 ସେଥିରେ ସେ ତାହାଙ୍କୁ ପଚାରିଲେ, “ତୁମ୍ଭେ କଅଣ ଇଚ୍ଛା କରୁଅଛ?” ସେ ତାହାଙ୍କୁ କହିଲେ, ଆପଣଙ୍କ ରାଜ୍ୟରେ ଯେପରି ମୋହର ଏହି ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣେ ଆପଣଙ୍କ ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଜଣେ ବାମ ପାର୍ଶ୍ୱରେ ବସନ୍ତି, ଏହା ଆଜ୍ଞା କରନ୍ତୁ। 22 କିନ୍ତୁ ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କଅଣ ମାଗୁଅଛ, ତାହା ଜାଣୁ ନାହଁ। ମୁଁ ଯେଉଁ ପାତ୍ରରେ ପାନ କରିବାକୁ ଯାଉଅଛି, ସେଥିରେ କି ତୁମ୍ଭେମାନେ ପାନ କରିପାର?” 23 ସେମାନେ ତାହାଙ୍କୁ କହିଲେ, ପାରୁ। ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋହର ପାତ୍ରରେ ପାନ କରିବ ସତ, କିନ୍ତୁ ମୋହର ଦକ୍ଷିଣ ଓ ବାମ ପାର୍ଶ୍ୱରେ ବସିବାକୁ ଦେବା ମୋହର ଅଧିକାରର ବିଷୟ ନୁହେଁ, ବରଂ ଯେଉଁମାନଙ୍କ ନିମନ୍ତେ ମୋହର ପିତାଙ୍କ ଦ୍ୱାରା ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ।” 24 ଅନ୍ୟ ଦଶ ଜଣ ଶିଷ୍ୟ ଏହା ଶୁଣି ସେହି ଦୁଇ ଭାଇଙ୍କ ଉପରେ ବିରକ୍ତ ହେଲେ। 25 କିନ୍ତୁ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, “ଅଣଯିହୁଦୀମାନଙ୍କ ଶାସନକର୍ତ୍ତାମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି ଓ ମହାନ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ଏହା ତୁମ୍ଭେମାନେ ଜାଣ। 26 ତୁମ୍ଭମାନଙ୍କ ମଧ୍ୟରେ ସେପ୍ରକାର ନୁହେଁ, କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ, 27 ଆଉ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ଦାସ ହେଉ, 28 ଯେପରି ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ପାଇଁ ମୁକ୍ତିର ମୂଲ୍ୟ ସ୍ୱରୂପେ ପ୍ରାଣ ଦେବାକୁ ଆସିଅଛନ୍ତି।”
29 ସେମାନେ ଯିରୀହୋରୁ ପ୍ରସ୍ଥାନ କରିବା ସମୟରେ ବହୁସଂଖ୍ୟକ ଲୋକ ତାହାଙ୍କର ପଛେ ପଛେ ଗଲେ। 30 ଆଉ ଦେଖ, ପଥ ପାର୍ଶ୍ୱରେ ଦୁଇ ଜଣ ଅନ୍ଧ ଯୀଶୁ ସେହି ପଥ ଦେଇ ଯାଉଅଛନ୍ତି ବୋଲି ଶୁଣି ଉଚ୍ଚସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦଙ୍କ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ। 31 ମାତ୍ର ଲୋକସମୂହ ସେମାନଙ୍କୁ ତୁନି ହେବା ପାଇଁ ଧମକ ଦେଲେ, କିନ୍ତୁ ସେମାନେ ଆହୁରି ଉଚ୍ଚସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦଙ୍କ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ। 32 ସେଥିରେ ଯୀଶୁ ଠିଆ ହୋଇ ସେମାନଙ୍କୁ ଡାକି ପଚାରିଲେ, “ମୁଁ ତୁମ୍ଭମାନଙ୍କ ପାଇଁ କଅଣ କରିବି ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ?” 33 ସେମାନେ ତାହାଙ୍କୁ କହିଲେ, ହେ ପ୍ରଭୁ, ଯେପରି ଆମ୍ଭମାନଙ୍କର ଆଖି ଫିଟିଯାଏ। 34 ଆଉ ଯୀଶୁ ଦୟାରେ ବିଗଳିତ ହୋଇ ସେମାନଙ୍କର ଚକ୍ଷୁ ସ୍ପର୍ଶ କଲେ ଓ ସେହିକ୍ଷଣି ସେମାନେ ଦେଖି ପାରିଲେ ଓ ଯୀଶୁଙ୍କ ପଛେ ପଛେ ଚାଲିବାକୁ ଲାଗିଲେ।
<- ମାଥିଉ 19ମାଥିଉ 21 ->