3 ତୁମ୍ଭେମାନେ ଯାଅ; ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାଛୁଆମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି। 4 ଥଳି, ଝୋଲି ଓ ଜୋତା ନିଅ ନାହିଁ, ପୁଣି, ବାଟରେ କାହାକୁ ନମସ୍କାର କର ନାହିଁ।
5 ଆଉ, ଯେକୌଣସି ଗୃହରେ ତୁମ୍ଭେମାନେ ପ୍ରବେଶ କରିବ, ପ୍ରଥମେ କୁହ, ଏହି ଗୃହ ପ୍ରତି ଶାନ୍ତି ହେଉ। 6 ଆଉ, ସେ ସ୍ଥାନରେ ଯଦି ଜଣେ ଶାନ୍ତିର ପାତ୍ର ଥାଏ, ତାହାହେଲେ ତୁମ୍ଭମାନଙ୍କର ଶାନ୍ତି ତାହାର ଉପରେ ଅଧିଷ୍ଠାନ କରିବ; କିନ୍ତୁ ଯଦି ନ ଥାଏ, ତେବେ ତାହା ତୁମ୍ଭମାନଙ୍କ ନିକଟକୁ ଫେରିଆସିବ। 7 ପୁଣି, ସେମାନଙ୍କ ପାଖରେ ଯାହା ଥାଏ, ତାହା ଭୋଜନପାନ କରି ସେହି ଗୃହରେ ରୁହ, କାରଣ କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ। ଘରକୁ ଘର ଯାଅ ନାହିଁ।
8 ପୁଣି, ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି, ସେଠାରେ ତୁମ୍ଭମାନଙ୍କୁ ଯାହା ଦିଆଯାଏ, ତାହା ଭୋଜନ କର, 9 ସେ ସ୍ଥାନରେ ଥିବା ପୀଡ଼ିତମାନଙ୍କୁ ସୁସ୍ଥ କର, ଆଉ ସେମାନଙ୍କୁ କୁହ, ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ସନ୍ନିକଟ।
10 କିନ୍ତୁ ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେଥିର ଦାଣ୍ଡମାନଙ୍କୁ ବାହାରିଯାଇ କୁହ, 11 ତୁମ୍ଭମାନଙ୍କ ନଗରର ଯେଉଁ ଧୂଳି ଆମ୍ଭମାନଙ୍କ ପାଦରେ ଲାଗିଅଛି, ତାହା ସୁଧା ତୁମ୍ଭମାନଙ୍କ ପାଇଁ ଝାଡ଼ି ଦେଉଅଛୁ; ତଥାପି ଈଶ୍ବରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣିଥାଅ। 12 ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ସେହି ନଗରର ଦଣ୍ଡ ଅପେକ୍ଷା ସଦୋମର ଦଣ୍ଡକୁ ସହି ହେବ।”
13 “ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥ୍ସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋର ଓ ସୀଦୋନରେ କରାଯାଇଥାଆନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ-ପରିବର୍ତ୍ତନ କରିଥାଆନ୍ତେ। 14 ତଥାପି ବିଚାରରେ ତୁମ୍ଭମାନଙ୍କ ଦଣ୍ଡ ଅପେକ୍ଷା ସୋର ଓ ସୀଦୋନର ଦଣ୍ଡ ସହି ହେବ। 15 ଆଉ, ରେ କଫର୍ନାହୂମ ତୁ କଅଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ପତନ ହେବ।”
16 ଯେ ତୁମ୍ଭମାନଙ୍କର କଥା ଶୁଣେ, ସେ ମୋʼ କଥା ଶୁଣେ, ପୁଣି, ଯେ ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରେ, ସେ ମୋତେ ଅଗ୍ରାହ୍ୟ କରେ, ଆଉ ଯେ ମୋତେ ଅଗ୍ରାହ୍ୟ କରେ, ସେ ମୋʼ ପ୍ରେରଣକର୍ତ୍ତାଙ୍କୁ ଅଗ୍ରାହ୍ୟ କରେ।
21 ସେହି ସମୟରେ ସେ ପବିତ୍ର ଆତ୍ମାଙ୍କଠାରେ ଉଲ୍ଲସିତ ହୋଇ କହିଲେ, “ପିତା ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏଥିନିମନ୍ତେ ତୁମ୍ଭର ପ୍ରଶଂସା କରୁଅଛି; ହଁ, ପିତା, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା।”
22 “ମୋହର ପିତାଙ୍କ ଅଧିକାରର ସମସ୍ତ ବିଷୟ ମୋʼ ଠାରେ ସମର୍ପିତ ହୋଇଅଛି; ଆଉ, ପୁତ୍ର କିଏ, ଏହା ପିତାଙ୍କ ବିନା କେହି ଜାଣେ ନାହିଁ, ପୁଣି, ପିତା କିଏ, ଏହା ପୁତ୍ରଙ୍କ ବିନା କେହି ଜାଣେ ନାହିଁ, ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ।”
23 ପୁଣି, ସେ ଶିଷ୍ୟମାନଙ୍କ ପ୍ରତି ବୁଲିପଡ଼ି କେବଳ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ସେହିସବୁ ଯେଉଁ ଚକ୍ଷୁ ଦେଖେ, ତାହା ଧନ୍ୟ। 24 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ଦେଖୁଅଛ ସେହିସବୁ ଅନେକ ଭାବବାଦୀ ଓ ରାଜା ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିଲେ ନାହିଁ; ପୁଣି, ତୁମ୍ଭେମାନେ ଯାହା ଯାହା ଶୁଣୁଅଛ ସେହିସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ।”
29 କିନ୍ତୁ ସେ ଆପଣାକୁ ଧାର୍ମିକ ବୋଲି ଦେଖାଇବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲେ, ତେବେ ମୋହର ପ୍ରତିବାସୀ କିଏ? 30 ଯୀଶୁ ସେହି ପ୍ରସଙ୍ଗ ଧରି କହିଲେ, “ଜଣେ ଲୋକ ଯିରୂଶାଲମ ସହରରୁ ଯିରୀହୋକୁ ଯାଉ ଯାଉ ଡକାଇତମାନଙ୍କ ହାବୁଡ଼ରେ ପଡ଼ିଲା। ସେମାନେ ତାହାର ଲୁଗାପଟା ଛଡ଼ାଇନେଇ ଓ ମାଡ଼ ମାରି ତାହାକୁ ଦରମରା ଅବସ୍ଥାରେ ଛାଡ଼ି ଚାଲିଗଲେ।
31 ଘଟଣା ପରେ-ପରେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ, ଆଉ ସେ ତାହାକୁ ଦେଖି ବାଟର ଆରପାଖ ଦେଇ ଗଲେ। 32 ସେହି ପ୍ରକାରେ ଜଣେ ଲେବୀୟ ମଧ୍ୟ ସେ ସ୍ଥାନକୁ ଆସି ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ।
33 କିନ୍ତୁ ଜଣେ ଶମିରୋଣୀୟ ପଥିକ ତାହା ନିକଟକୁ ଆସି ତାହାକୁ ଦେଖି ଦୟାରେ ବିଗଳିତ ହେଲେ, 34 ଏବଂ ପାଖକୁ ଯାଇ ତାହାର କ୍ଷତ ସବୁରେ ତୈଳ ଓ ଦ୍ରାକ୍ଷାରସ ଢ଼ାଳି ସେହିସବୁ ବାନ୍ଧିଦେଲେ, ଆଉ ତାହାକୁ ନିଜ ଗଧ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ନେଇଯାଇ ତାହାର ସେବା କଲେ। 35 ତହିଁ ଆରଦିନ ସେ ଦୁଇଟି ରୌପ୍ୟ-ମୁଦ୍ରା ବାହାର କରି ପାନ୍ଥଶାଳାର ମାଲିକଙ୍କୁ ଦେଇ କହିଲେ, ‘ଏହାର ସେବା କର, ଆଉ ଯାହା କିଛି ଅଧିକ ଖର୍ଚ୍ଚ କରିବ, ତାହା ମୁଁ ଫେରିଆସିବା ସମୟରେ ତୁମ୍ଭକୁ ପରିଶୋଧ କରିବି।’ ”
36 “ଏହି ତିନି ଜଣଙ୍କ ମଧ୍ୟରୁ କିଏ ଡକାଇତମାନଙ୍କ ହାବୁଡ଼ରେ ପଡ଼ିଥିବା ଲୋକଟିର ପ୍ରତିବାସୀ ବୋଲି ମନେ କରୁଅଛ?” 37 ସେ କହିଲେ, ଯେ ତାହା ପ୍ରତି ଦୟା କଲା, ସେ। ଯୀଶୁ ତାହାଙ୍କୁ କହିଲେ, “ଯାଅ, ତୁମ୍ଭେ ମଧ୍ୟ ସେହି ପ୍ରକାର କର।”
40 କିନ୍ତୁ ମାର୍ଥା ଖାଦ୍ୟ ପ୍ରସ୍ତୁତ କରିବାରେ ବହୁତ ବ୍ୟସ୍ତ ହେଉଥିଲେ; ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋହର ଭଉଣୀ ଯେ ଏକାକୀ ମୋʼ ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଇଅଛି ସେ ଆଡ଼କୁ କଅଣ ଆପଣଙ୍କର ମନ ନାହିଁ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ। 41 କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, “ମାର୍ଥା, ମାର୍ଥା, ତୁମ୍ଭେ ବହୁତ ବିଷୟରେ ଚିନ୍ତିତ ଓ ବ୍ୟତିବ୍ୟସ୍ତ ହେଉଅଛ, 42 କିନ୍ତୁ ଅଳ୍ପ କେତୋଟି, ବରଂ ଗୋଟିଏ ମାତ୍ର ଆବଶ୍ୟକ; ମରୀୟମ ତ ଉତ୍ତମ ଭାଗ ମନୋନୀତ କରିଅଛି, ଆଉ ତାହା ତାହାଠାରୁ ନିଆଯିବ ନାହିଁ।”
<- ଲୂକ 9ଲୂକ 11 ->