19 ଆଉ, ସେହି ମାଂସ କୌଣସି ଅଶୁଚି ବସ୍ତୁରେ ଲାଗିଲେ, ତାହା ଭୋଜନ କରାଯିବ ନାହିଁ; ତାହା ଅଗ୍ନିରେ ଦଗ୍ଧ ହେବ। ଆଉ, ସେହି ଶୁଚି ମାଂସ ପ୍ରତ୍ୟେକ ଶୁଚି ଲୋକ ଭୋଜନ କରିବ। 20 ମାତ୍ର ଯେଉଁ ପ୍ରାଣୀ ଆପଣା ଶରୀରରେ ଅଶୁଚିତା ଥାଉ ଥାଉ ସଦାପ୍ରଭୁଙ୍କ ସମ୍ବନ୍ଧୀୟ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରେ, ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। 21 ଯେବେ କେହି କୌଣସି ବସ୍ତୁ, ଅର୍ଥାତ୍, ମନୁଷ୍ୟର ଅଶୁଚିତା, କି ଅଶୁଚି ପଶୁ, କିଅବା କୌଣସି ଘୃଣାଯୋଗ୍ୟ ଅଶୁଚି ବସ୍ତୁ ସ୍ପର୍ଶ କରି ସଦାପ୍ରଭୁଙ୍କ ସମ୍ବନ୍ଧୀୟ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରେ, ତେବେ ସେହି ଭୋଜନକାରୀ ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।”
22 ଆହୁରି, ସଦାପ୍ରଭୁ ମୋଶାଙ୍କୁ କହିଲେ 23 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ‘ତୁମ୍ଭେମାନେ ଗୋରୁର, କି ମେଷର କି ଛେଳିର ମେଦ ଭୋଜନ କରିବ ନାହିଁ। 24 ପୁଣି ସ୍ୱୟଂମୃତ ବା ପଶୁ ଦ୍ୱାରା ବିଦୀର୍ଣ୍ଣ ପଶୁର ମେଦ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇପାରେ; ମାତ୍ର ତୁମ୍ଭେମାନେ କୌଣସିମତେ ତାହା ଭୋଜନ କରିବ ନାହିଁ। 25 କାରଣ ମନୁଷ୍ୟମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ଯେଉଁ ପଶୁ ଉତ୍ସର୍ଗ କରନ୍ତି, ତାହାର ମେଦ ଯେବେ କେହି ଭୋଜନ କରେ; ତେବେ ତାହା ଭୋଜନକାରୀ ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। 26 ପୁଣି, ତୁମ୍ଭମାନଙ୍କର କୌଣସି ବାସ ସ୍ଥାନରେ ତୁମ୍ଭେମାନେ କୌଣସି ପକ୍ଷୀର କି ପଶୁର ରକ୍ତ ଭୋଜନ କରିବ ନାହିଁ। 27 ଯେକୌଣସି ରକ୍ତ ଯିଏ ଭୋଜନ କରେ, ସେ ଯିଏ ହେଉ, ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।’ ”
28 ଆଉ, ସଦାପ୍ରଭୁ ମୋଶାଙ୍କୁ କହିଲେ, ଇସ୍ରାଏଲ-ସନ୍ତାନଗଣକୁ କୁହ, 29 “ଯେକେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ସେ ଆପଣା ମଙ୍ଗଳାର୍ଥକ ବଳିରୁ ସଦାପ୍ରଭୁଙ୍କ ନିକଟକୁ ଆପଣା ନୈବେଦ୍ୟ ଆଣିବ। 30 ତାହାର ନିଜ ହସ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଆଣିବ; ସେ ବକ୍ଷ ସହିତ ମେଦ ଆଣିବ, ତହିଁରେ ସେହି ବକ୍ଷ ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ସାକ୍ଷାତରେ ଦୋଳାୟିତ ହେବ। 31 ପୁଣି ଯାଜକ ବେଦି ଉପରେ ସେହି ମେଦ ଦଗ୍ଧ କରିବ, ମାତ୍ର ବକ୍ଷ ହାରୋଣର ଓ ତାହାର ପୁତ୍ରଗଣଙ୍କର ହେବ। 32 ପୁଣି, ତୁମ୍ଭେମାନେ ଆପଣା ଆପଣା ମଙ୍ଗଳାର୍ଥକ ବଳିରୁ ଡାହାଣ ଜଙ୍ଘ ଉତ୍ତୋଳନୀୟ ଉପହାର ରୂପେ ଯାଜକକୁ ଦେବ। 33 ହାରୋଣର ପୁତ୍ରଗଣଙ୍କ ମଧ୍ୟରେ ଯେକେହି ମଙ୍ଗଳାର୍ଥକ ବଳିର ରକ୍ତ ଓ ମେଦ ଉତ୍ସର୍ଗ କରେ, ସେ ଆପଣା ଅଂଶ ରୂପେ ମଙ୍ଗଳାର୍ଥକ ବଳିର ଡାହାଣ ଜଙ୍ଘ ପାଇବ। 34 ଯେହେତୁ ଆମ୍ଭେ ଇସ୍ରାଏଲ-ସନ୍ତାନଗଣର ମଙ୍ଗଳାର୍ଥକ ବଳିରୁ ଦୋଳନୀୟ ନୈବେଦ୍ୟର ବକ୍ଷ ଓ ଉତ୍ତୋଳନୀୟ ଉପହାରର ଜଙ୍ଘ ନେଇ ଇସ୍ରାଏଲ-ସନ୍ତାନଗଣର ଅନନ୍ତକାଳୀନ ଦେୟ ରୂପେ ହାରୋଣ ଯାଜକକୁ ଓ ତାହାର ପୁତ୍ରଗଣଙ୍କୁ ଦେଇଅଛୁ।
35 ଯେଉଁ ଦିନ ମୋଶା ସଦାପ୍ରଭୁଙ୍କ ଛାମୁରେ ଯାଜକ କର୍ମ କରିବା ନିମନ୍ତେ ହାରୋଣଙ୍କୁ ଓ ତାହାର ପୁତ୍ରଗଣଙ୍କୁ ଉପସ୍ଥିତ କରାଇଲେ, ସେହି ଦିନଠାରୁ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ମଧ୍ୟରୁ ଏହା ହିଁ ସେମାନଙ୍କର ଅଭିଷେକ ଅଂଶ; 36 ସେ ସେମାନଙ୍କୁ ଅଭିଷେକ କରିବା ଦିନ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣଠାରୁ ତାହା ଦତ୍ତ ହେବା ନିମନ୍ତେ ଆଜ୍ଞା ଦେଲେ। ତାହା ସେମାନଙ୍କର ପୁରୁଷାନୁକ୍ରମେ ଅନନ୍ତକାଳୀନ ଦେୟ।”
37 ହୋମବଳି, ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି, ଦୋଷାର୍ଥକ ବଳି ଓ ପଦନିଯୋଗାର୍ଥକ; ପୁଣି ମଙ୍ଗଳାର୍ଥକ ବଳିର ଏହି ବ୍ୟବସ୍ଥା। 38 ସଦାପ୍ରଭୁ ଯେଉଁ ଦିନ ସୀନୟ ପ୍ରାନ୍ତରସ୍ଥିତ ଇସ୍ରାଏଲ-ସନ୍ତାନଗଣକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ଆପଣା ଉପହାର ଦେବାକୁ ଆଜ୍ଞା ଦେଲେ, ସେହି ଦିନ ସୀନୟ ପର୍ବତରେ ମୋଶାଙ୍କୁ ଆଜ୍ଞା ଦେଲେ।
<- ଲେବୀୟ ପୁସ୍ତକ 6ଲେବୀୟ ପୁସ୍ତକ 8 ->