10 ଆଉ, ଆପଣା ଭ୍ରାତାମାନଙ୍କ ମଧ୍ୟରୁ ଯେଉଁ ଜନ ପ୍ରଧାନ ଯାଜକ ହୋଇଅଛି, ଯାହାର ମସ୍ତକରେ ଅଭିଷେକାର୍ଥକ ତୈଳ ଢଳା ଯାଇଅଛି ଓ ଯେ ପବିତ୍ର ବସ୍ତ୍ର ପରିଧାନ କରିବା ପାଇଁ ପଦରେ ନିଯୁକ୍ତ ହୋଇଅଛି, ସେ ଆପଣା ମସ୍ତକର କେଶ ମୁକୁଳା କରିବ ନାହିଁ ଓ ଆପଣା ବସ୍ତ୍ର ଚିରିବ ନାହିଁ। 11 କିଅବା ସେ ଗୃହ ଭିତରେ ଶବ ନିକଟକୁ ଯିବ ନାହିଁ, ଅବା ଆପଣା ପିତା ବା ଆପଣା ମାତା ସକାଶୁ ଆପଣାକୁ ଅଶୁଚି କରିବ ନାହିଁ। 12 ଅଥବା ପବିତ୍ର ସ୍ଥାନରୁ ବାହାରିବ ନାହିଁ, ଅବା ଆପଣା ପରମେଶ୍ୱରଙ୍କ ପବିତ୍ର ସ୍ଥାନକୁ ଅପବିତ୍ର କରିବ ନାହିଁ; କାରଣ ତାହାର ପରମେଶ୍ୱରଙ୍କ ଅଭିଷେକାର୍ଥକ ତୈଳରୂପ ମୁକୁଟ ତାହା ଉପରେ ଅଛି; ଆମ୍ଭେ ସଦାପ୍ରଭୁ ଅଟୁ। 13 ପୁଣି, ସେ କେବଳ ଅନୂଢ଼ାକୁ ବିବାହ କରିବ; 14 ବିଧବା, ତ୍ୟକ୍ତା, କଳଙ୍କିନୀ କିଅବା ବେଶ୍ୟାକୁ ବିବାହ କରିବ ନାହିଁ; ମାତ୍ର ସେ ଆପଣା ଲୋକମାନଙ୍କ ମଧ୍ୟରୁ କୌଣସି ଏକ କନ୍ୟାକୁ ବିବାହ କରିବ। 15 ଆଉ, ସେ ଆପଣା ଲୋକମାନଙ୍କ ମଧ୍ୟରେ ଆପଣା ବଂଶ ଅପବିତ୍ର କରିବ ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ତାହାକୁ ପବିତ୍ର କରୁ।”
16 ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ, 17 “ତୁମ୍ଭେ ହାରୋଣକୁ କୁହ, ପୁରୁଷାନୁକ୍ରମେ ତୁମ୍ଭ ବଂଶ ମଧ୍ୟରେ ଯାହାର ଶରୀରରେ ଖୁଣ ଥାଏ, ସେ ଆପଣା ପରମେଶ୍ୱରଙ୍କ ‘ଭକ୍ଷ୍ୟଦ୍ରବ୍ୟ’ ଉତ୍ସର୍ଗ କରିବା ପାଇଁ ନିକଟକୁ ଯିବ ନାହିଁ। 18 ଯେକୌଣସି ଲୋକର ଖୁଣ ଅଛି, ସେ ନିକଟବର୍ତ୍ତୀ ହେବ ନାହିଁ; ବିଶେଷରେ ଅନ୍ଧ ଲୋକ, ଛୋଟା, ଯାହାର ନାକ ବିକୃତ, ଅଧିକ ଅଙ୍ଗ, 19 ଭଗ୍ନପାଦ, ଭଗ୍ନହସ୍ତ, 20 କୁଜା, ବାମନ, ଅବା ଯାହାର ଚକ୍ଷୁରେ ଖୁଣ ଅଛି, ଜାଦୁ ରୋଗୀ, କାଛୁ ରୋଗୀ, ଭଗ୍ନକୋଷ; 21 ଏପରି ଖୁଣବିଶିଷ୍ଟ ଯେଉଁ ପୁରୁଷ ହାରୋଣ ଯାଜକଙ୍କର ବଂଶ ମଧ୍ୟରେ ଥାଏ, ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବା ପାଇଁ ନିକଟକୁ ଯିବ ନାହିଁ; ତାହାର ଖୁଣ ଅଛି; ସେ ଆପଣା ପରମେଶ୍ୱରଙ୍କ ‘ଭକ୍ଷ୍ୟ’ ଉତ୍ସର୍ଗ କରିବା ପାଇଁ ନିକଟକୁ ଆସିବ ନାହିଁ। 22 ସେ ଆପଣା ପରମେଶ୍ୱରଙ୍କର ମହାପବିତ୍ର ବା ପବିତ୍ର ‘ଭକ୍ଷ୍ୟ’ ଭୋଜନ କରିବ। 23 ମାତ୍ର ବିଚ୍ଛେଦ ବସ୍ତ୍ରର ଭିତରକୁ ଯିବ ନାହିଁ, କିଅବା ବେଦି ନିକଟକୁ ଆସିବ ନାହିଁ, କାରଣ ତାହାର ଖୁଣ ଅଛି; ସେ ଆମ୍ଭର ପବିତ୍ର ସ୍ଥାନସକଳ ଅପବିତ୍ର କରିବ ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ସେହି ସମସ୍ତ ପବିତ୍ର କରୁ।” 24 ଏହି ପ୍ରକାରେ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଓ ସମସ୍ତ ଇସ୍ରାଏଲ-ସନ୍ତାନଗଣଙ୍କୁ ଏହି କଥା କହିଲେ।
<- ଲେବୀୟ ପୁସ୍ତକ 20ଲେବୀୟ ପୁସ୍ତକ 22 ->