7 ଏଥିରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଆମ୍ଭେ ଆଜି ଦିନ ସମୁଦାୟ ଇସ୍ରାଏଲଙ୍କ ସାକ୍ଷାତରେ ତୁମ୍ଭକୁ ସମ୍ଭ୍ରାନ୍ତ କରିବାକୁ ଆରମ୍ଭ କରିବା, ତହିଁରେ ଆମ୍ଭେ ଯେପରି ମୋଶା ସଙ୍ଗରେ ଥିଲୁ, ସେହିପରି ତୁମ୍ଭ ସଙ୍ଗରେ ହେବା, ଏହା ସେମାନେ ଜ୍ଞାତ ହେବେ। 8 ଏନିମନ୍ତେ ତୁମ୍ଭେ ନିୟମ-ସିନ୍ଦୁକବାହକ ଯାଜକମାନଙ୍କୁ ଆଜ୍ଞା ଦେଇ କୁହ, ‘ତୁମ୍ଭେମାନେ ଯର୍ଦ୍ଦନ ଜଳଧାରରେ ଉପସ୍ଥିତ ହେଲେ, ସେଠାରେ ଯର୍ଦ୍ଦନ ତୀରରେ ଠିଆ ହୋଇ ରହିବ।’ ”
9 ତହିଁରେ ଯିହୋଶୂୟ ଇସ୍ରାଏଲ-ସନ୍ତାନଗଣକୁ କହିଲେ, “ତୁମ୍ଭେମାନେ ଏହି ସ୍ଥାନକୁ ଆସି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଶୁଣ। 10 ଯିହୋଶୂୟ ଆହୁରି କହିଲେ, ଜୀବିତ ପରମେଶ୍ୱର ଯେ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ପୁଣି କିଣାନୀୟ ଓ ହିତ୍ତୀୟ ଓ ହିବ୍ବୀୟ ଓ ପରିଷୀୟ ଓ ଗିର୍ଗାଶୀୟ ଓ ଇମୋରୀୟ ଓ ଯିବୂଷୀୟ ଲୋକମାନଙ୍କୁ ଯେ ତୁମ୍ଭମାନଙ୍କ ସମ୍ମୁଖରୁ ନିତାନ୍ତ ତଡ଼ି ଦେବେ, ତାହା ତୁମ୍ଭେମାନେ ଏହା ଦ୍ୱାରା ଜାଣି ପାରିବ। 11 ଦେଖ, ସମଗ୍ର ଜଗତର ପ୍ରଭୁଙ୍କ ନିୟମ-ସିନ୍ଦୁକ ତୁମ୍ଭମାନଙ୍କ ସମ୍ମୁଖରେ ଯର୍ଦ୍ଦନକୁ ଯାଉଅଛି। 12 ଏନିମନ୍ତେ ତୁମ୍ଭେମାନେ ଇସ୍ରାଏଲର ଏକ ବଂଶରୁ ଏକ ଏକ ଜଣ, ଏରୂପେ ବାର ବଂଶରୁ ବାର ଜଣ ଗ୍ରହଣ କର। 13 ସମଗ୍ର ଜଗତର ପ୍ରଭୁ ସଦାପ୍ରଭୁଙ୍କର ସିନ୍ଦୁକ-ବାହକ ଯାଜକମାନଙ୍କ ପଦତଳ ଯର୍ଦ୍ଦନ ଜଳରେ ପ୍ରବିଷ୍ଟ ହେବାମାତ୍ର ସେହି ଯର୍ଦ୍ଦନର ଜଳ, ଅର୍ଥାତ୍, ଊର୍ଦ୍ଧ୍ୱସ୍ଥାନରୁ ଯେଉଁ ଜଳ ବହି ଆସୁଅଛି, ତାହା କଟା ହେବ ଓ ତାହା ଏକ ରାଶି ହୋଇ ସ୍ଥଗିତ ହେବ।”
14 ସେତେବେଳେ ଲୋକମାନେ ଯର୍ଦ୍ଦନ ପାର ହେବା ନିମନ୍ତେ ଆପଣା ଆପଣା ତମ୍ବୁରୁ ଯାତ୍ରା କରନ୍ତେ, ଯାଜକମାନେ ନିୟମ-ସିନ୍ଦୁକ ବହି ଲୋକମାନଙ୍କ ସମ୍ମୁଖସ୍ଥ ହେଲେ। 15 ଆଉ ଯଦ୍ୟପି ଶସ୍ୟଚ୍ଛେଦନର ସମସ୍ତ କାଳ ଯର୍ଦ୍ଦନର ସବୁ-ତୀର ଉପରକୁ ବଢ଼ି ଉଠେ, ତଥାପି ସିନ୍ଦୁକ-ବାହକମାନେ ଯେତେବେଳେ ଯର୍ଦ୍ଦନ ସମୀପରେ ଉପସ୍ଥିତ ହେଲେ, ସେତେବେଳେ ଜଳଧାରରେ ସିନ୍ଦୁକ-ବାହକ ଯାଜକମାନଙ୍କ ପାଦ ଜଳରେ ଡୁବିବା ମାତ୍ର, 16 ଊର୍ଦ୍ଧ୍ୱରୁ ଆଗତ ସମସ୍ତ ଜଳ ସ୍ଥଗିତ ହୋଇ ସର୍ତ୍ତନ ନିକଟବର୍ତ୍ତୀ ଆଦମ ନଗରଠାରୁ ଅତି ଦୂରରେ ଏକ ରାଶି ହୋଇ ଉଠିଲା; ପୁଣି ପଦାଭୂମିର ସମୁଦ୍ର, ଅର୍ଥାତ୍, ଲବଣ ସମୁଦ୍ରଗାମୀ ଜଳ ସମ୍ପୂର୍ଣ୍ଣ ରୂପେ କଟା ହେଲା; ତହିଁରେ ଲୋକମାନେ ଯିରୀହୋ ସମ୍ମୁଖରେ ପାର ହୋଇଗଲେ। 17 ଆଉ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହକ ଯାଜକମାନେ ଯର୍ଦ୍ଦନ ମଧ୍ୟରେ ଶୁଷ୍କ ଭୂମିରେ ସ୍ଥିର ରୂପେ ସ୍ଥଗିତ ରହିଲେ; ତହିଁରେ ସମୁଦାୟ ଇସ୍ରାଏଲ ଗୋଷ୍ଠୀ ନିଃଶେଷ ରୂପେ ଯର୍ଦ୍ଦନ ପାର ହେବା ଯାଏ ସମସ୍ତେ ଶୁଷ୍କ ଭୂମି ଦେଇ ପାର ହୋଇଗଲେ।
<- ଯିହୋଶୂୟ 2ଯିହୋଶୂୟ 4 ->- a ପ୍ରାୟ ଏକ କିଲୋମିଟର୍