Link to home pageLanguagesLink to all Bible versions on this site

ଯୂନସ ଭବିଷ୍ୟଦ୍‍ବକ୍ତାଙ୍କ ପୁସ୍ତକ
ଲେଖକ
ଯୂନସ 1:1 ଭବିଷ୍ୟଦ୍‍ବକ୍ତା ଯୂନସଙ୍କୁ ଏହି ପୁସ୍ତକର ଲେଖକ ବୋଲି ଚିହ୍ନଟ କରେ। ଯେଉଁ ନଗର ପରବର୍ତ୍ତୀ ସମୟରେ ଗାଲିଲୀ ଭାବରେ ପରିଚିତ ହୋଇଥିବା ନାଜରିତ ନିକଟବର୍ତ୍ତୀ ନଗର ଗାଥ୍‍ ହେଫୀର ନଗରରୁ ଯୂନସ ଆସିଥିଲେ (ଦ୍ଵି.ରା. 14:25)। ଯୂନସ ଇସ୍ରାଏଲର ଦକ୍ଷିଣ ରାଜ୍ୟରୁ ଉତ୍ସାହର ଅଭିବାଦନ ଦେଇଥିବା କିଛି ଭବିଷ୍ୟଦ୍‍ବକ୍ତାମାନଙ୍କ ମଧ୍ୟରୁ ଜଣେ ଅଟନ୍ତି। ଯୂନସଙ୍କ ପୁସ୍ତକ ପରମେଶ୍ୱରଙ୍କ ଧୈର୍ଯ୍ୟଶୀଳ, ପ୍ରେମଶୀଳ ଏବଂ ଯେଉଁମାନେ ତାହାଙ୍କର ଅମାନ୍ୟ କରନ୍ତି ସେମାନଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ଇଚ୍ଛା କରନ୍ତି ବୋଲି ପ୍ରକାଶ କରେ।
ସମୟ ଓ ସ୍ଥାନ
ପ୍ରାୟ 793-450 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ଏହି କାହାଣୀ ଇସ୍ରାଏଲରୁ ଆରମ୍ଭ ହୋଇ, ଯାଫୋର ଭୂମଧ୍ୟସ୍ତ ସାଗର ପର୍ଯ୍ୟନ୍ତ ଯାଏ ଏବଂ ଅଶୂରୀୟ ରାଜଧାନୀ ନୀନିବୀରେ ହିଦ୍ଦେକଲ ନଦୀ ପାର୍ଶ୍ଵରେ ସମାପ୍ତ ହୁଏ।
ପ୍ରାପକ
ଏହି ପୁସ୍ତକର ପ୍ରାପକ ଇସ୍ରାଏଲର ଲୋକ ଏବଂ ଭବିଷ୍ୟତର ସମସ୍ତ ବାଇବଲ ପାଠକମାନେ।
ଉଦ୍ଦେଶ୍ୟ
ଅବାଧ୍ୟତା ଏବଂ ପୁନରୁଜ୍ଜୀବନ ଏହି ପୁସ୍ତକର ମୁଖ୍ୟ ବିଷୟଗୁଡ଼ିକ ଅଟେ। ତିମି ମାଛର ପେଟ ମଧ୍ୟରେ ଯୂନସଙ୍କର ଅନୁଭୂତି ତାହାଙ୍କୁ ଏକ ଭିନ୍ନ ପ୍ରକାର ଉଦ୍ଧାରକୁ ଖୋଜିବାକୁ ଏକ ଭିନ୍ନ ପ୍ରକାରର ସୁଯୋଗ ପ୍ରଦାନ କରେ। ତାହାଙ୍କର ପ୍ରଥମ ଅବାଧ୍ୟତା କେବଳ ତାହାଙ୍କର ବ୍ୟକ୍ତିଗତ ଜୀବନରେ ପୁନରୁଜ୍ଜୀବନ ଆଣିଲା ତାହା ନୁହେଁ କିନ୍ତୁ ସମସ୍ତ ନୀନିବୀ ଦେଶ ନିମନ୍ତେ ପୁନରୁଜ୍ଜୀବନ ଆଣିଥିଲା। ପରମେଶ୍ୱରଙ୍କ ବାକ୍ୟ ସମଗ୍ର ଜଗତ ନିମନ୍ତେ ଅଟେ, ଏହା କେବଳ ସେମାନଙ୍କ ନିମନ୍ତେ ନୁହେଁ ଯେଉଁମାନଙ୍କୁ ଆମ୍ଭେମାନେ ପ୍ରେମ କରୁ କିମ୍ବା ଯେଉଁମାନେ ଆମ୍ଭମାନଙ୍କ ପରି ଅଟନ୍ତି। ପରମେଶ୍ୱର ପ୍ରକୃତ ମନପରିବର୍ତ୍ତନ ଚାହାନ୍ତି। ଅନ୍ୟମାନଙ୍କୁ ଆକର୍ଷିତ କରୁଥିବା ଉତ୍ତମ କାର୍ଯ୍ୟଗୁଡ଼ିକୁ ପରମେଶ୍ୱର ଚାହାନ୍ତି ନାହିଁ କିନ୍ତୁ ଆମ୍ଭମାନଙ୍କ ହୃଦୟ ଓ ସତ୍ୟ ଭାବନାଗୁଡ଼ିକୁ ଚାହାନ୍ତି।
ବିଷୟବସ୍ତୁ
ପରମେଶ୍ୱରଙ୍କ ଅନୁଗ୍ରହ ସମସ୍ତଙ୍କ ନିମନ୍ତେ
ରୂପରେଖା
1. ଯୂନସଙ୍କ ଅବାଧ୍ୟତା — 1:1-14
2. ଯୂନସ ଏକ ବୃହତ ମତ୍ସ୍ୟ ଦ୍ଵାରା ଗିଳା ଗଲେ — 1:15, 16
3. ଯୂନସଙ୍କ ମନପରିବର୍ତ୍ତନ — 1:17-2:10
4. ନୀନିବୀରେ ଯୂନସଙ୍କ ପ୍ରଚାର — 3:1-10
5. ପରମେଶ୍ୱରଙ୍କ ଦୟା ଉପରେ ଯୂନସଙ୍କ କ୍ରୁଦ୍ଧ — 4:1-11

1
ପରମେଶ୍ୱରଙ୍କଠାରୁ ଯୂନସଙ୍କ ପଳାୟନ
1 ଅମିତ୍ତୟଙ୍କ ପୁତ୍ର ଯୂନସଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। 2 “ଉଠ, ନୀନିବୀ ମହାନଗରକୁ ଯାଅ ଓ ତହିଁ ବିରୁଦ୍ଧରେ ଘୋଷଣା କର; କାରଣ ସେମାନଙ୍କର ଦୁଷ୍ଟତା ଆମ୍ଭ ସମ୍ମୁଖରେ ଉପସ୍ଥିତ ହୋଇଅଛି।” 3 ମାତ୍ର ଯୂନସ ସଦାପ୍ରଭୁଙ୍କ ଛାମୁରୁ ତର୍ଶୀଶକୁ ପଳାଇ ଯିବା ନିମନ୍ତେ ଉଠିଲେ ଓ ଯାଫୋ ନଗରକୁ ଯାଇ ତର୍ଶୀଶଗାମୀ ଏକ ଜାହାଜ ପାଇଲେ; ତହୁଁ ସେ ତହିଁର ଭଡ଼ା ଦେଇ ସଦାପ୍ରଭୁଙ୍କ ଛାମୁରୁ ତର୍ଶୀଶକୁ ସେମାନଙ୍କ ସଙ୍ଗେ ଯିବା ନିମନ୍ତେ ସେହି ଜାହାଜରେ ଚଢ଼ିଲେ।

4 ମାତ୍ର ସଦାପ୍ରଭୁ ସମୁଦ୍ରକୁ ପ୍ରଚଣ୍ଡ ବାୟୁ ପ୍ରେରଣ କଲେ, ତହିଁରେ ସମୁଦ୍ରରେ ଏପରି ପ୍ରବଳ ତୋଫାନ ହେଲା ଯେ, ଜାହାଜ ଭାଙ୍ଗିଯିବା ପରି ହେଲା। 5 ସେତେବେଳେ ନାବିକମାନେ, ଭୀତ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ଦେବତା ନିକଟରେ ପ୍ରାର୍ଥନା କଲେ; ପୁଣି, ସେମାନେ ଜାହାଜକୁ ହାଲୁକା କରିବା ପାଇଁ ତନ୍ମଧ୍ୟସ୍ଥ ଦ୍ରବ୍ୟାଦି ସମୁଦ୍ରରେ ପକାଇଦେଲେ। ମାତ୍ର, ଯୂନସ ଜାହାଜର ଅନ୍ତରସ୍ଥ ଭାଗକୁ ଯାଇଥିଲେ; ଆଉ, ଶୟନ କରି ଘୋର ନିଦ୍ରାରେ ମଗ୍ନ ହୋଇଥିଲେ। 6 ତହିଁରେ ଜାହାଜର ଅଧ୍ୟକ୍ଷ ତାଙ୍କ ନିକଟକୁ ଆସି କହିଲେ, “ହେ ନିଦ୍ରାଳୁ, କଅଣ କରୁଅଛ? ଉଠ, ତୁମ୍ଭ ଦେବତାଙ୍କ ନିକଟରେ ପ୍ରାର୍ଥନା କର, କେଜାଣି ତୁମ୍ଭର ଦେବତା ଆମ୍ଭମାନଙ୍କ ବିଷୟରେ ମନୋଯୋଗ କରିବେ ଓ ଆମ୍ଭେମାନେ ବିନଷ୍ଟ ନୋହିବୁ।”

ଯୂନସଙ୍କୁ ସମୁଦ୍ରକୁ ନିକ୍ଷେପ
7 ପୁଣି, ନାବିକମାନେ ପ୍ରତ୍ୟେକେ ଆପଣା ଆପଣା ସଙ୍ଗୀକୁ କହିଲେ, “କାହା ହେତୁରୁ ଏହି ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟୁଅଛି ଏହା ଜାଣିବା ନିମନ୍ତେ ଆସ, ଆମ୍ଭେମାନେ ଗୁଲିବାଣ୍ଟ କରୁ।” ତହୁଁ ସେମାନେ ଗୁଲିବାଣ୍ଟ କରନ୍ତେ, ଯୂନସଙ୍କ ନାମରେ ଗୁଲି ଉଠିଲା। 8 ସେତେବେଳେ ସେମାନେ ତାଙ୍କୁ କହିଲେ, “କାହା ହେତୁରୁ ଏହି ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି, ତାହା ଆମ୍ଭମାନଙ୍କୁ କୁହ; ତୁମ୍ଭେ କେଉଁ ବ୍ୟବସାୟୀ ଓ କେଉଁଠାରୁ ଆସିଅଛ? ତୁମ୍ଭର କେଉଁ ଦେଶ? ଓ ତୁମ୍ଭେ କେଉଁ ଗୋଷ୍ଠୀର ଲୋକ?” 9 ତହିଁରେ ସେ ସେମାନଙ୍କୁ କହିଲେ, “ମୁଁ ଜଣେ ଏବ୍ରୀୟ; ପୁଣି, ଯେ ସମୁଦ୍ର ଓ ଶୁଷ୍କ ଭୂମିର ସୃଷ୍ଟି କରିଅଛନ୍ତି, ସେହି ସ୍ୱର୍ଗସ୍ଥ ପରମେଶ୍ୱର ସଦାପ୍ରଭୁଙ୍କୁ ମୁଁ ଭୟ କରେ।” 10 ଏଥିରେ ସେହି ଲୋକମାନେ ମହାଭୀତ ହୋଇ ତାଙ୍କୁ କହିଲେ, “ତୁମ୍ଭେ ଏ କି କର୍ମ କରିଅଛ? କାରଣ ସେ ଜଣାଇଥିବାରୁ ସେମାନେ ଜାଣିଥିଲେ ଯେ, ସେ ସଦାପ୍ରଭୁଙ୍କ ଛାମୁରୁ ପଳାଉଅଛନ୍ତି।”

11 ସେତେବେଳେ ସେମାନେ ତାଙ୍କୁ କହିଲେ, “ସମୁଦ୍ର ଯେପରି ଆମ୍ଭମାନଙ୍କ ପ୍ରତି ସୁସ୍ଥିର ହେବ, ଏଥିପାଇଁ ଆମ୍ଭେମାନେ ତୁମ୍ଭ ପ୍ରତି କଅଣ କରିବା?” କାରଣ, ସମୁଦ୍ର ବେଳକୁ ବେଳ ପ୍ରଚଣ୍ଡତର ହୋଇ ବଢ଼ିଲା। 12 ତହିଁରେ ସେ ସେମାନଙ୍କୁ କହିଲେ, “ମୋତେ ଧରି ସମୁଦ୍ରରେ ପକାଇଦିଅ; ତହିଁରେ ସମୁଦ୍ର ତୁମ୍ଭମାନଙ୍କ ପ୍ରତି ସୁସ୍ଥିର ହେବ; କାରଣ ମୋʼ ସକାଶୁ ତୁମ୍ଭମାନଙ୍କ ନିକଟରେ ଏହି ମହାତୋଫାନ ଉପସ୍ଥିତ ହୋଇଅଛି ବୋଲି ମୁଁ ଜାଣେ।” 13 ତଥାପି ସେହି ଲୋକମାନେ କୂଳକୁ ଫେରିଯିବା ନିମନ୍ତେ ବଡ଼ ଯତ୍ନରେ ଆହୁଲା ପକାଇଲେ; ମାତ୍ର ସେମାନେ ପାରିଲେ ନାହିଁ; କାରଣ ସମୁଦ୍ର ସେମାନଙ୍କ ପ୍ରତିକୂଳରେ ବେଳକୁ ବେଳ ପ୍ରଚଣ୍ଡତର ହୋଇ ବଢ଼ିଲା। 14 ଏହେତୁରୁ ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ଆମ୍ଭେମାନେ ବିନତି କରୁଅଛୁ, ହେ ସଦାପ୍ରଭୁ, ଆମ୍ଭେମାନେ ବିନତି କରୁଅଛୁ, ଏହି ମନୁଷ୍ୟର ପ୍ରାଣ ସକାଶୁ ଆମ୍ଭେମାନେ ବିନଷ୍ଟ ନ ହେଉ, ପୁଣି ନିରପରାଧର ରକ୍ତପାତ-ଦୋଷ ଆମ୍ଭମାନଙ୍କ ଉପରେ ନ ବର୍ତ୍ତାଅ; କାରଣ ହେ ସଦାପ୍ରଭୁ, ତୁମ୍ଭେ ଆପଣା ଇଚ୍ଛାମତ କାର୍ଯ୍ୟ କରିଅଛ।” 15 ଏଥିରେ ସେମାନେ ଯୂନସଙ୍କୁ ଧରି ସମୁଦ୍ରରେ ପକାଇଦେଲେ; ପୁଣି, ସମୁଦ୍ର ଆପଣା ପ୍ରଚଣ୍ଡତାରୁ ନିବୃତ୍ତ ହେଲା। 16 ଏଥିରେ ସେହି ଲୋକମାନେ ସଦାପ୍ରଭୁଙ୍କୁ ଅତିଶୟ ଭୟ କଲେ ଓ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କଲେ ଓ ନାନା ମାନତ କଲେ।

17 ପୁଣି, ଯେତେବେଳେ ସେମାନେ ଯୂନସଙ୍କୁ ସମୁଦ୍ରରେ ପକାଇଦେଲେ, ତାହାଙ୍କୁ ଗିଳିବା ନିମନ୍ତେ ସଦାପ୍ରଭୁ ଏକ ବୃହତ ମତ୍ସ୍ୟ ନିରୂପଣ କଲେ; ପୁଣି, ଯୂନସ ସେହି ମତ୍ସ୍ୟ ଉଦରରେ ତିନି ଦିନ ଓ ତିନି ରାତ୍ର ରହିଲେ।

ଯୂନସ 2 ->