Link to home pageLanguagesLink to all Bible versions on this site
22
ଇଲୀଫସ୍‍-ଆୟୁବର ଦୁଷ୍ଟତା ଅଧିକ
1 ଏଥିଉତ୍ତାରେ ତୈମନୀୟ ଇଲୀଫସ୍‍ ଉତ୍ତର କରି କହିଲା,
2 “ମନୁଷ୍ୟ କʼଣ ପରମେଶ୍ୱରଙ୍କ ପ୍ରତି ଲାଭଜନକ ହୋଇପାରେ?
ଅବଶ୍ୟ ଜ୍ଞାନୀ ଲୋକ ଆପଣା ପ୍ରତି ଲାଭଜନକ ଅଟେ।
3 ତୁମ୍ଭେ ଯେ ଧାର୍ମିକ ଅଟ, ଏହା କʼଣ ସର୍ବଶକ୍ତିମାନଙ୍କ ସୁଖର କାରଣ?
ଅବା ତୁମ୍ଭେ ଯେ ଆପଣା ଆଚରଣ ସିଦ୍ଧ କରୁଅଛ, ଏହା କʼଣ ତାହାଙ୍କ ପ୍ରତି ଲାଭଜନକ?
4 ତାହାଙ୍କ ପ୍ରତି ତୁମ୍ଭର ଭୟ ସକାଶୁ ସେ କʼଣ ତୁମ୍ଭକୁ ଅନୁଯୋଗ କରନ୍ତି
ଓ ତୁମ୍ଭ ସହିତ ବିଚାରରେ ଉପସ୍ଥିତ ହେଉଅଛନ୍ତି?
5 ତୁମ୍ଭର ଦୁଷ୍ଟତା କʼଣ ବଡ଼ ନୁହେଁ?
ଓ ତୁମ୍ଭ ଅଧର୍ମର କିଛି ସୀମା ନାହିଁ।
6 ଯେଣୁ ତୁମ୍ଭେ ଅକାରଣରେ ଆପଣା ଭାଇଠାରୁ ବନ୍ଧକ ନେଇଅଛ
ଓ ତୁମ୍ଭେ ବସ୍ତ୍ରହୀନମାନଙ୍କଠାରୁ ବସ୍ତ୍ର କାଢ଼ି ନେଇଅଛ।
7 ତୁମ୍ଭେ ପରିଶ୍ରାନ୍ତମାନଙ୍କୁ ପାନ କରିବା ପାଇଁ ଜଳ ଦେଇ ନାହଁ
ଓ ତୁମ୍ଭେ କ୍ଷୁଧିତମାନଙ୍କୁ ଆହାର ଦେଇ ନାହଁ।
8 ମାତ୍ର ବଳବାନ ଲୋକ ପୃଥିବୀ ଅଧିକାର କଲା
ଓ ସମ୍ଭ୍ରାନ୍ତ ଲୋକ ତହିଁରେ ବାସ କଲା।
9 ତୁମ୍ଭେ ବିଧବାମାନଙ୍କୁ ଖାଲି ହାତରେ ବିଦାୟ କରିଅଛ
ଓ ପିତୃହୀନର ବାହୁ ଭଗ୍ନ ହୋଇଅଛି।
10 ଏହେତୁ ତୁମ୍ଭ ଚାରିଆଡ଼େ ଫାନ୍ଦ ଅଛି
ଓ ଆକସ୍ମିକ ଭୟ ତୁମ୍ଭକୁ ବ୍ୟାକୁଳ କରୁଅଛି।
11 ଅବା ଅନ୍ଧକାର, ଯାହା ଲାଗି ତୁମ୍ଭେ ଦେଖି ନ ପାର
ଓ ଜଳରାଶି ତୁମ୍ଭକୁ ଆଚ୍ଛନ୍ନ କରୁଅଛି।
12 ପରମେଶ୍ୱର କʼଣ ଉଚ୍ଚତମ ସ୍ୱର୍ଗରେ ନାହାନ୍ତି?
ଓ ତାରାଗଣର ଉଚ୍ଚତା ଦେଖ, ସେସବୁ କେଡ଼େ ଉଚ୍ଚ!
13 ପୁଣି, ତୁମ୍ଭେ କହୁଅଛ, ‘ପରମେଶ୍ୱର କʼଣ ଜାଣନ୍ତି?
ସେ ନିବିଡ଼ ଅନ୍ଧକାର ଦେଇ କʼଣ ବିଚାର କରିପାରନ୍ତି?
14 ନିବିଡ଼ ମେଘମାଳ ତାହାଙ୍କର ଆବରଣ, ଏଣୁ ସେ ଦେଖନ୍ତି ନାହିଁ
ଓ ସେ ଆକାଶମଣ୍ଡଳରେ ଗମନାଗମନ କରନ୍ତି।’
15 ଯହିଁରେ ଦୁଷ୍ଟ ଲୋକେ ଗମନ କରିଅଛନ୍ତି,
ତୁମ୍ଭେ କʼଣ ସେହି ପୁରାତନ ପଥ ଧରିବ?
16 ସେମାନେ ଅକାଳରେ ଛିଣ୍ଡାଗଲେ,
ସେମାନଙ୍କ ଭିତ୍ତିମୂଳ ସ୍ରୋତ ପରି ଢଳାଗଲା; 17 ସେମାନେ ପରମେଶ୍ୱରଙ୍କୁ କହିଲେ, ‘ଆମ୍ଭମାନଙ୍କ ନିକଟରୁ ଦୂର ହୁଅ’
ଓ ‘ସର୍ବଶକ୍ତିମାନ ପରମେଶ୍ୱର ଆମ୍ଭମାନଙ୍କ ପାଇଁ କʼଣ କରିପାରନ୍ତି?’
18 ତଥାପି ସେ ନାନା ଉତ୍ତମ ଦ୍ରବ୍ୟରେ ସେମାନଙ୍କ ଗୃହ ପରିପୂର୍ଣ୍ଣ କଲେ;
ମାତ୍ର ଦୁଷ୍ଟମାନଙ୍କ ମନ୍ତ୍ରଣା ଆମ୍ଭଠାରୁ ଦୂରରେ ଥାଏ।
19 ଧାର୍ମିକମାନେ ତାହା ଦେଖି ଆନନ୍ଦିତ ହୁଅନ୍ତି
ଓ ନିର୍ଦ୍ଦୋଷ ଲୋକ ସେମାନଙ୍କୁ ପରିହାସ କରି କହନ୍ତି,
20 ‘ଆମ୍ଭମାନଙ୍କ ବିରୁଦ୍ଧରେ ଉଠିବା ଲୋକେ ନିଶ୍ଚୟ ଉଚ୍ଛିନ୍ନ ହୋଇଅଛନ୍ତି
ଓ ଅଗ୍ନି ସେମାନଙ୍କର ଅବଶିଷ୍ଟାଂଶ ଗ୍ରାସ କରିଅଛି।’
21 ଏବେ ତୁମ୍ଭେ ତାହାଙ୍କ ସହିତ ପରିଚିତ ହୁଅ, ତହିଁରେ ଶାନ୍ତି ହେବ;
ତଦ୍ଦ୍ୱାରା ମଙ୍ଗଳ ତୁମ୍ଭ ନିକଟରେ ଉପସ୍ଥିତ ହେବ।
22 ମୁଁ ବିନୟ କରୁଅଛି, ତାହାଙ୍କ ମୁଖନିର୍ଗତ ବ୍ୟବସ୍ଥା ଗ୍ରହଣ କର
ଓ ତାହାଙ୍କ ବାକ୍ୟ ଆପଣା ହୃଦୟରେ ସଞ୍ଚୟ କର।
23 ଯଦି ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ପ୍ରତି ଫେରିବ,
ଯଦି ଆପଣା ତମ୍ବୁରୁ ଅଧର୍ମ ଦୂର କରିବ,
ତେବେ ତୁମ୍ଭେ ଦୃଢ଼ କରାଯିବ।
24 ପୁଣି, ତୁମ୍ଭେ ଧୂଳିରେ ଆପଣା ଧନ
ଓ ନଦୀସ୍ଥିତ ପଥର ମଧ୍ୟରେ ଓଫୀରର ସୁବର୍ଣ୍ଣ ପକାଇଦିଅ;
25 ତହିଁରେ ସର୍ବଶକ୍ତିମାନ ତୁମ୍ଭର ଧନ ସ୍ୱରୂପ
ଓ ତୁମ୍ଭ ପ୍ରତି ବହୁମୂଲ୍ୟ ରୌପ୍ୟ ସ୍ୱରୂପ ହେବେ।
26 କାରଣ ସେତେବେଳେ ତୁମ୍ଭେ ସର୍ବଶକ୍ତିମାନଙ୍କଠାରେ ଆନନ୍ଦ କରିବ
ଓ ପରମେଶ୍ୱରଙ୍କ ଆଡ଼େ ଆପଣା ମୁଖ ଟେକିବ।
27 ତୁମ୍ଭେ ତାହାଙ୍କ ନିକଟରେ ପ୍ରାର୍ଥନା କରିବ ଓ ସେ ତୁମ୍ଭ କଥା ଶୁଣିବେ
ଓ ତୁମ୍ଭେ ଆପଣା ମାନତ ପରିଶୋଧ କରିବ।
28 ମଧ୍ୟ ତୁମ୍ଭେ କୌଣସି ବିଷୟ ମନସ୍ଥ କଲେ, ତାହା ତୁମ୍ଭ ପକ୍ଷରେ ସଫଳ କରାଯିବ;
ତୁମ୍ଭର ସକଳ ପଥରେ ଦୀପ୍ତି ପ୍ରକାଶିତ ହେବ।
29 ସେମାନେ ତୁମ୍ଭକୁ ଅବନତ କଲେ ତୁମ୍ଭେ କହିବ, ଉନ୍ନତି ହେବ*ସେମାନେ ତୁମ୍ଭକୁ ଅବନତ କଲେ ତୁମ୍ଭେ କହିବ, ଉନ୍ନତି ହେବ ଏବ୍ରୀ ଭାଷାରେ ଏହା ସ୍ପଷ୍ଟ ନୁହେଁ।
କାରଣ ପରମେଶ୍ୱର ନମ୍ର ଲୋକକୁ ରକ୍ଷା କରିବେ।
30 ଯେଉଁ ଲୋକ ନିର୍ଦ୍ଦୋଷ ନୁହେଁ, ତାହାକୁ ହିଁ ସେ ଉଦ୍ଧାର କରିବେ;
ହଁ, ତୁମ୍ଭ ହସ୍ତର ଶୁଚିତା ଦ୍ୱାରା ସେ ଉଦ୍ଧାର ପାଇବ।”

<- ଆୟୁବ 21ଆୟୁବ 23 ->