1 ସପ୍ତାହର ପ୍ରଥମ ଦିନ[a] ପ୍ରତ୍ୟୁଷରେ ଅନ୍ଧକାର ଥାଉ ଥାଉ ମଗ୍ଦଲୀନୀ ମରୀୟମ ସମାଧି ନିକଟକୁ ଆସି ସେଥିରୁ ପଥର ଘୁଞ୍ଚାଯାଇଥିବା ଦେଖିଲେ। 2 ତେଣୁ ସେ ଦୌଡ଼ିଯାଇ ଶିମୋନ ପିତର ଓ ଯୀଶୁ ଯାହାଙ୍କୁ ସ୍ନେହ କରୁଥିଲେ, ସେହି ଅନ୍ୟ ଶିଷ୍ୟଙ୍କ ନିକଟକୁ ଆସିଲେ, ଆଉ ସେମାନଙ୍କୁ କହିଲେ, ସେମାନେ ସମାଧିରୁ ପ୍ରଭୁଙ୍କୁ ଘେନିଯାଇଅଛନ୍ତି, ପୁଣି, ତାହାଙ୍କୁ କେଉଁଠାରେ ରଖିଅଛନ୍ତି, ତାହା ଆମ୍ଭେମାନେ ଜାଣୁ ନାହୁଁ। 3 ସେଥିରେ ପିତର ଓ ସେହି ଅନ୍ୟ ଶିଷ୍ୟ ସମାଧି ନିକଟକୁ ଯିବା ପାଇଁ ବାହାରିଲେ। 4 ସେମାନେ ଦୁହେଁ ଏକସାଙ୍ଗରେ ଦୌଡ଼ିବାକୁ ଲାଗିଲେ, ଆଉ ସେହି ଅନ୍ୟ ଶିଷ୍ୟ ପିତରଙ୍କୁ ପଛରେ ପକାଇ ଆଗେ ସମାଧି ନିକଟରେ ପହଞ୍ଚିଲେ, 5 ପୁଣି, ନଇଁପଡ଼ି ଭିତରକୁ ଚାହିଁ ସରୁ ସୂକ୍ଷ୍ମ ବସ୍ତ୍ର ପଡ଼ିଥିବା ଦେଖିଲେ, ତଥାପି ସେ ଭିତରେ ପଶିଲେ ନାହିଁ। 6 ପରେ ଶିମୋନ ପିତର ମଧ୍ୟ ତାହାଙ୍କ ପଛେ ପଛେ ଆସି ପହଞ୍ଚିଲେ ଓ ସମାଧି ଭିତରେ ପ୍ରବେଶ କରି ଦେଖିଲେ ଯେ, ସରୁ ସୂକ୍ଷ୍ମ ବସ୍ତ୍ରଗୁଡ଼ିକ ପଡ଼ିଅଛି, 7 ପୁଣି, ତାହାଙ୍କ ମୁଣ୍ଡରେ ଯେଉଁ ଗାମୁଛା ବନ୍ଧା ହୋଇଥିଲା, ତାହା ସରୁ ଲୁଗା ସହିତ ନ ଥାଇ ଅଲଗା ଗୋଟିଏ ସ୍ଥାନରେ ଗୁଡ଼ା ହୋଇ ରହିଅଛି। 8 ସେତେବେଳେ ଯେଉଁ ଅନ୍ୟ ଶିଷ୍ୟ ଆଗେ ସମାଧି ନିକଟକୁ ଆସିଥିଲେ, ସେ ମଧ୍ୟ ଭିତରେ ପ୍ରବେଶ କରି ଦେଖିଲେ ଓ ବିଶ୍ୱାସ କଲେ; 9 କାରଣ ମୃତମାନଙ୍କ ମଧ୍ୟରୁ ତାହାଙ୍କୁ ଯେ ପୁନରୁତ୍ଥାନ ହେବାକୁ ହେବ, ଧର୍ମଶାସ୍ତ୍ରର ଏହି ବାକ୍ୟ ସେମାନେ ସେପର୍ଯ୍ୟନ୍ତ ବୁଝି ନ ଥିଲେ। 10 ପରେ ଶିଷ୍ୟମାନେ ପୁନର୍ବାର ସେମାନଙ୍କ ଗୃହକୁ ଚାଲିଗଲେ।
11 କିନ୍ତୁ ମରୀୟମ ରୋଦନ କରୁ କରୁ ବାହାରେ ସମାଧି ନିକଟରେ ଠିଆ ହୋଇ ରହିଲେ; ପୁଣି, ରୋଦନ କରୁ କରୁ ସେ ନଇଁପଡ଼ି ସମାଧି ଭିତରକୁ ଚାହିଁ, 12 ଯୀଶୁଙ୍କ ଶରୀର ଯେଉଁ ସ୍ଥାନରେ ରଖାଯାଇଥିଲା, ସେଥିର ମୁଣ୍ଡ ପାଖରେ ଜଣେ ଓ ପାଦ ପାଖରେ ଆଉ ଜଣେ, ଏହିପରି ଦୁଇ ଜଣ ଶୁକ୍ଳ ବସ୍ତ୍ର ପରିହିତ ଦୂତଙ୍କୁ ବସିଥିବା ଦେଖିଲେ। 13 ସେମାନେ ତାହାଙ୍କୁ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଅଛ? ସେ ସେମାନଙ୍କୁ କହିଲେ, କେଉଁମାନେ ମୋହର ପ୍ରଭୁଙ୍କୁ ଘେନିଯାଇଅଛନ୍ତି, ଆଉ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି, ତାହା ମୁଁ ଜାଣେ ନାହିଁ। 14 ସେ ଏହା କହି ପଛକୁ ବୁଲିପଡ଼ି ଯୀଶୁଙ୍କୁ ଠିଆ ହୋଇଥିବା ଦେଖିଲେ, କିନ୍ତୁ ସେ ଯେ ଯୀଶୁ, ତାହା ଜାଣିଲେ ନାହିଁ। 15 ଯୀଶୁ ତାହାଙ୍କୁ କହିଲେ, “ଗୋ ନାରୀ, କାହିଁକି ରୋଦନ କରୁଅଛ? କାହାର ଅନ୍ୱେଷଣ କରୁଅଛ?” ସେ ତାହାଙ୍କୁ ଉଦ୍ୟାନର ମାଳୀ ବୋଲି ମନେ କରି କହିଲେ, ମହାଶୟ, ଆପଣ ଯଦି ତାହାଙ୍କୁ ଘେନିଯାଇଅଛନ୍ତି, ତାହାହେଲେ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି, ମୋତେ କୁହନ୍ତୁ, ଆଉ ମୁଁ ତାହାଙ୍କୁ ଘେନିଯିବି। 16 ଯୀଶୁ ତାହାଙ୍କୁ କହିଲେ, “ମରୀୟମ।” ସେ ବୁଲିପଡ଼ି ଏବ୍ରୀ ଭାଷାରେ ତାହାଙ୍କୁ କହିଲେ, ରାବ୍ବୂନୀ, ଅର୍ଥାତ୍, ହେ ଗୁରୁ। 17 ଯୀଶୁ ତାହାଙ୍କୁ କହିଲେ, “ମୋତେ ଧରି ରଖ ନାହିଁ, କାରଣ ମୁଁ ଏପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଆରୋହଣ କରି ନାହିଁ; କିନ୍ତୁ ମୋହର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ, ‘ମୁଁ ମୋହର ପିତା ଓ ତୁମ୍ଭମାନଙ୍କର ପିତା, ମୋହର ଈଶ୍ବର ଓ ତୁମ୍ଭମାନଙ୍କର ଈଶ୍ବରଙ୍କ ନିକଟକୁ ଆରୋହଣ କରୁଅଛି।’ ” 18 ମଗ୍ଦଲୀନୀ ମରୀୟମ ଯାଇ, ମୁଁ ପ୍ରଭୁଙ୍କୁ ଦେଖିଅଛି, ଆଉ ସେ ମୋତେ ଏହିସବୁ କହିଅଛନ୍ତି ବୋଲି ଶିଷ୍ୟମାନଙ୍କୁ ସମ୍ବାଦ ଦେଲେ।
19 ସେହି ଦିନ, ଅର୍ଥାତ୍, ସପ୍ତାହର ପ୍ରଥମ ଦିନ[b] ସନ୍ଧ୍ୟା ସମୟରେ ଯେତେବେଳେ ଶିଷ୍ୟମାନେ ଯେଉଁ ଗୃହରେ ଥିଲେ, ସେଥିର ଦ୍ୱାରଗୁଡ଼ିକ ଯିହୁଦୀମାନଙ୍କ ଭୟରେ ରୁଦ୍ଧ ଥିଲା, ସେତେବେଳେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 20 ପୁଣି, ଏହା କହି ସେ ସେମାନଙ୍କୁ ଆପଣା ହସ୍ତ ଓ କକ୍ଷଦେଶ ଦେଖାଇଲେ। ସେଥିରେ ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଆନନ୍ଦିତ ହେଲେ। 21 ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ; ପିତା ଯେପ୍ରକାରେ ମୋତେ ପ୍ରେରଣ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାରେ ତୁମ୍ଭମାନଙ୍କୁ ପ୍ରେରଣ କରୁଅଛି।” 22 ସେ ଏହା କହି ସେମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେମାନଙ୍କୁ କହିଲେ, “ପବିତ୍ର ଆତ୍ମାଙ୍କୁ ଗ୍ରହଣ କର। 23 ତୁମ୍ଭେମାନେ ଯଦି କାହାରି ପାପ କ୍ଷମା କରିବ, ତାହାର ପାପ କ୍ଷମା ହେବ; ପୁଣି, ଯଦି କାହାରି ପାପ କ୍ଷମା ନ କରିବ, ତାହାର ପାପ କ୍ଷମା ହେବ ନାହିଁ।”