7 ଏଥିଉତ୍ତାରେ ଦଶ ଦିନ ଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା।
8 ତହିଁରେ ସେ କାରେହର ପୁତ୍ର ଯୋହାନନ୍କୁ ଓ ତାହାର ସଙ୍ଗୀ ସେନାପତି ସମସ୍ତଙ୍କୁ ଓ କ୍ଷୁଦ୍ରଠାରୁ ମହାନ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କୁ ଡାକି ସେମାନଙ୍କୁ କହିଲେ,
9 “ତୁମ୍ଭେମାନେ ଯାହାଙ୍କ ନିକଟରେ ଆପଣାମାନଙ୍କର ନିବେଦନ ଜଣାଇବାକୁ ମୋତେ ପଠାଇଥିଲ, ସେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି;
10 ଯଦି ତୁମ୍ଭେମାନେ ଏହି ଦେଶରେ ଆହୁରି ବାସ କରିବ, ତେବେ ଆମ୍ଭେ ତୁମ୍ଭମାନଙ୍କୁ ନିର୍ମାଣ କରିବା, ଆଉ ଭାଙ୍ଗିବା ନାହିଁ ଓ ଆମ୍ଭେ ତୁମ୍ଭମାନଙ୍କୁ ରୋପଣ କରିବା, ଉତ୍ପାଟନ କରିବା ନାହିଁ; କାରଣ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଯେ ଅମଙ୍ଗଳ କରିଅଛୁ, ତହିଁରୁ କ୍ଷାନ୍ତ ହେଲୁ।
11 ତୁମ୍ଭେମାନେ ଯେଉଁ ବାବିଲ ରାଜା ବିଷୟରେ ଭୀତ ଅଛ, ତାହାକୁ ଭୟ କର ନାହିଁ, ସଦାପ୍ରଭୁ କହନ୍ତି, ତାହାକୁ ଭୟ କର ନାହିଁ; କାରଣ ତୁମ୍ଭମାନଙ୍କୁ ରକ୍ଷା କରିବାକୁ ଓ ତାହା ହସ୍ତରୁ ଉଦ୍ଧାର କରିବାକୁ ଆମ୍ଭେ ତୁମ୍ଭମାନଙ୍କର ସହବର୍ତ୍ତୀ ଅଛୁ।
12 ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଦୟା ପ୍ରଦାନ କରିବା, ତହିଁରେ ସେ ତୁମ୍ଭମାନଙ୍କ ପ୍ରତି ଦୟା ବହି ତୁମ୍ଭମାନଙ୍କ ଦେଶକୁ ତୁମ୍ଭମାନଙ୍କୁ ପ୍ରତ୍ୟାଗମନ କରାଇବ।
13 ମାତ୍ର ଯଦି ତୁମ୍ଭେମାନେ କୁହ, ଆମ୍ଭେମାନେ ଏ ଦେଶରେ ବାସ କରିବା ନାହିଁ ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ନ ମାନି ଯଦି କୁହ,
14 ନା; ମାତ୍ର ଆମ୍ଭେମାନେ ମିସର ଦେଶକୁ ଯିବା, ସେଠାରେ ଆମ୍ଭେମାନେ ଯୁଦ୍ଧ ଦେଖିବା ନାହିଁ, କି ତୂରୀ ଶବ୍ଦ ଶୁଣିବା ନାହିଁ, କିଅବା ଖାଦ୍ୟର ଅଭାବ ଭୋଗିବା ନାହିଁ; ଆଉ, ସେଠାରେ ଆମ୍ଭେମାନେ ବାସ କରିବା।
15 ଏହେତୁ ହେ ଯିହୁଦାର ଅବଶିଷ୍ଟ ଲୋକେ, ତୁମ୍ଭେମାନେ ଏବେ ସଦାପ୍ରଭୁଙ୍କର ବାକ୍ୟ ଶୁଣ: ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେମାନେ ଯଦି ମିସରରେ ପ୍ରବେଶ କରିବା ପାଇଁ ନିତାନ୍ତ ଉତ୍ସୁକ ହୁଅ ଓ ସେଠାରେ ପ୍ରବାସ କରିବା ପାଇଁ ଯାଅ;
16 ତେବେ ଏହା ଘଟିବ ଯେ, ଯେଉଁ ଖଡ୍ଗକୁ ତୁମ୍ଭେମାନେ ଭୟ କରୁଅଛ, ତାହା ତୁମ୍ଭମାନଙ୍କର ପଛେ ଗୋଡ଼ାଇ ମିସରରେ ତୁମ୍ଭମାନଙ୍କୁ ଧରିବ ଓ ଯେଉଁ ଦୁର୍ଭିକ୍ଷ ବିଷୟରେ ତୁମ୍ଭେମାନେ ଭୀତ ହେଉଅଛ, ତାହା ମିସର ଦେଶରେ ତୁମ୍ଭମାନଙ୍କର ପଛେ ପଛେ ଲାଗି ରହିବ ଓ ସେଠାରେ ତୁମ୍ଭେମାନେ ମରିବ।
17 ଯେଉଁମାନେ ମିସରକୁ ଯାଇ ସେଠାରେ ପ୍ରବାସ କରିବା ପାଇଁ ଉତ୍ସୁକ ହୁଅନ୍ତି, ସେସମସ୍ତ ଲୋକଙ୍କ ପ୍ରତି ଏହି ପ୍ରକାର ଘଟିବ; ସେମାନେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବେ; ପୁଣି, ଆମ୍ଭେ ସେମାନଙ୍କ ଉପରେ ଯେଉଁ ଅମଙ୍ଗଳ ଘଟାଇବା, ତହିଁରୁ ସେମାନଙ୍କ ମଧ୍ୟରେ କେହି ଉତ୍ତୀର୍ଣ୍ଣ ଅବା ରକ୍ଷାପ୍ରାପ୍ତ ହେବେ ନାହିଁ।
18 କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯିରୂଶାଲମ ନିବାସୀମାନଙ୍କ ଉପରେ ଯେପରି ଆମ୍ଭର କ୍ରୋଧ ଓ ପ୍ରଚଣ୍ଡ କୋପ ଢଳା ଯାଇଅଛି, ସେପରି ତୁମ୍ଭେମାନେ ଯେତେବେଳେ ମିସରରେ ପ୍ରବେଶ କରିବ, ସେତେବେଳେ ତୁମ୍ଭମାନଙ୍କ ଉପରେ ଆମ୍ଭର ପ୍ରଚଣ୍ଡ କୋପ ଢଳାଯିବ; ପୁଣି, ତୁମ୍ଭେମାନେ ଅଭିଶାପ, ବିସ୍ମୟ, ଶ୍ରାପ ଓ ନିନ୍ଦାର ପାତ୍ର ହେବ ଓ ତୁମ୍ଭେମାନେ ଏହି ସ୍ଥାନ ଆଉ ଦେଖିବ ନାହିଁ। 19 ହେ ଯିହୁଦାର ଅବଶିଷ୍ଟ ଲୋକେ, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ କହିଅଛନ୍ତି, ‘ତୁମ୍ଭେମାନେ ମିସରକୁ ଯାଅ ନାହିଁ,’ ମୁଁ ଆଜି ତୁମ୍ଭମାନଙ୍କୁ ଏହି ସାକ୍ଷ୍ୟ ଦେଲି, ଏହା ନିଶ୍ଚୟ ଜାଣ। 20 ତୁମ୍ଭେମାନେ ଆପଣା ଆପଣା ପ୍ରାଣ ବିରୁଦ୍ଧରେ ପ୍ରବଞ୍ଚନା କରିଅଛ; କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟକୁ ମୋତେ ପଠାଇ କହିଲ, ‘ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା ଯାହା କହିବେ, ତଦନୁସାରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭେମାନେ ତାହା କରିବୁ।’ 21 ପୁଣି, ଆଜି ମୁଁ ତୁମ୍ଭମାନଙ୍କୁ ତାହା ଜଣାଇଲି; ମାତ୍ର ଯେଉଁ ବିଷୟରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଲେ, ତହିଁର କୌଣସି ବିଷୟରେ ତୁମ୍ଭେମାନେ ତାହାଙ୍କ ରବରେ ମନୋଯୋଗ କଲ ନାହିଁ। 22 ଏହେତୁ ଏବେ ନିଶ୍ଚୟ ଜାଣ ଯେ, ଯେଉଁ ସ୍ଥାନରେ ପ୍ରବାସ କରିବା ନିମନ୍ତେ ତୁମ୍ଭେମାନେ ଯିବା ପାଇଁ ବାଞ୍ଛା କରୁଅଛ, ସେ ସ୍ଥାନରେ ତୁମ୍ଭେମାନେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ।”
<- ଯିରିମୀୟ 41ଯିରିମୀୟ 43 ->