10 ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଏହି ଯେଉଁ ସ୍ଥାନକୁ ‘ଧ୍ୱଂସିତ, ନରଶୂନ୍ୟ ଓ ପଶୁଶୂନ୍ୟ,’ ବୋଲି କହୁଅଛ, ସେଠାରେ, ଅର୍ଥାତ୍, ଧ୍ୱଂସିତ, ନରଶୂନ୍ୟ, ନିବାସୀବିହୀନ ଓ ପଶୁଶୂନ୍ୟ ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ସଡ଼କରେ 11 ଆନନ୍ଦଧ୍ୱନି, ହର୍ଷନାଦ, ବରର ରବ ଓ କନ୍ୟାର ରବ, ପୁଣି ‘ସୈନ୍ୟାଧିପତି ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସଦାପ୍ରଭୁ ମଙ୍ଗଳମୟ ଓ ତାହାଙ୍କର କରୁଣା ସଦାକାଳସ୍ଥାୟୀ’ ବୋଲି ଯେଉଁମାନେ କହନ୍ତି, ସେମାନଙ୍କର ରବ ଓ ସଦାପ୍ରଭୁଙ୍କ ଗୃହକୁ ଧନ୍ୟବାଦରୂପ ବଳି ଆଣିବା ଲୋକମାନଙ୍କର ରବ ପୁନର୍ବାର ଶୁଣାଯିବ। କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପୂର୍ବକାଳର ନ୍ୟାୟ ଦେଶର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା।
12 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ଏହି ନରଶୂନ୍ୟ ଓ ପଶୁଶୂନ୍ୟ ଧ୍ୱଂସସ୍ଥାନରେ ଓ ତହିଁର ସକଳ ନଗରରେ, ପୁନର୍ବାର ପଶୁପାଳକମାନଙ୍କର ବସତି ସ୍ଥାନ ହେବ, ସେମାନେ ସେସ୍ଥାନରେ ଆପଣା ଆପଣା ପଲମାନଙ୍କୁ ବିଶ୍ରାମ କରାଇବେ। 13 ସଦାପ୍ରଭୁ କହନ୍ତି, ପାର୍ବତୀୟ ଦେଶର ନଗରସମୂହରେ, ନିମ୍ନ ଭୂମିର ନଗରମାନରେ ଓ ଦକ୍ଷିଣ ଦିଗସ୍ଥ ସକଳ ନଗରରେ ଓ ବିନ୍ୟାମୀନ୍ ଦେଶରେ ଓ ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ଅଞ୍ଚଳରେ ଓ ଯିହୁଦାର ନଗରମାନରେ, ମେଷଗଣନାକାରୀ ଲୋକର ହସ୍ତାଧୀନରେ ମେଷପଲ ପୁନର୍ବାର ଗତାୟାତ କରିବେ।
17 କାରଣ ସଦାପ୍ରଭୁ ଏହି କଥା କହନ୍ତି: ଇସ୍ରାଏଲ ବଂଶୀୟ ସିଂହାସନରେ ଉପବିଷ୍ଟ ହେବା ପାଇଁ ଦାଉଦ ସମ୍ପର୍କୀୟ ପୁରୁଷର ଅଭାବ କଦାପି ହେବ ନାହିଁ, 18 କିଅବା ଆମ୍ଭ ସମ୍ମୁଖରେ ହୋମ ଉତ୍ସର୍ଗ, ଭକ୍ଷ୍ୟ ନୈବେଦ୍ୟ ଦାହ ଓ ନିତ୍ୟ ବଳିଦାନ କରିବା ପାଇଁ ଲେବୀୟ ଯାଜକମାନଙ୍କ ସମ୍ପର୍କୀୟ ଲୋକର ଅଭାବ ହେବ ନାହିଁ।”
19 ଏଥିଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, 20 “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯଦି ଦିବସ ସମ୍ବନ୍ଧୀୟ ଆମ୍ଭର ନିୟମ ଓ ରାତ୍ରି ସମ୍ବନ୍ଧୀୟ ଆମ୍ଭର ନିୟମ ଏରୂପ ଭଗ୍ନ କରିପାର ଯେ, ଯଥା ସମୟରେ ଦିବସ କି ରାତ୍ରି ନ ହୁଏ; 21 ତେବେ ଆମ୍ଭ ଦାସ ଦାଉଦର ସିଂହାସନରେ ବସି ରାଜ୍ୟ କରିବା ପାଇଁ ତାହାର ସନ୍ତାନର ଅଭାବ ହେବ ନାହିଁ ବୋଲି ତାହା ସଙ୍ଗେ ଆମ୍ଭର ଯେଉଁ ନିୟମ ଅଛି, ତାହା ମଧ୍ୟ ଭଗ୍ନ କରାଯାଇ ପାରିବ; ଆଉ, ଆମ୍ଭର ପରିଚାରକ ଲେବୀୟ ଯାଜକମାନଙ୍କ ସହିତ ଆମ୍ଭର ନିୟମ ମଧ୍ୟ ଭଗ୍ନ କରାଯାଇ ପାରିବ। 22 ଆକାଶମଣ୍ଡଳସ୍ଥ ସୈନ୍ୟଗଣର ସଂଖ୍ୟା ଯେପରି ଗଣାଯାଇ ନ ପାରେ, କିଅବା ସମୁଦ୍ରର ବାଲି ଯେପରି ମପାଯାଇ ନ ପାରେ, ସେପରି ଆମ୍ଭେ ଆପଣାର ଦାସ ଦାଉଦର ବଂଶକୁ ଓ ଆମ୍ଭର ପରିଚର୍ଯ୍ୟାକାରୀ ଲେବୀୟମାନଙ୍କୁ ବୃଦ୍ଧି କରିବା।”
23 ଆଉ, ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, 24 “ଏହି ଲୋକମାନେ ଯାହା କହିଅଛନ୍ତି, ତାହା କି ତୁମ୍ଭେ ବିବେଚନା କରୁ ନାହଁ? ସେମାନେ କହିଅଛନ୍ତି, ‘ସଦାପ୍ରଭୁ ଆପଣାର ମନୋନୀତ ଦୁଇ ଗୋଷ୍ଠୀଙ୍କୁ ଅଗ୍ରାହ୍ୟ କରିଅଛନ୍ତି।’ ଏହିରୂପେ ସେମାନେ ଆମ୍ଭ ଲୋକମାନଙ୍କୁ ତୁଚ୍ଛଜ୍ଞାନ କରନ୍ତି, ସେମାନଙ୍କ ସାକ୍ଷାତରେ ସେମାନେ ଏକ ଗୋଷ୍ଠୀ ହୋଇ ଯେପରି ଆଉ ରହିବେ ନାହିଁ। 25 ସଦାପ୍ରଭୁ ଏହି କଥା କହନ୍ତି, ଯେବେ ଦିବସ ଓ ରାତ୍ରି ସମ୍ବନ୍ଧୀୟ ଆମ୍ଭର ନିୟମ ସ୍ଥିର ନ ରହେ, ଆମ୍ଭେ ଯଦି ଆକାଶର ଓ ପୃଥିବୀର ବିଧିସକଳ ନିରୂପଣ କରି ନ ଥାଉ, 26 ତାହାହେଲେ ଆମ୍ଭେ ଯାକୁବର ଓ ଆମ୍ଭ ଦାସ ଦାଉଦର ବଂଶକୁ ଅଗ୍ରାହ୍ୟ କରି ଅବ୍ରହାମର, ଇସ୍ହାକର ଓ ଯାକୁବର ବଂଶ ଉପରେ ଶାସନକର୍ତ୍ତା କରିବା ପାଇଁ ତାହାର ବଂଶରୁ ଲୋକ ଗ୍ରହଣ କରିବା ନାହିଁ। ଆମ୍ଭେ ସେମାନଙ୍କୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା ଓ ସେମାନଙ୍କ ପ୍ରତି ଦୟା କରିବା।”
<- ଯିରିମୀୟ 32ଯିରିମୀୟ 34 ->