6 ଏଥିଉତ୍ତାରେ ଯିରିମୀୟ କହିଲେ, “ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା; 7 ଦେଖ, ତୁମ୍ଭ ପିତୃବ୍ୟ ଶଲ୍ଲୁମ୍ର ପୁତ୍ର ହନନେଲ ତୁମ୍ଭ ନିକଟକୁ ଆସି ଏହି କଥା କହିବ, ‘ଅନାଥୋତ୍ରେ ମୋର ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ ଆପଣା ପାଇଁ କ୍ରୟ କର; କାରଣ କ୍ରୟ ଦ୍ୱାରା ମୁକ୍ତ କରିବାର ଅଧିକାର ତୁମ୍ଭର ଅଛି।’ 8 ତହିଁରେ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ମୋʼ ପିତୃବ୍ୟର ପୁତ୍ର ହନନେଲ ପ୍ରହରୀ ପ୍ରାଙ୍ଗଣରେ ମୋʼ ନିକଟକୁ ଆସି କହିଲା, ‘ବିନୟ କରୁଅଛି, ବିନ୍ୟାମୀନ୍ ପ୍ରଦେଶସ୍ଥ ଅନାଥୋତ୍ରେ ମୋହର ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ କ୍ରୟ କର; କାରଣ ତହିଁର ଉତ୍ତରାଧିକାରୀ ହେବାର ଓ ତାହା ମୁକ୍ତ କରିବାର ଅଧିକାର ତୁମ୍ଭର ଅଛି; ତୁମ୍ଭେ ଆପଣା ପାଇଁ ତାହା କ୍ରୟ କର।’ ତେବେ ଏହା ସଦାପ୍ରଭୁଙ୍କର ବାକ୍ୟ ବୋଲି ମୁଁ ବୁଝିଲି।
9 ପୁଣି, ମୋʼ ପିତୃବ୍ୟର ପୁତ୍ର ହନନେଲଠାରୁ ଅନାଥୋତ୍ସ୍ଥିତ ସେହି କ୍ଷେତ୍ର କ୍ରୟ କରି ତହିଁର ମୂଲ୍ୟ ସତର ଶେକଲ[a] ରୂପା ତୌଲି ତାହାକୁ ଦେଲି। 10 ଆଉ, ମୁଁ କ୍ରୟପତ୍ରରେ ସ୍ୱାକ୍ଷର କରି ମୁଦ୍ରାଙ୍କ କଲି ଓ ସାକ୍ଷୀ ରଖି ନିକ୍ତିରେ ରୂପା ତୌଲି ତାହାକୁ ଦେଲି। 11 ତହୁଁ ମୁଁ କ୍ରୟପତ୍ରର ଦୁଇ କିତା, ଅର୍ଥାତ୍, ବ୍ୟବସ୍ଥା ଓ ଧାରାନୁସାରେ ମୁଦ୍ରାଙ୍କିତ ଏକ କିତା ଓ ଖୋଲା ଏକ କିତା ନେଲି; 12 ପୁଣି, ମୋʼ ପିତୃବ୍ୟର ପୁତ୍ର ହନନେଲର ସାକ୍ଷାତରେ ଓ କ୍ରୟପତ୍ରରେ ସ୍ୱାକ୍ଷରକାରୀ ସାକ୍ଷୀମାନଙ୍କ ସାକ୍ଷାତରେ ଓ ପ୍ରହରୀ ପ୍ରାଙ୍ଗଣରେ ଉପବିଷ୍ଟ ସମସ୍ତ ଯିହୁଦୀମାନଙ୍କ ସାକ୍ଷାତରେ ମୁଁ ସେହି କ୍ରୟପତ୍ର ମହସେୟର ପୌତ୍ର ନେରୀୟର ପୁତ୍ର ବାରୂକର ହସ୍ତରେ ସମର୍ପଣ କଲି। 13 ଆଉ, ସେମାନଙ୍କ ସାକ୍ଷାତରେ ମୁଁ ବାରୂକକୁ ଏହି ଆଜ୍ଞା କଲି, 14 ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଏହି ମୁଦ୍ରାଙ୍କିତ ଓ ଖୋଲା ଦୁଇ ଖଣ୍ଡ କ୍ରୟପତ୍ର ନେଇ ତାହା ଯେପରି ଅନେକ ଦିନ ରହିବ, ଏଥିପାଇଁ ଏକ ମୃତ୍ତିକା ପାତ୍ରରେ ରଖ। 15 କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଏହି ଦେଶରେ ଆହୁରି ଗୃହ, କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର କ୍ରୟ କରାଯିବ।’
26 ତାହା ପରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। 27 “ଦେଖ, ଆମ୍ଭେ ସଦାପ୍ରଭୁ, ସମଗ୍ର ମର୍ତ୍ତ୍ୟର ପରମେଶ୍ୱର; ଆମ୍ଭର ଅସାଧ୍ୟ କି କିଛି ଅଛି? 28 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ କଲ୍ଦୀୟମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ଏହି ନଗର ସମର୍ପଣ କରିବା, ପୁଣି ସେ ତାହା ହସ୍ତଗତ କରିବ। 29 ଆଉ, ଯେଉଁ କଲ୍ଦୀୟମାନେ ଏହି ନଗର ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି, ସେମାନେ ପ୍ରବେଶ କରି ଏହି ନଗରରେ ଅଗ୍ନି ଲଗାଇବେ, ପୁଣି ଆମ୍ଭକୁ ବିରକ୍ତ କରିବା ପାଇଁ ଯେଉଁ ସକଳ ଗୃହର ଛାତ ଉପରେ ଲୋକମାନେ ବାଲ୍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ଢାଳିଲେ, ସେହି ସବୁ ଗୃହ ସହିତ ଏହି ନଗର ଅଗ୍ନିରେ ଦଗ୍ଧ କରିବେ। 30 କାରଣ ଆମ୍ଭ ସାକ୍ଷାତରେ ଯାହା ମନ୍ଦ, କେବଳ ତାହା ହିଁ ଇସ୍ରାଏଲ-ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଆପଣା ଆପଣାର ବାଲ୍ୟକାଳରୁ କରି ଆସୁଅଛନ୍ତି; ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କର ହସ୍ତକୃତ କର୍ମ ଦ୍ୱାରା ଆମ୍ଭକୁ କେବଳ ବିରକ୍ତ କରିଅଛନ୍ତି, ଏହା ସଦାପ୍ରଭୁ କହନ୍ତି। 31 କାରଣ ସେମାନେ ଏହି ନଗର ନିର୍ମାଣ କରିବା ଦିନଠାରୁ ଆଜି ପର୍ଯ୍ୟନ୍ତ ହିଁ ତାହା ଆମ୍ଭ କ୍ରୋଧ ଓ କୋପର କାରଣ ହୋଇ ଆସୁଅଛି; ତହିଁ ସକାଶୁ ତାହା ଆମ୍ଭ ସମ୍ମୁଖରୁ ଦୂରୀକୃତ ହେବାର ଯୋଗ୍ୟ ହୋଇଅଛି। 32 କାରଣ ଇସ୍ରାଏଲ-ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ, ଅର୍ଥାତ୍, ସେମାନେ, ସେମାନଙ୍କର ରାଜାଗଣ, ଅଧିପତିଗଣ, ଯାଜକଗଣ ଓ ଭବିଷ୍ୟଦ୍ବକ୍ତାଗଣ, ଆଉ ଯିହୁଦାର ଲୋକମାନେ ଓ ଯିରୂଶାଲମ ନିବାସୀମାନେ ଆମ୍ଭକୁ ବିରକ୍ତ କରିବା ପାଇଁ ନାନା ପ୍ରକାର ଦୁଷ୍କ୍ରିୟା କରିଅଛନ୍ତି। 33 ସେମାନେ ଆମ୍ଭ ପ୍ରତି ମୁଖ ନ ଫେରାଇ ପିଠି ଫେରାଇ ଅଛନ୍ତି; ଆଉ, ଆମ୍ଭେ ସେମାନଙ୍କୁ ଶିକ୍ଷା ଦେଲେ ହେଁ, ପ୍ରଭାତରେ ଉଠି ଶିକ୍ଷା ଦେଲେ ହେଁ ସେମାନେ ଶିକ୍ଷା ଗ୍ରହଣ କରିବା ପାଇଁ ମନୋଯୋଗ କରି ନାହାନ୍ତି। 34 ମାତ୍ର ଆମ୍ଭ ନାମରେ ଖ୍ୟାତ ଗୃହକୁ ଅଶୁଚି କରିବା ପାଇଁ ସେମାନେ ତହିଁ ମଧ୍ୟରେ ଆପଣାମାନଙ୍କ ଘୃଣାଯୋଗ୍ୟ ବସ୍ତୁ ସ୍ଥାପନ କରନ୍ତି। 35 ପୁଣି, ଏହି ଯେଉଁ ଘୃଣାଯୋଗ୍ୟ କାର୍ଯ୍ୟ କରିବା ପାଇଁ ଆମ୍ଭେ ଆଜ୍ଞା କରି ନାହୁଁ, କିଅବା ଯାହା ଆମ୍ଭ ମନରେ ଉଦୟ ହୋଇ ନାହିଁ, ତାହା କରିବା ପାଇଁ, ଅର୍ଥାତ୍, ଯିହୁଦାକୁ ପାପ କରାଇବା ପାଇଁ ମୋଲକ୍ର ଉଦ୍ଦେଶ୍ୟରେ ଆପଣା ଆପଣା ପୁତ୍ର କନ୍ୟାଗଣଙ୍କୁ ଅଗ୍ନି ମଧ୍ୟଦେଇ ଗମନ କରାଇବା ପାଇଁ ସେମାନେ ହିନ୍ନୋମ ପୁତ୍ରର ଉପତ୍ୟକାରେ ବାଲ୍ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି।
42 କାରଣ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଏହି ଲୋକମାନଙ୍କ ଉପରେ ଏହିସବୁ ମହା ଅମଙ୍ଗଳ ଯେପରି ଘଟାଇଅଛୁ, ସେପରି ଆମ୍ଭେ ସେମାନଙ୍କୁ ଯେ ଯେ ମଙ୍ଗଳର ପ୍ରତିଜ୍ଞା କରିଅଛୁ, ସେସବୁ ସେମାନଙ୍କ ପ୍ରତି ଘଟାଇବା। 43 ପୁଣି, ଏହି ଯେଉଁ ଦେଶ ବିଷୟରେ ତୁମ୍ଭେମାନେ କୁହ, ଏହା ମନୁଷ୍ୟ ଓ ପଶୁଶୂନ୍ୟ ଧ୍ୱଂସସ୍ଥାନ ହୋଇ କଲ୍ଦୀୟମାନଙ୍କ ହସ୍ତରେ ଦତ୍ତ ହୋଇଅଛି, ତହିଁ ମଧ୍ୟରେ କ୍ଷେତ୍ର କ୍ରୟ କରାଯିବ। 44 ବିନ୍ୟାମୀନ୍ ପ୍ରଦେଶରେ ଓ ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ନାନା ସ୍ଥାନରେ, ଯିହୁଦାର ନଗରସମୂହରେ, ପାର୍ବତୀୟ ପ୍ରଦେଶସ୍ଥ ନାନା ନଗରରେ, ପୁଣି ନିମ୍ନ ଭୂମିସ୍ଥ ନଗରମାନରେ ଓ ଦକ୍ଷିଣ ଦିଗସ୍ଥ ନଗରସମୂହରେ ଲୋକମାନେ ମୂଲ୍ୟ ଦେଇ କ୍ଷେତ୍ର କ୍ରୟ କରିବେ ଓ କ୍ରୟପତ୍ର ସ୍ୱାକ୍ଷର କରି ମୁଦ୍ରାଙ୍କିତ କରିବେ ଓ ସାକ୍ଷୀ ରଖିବେ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା।”
<- ଯିରିମୀୟ 31ଯିରିମୀୟ 33 ->- a ୧୮୭ ଗ୍ରାମ୍