8 ପୁଣି, ଯେଉଁ ଦେଶ ଓ ରାଜ୍ୟ ସେହି ବାବିଲର ରାଜା ନବୂଖଦ୍ନିତ୍ସରର ଦାସ୍ୟକର୍ମ କରିବେ ନାହିଁ ଓ ବାବିଲର ରାଜାର ଯୁଆଳି ତଳେ ଆପଣା ଆପଣା ବେକ ରଖିବେ ନାହିଁ, ସଦାପ୍ରଭୁ କହନ୍ତି, ଆମ୍ଭେ ସେ ଦେଶକୁ ତାହାର ହସ୍ତ ଦ୍ୱାରା ସଂହାରିତ ନ କରିବା ପର୍ଯ୍ୟନ୍ତ ଖଡ୍ଗ ଓ ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ଦଣ୍ଡ ଦେବା। 9 ମାତ୍ର ତୁମ୍ଭମାନଙ୍କର ଯେଉଁ ଭବିଷ୍ୟଦ୍ବକ୍ତାମାନେ, ମନ୍ତ୍ରଜ୍ଞମାନେ, ସ୍ୱପ୍ନଦର୍ଶକମାନେ, ଗଣକମାନେ ଓ ମାୟାବୀମାନେ, ତୁମ୍ଭେମାନେ ବାବିଲ ରାଜାର ଦାସ୍ୟକର୍ମ କରିବ ନାହିଁ ବୋଲି ତୁମ୍ଭମାନଙ୍କୁ କହନ୍ତି, ସେମାନଙ୍କ କଥାରେ ତୁମ୍ଭେମାନେ ମନୋଯୋଗ କର ନାହିଁ; 10 କାରଣ ତୁମ୍ଭମାନଙ୍କୁ ସ୍ୱଦେଶରୁ ଦୂରୀକୃତ କରିବା ପାଇଁ ଓ ଆମ୍ଭେ ତୁମ୍ଭମାନଙ୍କୁ ତଡ଼ିଦେଲେ ତୁମ୍ଭେମାନେ ଯେପରି ନଷ୍ଟ ହେବ, ଏଥିପାଇଁ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି। 11 ମାତ୍ର ଯେଉଁ ଦେଶୀୟ ଲୋକେ ବାବିଲ ରାଜାର ଯୁଆଳି ତଳେ ଆପଣାମାନଙ୍କର ବେକ ଦେବେ ଓ ତାହାର ଦାସ୍ୟକର୍ମ କରିବେ, ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କୁ ସ୍ୱଦେଶରେ ରହିବାକୁ ଦେବା, ସେମାନେ ସେଠାରେ କୃଷିକର୍ମ କରି ବାସ କରିବେ।’ ”
12 ଏଥିଉତ୍ତାରେ ମୁଁ ସେହି ସମସ୍ତ ବାକ୍ୟାନୁସାରେ ଯିହୁଦାର ରାଜା ସିଦିକୀୟକୁ ଏହି କଥା କହିଲି, “ତୁମ୍ଭେମାନେ ଆପଣା ଆପଣା ବେକ ବାବିଲ ରାଜାର ଯୁଆଳି ତଳେ ଦେଇ ତାହାର ଓ ତାହାର ଲୋକମାନଙ୍କର ଦାସ୍ୟକର୍ମ କର, ତହିଁରେ ବଞ୍ଚିବ। 13 ଯେଉଁ ଦେଶୀୟ ଲୋକେ ବାବିଲ ରାଜାର ଦାସ୍ୟକର୍ମ କରିବେ ନାହିଁ, ସେମାନଙ୍କ ବିଷୟରେ ସଦାପ୍ରଭୁ ଯାହା କହିଅଛନ୍ତି, ତଦନୁସାରେ ତୁମ୍ଭେମାନେ, ଅର୍ଥାତ୍, ତୁମ୍ଭେ ଓ ତୁମ୍ଭର ଲୋକମାନେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା କାହିଁକି ମରିବ? 14 ପୁଣି, ‘ତୁମ୍ଭେମାନେ ବାବିଲ ରାଜାର ଦାସ୍ୟକର୍ମ କରିବ ନାହିଁ’ ବୋଲି ଯେଉଁ ଭବିଷ୍ୟଦ୍ବକ୍ତାମାନେ ତୁମ୍ଭମାନଙ୍କୁ କହନ୍ତି, ସେମାନଙ୍କ ବାକ୍ୟରେ ମନୋଯୋଗ କର ନାହିଁ; ଯେହେତୁ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି। 15 କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ, ମାତ୍ର ଆମ୍ଭେ ଯେପରି ତୁମ୍ଭମାନଙ୍କୁ ତଡ଼ି ଦେବୁ ଓ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାରକାରୀ ଭବିଷ୍ୟଦ୍ବକ୍ତାମାନେ ଯେପରି ବିନଷ୍ଟ ହେବେ, ଏଥିପାଇଁ ସେମାନେ ମିଥ୍ୟାରେ ଆମ୍ଭ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି।”
16 ଆହୁରି, ମୁଁ ଯାଜକମାନଙ୍କୁ ଓ ଏହି ସମସ୍ତ ଲୋକଙ୍କୁ କହିଲି, “ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭମାନଙ୍କର ଯେଉଁ ଭବିଷ୍ୟଦ୍ବକ୍ତାମାନେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି କହନ୍ତି, ‘ଦେଖ, ସଦାପ୍ରଭୁଙ୍କ ଗୃହର ପାତ୍ରସକଳ ଅଳ୍ପ କାଳ ମଧ୍ୟରେ ବାବିଲରୁ ଅଣାଯିବ,’ ତୁମ୍ଭେମାନେ ସେମାନଙ୍କ କଥାରେ ମନୋଯୋଗ କର ନାହିଁ; କାରଣ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି। 17 ତୁମ୍ଭେମାନେ ସେମାନଙ୍କ କଥାରେ ମନୋଯୋଗ କର ନାହିଁ; ବାବିଲ ରାଜାର ଦାସ୍ୟକର୍ମ କର; ତହିଁରେ ବଞ୍ଚିବ; ଏହି ନଗର କାହିଁକି ଉତ୍ସନ୍ନ ସ୍ଥାନ ହେବ? 18 ମାତ୍ର ଯଦି ସେମାନେ ଭବିଷ୍ୟଦ୍ବକ୍ତା ଅଟନ୍ତି ଓ ସଦାପ୍ରଭୁଙ୍କର ବାକ୍ୟ ଯଦି ସେମାନଙ୍କଠାରେ ଥାଏ, ତେବେ ସଦାପ୍ରଭୁଙ୍କ ଗୃହରେ, ଯିହୁଦାର ରାଜଗୃହରେ ଓ ଯିରୂଶାଲମରେ ଯେସକଳ ପାତ୍ର ଅବଶିଷ୍ଟ ଅଛି, ତାହା ଯେପରି ବାବିଲକୁ ନ ଯାଏ, ଏଥିପାଇଁ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିକଟରେ ବିନତି କରନ୍ତୁ। 19 କାରଣ ବାବିଲର ରାଜା ନବୂଖଦ୍ନିତ୍ସର ଯିହୋୟାକୀମ୍ର ପୁତ୍ର ଯିହୁଦାର ରାଜା ଯିହୋୟାଖୀନ୍କୁ, ଆଉ ଯିହୁଦାର ଓ ଯିରୂଶାଲମର ସମସ୍ତ ପ୍ରଧାନବର୍ଗଙ୍କୁ ବନ୍ଦୀ କରି ଯିରୂଶାଲମରୁ ବାବିଲକୁ ନେଇଯିବା ସମୟରେ, 20 ଯେଉଁ ସ୍ତମ୍ଭଦ୍ୱୟ ଓ ସମୁଦ୍ରପାତ୍ର, ବୈଠିକି ଓ ଯେସମସ୍ତ ପାତ୍ର ସଙ୍ଗରେ ନେଇ ନ ଥିଲା, ଯାହା ଏହି ନଗରରେ ଅବଶିଷ୍ଟ ଅଛି, ସେହି ସକଳର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; 21 ହଁ, ସଦାପ୍ରଭୁଙ୍କ ଗୃହରେ, ଯିହୁଦାର ରାଜଗୃହରେ ଓ ଯିରୂଶାଲମରେ ଅବଶିଷ୍ଟ ଥିବା ସେହି ସକଳ ପାତ୍ର ବିଷୟରେ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; 22 ସେସବୁ ବାବିଲକୁ ନିଆଯିବ ଓ ଆମ୍ଭେ ସେମାନଙ୍କର ତତ୍ତ୍ୱାନୁସନ୍ଧାନ ନ କରିବା ଦିନ ପର୍ଯ୍ୟନ୍ତ ସେସବୁ ସେସ୍ଥାନରେ ଥିବ, ଏହା ସଦାପ୍ରଭୁ କହନ୍ତି, ତଦନନ୍ତର ଆମ୍ଭେ ସେସବୁ ଏହି ସ୍ଥାନକୁ ଫେରାଇ ଆଣିବା।”
<- ଯିରିମୀୟ 26ଯିରିମୀୟ 28 ->- a ସିଦିକୀୟର କିମ୍ବା ଯିହୋୟାକୀମ୍ର