4 ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା। 5 “ଯଥା, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ଯେଉଁ ନିର୍ବାସିତ ଯିହୁଦୀୟମାନଙ୍କୁ ଏହି ସ୍ଥାନରୁ କଲ୍ଦୀୟମାନଙ୍କର ଦେଶକୁ ପଠାଇଅଛୁ, ସେମାନଙ୍କର ମଙ୍ଗଳ ନିମନ୍ତେ ଆମ୍ଭେ ସେମାନଙ୍କୁ ଏହି ଉତ୍ତମ ଡିମ୍ବିରି ଫଳ ତୁଲ୍ୟ ଜ୍ଞାନ କରିବା। 6 କାରଣ ଆମ୍ଭେ ମଙ୍ଗଳ ପାଇଁ ସେମାନଙ୍କ ପ୍ରତି ଆପଣା ଦୃଷ୍ଟି ରଖିବା ଓ ସେମାନଙ୍କୁ ପୁନର୍ବାର ଏହି ଦେଶକୁ ଆଣିବା; ଆଉ, ଆମ୍ଭେ ସେମାନଙ୍କୁ ନିର୍ମାଣ କରିବା ଓ ଭଗ୍ନ କରିବା ନାହିଁ; ଆମ୍ଭେ ସେମାନଙ୍କୁ ରୋପଣ କରିବା ଓ ଉତ୍ପାଟନ କରିବା ନାହିଁ। 7 ପୁଣି, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ଜାଣିବାର ମନ ସେମାନଙ୍କୁ ଦେବା; ତହିଁରେ ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା; କାରଣ ସେମାନେ ସର୍ବାନ୍ତଃକରଣ ସହିତ ଆମ୍ଭ ନିକଟକୁ ଫେରି ଆସିବେ।
8 ଆଉ, ଯେପରି ସେହି ମନ୍ଦ ଡିମ୍ବିରି ଫଳ ଏଡ଼େ ମନ୍ଦ ହେବାରୁ ଭୋଜନ କରାଯାଇ ନ ପାରେ, ସେପରି ସଦାପ୍ରଭୁ କହନ୍ତି, ଆମ୍ଭେ ନିଶ୍ଚୟ ଯିହୁଦାର ରାଜା ସିଦିକୀୟକୁ, ତାହାର ଅଧିପତିଗଣକୁ ଓ ଯିରୂଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶରେ ଅଛନ୍ତି, ସେମାନଙ୍କୁ ଓ ଯେଉଁମାନେ ମିସର ଦେଶରେ ବାସ କରନ୍ତି, ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା। 9 ଆମ୍ଭେ ସେମାନଙ୍କର ଅମଙ୍ଗଳ ନିମନ୍ତେ ପୃଥିବୀର ସକଳ ରାଜ୍ୟ ମଧ୍ୟରେ ସେମାନଙ୍କୁ ଏଣେତେଣେ ନିକ୍ଷିପ୍ତ ହେବା ପାଇଁ, ପୁଣି ଯେସବୁ ସ୍ଥାନରେ ଆମ୍ଭେ ସେମାନଙ୍କୁ ତଡ଼ିଦେବା, ସେହି ସବୁ ସ୍ଥାନରେ ଦୁର୍ନାମ, ପ୍ରବାଦ, ଉପହାସ ଓ ଅଭିଶାପର ପାତ୍ର ହେବା ପାଇଁ ଆମ୍ଭେ ସେମାନଙ୍କୁ ସମର୍ପି ଦେବା। 10 ପୁଣି, ଆମ୍ଭେ ସେମାନଙ୍କୁ ଓ ସେମାନଙ୍କର ପିତୃପୁରୁଷମାନଙ୍କୁ ଯେଉଁ ଦେଶ ଦେଲୁ, ତହିଁରୁ ସେମାନେ ଯେପର୍ଯ୍ୟନ୍ତ ଉଚ୍ଛିନ୍ନ ନ ହୁଅନ୍ତି, ସେପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ମଧ୍ୟକୁ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା।”
<- ଯିରିମୀୟ 23ଯିରିମୀୟ 25 ->