4 ଏଉତ୍ତାରେ ଗିଦିୟୋନ୍ ଯର୍ଦ୍ଦନକୁ ଆସି ତାହା ପାର ହେଲେ; ସେ ଓ ତାଙ୍କ ସଙ୍ଗୀ ସେହି ତିନି ଶହ ଲୋକ କ୍ଳାନ୍ତ ହେଲେ ହେଁ ପଛେ ପଛେ ଗୋଡ଼ାଉଥାଆନ୍ତି। 5 ପୁଣି ସେ ସୁକ୍କୋତର ଲୋକମାନଙ୍କୁ କହିଲେ, “ମୁଁ ନିବେଦନ କରୁଅଛି, ଆମ୍ଭର ପଶ୍ଚାଦ୍ଗାମୀ ଲୋକମାନଙ୍କୁ ରୁଟି ଦିଅ; କାରଣ ସେମାନେ କ୍ଳାନ୍ତ ହୋଇଅଛନ୍ତି ଓ ମୁଁ ମିଦୀୟନର ରାଜା ସେବହ ଓ ସଲମୁନ୍ନର ପଛେ ପଛେ ଗୋଡ଼ାଉଅଛି।” 6 ତହିଁରେ ସୁକ୍କୋତର ଅଧିପତିମାନେ କହିଲେ, “ସେବହ ଓ ସଲମୁନ୍ନର ହାତ ତୁମ୍ଭର ହସ୍ତଗତ ହେଲାଣି ଯେ, ଆମ୍ଭେମାନେ ତୁମ୍ଭ ସୈନ୍ୟଗଣକୁ ରୁଟି ଦେବୁ?” 7 ତହିଁରେ ଗିଦିୟୋନ୍ କହିଲେ, “ଏସକାଶୁ ସଦାପ୍ରଭୁ ସେବହ ଓ ସଲମୁନ୍ନକୁ ମୋʼ ହସ୍ତରେ ସମର୍ପଣ କଲେ, ମୁଁ ପ୍ରାନ୍ତରର କାନକୋଳି କଣ୍ଟକାଦି ଦ୍ୱାରା ତୁମ୍ଭମାନଙ୍କ ମାଂସ ଚିରିବି।” 8 ତହୁଁ ସେ ସେଠାରୁ ପନୂୟେଲକୁ ଉଠିଯାଇ ସେଠାର ଲୋକମାନଙ୍କୁ ସେହିପରି କହିଲେ, ତହିଁରେ ସୁକ୍କୋତର ଲୋକମାନେ ଯେପରି ଉତ୍ତର କରିଥିଲେ, ପନୂୟେଲର ଲୋକମାନେ ମଧ୍ୟ ସେହିପରି ଉତ୍ତର ଦେଲେ। 9 ତେବେ ସେ ପନୂୟେଲର ସେହି ଲୋକମାନଙ୍କୁ କହିଲେ, “ମୁଁ କୁଶଳରେ ଫେରି ଆସିଲେ[a] (ତୁମ୍ଭମାନଙ୍କ) ଏହି ଗଡ଼ ଭାଙ୍ଗି ପକାଇବି।”[b]
10 ଏହି ସମୟରେ ସେବହ ଓ ସଲମୁନ୍ନ କର୍କୋରରେ ଥିଲେ ଓ ସେମାନଙ୍କର ସଙ୍ଗୀ ସୈନ୍ୟଦଳ ଊଣାଧିକ ପନ୍ଦର ହଜାର ଲୋକ ଥିଲେ; ପୂର୍ବଦେଶୀୟ ଲୋକମାନଙ୍କର ସମସ୍ତ ସୈନ୍ୟଦଳ ମଧ୍ୟରୁ ଏମାନେ କେବଳ ଅବଶିଷ୍ଟ ରହିଥିଲେ; କାରଣ ଖଡ୍ଗଧାରୀ ଏକ ଲକ୍ଷ କୋଡ଼ିଏ ହଜାର ଲୋକ ହତ ହୋଇଥିଲେ। 11 ଏଉତ୍ତାରେ ଗିଦିୟୋନ୍ ନୋବହ ଓ ଯଗ୍ବିହର ପୂର୍ବ ଦିଗରେ ତମ୍ବୁ ନିବାସୀମାନଙ୍କ ପଥ ଦେଇ ଉଠିଯାଇ ସେହି ସୈନ୍ୟଦଳକୁ ଆଘାତ କଲେ; ଯେହେତୁ ସେହି ସୈନ୍ୟଦଳ ନିର୍ଭୟରେ ଥିଲେ। 12 ସେତେବେଳେ ସେବହ ଓ ସଲମୁନ୍ନ ପଳାୟନ କଲେ; ଏଣୁ ସେ ସେମାନଙ୍କର ପଛେ ପଛେ ଗୋଡ଼ାଇଲେ; ପୁଣି ମିଦୀୟନର ସେହି ଦୁଇ ରାଜା ସେବହ ଓ ସଲମୁନ୍ନକୁ ଧରି ସମସ୍ତ ସୈନ୍ୟଙ୍କୁ ଉଦ୍ବିଗ୍ନ କଲେ। 13 ତହୁଁ ଯୋୟାଶ୍ର ପୁତ୍ର ଗିଦିୟୋନ୍ ହେରସର ଘାଟି ଦେଇ ଯୁଦ୍ଧରୁ ଫେରି ଆସିଲେ। 14 ପୁଣି ସେ ସୁକ୍କୋତର ଲୋକମାନଙ୍କ ମଧ୍ୟରୁ ଜଣେ ଯୁବାକୁ ଧରି ପଚାରିଲେ; ତହିଁରେ ସେ ସୁକ୍କୋତର ଅଧିପତି ଓ ତହିଁର ପ୍ରାଚୀନମାନଙ୍କ ସତସ୍ତରି ଜଣର ନାମ ତାଙ୍କ ପାଇଁ ଲେଖାଇ ଦେଲା।
15 ଏଥିଉତ୍ତାରେ ସେ ସୁକ୍କୋତର ଲୋକମାନଙ୍କ ନିକଟକୁ ଆସି କହିଲେ, “ସେବହ ଓ ସଲମୁନ୍ନକୁ ଦେଖ, ଏମାନଙ୍କ ବିଷୟରେ ତୁମ୍ଭେମାନେ ପରା ଆମ୍ଭକୁ ତୁଚ୍ଛ କରି କହିଥିଲ, ‘ସେବହ ଓ ସଲମୁନ୍ନର ହାତ କି ତୁମ୍ଭର ହସ୍ତଗତ ହେଲାଣି ଯେ, ଆମ୍ଭେମାନେ ତୁମ୍ଭର କ୍ଳାନ୍ତ ଲୋକମାନଙ୍କୁ ରୁଟି ଦେବୁ?’ ” 16 ତହୁଁ ସେ ସେହି ନଗରର ପ୍ରାଚୀନମାନଙ୍କୁ ଧରିଲେ ଓ ପ୍ରାନ୍ତରର କାନକୋଳି କଣ୍ଟକାଦି ନେଇ ତଦ୍ଦ୍ୱାରା ସୁକ୍କୋତର ଲୋକମାନଙ୍କୁ ଶିକ୍ଷା ଦେଲେ। 17 ପୁଣି ସେ ପନୂୟେଲ ଗଡ଼ ଭାଙ୍ଗି ପକାଇଲେ ଓ ନଗରସ୍ଥ ଲୋକମାନଙ୍କୁ ବଧ କଲେ।
18 ଆଉ ସେ ସେବହକୁ ଓ ସଲମୁନ୍ନକୁ କହିଲେ, “ତୁମ୍ଭେମାନେ ତାବୋରରେ ଯେଉଁ ଲୋକମାନଙ୍କୁ ବଧ କଲ, ସେମାନେ କି ପ୍ରକାର ଲୋକ?” ତହିଁରେ ସେମାନେ ଉତ୍ତର କଲେ, “ଆପଣ ଯେପରି ସେମାନେ ସେପରି, ପ୍ରତ୍ୟେକେ ରାଜପୁତ୍ର ପରି ଥିଲେ।” 19 ତେବେ ସେ କହିଲେ, “ସେମାନେ ତ ମୋହର ଭାଇ, ମୋʼ ମାତାର ପୁତ୍ର; ମୁଁ ଜୀବିତ ସଦାପ୍ରଭୁଙ୍କ ନାମ ନେଇ କହୁଅଛି, ତୁମ୍ଭେମାନେ ଯେବେ ସେମାନଙ୍କୁ ବଞ୍ଚାଇ ରଖିଥାʼନ୍ତ ତେବେ ମୁଁ ତୁମ୍ଭମାନଙ୍କୁ ବଧ କରନ୍ତି ନାହିଁ।” 20 ତହୁଁ ସେ ଆପଣା ଜ୍ୟେଷ୍ଠ ପୁତ୍ର ଯେଥରକୁ କହିଲେ, “ଉଠ, ସେମାନଙ୍କୁ ବଧ କର,” ମାତ୍ର ସେ ଯୁବା ଆପଣା ଖଡ୍ଗ ବାହାର କଲା ନାହିଁ, କାରଣ ସେ ଯୁବା ଥିବାରୁ ଭୟ କଲା। 21 ତହିଁରେ ସେବହ ଓ ସଲମୁନ୍ନ କହିଲେ, “ତୁମ୍ଭେ ଉଠି ଆମ୍ଭମାନଙ୍କୁ ଆଘାତ କର; କାରଣ ଯେ ଯେପରି ପୁରୁଷ, ତାହାର ସେପରି ବୀରତ୍ୱ।” ଏଉତ୍ତାରେ ଗିଦିୟୋନ୍ ଉଠି ସେବହକୁ ଓ ସଲମୁନ୍ନକୁ ବଧ କଲେ, ପୁଣି ସେମାନଙ୍କ ଓଟମାନଙ୍କ ଗଳାର ସମସ୍ତ ଚନ୍ଦ୍ରହାର କାଢ଼ି ନେଲେ।
33 ଏଥିଉତ୍ତାରେ ଗିଦିୟୋନ୍ ମଲା କ୍ଷଣି ଇସ୍ରାଏଲ ଲୋକମାନେ ଫେରି ବାଲ୍ ଦେବତାଗଣର ପଶ୍ଚାଦ୍ଗାମୀ ହୋଇ ବ୍ୟଭିଚାରୀ ହେଲେ, ପୁଣି ବାଲ୍-ବରୀତକୁ ଆପଣାମାନଙ୍କର ଦେବତା ମାନିଲେ। 34 ଆଉ ଚତୁର୍ଦ୍ଦିଗସ୍ଥିତ ଶତ୍ରୁଗଣ ହସ୍ତରୁ ଇସ୍ରାଏଲ-ସନ୍ତାନଗଣକୁ ରକ୍ଷା କରିଥିଲେ ଯେଉଁ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର, ତାହାଙ୍କୁ ସେମାନେ ସ୍ମରଣ କଲେ ନାହିଁ। 35 କିଅବା ଯିରୁବ୍ବାଲ୍, ଅର୍ଥାତ୍, ଗିଦିୟୋନ୍ ଇସ୍ରାଏଲ ପ୍ରତି ଯେରୂପ ସଦୟ ହୋଇଥିଲେ, ସେମାନେ ତଦନୁସାରେ ତାଙ୍କର ବଂଶ ପ୍ରତି ଦୟା ବ୍ୟବହାର କଲେ ନାହିଁ।
<- ବିଚାରକର୍ତ୍ତା 7ବିଚାରକର୍ତ୍ତା 9 ->