Link to home pageLanguagesLink to all Bible versions on this site

ଯିଶାଇୟ ଭବିଷ୍ୟଦ୍‍ବକ୍ତାଙ୍କ ପୁସ୍ତକ
ଲେଖକ
ଯିଶାଇୟ ପୁସ୍ତକଟି ଯିଶାଇୟଙ୍କ ଦ୍ଵାରା ଲିଖିତ, ସେ ଏକ ଭାବବାଦିନୀଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ ଥିଲେ (ଯିଶା. 7:3; 8:3)। ଯିଶାଇୟ ଯିହୁଦାର ଚାରି ରାଜାମାନଙ୍କ ରାଜତ୍ଵରେ ଭାବବାଣୀ କରିଥିଲେ ଯଥା: ଉଜୀୟ, ଯୋଥମ୍‍, ଅହସୀୟ ଏବଂ ହିଜକୀୟ (1:1) ଏବଂ ତାହାଙ୍କର ମୃତ୍ୟୁ ପଞ୍ଚମ ମନ୍ଦ ରାଜା ମନଃଶିଙ୍କ ସମୟରେ ହୋଇଥିଲା।
ସମୟ ଓ ସ୍ଥାନ
ପ୍ରାୟ 740-680 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ଏହି ପୁସ୍ତକଟି ରାଜା ଉଜୀୟଙ୍କ ରାଜତ୍ଵର ଶେଷ ସମୟରେ ଏବଂ ଯୋଥମ୍‍, ଅହସୀୟ ଏବଂ ହିଜକୀୟଙ୍କ ରାଜତ୍ୱ ସମୟରେ ଲେଖାଯାଇଥିଲା।
ପ୍ରାପକ
ଯିଶାଇୟ ପୁସ୍ତକର ପ୍ରାଥମିକ ପ୍ରାପକମାନେ ଯିହୁଦାର ଲୋକ ଥିଲେ, ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞାନୁସାରେ ଜୀବନ କାଟିବାରେ ଅସଫଳ ଥିଲେ।
ଉଦ୍ଦେଶ୍ୟ
ପୁରାତନ ନିୟମରେ ଯୀଶୁ ଖ୍ରୀଷ୍ଟଙ୍କର ଏକ ବ୍ୟାପକ ଐଶ୍ଵରିକ ଛବିକୁ ଆମ୍ଭମାନଙ୍କୁ ଯୋଗାଇବା ଯିଶାଇୟଙ୍କ ଉଦ୍ଦେଶ୍ୟ ଅଟେ। ଏହା ତାହାଙ୍କ ଜୀବନର ସମ୍ପୂର୍ଣ୍ଣ କାର୍ଯ୍ୟକୁ ଅନ୍ତର୍ଭୁକ୍ତ କରେ: ତାହାଙ୍କ ଆଗମନର ଘୋଷଣା (ଯିଶା. 40:3-5), କୁମାରୀଙ୍କ ଠାରୁ ତାହାଙ୍କର ଜନ୍ମ (7:14), ସୁସମାଚାର ବିଷୟରେ ତାହାଙ୍କର ଘୋଷଣା (61:1), ତାହାଙ୍କର ଉତ୍ସର୍ଗୀକୃତ ମୃତ୍ୟୁ (52:13-53:12), ଏବଂ ତାହାଙ୍କର ଲୋକମାନଙ୍କୁ ନିଜର ବୋଲି ଦାବୀ କରିବା ପାଇଁ ଫେରି ଆସିବା (60:2-3)। ମୁଖ୍ୟତଃ, ଯିହୁଦା ରାଜ୍ୟରେ ଭାବବାଣୀ କରିବା ନିମନ୍ତେ ଭବିଷ୍ୟଦ୍‍ବକ୍ତା ଯିଶାଇୟ ଆହୂତ ହୋଇଥିଲେ। ଯିହୁଦା ରାଜ୍ୟରେ ବିଦ୍ରୋହାଚରଣ ଏବଂ ପୁନର୍ଜାଗରଣର ସମୟ ଥିଲା। ମିସର ଏବଂ ଅଶୂରୀୟାମାନଙ୍କ ଦ୍ଵାରା ଯିହୁଦାକୁ ଧ୍ୱଂସ କରିବାର ଧମକ ଦିଆଯାଇଥିଲା କିନ୍ତୁ ପରମେଶ୍ୱରଙ୍କ ଦୟାରୁ ବଞ୍ଚିଯାଇ ଥିଲା। ଯିଶାଇୟ ପାପରୁ ଅନୁତାପ କରିବା ଏବଂ ଭବିଷ୍ୟତରେ ପରମେଶ୍ୱରଙ୍କ ଉଦ୍ଧାରର ଆଶାନ୍ଵିତ ପ୍ରତ୍ୟାଶା କରିବାକୁ ସମାଚାର ପ୍ରଚାର କଲେ।
ବିଷୟବସ୍ତୁ
ପରିତ୍ରାଣ
ରୂପରେଖା
1. ଯିହୁଦାର ତୀବ୍ର ନିନ୍ଦା — 1:1-12:6
2. ଅନ୍ୟ ଦେଶଗୁଡ଼ିକ ବିରୁଦ୍ଧରେ ତୀବ୍ର ନିନ୍ଦା — 13:1-23:18
3. ଭବିଷ୍ୟତ କ୍ଲେଶ — 24:1-27:13
4. ଯିହୁଦା ଏବଂ ଇସ୍ରାଏଲର ତିବ୍ର ନିନ୍ଦା — 28:1-35:10
5. ହିଜକୀୟ ଏବଂ ଯିଶାଇୟଙ୍କ ଇତିହାସ — 36:1-38:22
6. ବାବିଲର ପୃଷ୍ଠଭୂମି — 39:1-47:15
7. ପରମେଶ୍ୱରଙ୍କ ଶାନ୍ତି ନିମନ୍ତେ ଯୋଜନା — 48:1-66:24

1 ଆମୋସର ପୁତ୍ର ଯିଶାଇୟଙ୍କର ଦର୍ଶନ, ସେ ଯିହୁଦା-ରାଜାଗଣ ଉଷୀୟ, ଯୋଥମ୍‍, ଆହସ୍‌ ଓ ହିଜକୀୟର ରାଜତ୍ୱ ସମୟରେ ଯିହୁଦା ଓ ଯିରୂଶାଲମ ବିଷୟରେ ଏହି ଦର୍ଶନ ପାଇଲେ।

ଈଶ୍ୱରଙ୍କ ଅନୁଯୋଗ
2 ହେ ଆକାଶମଣ୍ଡଳ, ଶୁଣ, ହେ ପୃଥିବୀ, କର୍ଣ୍ଣପାତ କର, କାରଣ ସଦାପ୍ରଭୁ କହିଅଛନ୍ତି;
“ଆମ୍ଭେ ସନ୍ତାନଗଣକୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ,
ମାତ୍ର ସେମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି।
3 ଗୋରୁ ଆପଣା ଖାଉନ୍ଦକୁ ଓ ଗର୍ଦ୍ଦଭ ଆପଣା କର୍ତ୍ତାର କୁଣ୍ଡକୁ ଚିହ୍ନେ;
ମାତ୍ର ଇସ୍ରାଏଲ ଜାଣେ ନାହିଁ, ଆମ୍ଭର ଲୋକମାନେ ବିବେଚନା କରନ୍ତି ନାହିଁ।”
4 ଆହା ପାପିଷ୍ଠ ଗୋଷ୍ଠୀ, ଅଧର୍ମରେ ଭାରଗ୍ରସ୍ତ ଲୋକେ,
ଦୁଷ୍କର୍ମକାରୀମାନଙ୍କ ବଂଶ, ଭ୍ରଷ୍ଟାଚାରୀ ସନ୍ତାନଗଣ!
ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛନ୍ତି, ସେମାନେ ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ଅବଜ୍ଞା କରିଅଛନ୍ତି,
ସେମାନେ ବିମୁଖ ହୋଇ ପଛକୁ ଚାଲି ଯାଇଅଛନ୍ତି।
5 ତୁମ୍ଭେମାନେ ଅଧିକ ଅଧିକ ବିଦ୍ରୋହାଚରଣ କରିବା ପାଇଁ କାହିଁକି ଆହୁରି ପ୍ରହାରିତ ହେବ?
ମସ୍ତକଯାକ ପୀଡ଼ିତ ଓ ସମୁଦାୟ ହୃଦୟ ଦୁର୍ବଳ ହୋଇଅଛି।
6 ପାଦର ତଳଠାରୁ ମସ୍ତକ ପର୍ଯ୍ୟନ୍ତ କିଛି ସ୍ୱାସ୍ଥ୍ୟ ନାହିଁ;
କେବଳ କ୍ଷତ, ଦାଗ ଓ ପୂଜପୂର୍ଣ୍ଣ ଘା; ସେହି ସବୁ ଟିପା କିମ୍ବା ବନ୍ଧାଯାଇ ନାହିଁ, କିଅବା ତୈଳ ଦ୍ୱାରା କୋମଳ କରାଯାଇ ନାହିଁ।
7 ତୁମ୍ଭମାନଙ୍କର ଦେଶ ଧ୍ୱଂସସ୍ଥାନ; ତୁମ୍ଭମାନଙ୍କର ନଗରସବୁ ଅଗ୍ନିରେ ଦଗ୍ଧ;
ତୁମ୍ଭମାନଙ୍କର ଭୂମି ବିଦେଶୀମାନେ ତୁମ୍ଭମାନଙ୍କର ସାକ୍ଷାତରେ ଗ୍ରାସ କରନ୍ତି,
ତାହା ବିଦେଶୀମାନଙ୍କ ଦ୍ୱାରା ବିନଷ୍ଟ ହେବା ତୁଲ୍ୟ ଧ୍ୱଂସସ୍ଥାନ ହୋଇଅଛି।
8 ପୁଣି, ସିୟୋନର କନ୍ୟା ଦ୍ରାକ୍ଷାକ୍ଷେତ୍ରର କୁଟୀର,
କାକୁଡ଼ିକ୍ଷେତ୍ରର ବସା, ଅବରୁଦ୍ଧ ନଗର ତୁଲ୍ୟ ହୋଇ ରହିଅଛି।
9 ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କ ପାଇଁ ଅତି ଅଳ୍ପ ଲୋକ ଅବଶିଷ୍ଟ ରଖି ନ ଥିଲେ,
ଆମ୍ଭେମାନେ ସଦୋମର ତୁଲ୍ୟ ହୋଇଥାʼନ୍ତୁ, ଆମ୍ଭେମାନେ ହମୋରାର ତୁଲ୍ୟ ହୋଇଥାʼନ୍ତୁ।
10 ହେ ସଦୋମର ଶାସନକର୍ତ୍ତାମାନେ, ସଦାପ୍ରଭୁଙ୍କର ବାକ୍ୟ ଶୁଣ,
ହେ ହମୋରାର ଲୋକମାନେ, ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟବସ୍ଥାରେ କର୍ଣ୍ଣପାତ କର।
11 ସଦାପ୍ରଭୁ କହନ୍ତି, “ଆମ୍ଭ ଉଦ୍ଦେଶ୍ୟରେ ତୁମ୍ଭମାନଙ୍କ ଅପାର ବଳିଦାନର ଅଭିପ୍ରାୟ କଅଣ?
ଆମ୍ଭେ ମେଷଗଣର ହୋମବଳିରେ ଓ ପୁଷ୍ଟ ପଶୁଗଣର ମେଦରେ ପୂର୍ଣ୍ଣ ହୋଇଅଛୁ;
ପୁଣି, ବୃଷ କିମ୍ବା ମେଷ କିମ୍ବା ଛାଗଳମାନଙ୍କ ରକ୍ତରେ ଆମ୍ଭର ତୁଷ୍ଟି ନାହିଁ।
12 ତୁମ୍ଭେମାନେ ଆମ୍ଭ ସମ୍ମୁଖରେ ଉପସ୍ଥିତ ହେବା ବେଳେ
ଆମ୍ଭର ପ୍ରାଙ୍ଗଣସକଳ ପଦ ତଳେ ଦଳିବା ପାଇଁ କିଏ ତୁମ୍ଭମାନଙ୍କଠାରୁ ଚାହିଁଅଛି?
13 ଅସାର ନୈବେଦ୍ୟ ଆଉ ଆଣ ନାହିଁ; ଧୂପଦାହ ଆମ୍ଭର ଘୃଣିତ;
ତୁମ୍ଭର ଅମାବାସ୍ୟା ଓ ବିଶ୍ରାମବାର, ସଭାର ଘୋଷଣା ଏହି ଅଧର୍ମ ଓ ମହାସଭା ଆମ୍ଭେ ସହି ପାରୁ ନାହୁଁ।
14 ଆମ୍ଭ ପ୍ରାଣ ତୁମ୍ଭମାନଙ୍କର ଅମାବାସ୍ୟା ଓ ନିରୂପିତ ପର୍ବସବୁ ଘୃଣା କରେ;
ସେହି ସବୁ ଆମ୍ଭ ପ୍ରତି କ୍ଲେଶକର; ଆମ୍ଭେ ସେହି ସବୁ ବହିବାକୁ କ୍ଳାନ୍ତ ହୋଇଅଛୁ।
15 ପୁଣି, ତୁମ୍ଭେମାନେ ଆପଣାମାନଙ୍କର ହସ୍ତ ପ୍ରସାର କଲା ବେଳେ ଆମ୍ଭେ ତୁମ୍ଭମାନଙ୍କଠାରୁ ଆପଣା ଚକ୍ଷୁ ଆଚ୍ଛାଦନ କରିବା;
ଆହୁରି, ତୁମ୍ଭେମାନେ ଅନେକ ପ୍ରାର୍ଥନା କଲା ବେଳେ ଆମ୍ଭେ ଶୁଣିବା ନାହିଁ।
ତୁମ୍ଭମାନଙ୍କ ହସ୍ତ ରକ୍ତରେ ପରିପୂର୍ଣ୍ଣ।
16 ତୁମ୍ଭେମାନେ ଆପଣାମାନଙ୍କୁ ଧୌତ କର, ଆପଣାମାନଙ୍କୁ ଶୁଚି କର;
ଆମ୍ଭ ଦୃଷ୍ଟିରୁ ଆପଣାମାନଙ୍କର କ୍ରିୟାର ମନ୍ଦତା ଦୂର କର;
କୁକ୍ରିୟା କରିବାରୁ ନିବୃତ୍ତ ହୁଅ;
17 ସୁକ୍ରିୟା କରିବାକୁ ଶିଖ;
ନ୍ୟାୟବିଚାର ଚେଷ୍ଟା କର, ଉପଦ୍ରବଗ୍ରସ୍ତମାନଙ୍କର ସାହାଯ୍ୟ କର,
ପିତୃହୀନମାନଙ୍କର ନ୍ୟାୟବିଚାର କର, ବିଧବାମାନଙ୍କ ପକ୍ଷରେ ପ୍ରତିବାଦ କର।”
18 ସଦାପ୍ରଭୁ କହନ୍ତି, “ଆସ, ଆମ୍ଭେମାନେ ଉତ୍ତର ପ୍ରତ୍ୟୁତ୍ତର କରୁ;
ତୁମ୍ଭମାନଙ୍କର ପାପସବୁ ସିନ୍ଦୂର ବର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳବର୍ଣ୍ଣ ହେବ;
ସେହି ସବୁ ଲୋହିତବର୍ଣ୍ଣ ପରି ରଙ୍ଗ ହେଲେ ହେଁ ମେଷଲୋମ ପରି ହେବ।
19 ଯଦି ତୁମ୍ଭେମାନେ ସମ୍ମତ ଓ ଆଜ୍ଞାବହ ହେବ, ତେବେ ଦେଶର ଉତ୍ତମ ଫଳ ଭୋଗ କରିବ।
20 ମାତ୍ର ଯଦି ତୁମ୍ଭେମାନେ ଅସମ୍ମତ ଓ ବିରୁଦ୍ଧାଚାରୀ ହେବ, ତେବେ ଖଡ୍ଗଭୁକ୍ତ ହେବ;
କାରଣ ସଦାପ୍ରଭୁଙ୍କ ମୁଖ ଏହା କହିଅଛି।”
ପାପପୂର୍ଣ୍ଣ ନଗରୀ
21 ବିଶ୍ୱସ୍ତ ନଗରୀ କିପରି ବେଶ୍ୟା ହୋଇଅଛି!
ସେ ନ୍ୟାୟ-ବିଚାରରେ ପୂର୍ଣ୍ଣା ଥିଲା। ଧର୍ମ ତାହା ମଧ୍ୟରେ ବାସ କଲା,
ମାତ୍ର ଏବେ ହତ୍ୟାକାରୀମାନେ ଅଛନ୍ତି।
22 ତୁମ୍ଭର ରୂପା ଖାଦ ହୋଇଅଛି,
ତୁମ୍ଭର ଦ୍ରାକ୍ଷାରସ ଜଳମିଶ୍ରିତ ହୋଇଅଛି।
23 ତୁମ୍ଭର ଅଧିପତିମାନେ ବିଦ୍ରୋହୀ ଓ ଚୋରମାନଙ୍କର ସଖା;
ପ୍ରତ୍ୟେକେ ଲାଞ୍ଚ ଭଲ ପାʼନ୍ତି ଓ ପାରିତୋଷିକର ପଶ୍ଚାଦ୍‍ବର୍ତ୍ତୀ ହୁଅନ୍ତି;
ସେମାନେ ପିତୃହୀନମାନଙ୍କର ବିଚାର କରନ୍ତି ନାହିଁ,
କିଅବା ବିଧବାର ଗୁହାରି ସେମାନଙ୍କ ନିକଟକୁ ଆସେ ନାହିଁ।
24 ଏହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ, ଇସ୍ରାଏଲର ବଳଦାତା କହନ୍ତି,
“ଶୁଣ, ଆମ୍ଭେ ଆପଣା ବିପକ୍ଷଗଣ ବିଷୟରେ ଆରାମ ପାଇବା ଓ ଆମ୍ଭେ ଆପଣା ଶତ୍ରୁଗଣଠାରୁ ପରିଶୋଧ ନେବା;
25 ପୁଣି, ଆମ୍ଭେ ତୁମ୍ଭଆଡ଼େ ଆପଣା ହସ୍ତ ଫେରାଇ
ତୁମ୍ଭର ଖାଦ ସମ୍ପୂର୍ଣ୍ଣ ରୂପେ ପରିଷ୍କାର କରିବା ଓ ତୁମ୍ଭର ସୀସାସବୁ କାଢ଼ି ନେବା;
26 ଆଉ, ଆମ୍ଭେ ପୂର୍ବ କାଳ ପରି ତୁମ୍ଭର ବିଚାରକର୍ତ୍ତୃଗଣଙ୍କୁ ଓ ଆଦ୍ୟ ସମୟ ପରି ତୁମ୍ଭ ମନ୍ତ୍ରୀଗଣଙ୍କୁ ପୁନଃସ୍ଥାପନ କରିବା;
ତହିଁ ଉତ୍ତାରେ ତୁମ୍ଭେ ଧର୍ମପୁରୀ, ବିଶ୍ୱସ୍ତ ନଗରୀ ବୋଲି ବିଖ୍ୟାତ ହେବ।”
27 ସିୟୋନ ନ୍ୟାୟବିଚାର ଦ୍ୱାରା ଓ ତାହାର ଫେରି ଆସିବା ଲୋକମାନେ ଧାର୍ମିକତା ଦ୍ୱାରା ମୁକ୍ତି ପାଇବେ।
28 ମାତ୍ର ଅଧର୍ମାଚାରୀ ଓ ପାପୀମାନେ ଏକତ୍ର ବିନଷ୍ଟ ହେବେ ଓ ଯେଉଁମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରନ୍ତି, ସେମାନେ ସଂହାରିତ ହେବେ।
29 କାରଣ ସେମାନେ ତୁମ୍ଭମାନଙ୍କର ବାଞ୍ଛିତ ଅଲୋନ ବୃକ୍ଷ ବିଷୟରେ ଲଜ୍ଜିତ ହେବେ,
ପୁଣି, ତୁମ୍ଭେମାନେ ଆପଣାମାନଙ୍କର ମନୋନୀତ ଉଦ୍ୟାନସକଳର ବିଷୟରେ ହତାଶ ହେବ।
30 ଯେହେତୁ ତୁମ୍ଭେମାନେ ଶୁଷ୍କପତ୍ର ଅଲୋନ ବୃକ୍ଷ
ଓ ନିର୍ଜଳ ଉଦ୍ୟାନ ତୁଲ୍ୟ ହେବ।
31 ପୁଣି, ବଳବାନ ଲୋକ ଛଣପଟ ପରି ଓ ତାହାର କର୍ମ ଅଗ୍ନିକଣା ପରି ହେବ;
ସେ ଦୁଇ ଏକତ୍ର ଜ୍ୱଳିବ ଓ କେହି ତାହା ଲିଭାଇବ ନାହିଁ।

ଯିଶାଇୟ 2 ->