7 ଯେଉଁମାନେ ତୁମ୍ଭମାନଙ୍କୁ ଈଶ୍ବରଙ୍କ ବାକ୍ୟ କହିଥିଲେ, ତୁମ୍ଭମାନଙ୍କ ଏପରି ନେତାମାନଙ୍କୁ ସ୍ମରଣ କର; ସେମାନଙ୍କ ଜୀବନଯାତ୍ରାର ଶେଷ ଗତି ପ୍ରତି ଦୃଷ୍ଟି ରଖି ସେମାନଙ୍କ ବିଶ୍ୱାସର ଅନୁକାରୀ ହୁଅ। 8 ଯୀଶୁ ଖ୍ରୀଷ୍ଟ କାଲି, ଆଜି ଓ ଅନନ୍ତକାଳ ସମାନ ଅଟନ୍ତି। 9 ବିବିଧ ଓ ବିପରୀତ ପ୍ରକାର ଶିକ୍ଷାରେ ବିଚଳିତ ନ ହୁଅ, କାରଣ ଖାଦ୍ୟପଦାର୍ଥ ଦ୍ୱାରା ନୁହେଁ, ମାତ୍ର ଅନୁଗ୍ରହ ଦ୍ୱାରା ହୃଦୟ ସ୍ଥିରୀକୃତ ହେବା ଭଲ; ଯେଉଁମାନେ ଖାଦ୍ୟଦ୍ରବ୍ୟ ପ୍ରଥା ପାଳନ କରନ୍ତି, ସେମାନଙ୍କର କିଛି ଲାଭ ହେବ ନାହିଁ। 10 ଯେଉଁ ବେଦିର ସାମଗ୍ରୀ ତମ୍ବୁର ଉପାସକମାନଙ୍କର ଭୋଜନ କରିବା ନିମନ୍ତେ ଅଧିକାର ନାହିଁ, ଆମ୍ଭମାନଙ୍କର ଏପରି ଏକ ବେଦି ଅଛି। 11 କାରଣ ଯେଉଁ ସବୁ ପଶୁର ରକ୍ତ ପାପାର୍ଥକ ବଳି ସ୍ୱରୂପେ ମହାଯାଜକଙ୍କ ଦ୍ୱାରା ମହାପବିତ୍ର ସ୍ଥାନକୁ ଅଣାଯାଏ, ସେହିସବୁ ପଶୁର ଶରୀର ଛାଉଣୀର ବାହାରେ ଦଗ୍ଧ ହୁଏ। 12 ଏଥିସକାଶେ ଯୀଶୁ ମଧ୍ୟ ଆପଣା ରକ୍ତ ଦ୍ୱାରା ଯେପରି ଲୋକଙ୍କୁ ପବିତ୍ର କରନ୍ତି, ଏଥିପାଇଁ ନଗର ଦ୍ୱାରର ବାହାରେ ମୃତ୍ୟୁଭୋଗ କଲେ। 13 ଅତଏବ, ଆସ, ଆମ୍ଭେମାନେ ତାହାଙ୍କ ପରି ନିନ୍ଦା ସହ୍ୟ କରି ଛାଉଣୀର ବାହାରେ ତାହାଙ୍କ ନିକଟକୁ ଯାଉ। 14 କାରଣ ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଭବିଷ୍ୟତରେ ଚିରସ୍ଥାୟୀ ନଗରର ଅନ୍ୱେଷଣ କରୁଅଛୁ। 15 ଏଣୁ ଆସ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାରୂପ ବଳି, ଅର୍ଥାତ୍ ତାହାଙ୍କ ନାମ ସ୍ୱୀକାରକାରୀ ଓଷ୍ଠାଧରର ଫଳ ନିତ୍ୟ ଉତ୍ସର୍ଗ କରୁ। 16 ପରୋପକାର ଓ ଦାନ କରିବାକୁ ପାସୋର ନାହିଁ, କାରଣ ଏହିପରି ବଳିରେ ଈଶ୍ବରଙ୍କର ପରମ ସନ୍ତୋଷ। 17 ତୁମ୍ଭମାନଙ୍କ ନେତାମାନଙ୍କର ବାଧ୍ୟ ହୋଇ ସେମାନଙ୍କର ବଶୀଭୂତ ହୁଅ, କାରଣ ଯେଉଁମାନଙ୍କୁ ନିକାଶ ଦେବାକୁ ହେବ, ସେମାନଙ୍କ ସଦୃଶ ସେମାନେ ତୁମ୍ଭମାନଙ୍କ ଆତ୍ମା ସମ୍ବନ୍ଧରେ ପ୍ରହରୀକର୍ମ କରନ୍ତି, ଯେପରି ସେମାନେ ତାହା ଦୁଃଖରେ ନ କରି ଆନନ୍ଦରେ କରିପାରନ୍ତି; ଦୁଃଖରେ କଲେ, ତୁମ୍ଭମାନଙ୍କର କିଛି ଲାଭ ନାହିଁ। 18 ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର, କାରଣ ଆମ୍ଭମାନଙ୍କର ବିଶ୍ୱାସ ଯେ, ଆମ୍ଭମାନଙ୍କର ସୁବିବେକ ଅଛି, ଯେଣୁ ସମସ୍ତ ବିଷୟରେ ସଦାଚରଣ କରିବାକୁ ଆମ୍ଭେମାନେ ଇଚ୍ଛା କରୁଅଛୁ। 19 ଆଉ ମୁଁ ଯେପରି ଶୀଘ୍ର ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇପାରିବି, ଏଥିନିମନ୍ତେ ପ୍ରାର୍ଥନା କରିବାକୁ ତୁମ୍ଭମାନଙ୍କୁ ବିଶେଷ ଭାବରେ ଅନୁରୋଧ କରୁଅଛି।