3 ପୁଣି, ସେମାନେ ନାନା ଦେଶୀୟ ଲୋକମାନଙ୍କ ସକାଶୁ ଭୀତ ହେବାରୁ ଯଜ୍ଞବେଦିକୁ ତହିଁର ଭିତ୍ତିମୂଳ ଉପରେ ସ୍ଥାପନ କଲେ; ଆଉ, ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି, ଅର୍ଥାତ୍, ପ୍ରଭାତୀୟ ଓ ସନ୍ଧ୍ୟାକାଳୀନ ହୋମବଳି ଉତ୍ସର୍ଗ କଲେ। 4 ଏଥିଉତ୍ତାରେ ସେମାନେ ଲିଖନାନୁସାରେ ପତ୍ରକୁଟୀର ପର୍ବ ପାଳନ କଲେ ଓ ପ୍ରତିଦିନର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ବିଧିମତେ ସଂଖ୍ୟାନୁସାରେ ପ୍ରାତ୍ୟହିକ ହୋମବଳି ଉତ୍ସର୍ଗ କଲେ; 5 ଏଥିଉତ୍ତାରେ ସେମାନେ ନିତ୍ୟ ହୋମବଳି, ଆଉ ଅମାବାସ୍ୟାର ଓ ସଦାପ୍ରଭୁଙ୍କ ପବିତ୍ରୀକୃତ ସକଳ ନିରୂପିତ ପର୍ବର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଉତ୍ସର୍ଗକାରୀ ପ୍ରତ୍ୟେକ ଲୋକର ଉପହାର ଉତ୍ସର୍ଗ କରିବାକୁ ଲାଗିଲେ। 6 ସପ୍ତମ ମାସର ପ୍ରଥମ ଦିନଠାରୁ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବାକୁ ଆରମ୍ଭ କଲେ; ମାତ୍ର ସେସମୟରେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପିତ ହୋଇ ନ ଥିଲା।
10 ଆଉ, ନିର୍ମାଣକାରୀମାନେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାଇବା ବେଳେ ସେମାନେ ଇସ୍ରାଏଲର ରାଜା ଦାଉଦଙ୍କ ନିରୂପଣାନୁସାରେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ନିଜ ନିଜ ବସ୍ତ୍ର ପରିହିତ ଯାଜକମାନଙ୍କୁ ତୂରୀ ସହିତ ଓ ଆସଫର ସନ୍ତାନ ଲେବୀୟଗଣଙ୍କୁ କରତାଳ ସହିତ ସ୍ଥାପନ କଲେ। 11 ପୁଣି, ସେମାନେ ସଦାପ୍ରଭୁଙ୍କୁ ପ୍ରଶଂସା ଓ ଧନ୍ୟବାଦ ଦେଇ ଏକଆରେକ ପ୍ରତି ଗାନ କରି କହିଲେ, “ସେ ମଙ୍ଗଳମୟ, ଯେହେତୁ ଇସ୍ରାଏଲ ପ୍ରତି ତାହାଙ୍କର କରୁଣା ଅନନ୍ତକାଳସ୍ଥାୟୀ।” ଆଉ, ସଦାପ୍ରଭୁଙ୍କ ଗୃହର ଭିତ୍ତିମୂଳ ବସାଯିବା ସକାଶୁ ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବା ବେଳେ ସମଗ୍ର ଲୋକ ଉଚ୍ଚସ୍ୱରରେ ଜୟଧ୍ୱନି କଲେ। 12 ମାତ୍ର ଯେଉଁ ଯାଜକ ଓ ଲେବୀୟ ଓ ପିତୃବଂଶର ପ୍ରଧାନ ପ୍ରାଚୀନ ଲୋକମାନେ ପ୍ରଥମ ଗୃହ ଦେଖିଥିଲେ, ସେମାନଙ୍କ ଦୃଷ୍ଟିଗୋଚରରେ ଏହି ଗୃହର ଭିତ୍ତିମୂଳ ବସାଯିବା ବେଳେ ସେମାନଙ୍କ ମଧ୍ୟରୁ ଅନେକେ ଉଚ୍ଚସ୍ୱରରେ ରୋଦନ କଲେ ଓ ଅନେକେ ଆନନ୍ଦ ସକାଶୁ ଜୟଧ୍ୱନି କଲେ; 13 ତହିଁରେ ଲୋକମାନେ ଆନନ୍ଦ ଧ୍ୱନିର ଓ ଜନତାର କ୍ରନ୍ଦନ ଶବ୍ଦର ପ୍ରଭେଦ କରି ପାରିଲେ ନାହିଁ; ଯେଣୁ ଲୋକମାନେ ଉଚ୍ଚସ୍ୱରରେ ମହାଧ୍ୱନି କଲେ, ଆଉ ତହିଁର ଶବ୍ଦ ଅତି ଦୂରକୁ ଶୁଣାଗଲା।
<- ଏଜ୍ରା 2ଏଜ୍ରା 4 ->