10 ଆଉ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ବିଜ୍ଞମନା ଲୋକ ଆସି ସଦାପ୍ରଭୁଙ୍କର ଆଦିଷ୍ଟ ସକଳ ବସ୍ତୁ ନିର୍ମାଣ କରନ୍ତୁ, 11 ଅର୍ଥାତ୍, ଆବାସ, ତହିଁର ତମ୍ବୁ, ଛାତ, ଆଙ୍କୁଡ଼ା, ପଟା, ଅର୍ଗଳ, ସ୍ତମ୍ଭ ଓ ଚୁଙ୍ଗୀ, 12 ପୁଣି, ସିନ୍ଦୁକ, ତହିଁର ସାଙ୍ଗୀ, ପାପାଚ୍ଛାଦନ ଓ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର, 13 ପୁଣି, ମେଜ, ତହିଁର ସାଙ୍ଗୀ, ପାତ୍ରସକଳ ଓ ଦର୍ଶନୀୟ ରୁଟି, 14 ପୁଣି, ଦୀପ୍ତି ନିମନ୍ତେ ଦୀପବୃକ୍ଷ, ତହିଁର ପାତ୍ର, ପ୍ରଦୀପ ଓ ଦୀପାର୍ଥକ ତୈଳ, 15 ପୁଣି, ଧୂପବେଦି, ତହିଁର ସାଙ୍ଗୀ, ଅଭିଷେକାର୍ଥକ ତୈଳ, ସୁଗନ୍ଧି ଧୂପ ଓ ଆବାସ ପ୍ରବେଶ ଦ୍ୱାରର ଆଚ୍ଛାଦନ ବସ୍ତ୍ର, 16 ପୁଣି, ହୋମବେଦି, ତହିଁର ପିତ୍ତଳ-ଝାଞ୍ଜିରୀ, ସାଙ୍ଗୀ, ପାତ୍ରସକଳ, ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠିକି, 17 ପୁଣି, ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ, ଚୁଙ୍ଗୀ ଓ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର, 18 ପୁଣି, ଆବାସର କଣ୍ଟା, ପ୍ରାଙ୍ଗଣର କଣ୍ଟା ଓ ଉଭୟର ରଜ୍ଜୁ, 19 ପୁଣି, ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର, ଅର୍ଥାତ୍, ହାରୋଣ ଯାଜକଙ୍କ ନିମନ୍ତେ ପବିତ୍ର ବସ୍ତ୍ର ଓ ଯାଜକ କର୍ମ ନିମନ୍ତେ ତାଙ୍କର ପୁତ୍ରମାନଙ୍କର ବସ୍ତ୍ର, ଏହି ସମସ୍ତ ପ୍ରସ୍ତୁତ କରିବ।”
20 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ମୋଶାଙ୍କ ସମ୍ମୁଖରୁ ପ୍ରସ୍ଥାନ କଲେ। 21 ପୁଣି, ଯାହାର ମନ ଯାହାକୁ ପ୍ରବର୍ତ୍ତାଇଲା ଓ ଯାହାର ଆତ୍ମା ଯାହାକୁ ଇଚ୍ଛୁକ କଲା, ସେମାନେ ସମାଗମ-ତମ୍ବୁ ନିର୍ମାଣ ନିମନ୍ତେ ଓ ତତ୍ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଓ ପବିତ୍ର ବସ୍ତ୍ର ନିମନ୍ତେ ସଦାପ୍ରଭୁଙ୍କର ଉପହାର ଆଣିଲେ। 22 ପୁଣି, ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ୱଚ୍ଛନ୍ଦମନା ଥିଲେ, ସେସମସ୍ତେ ଆସି ଉରୋମଣି, କୁଣ୍ଡଳ, ଅଙ୍ଗୁରୀୟ ଓ ହାର ପ୍ରଭୃତି ସ୍ୱର୍ଣ୍ଣ ଅଳଙ୍କାରସବୁ ଆଣିଲେ; ପ୍ରତ୍ୟେକ ଜଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱର୍ଣ୍ଣର ଉପହାର ଉତ୍ସର୍ଗ କଲେ। 23 ପୁଣି, ଯେଉଁମାନଙ୍କ ନିକଟରେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ, ଶୁଭ୍ର କ୍ଷୌମସୂତ୍ର, ଛାଗର ଲୋମ, ରକ୍ତୀକୃତ ମେଷ ଚର୍ମ ଓ ଶିଶୁକ ଚର୍ମ ଥିଲା, ସେମାନେ ପ୍ରତ୍ୟେକେ ତାହା ଆଣିଲେ। 24 ପୁଣି, ଯେ ରୂପାର କି ପିତ୍ତଳର ଉପହାର ଉତ୍ସର୍ଗ କଲା, ସେ ସଦାପ୍ରଭୁଙ୍କର ଉପହାର ଆଣିଲା; ଆଉ ଯାହା ନିକଟରେ ସେବାର କୌଣସି କର୍ମ ନିମନ୍ତେ ଶିଟୀମ୍ କାଷ୍ଠ ଥିଲା, ସେ ତାହା ଆଣିଲା। 25 ବୁଦ୍ଧିମତୀ ସ୍ତ୍ରୀମାନେ ଆପଣା ଆପଣା ହସ୍ତରେ ସୂତା କାଟି ନୀଳ ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ର ଆଣିଲେ। 26 ପୁଣି, ଯେଉଁ ସ୍ତ୍ରୀମାନଙ୍କର ମନ ଜ୍ଞାନରେ ପ୍ରବୃତ୍ତ ହେଲା, ସେସମସ୍ତେ ଛାଗ ଲୋମର ସୂତା କାଟିଲେ। 27 ପୁଣି, ଅଧ୍ୟକ୍ଷଗଣ ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକାଦି ଖଚନାର୍ଥକ ମଣି, 28 ଆଉ ଦୀପ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧଦ୍ରବ୍ୟ ଓ ତୈଳ ଆଣିଲେ। 29 ଇସ୍ରାଏଲ-ସନ୍ତାନଗଣ ସ୍ୱେଚ୍ଛାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଆଣିଲେ; ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯାହା ଯାହା କରିବାକୁ ଆଜ୍ଞା ଦେଇଥିଲେ, ତହିଁର କୌଣସି ପ୍ରକାର କର୍ମ କରିବା ପାଇଁ ଯେଉଁ ଯେଉଁ ପୁରୁଷ ଓ ସ୍ତ୍ରୀମାନଙ୍କର ମନ ସେମାନଙ୍କୁ ଇଚ୍ଛୁକ କଲା, ସେମାନେ ପ୍ରତ୍ୟେକେ ଉପହାର ଆଣିଲେ।