10 ଆହୁରି, ମୁଁ ଦୁଷ୍ଟମାନଙ୍କୁ କବରପ୍ରାପ୍ତ ହେବା ଦେଖିଲି; ପୁଣି ଯଥାର୍ଥ କର୍ମକାରୀମାନେ ପବିତ୍ର ସ୍ଥାନକୁ ଗଲେ ଓ ନଗରରୁ ବିସ୍ମୃତ ହେଲେ;[a] ଏହା ହିଁ ଅସାର ଦେଖିଲି। 11 କୁକର୍ମ ବିରୁଦ୍ଧରେ ଦଣ୍ଡାଜ୍ଞା ଅତି ଶୀଘ୍ର ସମ୍ପାଦନ ନ ହେବାରୁ ମନୁଷ୍ୟ-ସନ୍ତାନମାନଙ୍କ ଅନ୍ତଃକରଣ କୁକର୍ମ କରିବାକୁ ସମ୍ପୂର୍ଣ୍ଣ ଆସକ୍ତ ହୁଏ। 12 ଯଦ୍ୟପି ପାପୀ ଶହେ ଥର ଦୁଷ୍କର୍ମ କରି ଦୀର୍ଘଜୀବୀ ହୁଏ, ତଥାପି ମୁଁ ନିଶ୍ଚୟ ଜାଣେ ଯେ, ପରମେଶ୍ୱରଙ୍କ ଭୟକାରୀମାନେ ତାହାଙ୍କ ଛାମୁରେ ଭୀତ ହୁଅନ୍ତି ବୋଲି ସେମାନଙ୍କର ମଙ୍ଗଳ ହେବ; 13 ମାତ୍ର ଦୁଷ୍ଟର ମଙ୍ଗଳ ହେବ ନାହିଁ, କିଅବା ସେ ଆପଣା ଛାୟା ସ୍ୱରୂପ ପରମାୟୁ ବୃଦ୍ଧି କରିବ ନାହିଁ; କାରଣ ସେ ପରମେଶ୍ୱରଙ୍କ ଛାମୁରେ ଭୀତ ନୁହେଁ।
14 ପୃଥିବୀରେ ଏହି ଗୋଟିଏ ଅସାରତା ସାଧିତ ହୁଏ; କେବେ କେବେ ଧାର୍ମିକମାନଙ୍କୁ ଦୁଷ୍ଟମାନଙ୍କ କର୍ମାନୁଯାୟୀ ଫଳ ଘଟେ, ପୁଣି କେବେ କେବେ ଦୁଷ୍ଟମାନଙ୍କୁ ଧାର୍ମିକମାନଙ୍କ କର୍ମାନୁଯାୟୀ ଫଳ ଘଟେ; ମୁଁ କହିଲି, ଏହା ହିଁ ଅସାର।
15 ତହୁଁ ମୁଁ ଆନନ୍ଦର ପ୍ରଶଂସା କଲି, କାରଣ ଭୋଜନ ଓ ପାନ ଓ ଆନନ୍ଦ କରିବା ଅପେକ୍ଷା ସୂର୍ଯ୍ୟ ତଳେ ମନୁଷ୍ୟ ପ୍ରତି ଆଉ କୌଣସି ଉତ୍ତମ ବିଷୟ ନାହିଁ; ଯେଣୁ ସେ ସୂର୍ଯ୍ୟ ତଳେ ପରମେଶ୍ୱରଙ୍କ ଦତ୍ତ ତାହାର ପରମାୟୁ ମଧ୍ୟରେ ଯେଉଁ ଯେଉଁ ପରିଶ୍ରମ କରେ, ସେହି ସବୁରେ ଏହା ହିଁ ତାହାର ସହବର୍ତ୍ତୀ ହେବ।
16 ଯେତେବେଳେ ମୁଁ ଜ୍ଞାନର ତତ୍ତ୍ୱ ଜାଣିବାକୁ ଓ ପୃଥିବୀରେ ସାଧିତ କାର୍ଯ୍ୟ ଦେଖିବାକୁ ମନୋଯୋଗ କଲି (କାରଣ ଦିବାରାତ୍ର ଯାହାର ଚକ୍ଷୁ ନିଦ୍ରା ଦେଖେ ନାହିଁ, ଏପରି ଲୋକ ମଧ୍ୟ ଅଛନ୍ତି); 17 ସେତେବେଳେ ମୁଁ ପରମେଶ୍ୱରଙ୍କର ସକଳ କାର୍ଯ୍ୟ ବିଷୟ ଦେଖିଲି ଯେ, ମନୁଷ୍ୟ ସୂର୍ଯ୍ୟ ତଳେ ସାଧିତ କାର୍ଯ୍ୟର ତତ୍ତ୍ୱ ପାଇ ନ ପାରେ; କାରଣ ତାହା ଅନ୍ଵେଷଣ କରିବା ପାଇଁ ମନୁଷ୍ୟ ଯେତେ ପରିଶ୍ରମ କଲେ ହେଁ ତାହା ପାଇ ପାରିବ ନାହିଁ; ଆହୁରି, ଜ୍ଞାନୀ ଲୋକ ତାହା ଜାଣିବାକୁ ଚିନ୍ତା କଲେ ହେଁ ତହିଁର ତତ୍ତ୍ୱ ପାଇବାକୁ ସମର୍ଥ ହେବ ନାହିଁ।
<- ଉପଦେଶକ 7ଉପଦେଶକ 9 ->- a ନଗରରୁ ବିସ୍ମୃତ ହେଲେ; କିଅବା ନଗରରେ ପ୍ରଶଂସିତ ହେଲେ