17 ଯେବେ ତୁମ୍ଭେ ଆପଣା ମନେ ମନେ କହିବ, “ଏହି ଗୋଷ୍ଠୀୟ ଲୋକମାନେ ଆମ୍ଭଠାରୁ ଅଧିକ; ଆମ୍ଭେ କିପରି ସେମାନଙ୍କୁ ଅଧିକାରଚ୍ୟୁତ କରି ପାରିବା?” ତଥାପି ତୁମ୍ଭେ ସେମାନଙ୍କଠାରୁ ଭୀତ ହେବ ନାହିଁ। 18 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଫାରୋ ଓ ସମସ୍ତ ମିସର ପ୍ରତି ଯେଉଁ ଯେଉଁ କର୍ମ କରିଅଛନ୍ତି; 19 ତୁମ୍ଭେ ନିଜ ଆଖିରେ ଯେଉଁ ମହା ମହା ପରଖ ଦେଖିଅଛ, ଯେଉଁ ଯେଉଁ ଚିହ୍ନ, ଆଶ୍ଚର୍ଯ୍ୟକ୍ରିୟା, ପରାକ୍ରାନ୍ତ ହସ୍ତ ଓ ବିସ୍ତାରିତ ବାହୁ ଦ୍ୱାରା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ବାହାର କରି ଆଣିଅଛନ୍ତି, ତାହାସବୁ ଉତ୍ତମ ରୂପେ ସ୍ମରଣ କରିବ। ତୁମ୍ଭେ ଯେଉଁମାନଙ୍କୁ ଭୟ କରୁଅଛ, ସେସମସ୍ତ ଲୋକଙ୍କ ପ୍ରତି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେହିପରି କରିବେ। 20 ଆହୁରି ଯେଉଁମାନେ ଅବଶିଷ୍ଟ ରହିବେ ଓ ଆପଣାମାନଙ୍କୁ ଲୁଚାଇ ରଖିବେ, ସେମାନେ ତୁମ୍ଭ ସମ୍ମୁଖରୁ ବିନଷ୍ଟ ନ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କ ମଧ୍ୟକୁ ବିରୁଡ଼ି[a] ପଠାଇବେ। 21 ତୁମ୍ଭେ ସେମାନଙ୍କଠାରୁ ଭୟଯୁକ୍ତ ହେବ ନାହିଁ, କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ମଧ୍ୟବର୍ତ୍ତୀ, ସେ ମହାନ ଓ ଭୟଙ୍କର ପରମେଶ୍ୱର ଅଟନ୍ତି। 22 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେହି ଗୋଷ୍ଠୀୟ ଲୋକମାନଙ୍କୁ ଅଳ୍ପ ଅଳ୍ପ କରି କାଢ଼ି ଦେବେ; ତୁମ୍ଭେ ସେମାନଙ୍କୁ ଏକାବେଳେ ବିନାଶ କରିବ ନାହିଁ, କଲେ ବନ ପଶୁମାନେ ତୁମ୍ଭ ପ୍ରତିକୂଳରେ ବଢ଼ି ଉଠିବେ। 23 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଆଗରେ ସେମାନଙ୍କୁ ସମର୍ପଣ କରିବେ ଓ ସେମାନେ ବିନଷ୍ଟ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ମହାବ୍ୟାକୁଳତାରେ ବ୍ୟାକୁଳ କରିବେ। 24 ଆଉ ସେ ସେମାନଙ୍କ ରାଜାଗଣକୁ ତୁମ୍ଭ ହସ୍ତରେ ସମର୍ପଣ କରିବେ, ତହିଁରେ ତୁମ୍ଭେ ଆକାଶମଣ୍ଡଳର ତଳୁ ସେମାନଙ୍କ ନାମ ଲୋପ କରିବ; ତୁମ୍ଭେ ସେମାନଙ୍କୁ ବିନାଶ କରିବା ପର୍ଯ୍ୟନ୍ତ କେହି ତୁମ୍ଭ ସମ୍ମୁଖରେ ଠିଆ ହେବାକୁ ସମର୍ଥ ହେବ ନାହିଁ। 25 ତୁମ୍ଭେମାନେ ସେମାନଙ୍କ ଦେବଗଣର ଖୋଦିତ ପ୍ରତିମାସକଳ ଅଗ୍ନିରେ ଦଗ୍ଧ କରିବ; ତୁମ୍ଭେ ଯେପରି ଫାନ୍ଦରେ ନ ପଡ଼ିବ, ଏଥିପାଇଁ ସେହି ସବୁରେ ଥିବା ରୂପା କି ସୁନା ପ୍ରତି ଲୋଭ କରିବ ନାହିଁ, କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ, କାରଣ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣିତ ବସ୍ତୁ; 26 ପୁଣି ତୁମ୍ଭେ ସେହି ଘୃଣିତ ବସ୍ତୁ ଆପଣା ଗୃହକୁ ଆଣିବ ନାହିଁ, ଆଣିଲେ ତାହା ତୁଲ୍ୟ ବର୍ଜିତ ହେବ; ତୁମ୍ଭେ ତାହା ଅତିଶୟ ଘୃଣା କରିବ ଓ ଅତିଶୟ ତୁଚ୍ଛଜ୍ଞାନ କରିବ; ଯେହେତୁ ତାହା ବର୍ଜନୀୟ ବସ୍ତୁ।
<- ଦ୍ୱିତୀୟ ବିବରଣ 6ଦ୍ୱିତୀୟ ବିବରଣ 8 ->- a କିଅବା ମହାମାରୀ