10 ଯେତେବେଳେ ତୁମ୍ଭେ ଯୁଦ୍ଧ କରିବା ପାଇଁ କୌଣସି ନଗରର ନିକଟବର୍ତ୍ତୀ ହେବ, ସେତେବେଳେ ତହିଁ ପ୍ରତି ସନ୍ଧିର କଥା ଘୋଷଣା କରିବ। 11 ତହିଁରେ ସେ ଯେବେ ସନ୍ଧିରେ ସମ୍ମତ ହୋଇ ତୁମ୍ଭ ନିମନ୍ତେ ଦ୍ୱାର ଫିଟାଇ ଦିଏ, ତେବେ ତହିଁ ମଧ୍ୟରେ ଯେତେ ଲୋକ ଦେଖାଯିବେ, ସେମାନେ ତୁମ୍ଭର ଦାସ ହେବେ ଓ ତୁମ୍ଭର ସେବା କରିବେ। 12 ମାତ୍ର ଯଦି ସେ ତୁମ୍ଭ ସହିତ ସନ୍ଧି ନ କରି ତୁମ୍ଭ ସହିତ ଯୁଦ୍ଧ କରେ, ତେବେ ତୁମ୍ଭେ ସେହି ନଗର ଅବରୋଧ କରିବ। 13 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେତେବେଳେ ତାହା ତୁମ୍ଭ ହସ୍ତରେ ସମର୍ପଣ କରିବେ, ସେତେବେଳେ ତୁମ୍ଭେ ତହିଁର ସମସ୍ତ ପୁରୁଷଙ୍କୁ ଖଡ୍ଗଧାରରେ ବଧ କରିବ। 14 ମାତ୍ର ତୁମ୍ଭେ ସ୍ତ୍ରୀମାନଙ୍କୁ, ବାଳକମାନଙ୍କୁ, ପଶୁମାନଙ୍କୁ ଓ ନଗରର ସର୍ବସ୍ୱ ଆପଣା ନିମନ୍ତେ ଲୁଟ ସ୍ୱରୂପ ଗ୍ରହଣ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଶତ୍ରୁମାନଙ୍କର ଯେଉଁ ଲୁଟ ତୁମ୍ଭଙ୍କୁ ଦିଅନ୍ତି, ତାହା ଭୋଜନ କରିବ। 15 ଯେଉଁ ଯେଉଁ ନଗର ଏହି ଗୋଷ୍ଠୀୟ ଲୋକମାନଙ୍କର ନୁହେଁ, ତୁମ୍ଭଠାରୁ ଅତି ଦୂରବର୍ତ୍ତୀ ଏପରି ସମସ୍ତ ନଗର ପ୍ରତି ଏହି ପ୍ରକାର କରିବ। 16 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ଲୋକମାନଙ୍କର ଯେଉଁ ଯେଉଁ ନଗର ତୁମ୍ଭର ଅଧିକାର ପାଇଁ ଦିଅନ୍ତି, ତୁମ୍ଭେ ତହିଁ ମଧ୍ୟରେ ନିଃଶ୍ୱାସଧାରୀ କାହାରିକୁ ଜୀବିତ ରଖିବ ନାହିଁ। 17 ମାତ୍ର ତୁମ୍ଭ ପ୍ରତି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଜ୍ଞାନୁସାରେ ତୁମ୍ଭେ ସେମାନଙ୍କୁ ହିତ୍ତୀୟ, ଇମୋରୀୟ, କିଣାନୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବ। 18 ନୋହିଲେ କେଜାଣି, ସେମାନେ ଆପଣା ଆପଣା ଦେବତାମାନଙ୍କ ଉଦ୍ଦେଶ୍ୟରେ ଯେଉଁସବୁ ଘୃଣାଯୋଗ୍ୟ କର୍ମ କରିଅଛନ୍ତି, ତଦନୁସାରେ କରିବା ପାଇଁ ତୁମ୍ଭମାନଙ୍କୁ ଶିଖାଇବେ; ତହିଁରେ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିବ।
19 ଯେତେବେଳେ ତୁମ୍ଭେ କୌଣସି ନଗର ହସ୍ତଗତ କରିବା ପାଇଁ ଯୁଦ୍ଧ କରି ବହୁ କାଳ ତାହା ଅବରୋଧ କରିବ, ସେତେବେଳେ ତୁମ୍ଭେ କୁହ୍ରାଡ଼ି ଦ୍ୱାରା ସେଠାରେ ଥିବା ବୃକ୍ଷଗୁଡ଼ିକୁ ହାଣିବ ନାହିଁ; ତୁମ୍ଭେ ତହିଁରୁ ଭୋଜନ କରି ପାରିବ, ଏଣୁ ତାହା କାଟିବ ନାହିଁ; କାରଣ କ୍ଷେତ୍ରର ବୃକ୍ଷ ମନୁଷ୍ୟ ଜୀବନର ଆଧାର ହୋଇଥିବାରୁ ତାହା ତୁମ୍ଭ ସାକ୍ଷାତରେ ଅବରୁଦ୍ଧ ହେବ ନାହିଁ। 20 କେବଳ ଯେଉଁ ବୃକ୍ଷ ଖାଦ୍ୟ ନିମନ୍ତେ ନୁହେଁ ବୋଲି ଜାଣ, ତାହା ତୁମ୍ଭେ ନଷ୍ଟ କରିବ ଓ କାଟିବ; ଆଉ ତୁମ୍ଭ ସହିତ ଯୁଦ୍ଧକାରୀ ନଗର ପରାଜିତ ହେବା ପର୍ଯ୍ୟନ୍ତ ତହିଁ ବିରୁଦ୍ଧରେ ଅବରୋଧକ ଉପାୟ ନିର୍ମାଣ କରିବ।
<- ଦ୍ୱିତୀୟ ବିବରଣ 19ଦ୍ୱିତୀୟ ବିବରଣ 21 ->