7 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ତୁମ୍ଭର ସେହି ଦେଶସ୍ଥିତ କୌଣସି ନଗର-ଦ୍ୱାରରେ ଯେବେ ତୁମ୍ଭ ଭାଇମାନଙ୍କ ମଧ୍ୟରେ କେହି ଦରିଦ୍ର ଥାଏ, ତେବେ ତୁମ୍ଭେ ଆପଣା ହୃଦୟ କଠିନ କରିବ ନାହିଁ, କିଅବା ଆପଣା ଦରିଦ୍ର ଭାଇ ପ୍ରତି ଆପଣା ହସ୍ତ ରୁଦ୍ଧ କରିବ ନାହିଁ; 8 ମାତ୍ର ତୁମ୍ଭେ ତାହା ପ୍ରତି ନିଶ୍ଚୟ ଆପଣା ହସ୍ତ ମୁକ୍ତ କରିବ, ପୁଣି ଯାହା ସେ ଚାହେଁ, ତାହାର ପ୍ରୟୋଜନାନୁସାରେ ତୁମ୍ଭେ ତାହା ଯଥେଷ୍ଟ ରୂପେ ତାହାକୁ ନିଶ୍ଚୟ ଋଣ ଦେବ। 9 “ସପ୍ତମ ବର୍ଷ, ଋଣକ୍ଷମାର ବର୍ଷ ନିକଟବର୍ତ୍ତୀ,” ଏହା କହି ଯେପରି ତୁମ୍ଭ ହୃଦୟରେ ମନ୍ଦ ଚିନ୍ତା ନ ହୁଏ ଓ ତୁମ୍ଭ ଦରିଦ୍ର ଭାଇ ପ୍ରତି ତୁମ୍ଭର କୁଦୃଷ୍ଟି ହେବା ସକାଶୁ ତୁମ୍ଭେ ତାହାକୁ କିଛି ନ ଦିଅ, ଏ ବିଷୟରେ ସାବଧାନ ହୁଅ; କାରଣ ସେ ତୁମ୍ଭ ପ୍ରତିକୂଳରେ ସଦାପ୍ରଭୁଙ୍କୁ ଡାକ ପକାଇଲେ, ତୁମ୍ଭର ପାପ ହେବ। 10 ତୁମ୍ଭେ ତାହାକୁ ଅବଶ୍ୟ ଦେବ, ପୁଣି ତାହାକୁ ଦେବା ବେଳେ ତୁମ୍ଭର ହୃଦୟ ଦୁଃଖିତ ହେବ ନାହିଁ; କାରଣ ସେହି କର୍ମ ସକାଶୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ କର୍ମରେ ଓ ତୁମ୍ଭେ ଯେଉଁ ଯେଉଁ ବିଷୟରେ ହାତ ଦିଅ, ସେସବୁରେ ତୁମ୍ଭକୁ ଆଶୀର୍ବାଦ କରିବେ। 11 କାରଣ ଦେଶରୁ ଦରିଦ୍ରମାନେ କେବେ ହେଁ ଲୋପ ପାଇବେ ନାହିଁ; ଏନିମନ୍ତେ ମୁଁ ତୁମ୍ଭକୁ ଆଜ୍ଞା ଦେଇ କହୁଅଛି, “ତୁମ୍ଭେ ନିଶ୍ଚୟ ଆପଣା ଦେଶସ୍ଥ ଭାଇ ପ୍ରତି, ଆପଣା ଦୁଃଖୀ ପ୍ରତି ଓ ଆପଣା ଦୀନହୀନ ପ୍ରତି ଆପଣା ହସ୍ତ ମୁକ୍ତ କରିବ।
12 ଯେବେ ତୁମ୍ଭ ଭାଇ, କୌଣସି ଏବ୍ରୀୟ ପୁରୁଷ, କି ଏବ୍ରୀୟା ସ୍ତ୍ରୀ, ତୁମ୍ଭ ନିକଟରେ ବିକାଯାଏ ଓ ଛଅ ବର୍ଷ ତୁମ୍ଭର ସେବା କରେ; ତେବେ ସପ୍ତମ ବର୍ଷରେ ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାୟ କରିବ। 13 ମାତ୍ର ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାୟ କରିବା ବେଳେ ଖାଲି ହାତରେ ଯିବାକୁ ଦେବ ନାହିଁ। 14 ତୁମ୍ଭେ ଆପଣା ପଲରୁ, ଆପଣା ଖଳାରୁ ଓ ଆପଣା ଦ୍ରାକ୍ଷାଯନ୍ତ୍ରରୁ ତାହାକୁ ଉଦାର ଭାବରେ ଯଥେଷ୍ଟ ଦାନ ଦେବ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବା ଅନୁସାରେ ତାହାକୁ ଦାନ କରିବ।” 15 ତୁମ୍ଭେ ସ୍ମରଣ କରିବ ଯେ, ତୁମ୍ଭେ ମିସର ଦେଶରେ ବନ୍ଧାଦାସ ହୋଇଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ମୁକ୍ତ କଲେ; ଏନିମନ୍ତେ ମୁଁ ଆଜି ତୁମ୍ଭକୁ ଏହି ଆଜ୍ଞା ଦେଉଅଛି। 16 ମାତ୍ର ତୁମ୍ଭ ନିକଟରେ ସୁଖରେ ରହିବାରୁ ସେ ଯଦି ତୁମ୍ଭକୁ ଓ ତୁମ୍ଭ ପରିବାରକୁ ସ୍ନେହ କରି କହେ, “ମୁଁ ତୁମ୍ଭକୁ ଛାଡ଼ି ଯିବି ନାହିଁ;” 17 ତେବେ ତୁମ୍ଭେ ଏକ ବିନ୍ଧଣୀ ନେଇ କବାଟରେ ତାହାର କର୍ଣ୍ଣ ବିନ୍ଧିବ, ତହିଁରେ ସେ ସଦାସର୍ବଦା ତୁମ୍ଭର ଦାସ ହୋଇ ରହିବ। ପୁଣି ତୁମ୍ଭେ ଆପଣା ଦାସୀ ପ୍ରତି ମଧ୍ୟ ତଦ୍ରୂପ କରିବ। 18 ତୁମ୍ଭେ ତାହାକୁ ମୁକ୍ତ କରି ବିଦାୟ କରିବା ବେଳେ ଏହା ତୁମ୍ଭ ଦୃଷ୍ଟିରେ କଠିନ ବୋଧ ନ ହେଉ; କାରଣ ସେ ଛଅ ବର୍ଷ ପର୍ଯ୍ୟନ୍ତ ଏକ ବେତନଜୀବୀର ଦ୍ୱିଗୁଣ ବେତନର ଦାସ୍ୟକର୍ମ କରିଅଛି; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସକଳ କାର୍ଯ୍ୟରେ ତୁମ୍ଭକୁ ଆଶୀର୍ବାଦ କରିବେ।