Link to home pageLanguagesLink to all Bible versions on this site

The Second Epistle of Paul the Apostle to the Thessalonians
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦ୍ୱିତୀୟ ପତ୍ର
ଲେଖକ
ପ୍ରଥମ ଥେସଲନୀକୀୟ ମଣ୍ଡଳୀ ନିକଟକୁ ପତ୍ର ପରି, ଏହି ପତ୍ର ପାଉଲ, ଶୀଲା ଏବଂ ତୀମଥିଙ୍କ ଦ୍ଵାରା ଲେଖାଯାଇଅଛି। ଏହି ପତ୍ରର ଲେଖକ ପ୍ରଥମ ଥେସଲନୀକୀୟ ଏବଂ ଅନ୍ୟ ପତ୍ର ଗୁଡ଼ିକ ଯାହା ପାଉଲ ଲେଖିଥିଲେ ସେଗୁଡ଼ିକର ଲେଖିବା ଶୈଳୀକୁ ଏହି ପତ୍ରରେ ବ୍ୟବହାର କରିଛନ୍ତି। ଏହା ପ୍ରମାଣ କରେ ଯେ ପାଉଲ ମୁଖ୍ୟ ଲେଖକ ଥିଲେ। ଶୀଲା ଏବଂ ତୀମଥି ଅଭିବାଦନରେ ସାମିଲ ହୁଅନ୍ତି (ଦ୍ଵି.ଥେସ. 1:1)। ଅଧିକାଂଶ ପଦରେ “ଆମ୍ଭେ ଲେଖୁ,” ପ୍ରକାଶ କରେ ଯେ ପାଉଲ, ଶୀଲା ଏବଂ ତୀମଥି ପରସ୍ପର ସହିତ ଏକମତ ଥିଲେ। ହାତଲେଖା ଶୈଳୀ ପାଉଲଙ୍କର ନ ଥିଲା ଯେହେତୁ ସେ କେବଳ ଶେଷ ନମସ୍କାର ଓ ପ୍ରାର୍ଥନା ଲେଖିଥିଲେ। (ଦ୍ଵି.ଥେସ. 3:17) ଏହା ପ୍ରତୀତ ହୁଏ ଯେ ପାଉଲ ଏହି ପତ୍ରକୁ ଲେଖିବା ନିମନ୍ତେ ଶୀଲା ଏବଂ ତୀମଥିଙ୍କୁ ନିର୍ଦ୍ଦେଶ ଦେଇଥିବେ।
ସମୟ ଓ ସ୍ଥାନ
ପ୍ରାୟ 51-52 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।
ପାଉଲ ଦ୍ୱିତୀୟ ଥେସଲନୀକୀୟ ପତ୍ର କରିନ୍ଥରେ ଲେଖିଥିଲେ, ଯେଉଁ ସ୍ଥାନରେ ସେ ପ୍ରଥମ ଥେସଲନୀକୀୟ ପତ୍ର ଲେଖିଥିଲେ।
ପ୍ରାପକ
ଦ୍ୱିତୀୟ ଥେସଲନୀକୀୟ 1:1 “ଥେସଲନୀକୀୟ ମଣ୍ଡଳୀର ଲୋକମାନଙ୍କୁ”, ଥେସଲନୀକୀୟ ମଣ୍ଡଳୀର ବିଶ୍ଵାସୀମାନଙ୍କୁ ଦ୍ୱିତୀୟ ପତ୍ରର ମୁଖ୍ୟ ପାଠକମାନେ ବୋଲି ପ୍ରକାଶ କରେ।
ଉଦ୍ଦେଶ୍ୟ
“ପ୍ରଭୁଙ୍କ ଦିନ” ବିଷୟରେ ଯେଉଁ ଭୁଲ ଶିକ୍ଷା ଥିଲା ତାକୁ ସଂଶୋଧନ କରିବା ନିମନ୍ତେ ଏହା ଲେଖାଯାଇଥିଲା। ବିଶ୍ୱାସରେ ବିଶ୍ଵାସୀମାନଙ୍କୁ ଦୃଢ଼ କରି ସେମାନଙ୍କୁ ପ୍ରଶଂସା ଏବଂ ଉତ୍ସାହ କରିବା ନିମନ୍ତେ ଏବଂ ଯେଉଁମାନେ ଶେଷ ସମୟ ବିଷୟରେ ଭୁଲ ଶିକ୍ଷା ଦେଉଥିଲେ ସେମାନଙ୍କୁ ପ୍ରତିରୋଧ କରିବା ନିମନ୍ତେ ଯେହେତୁ ସେମାନେ ଶିକ୍ଷା ଦେଉଥିଲେ ଯେ ପ୍ରଭୁଙ୍କ ଦିନ ପୂର୍ବରୁ ଆସିଥିଲା ତେଣୁ ପ୍ରଭୁ ଶୀଘ୍ର ଫେରିବେ ବୋଲି ଶିକ୍ଷା ଦେଇ ଏହି ଶିକ୍ଷା ମାଧ୍ୟମରେ ସେମାନେ ନିଜ ନିଜର ସ୍ୱାର୍ଥ ପୂରା କରୁଥିଲେ।
ବିଷୟବସ୍ତୁ
ଆଶାରେ ଜୀବିତ
ରୂପରେଖା
1. ଅଭିବାଦନ — 1:1, 2
2. ଦୁଃଖ ସମୟରେ ଆଶ୍ୱାସନା — 1:3-12
3. ପ୍ରଭୁଙ୍କ ଦିନ ବିଷୟରେ ସଂଶୋଧନ — 2:1-12
4. ସେମାନଙ୍କ ଲକ୍ଷ୍ୟ ବିଷୟରେ ସ୍ମାରକ — 2:13-17
5. ବ୍ୟାବହାରିକ ବିଷୟ ନିମନ୍ତେ ଉପଦେଶ — 3:1-15
6. ଶେଷ ଶୁଭେଚ୍ଛା — 3:16-18

1
ଅଭିବାଦନ
1 ପାଉଲ, ସିଲ୍ୱାନ ଓ ତୀମଥି ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଥେସଲନୀକୀ ସହରର ମଣ୍ଡଳୀ ନିକଟକୁ ପତ୍ର;

2 ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।

ଧନ୍ୟବାଦ ଜ୍ଞାପନ
3 ହେ ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ଈଶ୍ବରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମ୍ଭମାନଙ୍କ କର୍ତ୍ତବ୍ୟ, ଆଉ ତାହା ଉପଯୁକ୍ତ ଅଟେ। କାରଣ ତୁମ୍ଭମାନଙ୍କ ବିଶ୍ୱାସ ଅତିଶୟ ବୃଦ୍ଧି ପାଉଅଛି, ପୁଣି, ପରସ୍ପର ପ୍ରତି ତୁମ୍ଭ ସମସ୍ତଙ୍କ ପ୍ରତ୍ୟେକର ପ୍ରେମ ବଢ଼ୁଅଛି, 4 ଏପରିକି ତୁମ୍ଭେମାନେ ଯେଉଁ ସମସ୍ତ ତାଡ଼ନା ଓ କଷ୍ଟ ଭୋଗୁଅଛ, ସେଥିମଧ୍ୟରେ ତୁମ୍ଭମାନଙ୍କର ସହିଷ୍ଣୁତା ଓ ବିଶ୍ୱାସ ନିମନ୍ତେ ଆମ୍ଭେମାନେ ନିଜେ ଈଶ୍ବରଙ୍କ ମଣ୍ଡଳୀ-ସମୂହରେ ତୁମ୍ଭମାନଙ୍କ ବିଷୟରେ ଗର୍ବ କରିଥାଉ।
ଖ୍ରୀଷ୍ଟଙ୍କ ଆଗମନକାଳୀନ ବିଚାର
5 ଈଶ୍ବରଙ୍କ ଯେଉଁ ରାଜ୍ୟ ନିମନ୍ତେ ତୁମ୍ଭେମାନେ ଦୁଃଖ ଭୋଗୁଅଛ, ସେଥିର ଯୋଗ୍ୟ ବୋଲି ଗଣିତ ହେବା ପାଇଁ ଏହା ତ ଈଶ୍ବରଙ୍କ ଉଚିତ୍ ବିଚାରର ପ୍ରତ୍ୟକ୍ଷ ପ୍ରମାଣ, 6 କାରଣ ପ୍ରଭୁ ଯୀଶୁ ଯେତେବେଳେ ଆପଣା ଶକ୍ତିମାନ ଦୂତମାନଙ୍କ ସହିତ ଜଳୁଥିବା ଅଗ୍ନି ସହ ସ୍ୱର୍ଗରୁ ପ୍ରକାଶିତ ହେବେ, 7 ସେତେବେଳେ ତୁମ୍ଭମାନଙ୍କୁ କଷ୍ଟ ଦେଉଥିବା ଲୋକମାନଙ୍କୁ ପ୍ରତିଫଳ ଭାବରେ କ୍ଳେଶ ଦେବା ଓ କଷ୍ଟ ଭୋଗ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ସହିତ ବିଶ୍ରାମ ଦେବା, ଏହା ତ ଈଶ୍ବରଙ୍କ ପକ୍ଷରେ ନ୍ୟାୟର ବିଷୟ; 8 ଯେଉଁମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ, ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ସୁସମାଚାର ମାନନ୍ତି ନାହିଁ, ସେମାନଙ୍କୁ ସେ ସେତେବେଳେ ଦଣ୍ଡ ଦେବେ, 9 ଅର୍ଥାତ୍‍, ଯେଉଁ ଦିନ ସେ ଆପଣା ସାଧୁମାନଙ୍କ ଦ୍ୱାରା ଗୌରବାନ୍ୱିତ ହେବାକୁ ଓ ବିଶ୍ୱାସ କରିଥିବା ଲୋକସମସ୍ତଙ୍କ ଦ୍ୱାରା ଚମତ୍କାରର ଦୃଶ୍ୟସ୍ୱରୂପ ହେବାକୁ ଆସିବେ (କାରଣ ତୁମ୍ଭମାନଙ୍କ ନିକଟରେ ଆମ୍ଭମାନଙ୍କ ସାକ୍ଷ୍ୟ ତୁମ୍ଭେମାନେ ବିଶ୍ୱାସ କରିଅଛ), 10 ସେହି ଦିନ ସେମାନେ ଦଣ୍ଡ ପାଇବେ, ଅର୍ଥାତ୍‍ ପ୍ରଭୁଙ୍କ ଛାମୁରୁ ଓ ତାହାଙ୍କ ପରାକ୍ରମର ଗୌରବରୁ ଦୂରେଇ ଯାଇ ଅନନ୍ତ ବିନାଶ ଭୋଗ କରିବେ। 11 ଏଣୁ ଆମ୍ଭମାନଙ୍କ ଈଶ୍ବର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ୱାନର ଯୋଗ୍ୟ ବୋଲି ଗଣନା କରନ୍ତି, ପୁଣି ସମସ୍ତ ଉତ୍ତମତା ଓ ବିଶ୍ୱାସର କର୍ମ ଶକ୍ତିରେ ସିଦ୍ଧ କରନ୍ତି, ସେଥିପାଇଁ ମଧ୍ୟ ଆମ୍ଭେମାନେ ସର୍ବଦା ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ; 12 ତାହାହେଲେ ଆମ୍ଭମାନଙ୍କ ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଅନୁସାରେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ନାମ ତୁମ୍ଭମାନଙ୍କଠାରେ ଗୌରବାନ୍ୱିତ ହେବ, ଆଉ ତୁମ୍ଭେମାନେ ତାହାଙ୍କଠାରେ ଗୌରବାନ୍ୱିତ ହେବ।

୨ ଥେସଲନୀକୀୟ 2 ->