6 ଏହିରୂପେ ସୈନ୍ୟଦଳ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧକ୍ଷେତ୍ରକୁ ଗଲେ ଓ ଇଫ୍ରୟିମ ନାମକ ବନରେ ଯୁଦ୍ଧ ହେଲା। 7 ତହିଁରେ ଇସ୍ରାଏଲର ସୈନ୍ୟଦଳ ସେଠାରେ ଦାଉଦଙ୍କର ଦାସମାନଙ୍କ ସମ୍ମୁଖରେ ପରାସ୍ତ ହେଲେ ଓ ସେହି ଦିନ ସେଠାରେ ମହାସଂହାର ହେଲା, ପୁଣି କୋଡ଼ିଏ ହଜାର ଲୋକ ହତ ହେଲେ। 8 ଦେଶସାରା ଯୁଦ୍ଧ ବ୍ୟାପିଗଲା; ପୁଣି ସେହି ଦିନ ଖଡ୍ଗ ଗ୍ରାସ କରିବା ଅପେକ୍ଷା ବନ ଅଧିକ ଲୋକକୁ ଗ୍ରାସ କଲା।
9 ଆଉ ଅବଶାଲୋମ ଅକସ୍ମାତ୍ ଦାଉଦଙ୍କର ସୈନ୍ୟମାନଙ୍କୁ ଭେଟିଲା। ସେହି ସମୟରେ ଅବଶାଲୋମ ଖଚର ଉପରେ ଚଢ଼ିଥିଲା, ସେହି ଖଚର ଏକ ବଡ଼ ଅଲୋନ ବୃକ୍ଷର ଛନ୍ଦାଛନ୍ଦି ଶାଖା ତଳେ ଯିବାରୁ ଅବଶାଲୋମର ମସ୍ତକ ସେହି ଅଲୋନ ବୃକ୍ଷରେ ଅଟକି ରହିଲା, ତହିଁରେ ସେ ଆକାଶ ଓ ପୃଥିବୀ ମଧ୍ୟରେ ଝୁଲିଲା ଓ ଖଚର ତାହା ତଳୁ ଚାଲିଗଲା। 10 ସେତେବେଳେ ଜଣେ ତାହା ଦେଖି ଯୋୟାବକୁ କହିଲା, “ଦେଖ, ମୁଁ ଅବଶାଲୋମଙ୍କୁ ଅଲୋନ ବୃକ୍ଷରେ ଟଙ୍ଗାଥିବାର ଦେଖିଲି!” 11 ତହୁଁ ଯୋୟାବ ତାହା ଜଣାଇବା ଲୋକଙ୍କୁ କହିଲା, “ଦେଖ! ତୁମ୍ଭେ ଏହା ଦେଖିଲ, ମାତ୍ର କାହିଁକି ତୁମ୍ଭେ ସେଠାରେ ତାଙ୍କୁ ମାରି ଭୂମିରେ ପକାଇ ନ ଦେଲ? ତାହା କରିଥିଲେ, ମୁଁ ତୁମ୍ଭକୁ ଦଶ ଖଣ୍ଡ ରୂପା[a] ଓ ଏକ କଟିବନ୍ଧନ ଦେଇଥାʼନ୍ତି।” 12 ତହିଁରେ ସେହି ବ୍ୟକ୍ତି ଯୋୟାବକୁ କହିଲା, “ମୁଁ ଆପଣା ଅଞ୍ଜଳିରେ ସହସ୍ର ଖଣ୍ଡ ରୂପା[b] ପ୍ରାପ୍ତ ହେଲେ ହେଁ ସେହି ରାଜପୁତ୍ର ବିରୁଦ୍ଧରେ ଆପଣା ହସ୍ତ ପ୍ରସାର କରନ୍ତି ନାହିଁ, କାରଣ ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ରାଜା ତୁମ୍ଭକୁ ଓ ଅବୀଶୟକୁ ଓ ଇତ୍ତୟକୁ ଏହି ଆଜ୍ଞା ଦେଇଥିଲେ, ‘ତୁମ୍ଭେମାନେ କେହି ଯୁବା ଅବଶାଲୋମଙ୍କୁ ସ୍ପର୍ଶ କରିବ ନାହିଁ।’ 13 ଯଦି ମୁଁ ତାହାର ପ୍ରାଣ ବିରୁଦ୍ଧରେ ବିଶ୍ୱାସଘାତକତା କରିଥାʼନ୍ତି, ତେବେ ତୁମ୍ଭେ ନିଜେ ତ ଅଲଗା ହୋଇ ଠିଆ ହୋଇଥାʼନ୍ତ; କାରଣ ରାଜାଙ୍କଠାରୁ କୌଣସି ବିଷୟ ଗୁପ୍ତ ରହେ ନାହିଁ।” 14 ତେବେ ଯୋୟାବ କହିଲା, “ମୁଁ ଏପରି ବିଳମ୍ବ କରି ନ ପାରେ।” ତହୁଁ ସେ ଆପଣା ହସ୍ତରେ ତିନୋଟି ବର୍ଚ୍ଛା ନେଇ ଅବଶାଲୋମ ଅଲୋନ ବୃକ୍ଷରେ ଜୀବିତ ଥାଉ ଥାଉ ତାହା ଦେହରେ ବିନ୍ଧିଲା। 15 ଏଉତ୍ତାରେ ଯୋୟାବର ଅସ୍ତ୍ରବାହକ ଦଶ ଜଣ ଯୁବା ଅବଶାଲୋମଙ୍କୁ ଚାରିଆଡ଼େ ଘେରି ତାହାକୁ ଆଘାତ କରି ବଧ କଲେ।
16 ତହୁଁ ଯୋୟାବ ତୂରୀ ବଜାନ୍ତେ, ସୈନ୍ୟମାନେ ଇସ୍ରାଏଲର ପଶ୍ଚାତ୍ଗମନରୁ ବାହୁଡ଼ି ଆସିଲେ; କାରଣ ଯୋୟାବ ସୈନ୍ୟମାନଙ୍କୁ ଅଟକାଇଲା। 17 ଆଉ ସୈନ୍ୟମାନେ ଅବଶାଲୋମଙ୍କୁ ନେଇ ବନ ମଧ୍ୟରେ ଥିବା ଗର୍ତ୍ତରେ ପକାଇ ତାହା ଉପରେ ଏକ ବଡ଼ ପ୍ରସ୍ତରରାଶି କଲେ; ତହୁଁ ସମସ୍ତ ଇସ୍ରାଏଲ ଆପଣା ତମ୍ବୁକୁ ଗଲେ। 18 ଅବଶାଲୋମ ବଞ୍ଚିଥିବା ବେଳେ ରାଜାଙ୍କର ତଳଭୂମିରେ ଏକ ସ୍ତମ୍ଭ ନିର୍ମାଣ କରି ଆପଣା ପାଇଁ ସ୍ଥାପନ କରିଥିଲା; କାରଣ ସେ କହିଥିଲା, “ମୋʼ ନାମ ସ୍ମରଣରେ ରଖିବାକୁ ମୋହର ପୁତ୍ର ନାହିଁ;” ଏହେତୁ ସେ ଆପଣା ନାମାନୁସାରେ ସେହି ସ୍ତମ୍ଭର ନାମ ରଖିଲା; ସେହି ଦିନଠାରୁ ଅାଜି ପର୍ଯ୍ୟନ୍ତ ଅବଶାଲୋମର ସ୍ମରଣାର୍ଥକ ସ୍ତମ୍ଭ ବୋଲି ତହିଁର ନାମ ରହିଅଛି।
24 ଏହି ସମୟରେ ନଗରର ଦ୍ୱାରଦ୍ୱୟର ମଧ୍ୟସ୍ଥାନରେ ଦାଉଦ ବସିଥିଲେ; ଏଥିରେ ପ୍ରହରୀ ଦ୍ୱାରଛାତର କାନ୍ଥ ଉପରକୁ ଯାଇ ଅନାଇ ଦେଖନ୍ତେ, ଦେଖ, ଜଣେ ଲୋକ ଏକାକୀ ଦୌଡ଼ି ଆସୁଅଛି। 25 ତହୁଁ ପ୍ରହରୀ ଉଚ୍ଚସ୍ୱରରେ ରାଜାଙ୍କୁ ତାହା ଜଣାନ୍ତେ, ରାଜା କହିଲେ, “ଯଦି ସେ ଏକାକୀ ଅଛି, ତେବେ ତାହା ମୁଖରେ ସୁସମ୍ବାଦ ଅଛି।” ଏଥିରେ ସେ ଆସୁ ଆସୁ ସହରର ନିକଟବର୍ତ୍ତୀ ହେଲା। 26 ଏଉତ୍ତାରେ ପ୍ରହରୀ ଆଉ ଜଣକୁ ଦୌଡ଼ି ଆସୁଥିବାର ଦେଖିଲା; ତହିଁରେ ପ୍ରହରୀ ଉଚ୍ଚସ୍ୱରରେ ଦ୍ୱାରୀକୁ ଡାକି କହିଲା, “ଦେଖ, ଆଉ ଜଣେ ଏକାକୀ ଦୌଡ଼ି ଆସୁଅଛି।” ତହିଁରେ ରାଜା କହିଲେ, “ସେ ମଧ୍ୟ ସୁସମ୍ବାଦ ଆଣୁଅଛି।” 27 ଏଥିରେ ପ୍ରହରୀ କହିଲା, “ପ୍ରଥମ ଲୋକର ଦୌଡ଼ ସାଦୋକର ପୁତ୍ର ଅହୀମାସ୍ର ଦୌଡ଼ ପରି ମୋହର ବୋଧ ହୁଏ।” ତେବେ ରାଜା କହିଲେ, “ସେ ଭଲ ଲୋକ, ସେ ଭଲ ସମ୍ବାଦ ନେଇ ଆସୁଅଛି।”
28 ସେତେବେଳେ ଅହୀମାସ୍ ଡାକ ପକାଇ ରାଜାଙ୍କୁ କହିଲା, “ସବୁ ମଙ୍ଗଳ।” ତହୁଁ ସେ ରାଜାଙ୍କର ସମ୍ମୁଖରେ ମୁହଁ ମାଡ଼ି ପ୍ରଣାମ କରି କହିଲା, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ, ମୋହର ପ୍ରଭୁ ମହାରାଜଙ୍କ ବିରୁଦ୍ଧରେ ଯେଉଁ ମନୁଷ୍ୟମାନେ ହସ୍ତ ଉଠାଇଥିଲେ, ସେମାନଙ୍କୁ ସେ ସମର୍ପଣ କରିଦେଇଅଛନ୍ତି।” 29 ତହିଁରେ ରାଜା କହିଲେ, “ସେ ଯୁବା ଲୋକ ଅବଶାଲୋମର ମଙ୍ଗଳ ତ?” ତହୁଁ ଅହୀମାସ୍ ଉତ୍ତର କଲା, “ଯୋୟାବ ମହାରାଜଙ୍କ ଦାସକୁ, ଅର୍ଥାତ୍, ଆପଣଙ୍କ ଦାସ ମୋତେ ପଠାଇବା ବେଳେ ମହାଲୋକ ଗହଳି ଦେଖିଲି, ମାତ୍ର କଅଣ ହେଲା, ତାହା ଜାଣି ନାହିଁ।” 30 ଏଥିରେ ରାଜା କହିଲେ, “ଏଆଡ଼େ ଆସି ଠିଆ ହୁଅ।” ତହୁଁ ସେ ଏଆଡ଼େ ଯାଇ ଠିଆ ହେଲା।
31 ଏଥିମଧ୍ୟରେ ଦେଖ, ସେହି କୂଶୀୟ ପହଞ୍ଚି କହିଲା, “ମୋʼ ପ୍ରଭୁ ମହାରାଜଙ୍କ ପାଇଁ ସୁସମ୍ବାଦ ଅଛି; କାରଣ ଯେଉଁମାନେ ଆପଣଙ୍କ ବିରୁଦ୍ଧରେ ଉଠିଥିଲେ, ସଦାପ୍ରଭୁ ଆଜି ସେହି ସମସ୍ତଙ୍କଠାରୁ ପରିଶୋଧ ନେଇଅଛନ୍ତି।” 32 ତହିଁରେ ରାଜା ସେହି କୂଶୀୟଙ୍କୁ ପଚାରିଲେ, “ସେହି ଯୁବା ଲୋକ ଅବଶାଲୋମର ମଙ୍ଗଳ ତ?” ତହିଁରେ କୂଶୀୟ ଉତ୍ତର କଲା, “ମୋʼ ପ୍ରଭୁ ମହାରାଜଙ୍କ ଶତ୍ରୁଗଣ ଓ ଆପଣଙ୍କର ଅମଙ୍ଗଳ କରିବା ପାଇଁ ଯେଉଁମାନେ ଆପଣଙ୍କ ବିରୁଦ୍ଧରେ ଉଠନ୍ତି, ସେମାନେ ସମସ୍ତେ ସେହି ଯୁବା ଲୋକ ପରି ହେଉନ୍ତୁ।” 33 ତହିଁରେ ରାଜା ଅତି କମ୍ପିତ ହୋଇ ନଗରଦ୍ୱାର-ଉପରିସ୍ଥ କୋଠରିକୁ ଯାଇ ରୋଦନ କଲେ; ପୁଣି ସେ ଯାଉ ଯାଉ ଏପରି କହିଲେ, “ହାୟ ଆମ୍ଭର ପୁତ୍ର ଅବଶାଲୋମ! ଆମ୍ଭର ପୁତ୍ର, ଆମ୍ଭ ପୁତ୍ର ଅବଶାଲୋମ! ହୁଏତ ତୁମ୍ଭ ବଦଳେ ଆମ୍ଭେ ମରିଥାʼନ୍ତୁ, ହାୟ ଅବଶାଲୋମ! ଆମ୍ଭର ପୁତ୍ର, ଆମ୍ଭର ପୁତ୍ର!”
<- ଦ୍ୱିତୀୟ ଶାମୁୟେଲ 17ଦ୍ୱିତୀୟ ଶାମୁୟେଲ 19 ->