11 ପୁଣି ଏଥିସକାଶୁ ଅରାମୀୟ ରାଜାର ହୃଦୟ ଅତି ବ୍ୟସ୍ତ ହେଲା; ଏଣୁ ସେ ଆପଣା ଦାସମାନଙ୍କୁ ଡାକି ସେମାନଙ୍କୁ କହିଲା, “ଆମ୍ଭମାନଙ୍କ ମଧ୍ୟରୁ କିଏ ଇସ୍ରାଏଲ ରାଜାର ସପକ୍ଷ, ଏହା କʼଣ ତୁମ୍ଭେମାନେ ମୋତେ ଜଣାଇବ ନାହିଁ।” 12 ଏଥିରେ ତାହାର ଦାସମାନଙ୍କ ମଧ୍ୟରୁ ଜଣେ କହିଲା, “ନା, ହେ ମୋʼ ପ୍ରଭୋ, ମହାରାଜ, ମାତ୍ର ଆପଣ ନିଜ ଶୟନ ଗୃହରେ ଯାହା ଯାହା କହନ୍ତି, ସେସବୁ କଥା ଇସ୍ରାଏଲର ମଧ୍ୟବର୍ତ୍ତୀ ଇଲୀଶାୟ ଭବିଷ୍ୟଦ୍ବକ୍ତା ଇସ୍ରାଏଲର ରାଜାକୁ ଜଣାଏ।” 13 ତହୁଁ ଅରାମୀୟ ରାଜା କହିଲା, “ଯାଇ ଦେଖ, ଇଲୀଶାୟ କେଉଁଠାରେ ଅଛି, ତହିଁରେ ମୁଁ ଲୋକ ପଠାଇ ତାହାକୁ ଆଣିବି।” ଏଥିଉତ୍ତାରେ ତାହାକୁ ସମ୍ବାଦ ଦିଆଗଲା ଯେ, “ଦେଖନ୍ତୁ, ସେ ଦୋଥନରେ ଅଛି।” 14 ଏହେତୁ ସେ ସେସ୍ଥାନକୁ ଅଶ୍ୱଗଣ ଓ ରଥ ଓ ମହାସୈନ୍ୟଦଳ ପଠାଇଲା; ପୁଣି ସେମାନେ ରାତ୍ରିରେ ଆସି ନଗରର ଚତୁର୍ଦ୍ଦିଗ ବେଷ୍ଟନ କଲେ।
15 ଏଥିରେ ପରମେଶ୍ୱରଙ୍କ ଲୋକଙ୍କ ସେବକ ପ୍ରଭାତରେ ଉଠି ବାହାରକୁ ଯାଆନ୍ତେ, ଦେଖ, ଏକ ସୈନ୍ୟଦଳ ଅଶ୍ୱ ଓ ରଥ ସହିତ ନଗରର ଚତୁର୍ଦ୍ଦିଗ ବେଷ୍ଟନ କରିଅଛନ୍ତି। ତହୁଁ ତାଙ୍କର ଦାସ ତାଙ୍କୁ କହିଲା, “ହାୟ, ମୋହର ପ୍ରଭୋ! ଆମ୍ଭେମାନେ କଅଣ କରିବା?” 16 ତହିଁରେ ସେ ଉତ୍ତର କଲେ, “ଭୟ କର ନାହିଁ; କାରଣ ସେମାନଙ୍କ ସଙ୍ଗୀଗଣ ଅପେକ୍ଷା ଆମ୍ଭମାନଙ୍କ ସଙ୍ଗୀଗଣ ଅଧିକ।” 17 ପୁଣି ଇଲୀଶାୟ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୋ, ମୁଁ ବିନୟ କରୁଅଛି, ସେ ଯେପରି ଦେଖି ପାରିବ, ଏଥିପାଇଁ ତାହାର ଚକ୍ଷୁ ମୁକ୍ତ କର।” ପୁଣି ସଦାପ୍ରଭୁ ସେହି ଯୁବା ଲୋକର ଚକ୍ଷୁ ମୁକ୍ତ କଲେ; ଆଉ ସେ ଦେଖିଲା; ପୁଣି ଦେଖ, ପର୍ବତ ଇଲୀଶାୟଙ୍କ ଚତୁର୍ଦ୍ଦିଗରେ ଅଗ୍ନିମୟ ଅଶ୍ୱ ଓ ରଥରେ ପରିପୂର୍ଣ୍ଣ ଥିଲା। 18 ଏଥିଉତ୍ତାରେ ସୈନ୍ୟମାନେ ଇଲୀଶାୟଙ୍କ ନିକଟକୁ ଓହ୍ଲାଇ ଆସନ୍ତେ, ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ମୁଁ ବିନୟ କରୁଅଛି, ଏହି ଲୋକମାନଙ୍କୁ ଅନ୍ଧତାରେ ଆଘାତ କର।” ଏଥିରେ ସଦାପ୍ରଭୁ ଇଲୀଶାୟଙ୍କର ବାକ୍ୟାନୁସାରେ ସେମାନଙ୍କୁ ଅନ୍ଧତାରେ ଆଘାତ କଲେ। 19 ସେତେବେଳେ ଇଲୀଶାୟ ସେମାନଙ୍କୁ କହିଲେ, “ଏ ସେହି ପଥ ନୁହେଁ, କି ଏ ସେହି ନଗର ନୁହେଁ; ମୋʼ ପଛେ ପଛେ ଆସ, ତୁମ୍ଭେମାନେ ଯେଉଁ ଲୋକକୁ ଖୋଜୁଅଛ, ମୁଁ ତାହା ନିକଟକୁ ତୁମ୍ଭମାନଙ୍କୁ ନେଇଯିବି।” ତହୁଁ ଇଲୀଶାୟ ସେମାନଙ୍କୁ ଶମରୀୟାକୁ କଢ଼ାଇ ନେଲେ।
20 ଏଥିରେ ସେମାନେ ଶମରୀୟାରେ ଉପସ୍ଥିତ ହୁଅନ୍ତେ, ଇଲୀଶାୟ କହିଲେ, “ହେ ସଦାପ୍ରଭୋ, ଏ ଲୋକମାନେ ଯେପରି ଦେଖି ପାରିବେ, ଏଥିପାଇଁ ସେମାନଙ୍କ ଚକ୍ଷୁ ମୁକ୍ତ କର।” ତହୁଁ ସଦାପ୍ରଭୁ ସେମାନଙ୍କ ଚକ୍ଷୁ ମୁକ୍ତ କରନ୍ତେ, ସେମାନେ ଦେଖିଲେ, ଆଉ ଦେଖ, ସେମାନେ ଶମରୀୟାର ମଧ୍ୟରେ ଅଛନ୍ତି। 21 ତହିଁରେ ଇସ୍ରାଏଲର ରାଜା ସେମାନଙ୍କୁ ଦେଖି ଇଲୀଶାୟଙ୍କୁ କହିଲେ, “ହେ ମୋହର ପିତଃ, ମୁଁ କʼଣ ସେମାନଙ୍କୁ ଆଘାତ କରିବି? ମୁଁ କʼଣ ସେମାନଙ୍କୁ ଆଘାତ କରିବି?” 22 ତହୁଁ ଇଲୀଶାୟ ଉତ୍ତର ଦେଲେ, “ତୁମ୍ଭେ ସେମାନଙ୍କୁ ଆଘାତ କରିବ ନାହିଁ; ତୁମ୍ଭେ ଯେଉଁମାନଙ୍କୁ ଆପଣା ଖଡ୍ଗ ଓ ଧନୁ ଦ୍ୱାରା ବନ୍ଦୀ କରି ନେଇଅଛ, ସେମାନଙ୍କୁ କʼଣ ଆଘାତ କରିବ? ସେମାନଙ୍କ ସମ୍ମୁଖରେ ରୁଟି ଓ ଜଳ ରଖ, ସେମାନେ ଭୋଜନପାନ କରି ଆପଣା ପ୍ରଭୁ ନିକଟକୁ ଯାଆନ୍ତୁ।” 23 ତହିଁରେ ଇସ୍ରାଏଲର ରାଜା ସେମାନଙ୍କ ନିମନ୍ତେ ମହାଭୋଜ ପ୍ରସ୍ତୁତ କଲେ; ପୁଣି ସେମାନେ ଭୋଜନପାନ କଲା ଉତ୍ତାରେ ସେ ସେମାନଙ୍କୁ ବିଦାୟ କଲେ, ତହୁଁ ସେମାନେ ଆପଣାମାନଙ୍କ ପ୍ରଭୁଙ୍କ ନିକଟକୁ ଗଲେ। ଏଉତ୍ତାରେ ଅରାମର ସୈନ୍ୟଦଳ ଆଉ ଇସ୍ରାଏଲର ଦେଶକୁ ଆସିଲେ ନାହିଁ।
32 ମାତ୍ର ଇଲୀଶାୟ ଆପଣା ଗୃହରେ ବସିଥିଲେ ଓ ପ୍ରାଚୀନବର୍ଗ ତାଙ୍କ ସଙ୍ଗେ ବସିଥିଲେ; ଏପରି ସମୟରେ ରାଜା ଆପଣା ସମ୍ମୁଖରୁ ଜଣେ ଲୋକ ପଠାଇଲେ; ମାତ୍ର ସେ ଦୂତ ଇଲୀଶାୟଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଇଲୀଶାୟ ପ୍ରାଚୀନବର୍ଗଙ୍କୁ କହିଲେ, “ଏହି ନରହତ୍ୟାକାରୀର ପୁତ୍ର କିପରି ମୋହର ମସ୍ତକ ନେବା ପାଇଁ[a] ଲୋକ ପଠାଇଅଛି, ଏହା କʼଣ ତୁମ୍ଭେମାନେ ଦେଖୁଅଛ? ଦେଖ, ସେ ଦୂତ ପହଞ୍ଚିବା ବେଳେ ଦ୍ୱାର ବନ୍ଦ କର ଓ ତାକୁ ଅଟକାଇବା ପାଇଁ ଦ୍ୱାର ଦୃଢ଼ କରି ଧର; ତାହାର ପ୍ରଭୁର ପଦଶବ୍ଦ କʼଣ ତାହାର ପଛରେ ନାହିଁ?” 33 ପୁଣି ସେ ସେମାନଙ୍କ ସହିତ କଥାବାର୍ତ୍ତା କରୁ କରୁ ଦେଖ, ସେହି ଦୂତ ତାଙ୍କ ନିକଟକୁ ଓହ୍ଲାଇ ଆସିଲା; ଆଉ ସେ କହିଲା, “ଦେଖ, ଏହି ଅମଙ୍ଗଳ ସଦାପ୍ରଭୁଙ୍କଠାରୁ; ମୁଁ କାହିଁକି ଆଉ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବି?”
<- ଦ୍ୱିତୀୟ ରାଜାବଳୀ 5ଦ୍ୱିତୀୟ ରାଜାବଳୀ 7 ->- a ଅର୍ଥାତ୍ ମୋତେ ବଧ କରିବା ପାଇଁ