9 ଏଥିଉତ୍ତାରେ ହିଜକୀୟ ରାଜାଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ, ଅର୍ଥାତ୍, ଇସ୍ରାଏଲର ରାଜା ଏଲାଙ୍କର ପୁତ୍ର ହୋଶେୟଙ୍କ ରାଜତ୍ଵର ସପ୍ତମ ବର୍ଷରେ ଅଶୂରର ରାଜା ଶଲ୍ମନେଷର ଶମରୀୟା ପ୍ରତିକୂଳରେ ଆସି ତାହା ଅବରୋଧ କଲା। 10 ପୁଣି ତିନି ବର୍ଷର ଶେଷରେ ସେମାନେ ତାହା ହସ୍ତଗତ କଲେ; ହିଜକୀୟଙ୍କ ରାଜତ୍ଵର ଷଷ୍ଠ ବର୍ଷରେ, ଅର୍ଥାତ୍, ଇସ୍ରାଏଲର ରାଜା ହୋଶେୟଙ୍କ ରାଜତ୍ଵର ନବମ ବର୍ଷରେ ଶମରୀୟା ହସ୍ତଗତ କରାଗଲା। 11 ଏଥିଉତ୍ତାରେ ଅଶୂରର ରାଜା ଇସ୍ରାଏଲକୁ ଅଶୂରକୁ ନେଇଯାଇ ହଲହରେ ଓ ହାବୋରରେ, ଗୋଶନ ନଦୀ ତୀରରେ ଓ ମାଦୀୟମାନଙ୍କ ନାନା ନଗରରେ ସେମାନଙ୍କୁ ରଖିଲା। 12 କାରଣ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ରବରେ ଅବଧାନ କଲେ ନାହିଁ, ମାତ୍ର ତାହାଙ୍କ ନିୟମ ଓ ସଦାପ୍ରଭୁଙ୍କ ସେବକ ମୋଶାଙ୍କର ସମସ୍ତ ଆଜ୍ଞାଲଙ୍ଘନ କଲେ ଓ ତାହା ଶୁଣିବାକୁ ସମ୍ମତ ହେଲେ ନାହିଁ କି ତାହା ପାଳନ କଲେ ନାହିଁ।
19 ତହିଁରେ ରବ୍ଶାକି ସେମାନଙ୍କୁ କହିଲା, ଏବେ ତୁମ୍ଭେମାନେ “ହିଜକୀୟଙ୍କୁ କୁହ, ମହାରାଜ ଅଶୂରର ରାଜା ଏହି କଥା କହନ୍ତି, ‘ତୁମ୍ଭେ ଏହି ଯେଉଁ ବିଶ୍ୱାସ କରୁଅଛ, ତାହା କିରୂପ ବିଶ୍ୱାସ? 20 ଯୁଦ୍ଧ କରିବା ପାଇଁ ମନ୍ତ୍ରଣା ଓ ବଳ ଅଛି ବୋଲି ତୁମ୍ଭେ କହୁଅଛ, ମାତ୍ର ତାହା କେବଳ ବୃଥା କଥା। ତୁମ୍ଭେ କାହା ଉପରେ ନିର୍ଭର କରି ମୋହର ବିଦ୍ରୋହୀ ହୋଇଅଛ? 21 ଦେଖ, ତୁମ୍ଭେ ଏହି ଛେଚାନଳର ଯଷ୍ଟି ରୂପ ମିସର ଉପରେ ନିର୍ଭର କରୁଅଛ; ମାତ୍ର କେହି ତହିଁ ଉପରେ ଆଉଜିଲେ, ତାହା ତାହାର ହାତରେ ପଶି ଫୋଡ଼ି ପକାଇବ। ଯେଉଁମାନେ ମିସରୀୟ ରାଜା ଫାରୋ ଉପରେ ନିର୍ଭର ରଖନ୍ତି, ସେସମସ୍ତଙ୍କ ପ୍ରତି ସେ ତ ଏହି ପ୍ରକାର। 22 ମାତ୍ର ଯେବେ ତୁମ୍ଭେମାନେ ମୋତେ କୁହ, ଆମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଉପରେ ନିର୍ଭର ରଖୁଅଛୁ; ତେବେ ହିଜକୀୟ ଯାହାଙ୍କ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିସବୁ ଦୂର କରିଦେଇଅଛି, ଆଉ ଯିହୁଦାକୁ ଓ ଯିରୂଶାଲମକୁ କହିଅଛି, ତୁମ୍ଭେମାନେ ଯିରୂଶାଲମରେ ଏହି ଯଜ୍ଞବେଦି ସମ୍ମୁଖରେ ପ୍ରଣାମ କରିବ, ସେ କି ସେହି ନୁହନ୍ତି?’ 23 ଏବେ ମୁଁ ବିନୟ କରୁଅଛି, ମୋʼ ପ୍ରଭୁ ଅଶୂରର ରାଜାଙ୍କ ସଙ୍ଗେ ପଣ କର, ମୁଁ ତୁମ୍ଭକୁ ଦୁଇ ହଜାର ଅଶ୍ୱ ଦେବି, ଯେବେ ତୁମ୍ଭେ ପାର, ସେମାନଙ୍କ ଉପରେ ଚଢ଼ିବା ପାଇଁ ତୁମ୍ଭ ଆଡ଼ୁ ଲୋକ ଆଣ। 24 ତେବେ କିପରି ତୁମ୍ଭେ ମୋʼ ପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ ଏକ କ୍ଷୁଦ୍ରତମ ସେନାପତିକୁ ଫେରାଇ ଦେଇ ପାରିବ? କିପରି ତୁମ୍ଭେ ରଥ ଓ ଅଶ୍ୱାରୋହୀ ନିମନ୍ତେ ମିସର ଉପରେ ବିଶ୍ୱାସ କରୁଅଛ? 25 ମୁଁ କʼଣ ସଦାପ୍ରଭୁଙ୍କ ବିନା ଏହି ସ୍ଥାନ ଧ୍ୱଂସ କରିବାକୁ ଆସିଅଛି? ସଦାପ୍ରଭୁ ମୋତେ କହିଲେ, ଏହି ଦେଶ ବିରୁଦ୍ଧରେ ଯାଇ ତାହା ଧ୍ୱଂସ କର।” 26 ଏଥିରେ ହିଲ୍କୀୟର ପୁତ୍ର ଇଲିୟାକୀମ୍ ଓ ଶିବ୍ନ ଓ ଯୋୟାହ ରବ୍ଶାକିକୁ କହିଲେ, “ବିନୟ କରୁଅଛୁ, ଆପଣ ଅରାମୀୟ ଭାଷାରେ ଆପଣା ଦାସମାନଙ୍କୁ କହନ୍ତୁ; କାରଣ ଆମ୍ଭେମାନେ ତାହା ବୁଝୁଅଛୁ। ପୁଣି ପ୍ରାଚୀରର ଉପରିସ୍ଥ ଲୋକମାନଙ୍କ କର୍ଣ୍ଣଗୋଚରରେ ଆମ୍ଭମାନଙ୍କୁ ଯିହୁଦୀୟ[b] ଭାଷାରେ ନ କହନ୍ତୁ।” 27 ମାତ୍ର ରବ୍ଶାକି ସେମାନଙ୍କୁ କହିଲା, “ମୋʼ ପ୍ରଭୁ କି ତୁମ୍ଭ ପ୍ରଭୁଙ୍କୁ ଓ ତୁମ୍ଭକୁ ଏସବୁ କଥା କହିବା ପାଇଁ ପଠାଇଅଛନ୍ତି? ଏହି ଯେଉଁ ଲୋକମାନେ ତୁମ୍ଭମାନଙ୍କ ସଙ୍ଗେ ଆପଣା ଆପଣା ବିଷ୍ଠା ଖାଇବାକୁ ଓ ମୂତ୍ର ପିଇବାକୁ ପ୍ରାଚୀର ଉପରେ ବସିଅଛନ୍ତି, ସେମାନଙ୍କ ନିକଟକୁ କʼଣ ମୋତେ ପଠାଇ ନାହାନ୍ତି?”
28 ତହୁଁ ରବ୍ଶାକି ଠିଆ ହୋଇ ଉଚ୍ଚସ୍ୱରରେ ଯିହୁଦୀୟ ଭାଷାରେ ଏହି କଥା କହିଲା, “ତୁମ୍ଭେମାନେ ମହାରାଜ ଅଶୂରର ରାଜାଙ୍କ କଥା ଶୁଣ। 29 ରାଜା ଏହି କଥା କହନ୍ତି, ‘ତୁମ୍ଭମାନଙ୍କୁ ଭୁଲାଇବା ପାଇଁ ହିଜକୀୟକୁ ନ ଦିଅ; କାରଣ ସେ ତୁମ୍ଭମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ପାରିବ ନାହିଁ। 30 କିଅବା ସଦାପ୍ରଭୁ ନିଶ୍ଚୟ ଆମ୍ଭମାନଙ୍କୁ ଉଦ୍ଧାର କରିବେ ଓ ଏହି ନଗର ଅଶୂରୀୟ ରାଜାର ହସ୍ତଗତ ହେବ ନାହିଁ। ଏହି କଥା କହି ହିଜକୀୟ ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର ବିଶ୍ୱାସ ନ ଜନ୍ମାଉ। 31 ହିଜକୀୟର କଥା ଶୁଣ ନାହିଁ; କାରଣ ଅଶୂରୀୟ ରାଜା ଏହି କଥା କହନ୍ତି, ତୁମ୍ଭେମାନେ ମୋʼ ସଙ୍ଗେ ସନ୍ଧି କର ଓ ମୋʼ ନିକଟକୁ ବାହାରି ଆସ ଓ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଫଳ ଓ ପ୍ରତ୍ୟେକେ ଆପଣା ଆପଣା ଡିମ୍ବିରି ଫଳ ଭୋଜନ କର, ଆଉ ପ୍ରତ୍ୟେକେ ଆପଣା ଆପଣା କୂପ ଜଳ ପାନ କର। 32 ଶେଷରେ ମୁଁ ଆସି ତୁମ୍ଭମାନଙ୍କର ସ୍ୱଦେଶ ତୁଲ୍ୟ ଏକ ଦେଶକୁ, ଅର୍ଥାତ୍, ଶସ୍ୟ ଓ ଦ୍ରାକ୍ଷାରସମୟ ଦେଶ, ଆଉ ରୁଟି ଓ ଦ୍ରାକ୍ଷାକ୍ଷେତ୍ରମୟ ଦେଶ, ଆଉ ତୈଳଜୀତ ଓ ମଧୁମୟ ଦେଶକୁ ତୁମ୍ଭମାନଙ୍କୁ ନେଇଯିବି, ତହିଁରେ ତୁମ୍ଭେମାନେ ବଞ୍ଚିବ ଓ ମରିବ ନାହିଁ; ପୁଣି ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି କହି ହିଜକୀୟ ତୁମ୍ଭମାନଙ୍କୁ ମଣାଇଲେ, ତାହାର କଥା ତୁମ୍ଭେମାନେ ଶୁଣ ନାହିଁ। 33 ନାନା ଗୋଷ୍ଠୀୟମାନଙ୍କ ଦେବତାଗଣ ମଧ୍ୟରୁ କୌଣସି ଦେବତା କʼଣ ଅଶୂରୀୟ ରାଜାଙ୍କ ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି? 34 ହମାତର ଓ ଅର୍ପଦର ଦେବତାମାନେ କାହାନ୍ତି? ସଫର୍ବୟିମର ଓ ହେନାର ଓ ଅବ୍ବାର ଦେବତାମାନେ କାହାନ୍ତି? ସେମାନେ କʼଣ ମୋʼ ହସ୍ତରୁ ଶମରୀୟାକୁ ଉଦ୍ଧାର କରିଅଛନ୍ତି? 35 ନାନା ଗୋଷ୍ଠୀୟ ସମସ୍ତ ଦେବତା ମଧ୍ୟରେ କିଏ ଆପଣା ଦେଶକୁ ମୋʼ ହସ୍ତରୁ ଉଦ୍ଧାର କରିଅଛି ଯେ, ସଦାପ୍ରଭୁ ମୋʼ ହସ୍ତରୁ ଯିରୂଶାଲମକୁ ଉଦ୍ଧାର କରିବେ?’ ”
36 ମାତ୍ର ଲୋକମାନେ ନୀରବ ହୋଇ ରହିଲେ, ଗୋଟିଏ କଥା ଉତ୍ତର କଲେ ନାହିଁ। କାରଣ ତାହାକୁ ଉତ୍ତର ନ ଦିଅ ବୋଲି ରାଜାଙ୍କର ଆଜ୍ଞା ଥିଲା। 37 ଏଥିଉତ୍ତାରେ ହିଲ୍କୀୟର ପୁତ୍ର ଇଲିୟାକୀମ୍ ନାମକ ରାଜଗୃହାଧ୍ୟକ୍ଷ ଓ ଶିବ୍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ଆପଣା ଆପଣା ବସ୍ତ୍ର ଚିରି ହିଜକୀୟଙ୍କ ନିକଟକୁ ଆସି ରବ୍ଶାକିର କଥାସବୁ ତାଙ୍କୁ ଜଣାଇଲେ।
<- ଦ୍ୱିତୀୟ ରାଜାବଳୀ 17ଦ୍ୱିତୀୟ ରାଜାବଳୀ 19 ->