Link to home pageLanguagesLink to all Bible versions on this site

The Second Epistle of John
ଯୋହନଙ୍କ ଦ୍ୱିତୀୟ ପତ୍ର
ଲେଖକ
ପ୍ରେରିତ ଯୋହନ ଏହି ପତ୍ରର ଲେଖକ ଅଟନ୍ତି। ସେ ନିଜକୁ ଦ୍ୱିତୀୟ ଯୋହନ 1 ପଦରେ “ମୁଁ ପ୍ରାଚୀନ” ବୋଲି ପ୍ରକାଶ କରନ୍ତି। ତିନୋଟି ପତ୍ର ମଧ୍ୟରୁ ଏହା ଦ୍ୱିତୀୟ ପତ୍ର ଅଟେ ଯାହା ଯୋହନଙ୍କ ନାମ ଉଲ୍ଲେଖ କରେ। ଭଣ୍ଡ ଶିକ୍ଷକମାନେ ଯୋହନଙ୍କ ପ୍ରାପକମାନଙ୍କ ମଧ୍ୟରେ ଏକ ଭ୍ରମଣଶୀଳ ସେବାକାର୍ଯ୍ୟ କରୁଥିଲେ, ଲୋକମାନଙ୍କୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିଲେ ଏବଂ ସେମାନଙ୍କର ଉଦ୍ଦେଶ୍ୟକୁ ସଫଳ କରିବା ନିମନ୍ତେ ଖ୍ରୀଷ୍ଟୀୟ ଆତିଥ୍ୟର ସୁଯୋଗ ନେଉଥିଲେ, ଏହାକୁ ଦୃଷ୍ଟିରେ ରଖି ସେ ଏହି ପତ୍ର ଲେଖିଥିଲେ।
ସମୟ ଓ ସ୍ଥାନ
ପ୍ରାୟ 85-95 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।
ସମ୍ଭବତଃ, ଏଫିସରୁ ଲେଖାଯାଇଥିଲା।
ପ୍ରାପକ
ଦ୍ୱିତୀୟ ଯୋହନ ପତ୍ର ମନୋନୀତ ମହିଳା ଓ ତାଙ୍କର ସନ୍ତାନମାନଙ୍କୁ ଲେଖାଯାଇଥିଲା।
ଉଦ୍ଦେଶ୍ୟ
ଯୋହନ ଏହି ପତ୍ର ଏକ ମହିଳା ଓ ତାହାଙ୍କର ସନ୍ତାନମାନଙ୍କର ବିଶ୍ଵସ୍ତତାକୁ ପ୍ରଶଂସା କରିବାକୁ ଏବଂ ପ୍ରଭୁଙ୍କର ଅାଜ୍ଞା ପାଳନ କରି ପ୍ରେମରେ ରହିବାକୁ ସେମାନଙ୍କୁ ଉତ୍ସାହିତ କରିବାକୁ ଲେଖିଥିଲେ। ଭଣ୍ଡ ଶିକ୍ଷକଙ୍କ ବିରୋଧରେ ଯୋହନ ସେହି ମହିଳାଙ୍କୁ ଚେତାବନୀ ଦିଅନ୍ତି ଏବଂ ସେ ସେଠାକୁ ଶୀଘ୍ର ଯିବେ ବୋଲି ସୂଚନା ଦିଅନ୍ତି। ଯୋହନ ତାହାଙ୍କ ଭଉଣୀଙ୍କୁ ମଧ୍ୟ ନମସ୍କାର କରନ୍ତି।
ବିଷୟବସ୍ତୁ
ବିଶ୍ଵାସୀମାନଙ୍କର ଅନ୍ତର୍ଦୃଷ୍ଟି
ରୂପରେଖା
1. ଅଭିବାଦନ — 1:1-3
2. ସତ୍ୟ ଓ ପ୍ରେମରେ ଆଚରଣ — 1:4-11
4. ଶେଷ ଶୁଭେଚ୍ଛା — 1:12-13

1
ଅଭିବାଦନ

1 ମୁଁ ଯେ ପ୍ରାଚୀନ, ମନୋନୀତା ମହିଳା ଓ ତାହାଙ୍କ ସନ୍ତାନମାନଙ୍କ ନିକଟକୁ ପତ୍ର ଲେଖୁଅଛି। ସେମାନଙ୍କୁ ମୁଁ ବାସ୍ତବରେ ପ୍ରେମ କରେ, ଆଉ କେବଳ ମୁଁ ନୁହେଁ, ମାତ୍ର ସତ୍ୟ ଜାଣିଥିବା ସମସ୍ତ ଲୋକ ମଧ୍ୟ ପ୍ରେମ କରନ୍ତି। 2 ଯେଉଁ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି ଅନନ୍ତକାଳ ଆମ୍ଭମାନଙ୍କ ସହିତ ରହିବ, ସେହି ସତ୍ୟ ସକାଶେ ସେମାନଙ୍କୁ ପ୍ରେମ କରୁଅଛୁ। 3 ପିତା ଈଶ୍ବର ଓ ସେହି ପିତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ଆମ୍ଭମାନଙ୍କ ସହିତ ସତ୍ୟ ଓ ପ୍ରେମରେ ରହିବ।

ସତ୍ୟ ଓ ପ୍ରେମରେ ଆଚରଣ

4 ତୁମ୍ଭର ସନ୍ତାନମାନଙ୍କ ମଧ୍ୟରୁ କେତେକଙ୍କୁ ପିତାଙ୍କଠାରୁ ପ୍ରାପ୍ତ ଆଜ୍ଞାନୁଯାୟୀ ସତ୍ୟରେ ଆଚରଣ କରୁଥିବା ଦେଖି ମୁଁ ବିଶେଷ ଆନନ୍ଦିତ। 5 ହେ ଭଦ୍ରେ, ଏବେ ମୁଁ ଯେ ତୁମ୍ଭ ନିକଟକୁ କୌଣସି ନୂଆ ଆଜ୍ଞା ଲେଖୁଅଛି, ତାହା ନୁହେଁ, ମାତ୍ର ଆଦ୍ୟରୁ ପ୍ରାପ୍ତ ଆଜ୍ଞାଟି ଲେଖି ଅନୁରୋଧ କରୁଅଛି ଯେ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ। 6 ଆଉ ଆମ୍ଭେମାନେ ଯେ ତାହାଙ୍କ ଆଜ୍ଞାନୁସାରେ ଆଚରଣ କରୁ, ଏହା ହିଁ ପ୍ରେମର ସାର। ତୁମ୍ଭେମାନେ ଆଦ୍ୟରୁ ଯାହା ଶୁଣିଅଛ, ସେହି ଅନୁସାରେ ଆଚରଣ କର, ଏହା ସେହି ଆଜ୍ଞା। 7 କାରଣ ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ବୋଲି ଅସ୍ୱୀକାର କରନ୍ତି, ଏପରି ଅନେକ ପ୍ରବଞ୍ଚକ ଜଗତରେ ବାହାରି ଆସିଅଛନ୍ତି। ଏହି ପ୍ରକାର ଲୋକ ସେହି ପ୍ରବଞ୍ଚକ ଓ ଭଣ୍ଡଖ୍ରୀଷ୍ଟ। 8 ତୁମ୍ଭେମାନେ ଯେପରି ଆମ୍ଭମାନଙ୍କର କୃତ କର୍ମର ଫଳ ନ ହରାଇ ବରଂ ସେଥିର ପୂର୍ଣ୍ଣ ପୁରସ୍କାର ପ୍ରାପ୍ତ ହୁଅ, ସେଥିନିମନ୍ତେ ଆପଣା ଆପଣା ବିଷୟରେ ସାବଧାନ ହୁଅ। 9 ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ତାହା ଅତିକ୍ରମ କରେ, ସେ ଈଶ୍ବରଙ୍କୁ ପାଇ ନାହିଁ; ଯେ ଶିକ୍ଷାର ସୀମା ମଧ୍ୟରେ ରହେ, ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି। 10 କେହି ଯଦି ଏହି ଶିକ୍ଷା ନ ଘେନି ତୁମ୍ଭମାନଙ୍କ ନିକଟକୁ ଆସେ, ତେବେ ତାହାକୁ ଗୃହରେ ଅତିଥି ନ କର ଓ ସମ୍ବର୍ଦ୍ଧନା ଜଣାଅ ନାହିଁ; 11 କାରଣ ଯେକେହି ତାହାକୁ ସମ୍ବର୍ଦ୍ଧନା ଜଣାଏ, ସେ ତାହାର ଦୁଷ୍କର୍ମର ସହଭାଗୀ ହୁଏ।

ଶେଷ ଶୁଭେଚ୍ଛା

12 ତୁମ୍ଭମାନଙ୍କ ନିକଟକୁ ଅନେକ ବିଷୟ ଲେଖିବାକୁ ଅଛି, କିନ୍ତୁ କାଗଜ ଓ କାଳିରେ ତାହା ଲେଖିବାକୁ ଇଚ୍ଛା କରୁ ନାହିଁ; ମୋହର ଆଶା ଯେ; ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ମୁଖାମୁଖି କଥାବାର୍ତ୍ତା କରିବି, ଯେପରି ଆମ୍ଭମାନଙ୍କ ଆନନ୍ଦ ସମ୍ପୂର୍ଣ୍ଣ ହେବ। 13 ତୁମ୍ଭର ମନୋନୀତା ଭଉଣୀର ସନ୍ତାନମାନେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି।