5 ଯିହୋୟାକୀମ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲେ; ପୁଣି, ସେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ କୁକର୍ମ କଲେ। 6 ତାଙ୍କ ବିରୁଦ୍ଧରେ ବାବିଲର ରାଜା ନବୂଖଦ୍ନିତ୍ସର ଆସି ବାବିଲକୁ ନେଇଯିବା ନିମନ୍ତେ ତାଙ୍କୁ ଶିକୁଳିରେ ବାନ୍ଧିଲା। 7 ନବୂଖଦ୍ନିତ୍ସର ମଧ୍ୟ ସଦାପ୍ରଭୁଙ୍କ ଗୃହର କେତେକ ପାତ୍ର ବାବିଲକୁ ନେଇଯାଇ ବାବିଲସ୍ଥିତ ଆପଣା ମନ୍ଦିରରେ ରଖିଲା। 8 ଏହି ଯିହୋୟାକୀମ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର କୃତ ଓ ତାଙ୍କ ମଧ୍ୟରେ ପ୍ରାପ୍ତ ଘୃଣାଯୋଗ୍ୟ କ୍ରିୟାସକଳ, ଦେଖ, ଇସ୍ରାଏଲର ଓ ଯିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି; ଏଉତ୍ତାରେ ତାଙ୍କର ପୁତ୍ର ଯିହୋୟାଖୀନ୍ ତାଙ୍କର ପଦରେ ରାଜ୍ୟ କଲେ।
9 ଯିହୋୟାଖୀନ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଆଠ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ତିନି ମାସ ଦଶ ଦିନ ରାଜ୍ୟ କଲେ; ଆଉ, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। 10 ପୁଣି, ବର୍ଷର ପରିବର୍ତ୍ତନ ସମୟରେ ନବୂଖଦ୍ନିତ୍ସର ରାଜା ଲୋକ ପଠାଇ ତାଙ୍କୁ ଓ ତାଙ୍କ ସଙ୍ଗେ ସଦାପ୍ରଭୁଙ୍କ ଗୃହର ମନୋହର ପାତ୍ରସବୁ ବାବିଲକୁ ଆଣିଲା ଓ ତାଙ୍କର ଭାଇ ସିଦିକୀୟଙ୍କୁ ଯିହୁଦା ଓ ଯିରୂଶାଲମ ଉପରେ ରାଜା କଲା।
11 ସିଦିକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଏକୋଇଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲେ; 12 ପୁଣି, ସେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ କୁକର୍ମ କଲେ; ସେ ସଦାପ୍ରଭୁଙ୍କ ମୁଖନିର୍ଗତ ବାକ୍ୟର ପ୍ରକାଶକ ଯିରିମୀୟ ଭବିଷ୍ୟଦ୍ବକ୍ତା ସମ୍ମୁଖରେ ଆପଣାକୁ ନମ୍ର କଲେ ନାହିଁ। 13 ମଧ୍ୟ ଯେଉଁ ନବୂଖଦ୍ନିତ୍ସର ରାଜା ତାଙ୍କୁ ପରମେଶ୍ୱରଙ୍କ ନାମରେ ଶପଥ କରାଇଥିଲା, ସେ ତାହାର ବିଦ୍ରୋହୀ ହେଲେ; ଆଉ ସେ ଆପଣା ଗ୍ରୀବା ଶକ୍ତ କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ଫେରିବାକୁ ଆପଣା ହୃଦୟ କଠିନ କଲେ।
14 ଆହୁରି, ଯାଜକମାନଙ୍କର ପ୍ରଧାନ ସମସ୍ତେ ଓ ଲୋକମାନେ ଅନ୍ୟ ଦେଶୀୟମାନଙ୍କ ସକଳ ଘୃଣାଯୋଗ୍ୟ କ୍ରିୟାନୁସାରେ ଅତିଶୟ ଅପରାଧ କଲେ; ପୁଣି, ସଦାପ୍ରଭୁ ଯିରୂଶାଲମରେ ଯେଉଁ ଗୃହ ପବିତ୍ର କରିଥିଲେ, ତାହାଙ୍କର ସେହି ଗୃହ ଅଶୁଚି କଲେ।
15 ତଥାପି ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ଆପଣା ଦୂତଗଣ ଦ୍ୱାରା ସେମାନଙ୍କ ନିକଟକୁ କହି ପଠାଇଲେ, ସେ ଆପଣା ଲୋକମାନଙ୍କ ପ୍ରତି ଓ ଆପଣା ନିବାସ ସ୍ଥାନ ପ୍ରତି ଦୟା ବହିବାରୁ ପ୍ରତ୍ୟୁଷରେ ଉଠି ପଠାଇଲେ; 16 ମାତ୍ର ସେମାନେ ପରମେଶ୍ୱରଙ୍କ ଦୂତଗଣକୁ ପରିହାସ କଲେ, ତାହାଙ୍କର ବାକ୍ୟ ତୁଚ୍ଛ କଲେ ଓ ତାହାଙ୍କ ଭବିଷ୍ୟଦ୍ବକ୍ତାଗଣକୁ ବିଦ୍ରୂପ କଲେ; ଏଣୁ ଆପଣା ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ କୋପ ଉତ୍ଥିତ ହେଲା, ଶେଷରେ ଆଉ ପ୍ରତିକାର ନୋହିଲା।