10 ତହୁଁ ଦୂତମାନେ ଇଫ୍ରୟିମ ଓ ମନଃଶି ଦେଶ ଦେଇ ସବୂଲୂନ ପର୍ଯ୍ୟନ୍ତ ନଗରକୁ ନଗର ଗମନ କଲେ; ମାତ୍ର ଲୋକମାନେ ସେମାନଙ୍କୁ ଉପହାସ କରି ବିଦ୍ରୂପ କଲେ। 11 ତଥାପି ଆଶେରର ଓ ମନଃଶିର ଓ ସବୂଲୂନର କେତେକ ଲୋକ ଆପଣାମାନଙ୍କୁ ନମ୍ର କରି ଯିରୂଶାଲମକୁ ଆସିଲେ। 12 ମଧ୍ୟ ସଦାପ୍ରଭୁଙ୍କ ବାକ୍ୟାନୁସାରେ ରାଜାଙ୍କର ଓ ଅଧିପତିମାନଙ୍କର ଆଜ୍ଞା ପାଳନ କରିବା ପାଇଁ ଯିହୁଦାର ଲୋକମାନଙ୍କୁ ଏକଚିତ୍ତ ହେବାକୁ ପରମେଶ୍ୱରଙ୍କ ହସ୍ତ ସେମାନଙ୍କ ମଧ୍ୟରେ ବିଦ୍ୟମାନ ହେଲା।
13 ତହୁଁ ଦ୍ୱିତୀୟ ମାସରେ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କରିବା ପାଇଁ ଅନେକ ଲୋକର ଅତି ମହାସମାଜ ଯିରୂଶାଲମରେ ଏକତ୍ରିତ ହେଲେ। 14 ପୁଣି, ସେମାନେ ଉଠି ଯିରୂଶାଲମସ୍ଥ ଯଜ୍ଞବେଦିସବୁ ଦୂର କଲେ ଓ ଧୂପଦାହାର୍ଥକ ଯଜ୍ଞବେଦିସବୁ ଦୂର କରି କିଦ୍ରୋଣ ନଦୀରେ ନିକ୍ଷେପ କଲେ। 15 ଏଉତ୍ତାରେ ସେମାନେ ଦ୍ୱିତୀୟ ମାସର ଚତୁର୍ଦ୍ଦଶ ଦିନରେ ନିସ୍ତାର ପର୍ବର ବଳି ବଧ କଲେ; ତହିଁରେ ଯାଜକମାନେ ଓ ଲେବୀୟମାନେ ଲଜ୍ଜିତ ହୋଇ ଆପଣାମାନଙ୍କୁ ପବିତ୍ର କଲେ ଓ ସଦାପ୍ରଭୁଙ୍କ ଗୃହକୁ ହୋମବଳି ଆଣିଲେ। 16 ଆଉ, ସେମାନେ ପରମେଶ୍ୱରଙ୍କ ଲୋକ ମୋଶାଙ୍କର ବ୍ୟବସ୍ଥାନୁସାରେ ଶ୍ରେଣୀକ୍ରମେ ଆପଣା ଆପଣା ସ୍ଥାନରେ ଠିଆ ହେଲେ; ଯାଜକମାନେ ଲେବୀୟମାନଙ୍କ ହସ୍ତରୁ ରକ୍ତ ଗ୍ରହଣ କରି ସେଚନ କଲେ। 17 କାରଣ ସମାଜ ମଧ୍ୟରେ ଅନେକ ଲୋକ ଆପଣାମାନଙ୍କୁ ପବିତ୍ର କରି ନ ଥିଲେ; ଏହେତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବାକୁ ପ୍ରତ୍ୟେକ ଅଶୁଚି ଲୋକ ନିମନ୍ତେ ନିସ୍ତାର ପର୍ବର ବଳି ବଧ କରିବାର ଭାର ଲେବୀୟମାନଙ୍କ ଉପରେ ଥିଲା। 18 ଅସଂଖ୍ୟ ଲୋକ, ଅର୍ଥାତ୍, ଇଫ୍ରୟିମ ଓ ମନଃଶି, ଇଷାଖର ଓ ସବୂଲୂନ ମଧ୍ୟରୁ ଅନେକେ ଆପଣାମାନଙ୍କୁ ଶୁଚି କରି ନ ଥିଲେ, ତଥାପି ସେମାନେ ଲେଖାର ବିପରୀତରେ ନିସ୍ତାର ପର୍ବର ବଳି ଭୋଜନ କଲେ। କାରଣ ହିଜକୀୟ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରି ଏହା କହିଥିଲେ, 19 “ଯେକେହି ପରମେଶ୍ୱରଙ୍କର, ସଦାପ୍ରଭୁ ଆପଣା ପୈତୃକ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଅନ୍ତଃକରଣ ନିବିଷ୍ଟ କରେ, ସେ ଧର୍ମଧାମର ଶୌଚବିଧି ଅନୁସାରେ ଶୁଚି ନୋହିଲେ ହେଁ ମଙ୍ଗଳମୟ ସଦାପ୍ରଭୁ ତାହାକୁ କ୍ଷମା କରନ୍ତୁ।” 20 ପୁଣି, ସଦାପ୍ରଭୁ ହିଜକୀୟଙ୍କର ବାକ୍ୟରେ କର୍ଣ୍ଣପାତ କଲେ ଓ ଲୋକମାନଙ୍କୁ ସୁସ୍ଥ କଲେ। 21 ଏହିରୂପେ ଯିରୂଶାଲମରେ ଉପସ୍ଥିତ ଇସ୍ରାଏଲ-ସନ୍ତାନଗଣ ମହାନନ୍ଦରେ ସାତ ଦିନ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କଲେ; ପୁଣି ଲେବୀୟମାନେ ଓ ଯାଜକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉଚ୍ଚ ବାଦ୍ୟ ଧ୍ୱନିରେ ଗାନ କରି ପ୍ରତିଦିନ ସଦାପ୍ରଭୁଙ୍କର ପ୍ରଶଂସା କଲେ। 22 ଆଉ, ଯେଉଁ ସକଳ ଲେବୀୟ ଲୋକ ସଦାପ୍ରଭୁଙ୍କ ସେବାକାର୍ଯ୍ୟରେ ସୁଦକ୍ଷ ଥିଲେ, ସେମାନଙ୍କୁ ହିଜକୀୟ ଚିତ୍ତ ପ୍ରବୋଧକ କଥା କହିଲେ। ତହୁଁ ସେମାନେ ପର୍ବର ସାତ ଦିନସାରା ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ଭୋଜନ କଲେ ଓ ସଦାପ୍ରଭୁ ସେମାନଙ୍କ ପୈତୃକ ପରମେଶ୍ୱରଙ୍କ ନିକଟରେ ସ୍ୱୀକାର କଲେ।
23 ଏଉତ୍ତାରେ ଆଉ ସାତ ଦିନ ପାଳନ କରିବା ପାଇଁ ସମଗ୍ର ସମାଜ ପରାମର୍ଶ କଲେ; ପୁଣି, ସେମାନେ ସେହି ସାତ ଦିନ ଆନନ୍ଦରେ ପାଳନ କଲେ। 24 ଏଣୁ ଯିହୁଦାର ରାଜା ହିଜକୀୟ ଉପହାର ନିମନ୍ତେ ସମାଜକୁ ଏକ ସହସ୍ର ବୃଷ ଓ ସାତ ସହସ୍ର ମେଷ ଦେଲେ; ଆଉ, ଅଧିପତିମାନେ ସମାଜକୁ ଏକ ସହସ୍ର ବୃଷ ଓ ଦଶ ସହସ୍ର ମେଷ ଦେଲେ; ପୁଣି ଯାଜକମାନଙ୍କ ମଧ୍ୟରୁ ଅନେକେ ଆପଣାମାନଙ୍କୁ ପବିତ୍ର କଲେ। 25 ପୁଣି, ଯାଜକ ଓ ଲେବୀୟମାନଙ୍କ ସହିତ ଯିହୁଦାର ସମଗ୍ର ସମାଜ ଓ ଇସ୍ରାଏଲ ମଧ୍ୟରୁ ଆଗତ ସମଗ୍ର ସମାଜ, ପୁଣି ଇସ୍ରାଏଲ ଦେଶରୁ ଆଗତ ଓ ଯିହୁଦା ନିବାସୀ ବିଦେଶୀଗଣ ଆନନ୍ଦ କଲେ। 26 ଏହିରୂପେ ଯିରୂଶାଲମରେ ମହାନନ୍ଦ ହେଲା; କାରଣ ଇସ୍ରାଏଲର ରାଜା ଦାଉଦଙ୍କର ପୁତ୍ର ଶଲୋମନଙ୍କ ସମୟଠାରୁ ଯିରୂଶାଲମରେ ଏପରି ଆଉ ହୋଇ ନ ଥିଲା। 27 ଏଉତ୍ତାରେ ଲେବୀୟ ଯାଜକମାନେ ଉଠି ଲୋକମାନଙ୍କୁ ଆଶୀର୍ବାଦ କଲେ; ପୁଣି ସେମାନଙ୍କ ରବରେ ମନୋଯୋଗ କରାଗଲା ଓ ସେମାନଙ୍କ ପ୍ରାର୍ଥନା ତାହାଙ୍କ ପବିତ୍ର ବାସସ୍ଥାନ ସ୍ୱର୍ଗ ପର୍ଯ୍ୟନ୍ତ ପ୍ରବେଶ କଲା।
<- ଦ୍ୱିତୀୟ ବଂଶାବଳୀ 29ଦ୍ୱିତୀୟ ବଂଶାବଳୀ 31 ->