5 ଏହେତୁ ସଦାପ୍ରଭୁ ତାଙ୍କର ପରମେଶ୍ୱର ଅରାମ-ରାଜାର ହସ୍ତରେ ତାଙ୍କୁ ସମର୍ପଣ କଲେ; ତହିଁରେ ସେମାନେ ତାଙ୍କୁ ପରାସ୍ତ କଲେ ଓ ତାଙ୍କର ଅସଂଖ୍ୟ ଲୋକଙ୍କୁ ବନ୍ଦୀ କରି ଦମ୍ମେଶକକୁ ନେଇଗଲେ। ମଧ୍ୟ ସେ ଇସ୍ରାଏଲ ରାଜାଙ୍କର ହସ୍ତରେ ସମର୍ପିତ ହୁଅନ୍ତେ, ସେ ତାଙ୍କୁ ମହାସଂହାରରେ ପରାସ୍ତ କଲେ। 6 କାରଣ ରମଲୀୟର ପୁତ୍ର ପେକହ ଯିହୁଦାରେ ଏକ ଲକ୍ଷ କୋଡ଼ିଏ ହଜାର ବିକ୍ରମଶାଳୀ ଲୋକଙ୍କୁ ଏକ ଦିନରେ ବଧ କଲା; ଯେଣୁ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କୁ ପରିତ୍ୟାଗ କରିଥିଲେ। 7 ପୁଣି, ସିଖ୍ରି ନାମରେ ଇଫ୍ରୟିମୀୟ ଏକ ବିକ୍ରମଶାଳୀ ଲୋକ ରାଜପୁତ୍ର ମାସେୟକୁ ଓ ଗୃହାଧ୍ୟକ୍ଷ ଅସ୍ରୀକାମକୁ ଓ ରାଜାଙ୍କର ଦ୍ୱିତୀୟ (ସ୍ଥାନୀୟ) ଇଲ୍କାନାକୁ ବଧ କଲା।
8 ଆଉ, ଇସ୍ରାଏଲ ସନ୍ତାନମାନେ ଆପଣାମାନଙ୍କ ଭ୍ରାତୃଗଣର ସ୍ତ୍ରୀ, ପୁତ୍ର ଓ କନ୍ୟା, ଦୁଇ ଲକ୍ଷ ପ୍ରାଣୀକୁ ବନ୍ଦୀ କରି ନେଇଗଲେ, ମଧ୍ୟ ସେମାନଙ୍କଠାରୁ ବହୁତ ଲୁଟଦ୍ରବ୍ୟ ନେଲେ ଓ ସେହି ଲୁଟ ଦ୍ରବ୍ୟସବୁ ଶମରୀୟାକୁ ଆଣିଲେ। 9 ମାତ୍ର ସେଠାରେ ଓଦେଦ୍ ନାମରେ ସଦାପ୍ରଭୁଙ୍କର ଜଣେ ଭବିଷ୍ୟଦ୍ବକ୍ତା ଥିଲେ; ସେ ଶମରୀୟାକୁ ଆଗତ ସୈନ୍ୟଦଳ ସଙ୍ଗେ ସାକ୍ଷାତ କରିବାକୁ ଯାଇ ସେମାନଙ୍କୁ କହିଲା, “ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱର ଯିହୁଦା ପ୍ରତି କୋପାନ୍ୱିତ ହେବାରୁ ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କଲେ, ଆଉ ତୁମ୍ଭେମାନେ ଗଗନସ୍ପର୍ଶୀ କ୍ରୋଧାଗ୍ନି ଦ୍ୱାରା ସେମାନଙ୍କୁ ବଧ କରିଅଛ। 10 ଆଉ, ଏବେ ତୁମ୍ଭେମାନେ ଯିହୁଦାର ଓ ଯିରୂଶାଲମର ସନ୍ତାନସନ୍ତତିଗଣକୁ ଆପଣାମାନଙ୍କର ବନ୍ଧାଦାସ ଓ ବନ୍ଧାଦାସୀ କରି ରଖିବାକୁ ମନସ୍ଥ କରୁଅଛ; ମାତ୍ର ତୁମ୍ଭମାନଙ୍କ ମଧ୍ୟରେ କʼଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ସ୍ୱକୃତ ଅପରାଧ ନାହିଁ? 11 ଏହେତୁ ଏବେ ଆମ୍ଭ କଥା ଶୁଣ, ଆଉ ତୁମ୍ଭେମାନେ ଆପଣାମାନଙ୍କ ଭ୍ରାତୃଗଣ ମଧ୍ୟରୁ ଯେଉଁମାନଙ୍କୁ ବନ୍ଦୀ କରି ଆଣିଅଛ, ସେମାନଙ୍କୁ ଫେରି ପଠାଇଦିଅ; କାରଣ ତୁମ୍ଭମାନଙ୍କ ଉପରେ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ରହିଅଛି।” 12 ଏଥିରେ ଯିହୋହାନନ୍ର ପୁତ୍ର ଅସରୀୟ, ମଶିଲ୍ଲୋମୋତ୍ର ପୁତ୍ର ବେରିଖୀୟ ଓ ଶଲ୍ଲୁମ୍ର ପୁତ୍ର ଯିହିଷ୍କିୟ ଓ ହଦ୍ଲୟର ପୁତ୍ର ଅମାସା, ଏହି କେତେକ ଇଫ୍ରୟିମ-ସନ୍ତାନଗଣର ପ୍ରଧାନ ଲୋକ ଯୁଦ୍ଧରୁ ଆଗତ ଲୋକମାନଙ୍କ ବିରୁଦ୍ଧରେ ଠିଆ ହୋଇ ସେମାନଙ୍କୁ କହିଲେ, 13 “ତୁମ୍ଭେମାନେ ବନ୍ଦୀମାନଙ୍କୁ ଏହି ସ୍ଥାନକୁ ଆଣିବ ନାହିଁ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ଆମ୍ଭମାନଙ୍କୁ ଆହୁରି ଅପରାଧଗ୍ରସ୍ତ କରିବା ପାଇଁ ଆମ୍ଭମାନଙ୍କର ପାପ ଓ ଅପରାଧସକଳର ବୃଦ୍ଧି କରିବାକୁ ମନସ୍ଥ କରୁଅଛ; ଆମ୍ଭମାନଙ୍କର ଭାରୀ ଅପରାଧ ହୋଇଅଛି ଓ ଇସ୍ରାଏଲ ଉପରେ ପ୍ରଚଣ୍ଡ କ୍ରୋଧ ରହିଅଛି।” 14 ତହିଁରେ ଅସ୍ତ୍ରଧାରୀ ଲୋକମାନେ ସେହି ବନ୍ଦୀମାନଙ୍କୁ ଓ ସକଳ ଲୁଟିତ ଦ୍ରବ୍ୟ ଅଧିପତିମାନଙ୍କର ଓ ସମଗ୍ର ସମାଜର ସମ୍ମୁଖରେ ରଖିଲେ। 15 ତହିଁରେ ପୂର୍ବୋକ୍ତ ଲୋକମାନେ ଉଠି ବନ୍ଦୀମାନଙ୍କୁ ନେଲେ ଓ ଲୁଟିତ ଦ୍ରବ୍ୟ ନେଇ ସେମାନଙ୍କ ମଧ୍ୟରେ ସମସ୍ତ ବସ୍ତ୍ରହୀନ ଲୋକଙ୍କୁ ବସ୍ତ୍ର ଓ ପାଦୁକା ପିନ୍ଧାଇଲେ ଓ ସେମାନଙ୍କୁ ଭୋଜନପାନ କରିବାକୁ ଦେଇ ତୈଳ ମର୍ଦ୍ଦନ କଲେ ଓ ସେମାନଙ୍କ ମଧ୍ୟରୁ ଦୁର୍ବଳ ସମସ୍ତଙ୍କୁ ଗର୍ଦ୍ଦଭରେ ଚଢ଼ାଇ ଖର୍ଜ୍ଜୁରପୁର ଯିରୀହୋକୁ ସେମାନଙ୍କ ଭ୍ରାତୃଗଣ ନିକଟକୁ ନେଇଗଲେ; ଏଥିଉତ୍ତାରେ ସେମାନେ ଶମରୀୟାକୁ ଫେରି ଆସିଲେ।