8 ଏଥିରେ ଆସା ଏହିସବୁ କଥା ଓ ଓଦେଦ୍ ଭବିଷ୍ୟଦ୍ବକ୍ତାର ଭବିଷ୍ୟତ ବାକ୍ୟ ଶୁଣନ୍ତେ, ସାହସ ପାଇଲେ, ପୁଣି ଯିହୁଦା ଓ ବିନ୍ୟାମୀନ୍ର ସମୁଦାୟ ଦେଶରୁ ଓ ଇଫ୍ରୟିମର ପର୍ବତମୟ ଦେଶରେ ହସ୍ତଗତ କରିଥିବା ନଗରସବୁରୁ ଘୃଣାଯୋଗ୍ୟ ବସ୍ତୁସବୁ ଦୂର କଲେ; ଆଉ ସଦାପ୍ରଭୁଙ୍କ ବାରଣ୍ଡା ସମ୍ମୁଖସ୍ଥ ସଦାପ୍ରଭୁଙ୍କ ଯଜ୍ଞବେଦି ପୁନର୍ବାର ସଜାଡ଼ିଲେ। 9 ଏଉତ୍ତାରେ ସେ ସମୁଦାୟ ଯିହୁଦା ଓ ବିନ୍ୟାମୀନ୍ ଲୋକଙ୍କୁ, ପୁଣି ଇଫ୍ରୟିମ ଓ ମନଃଶି ଓ ଶିମୀୟୋନ ମଧ୍ୟରୁ ସେମାନଙ୍କ ସହିତ ପ୍ରବାସକାରୀ ଲୋକମାନଙ୍କୁ ଏକତ୍ର କଲେ; କାରଣ ଇସ୍ରାଏଲ ମଧ୍ୟରୁ ଅନେକେ ସଦାପ୍ରଭୁ ତାଙ୍କର ପରମେଶ୍ୱର ତାଙ୍କର ସହବର୍ତ୍ତୀ ଅଛନ୍ତି ବୋଲି ଦେଖି ତାଙ୍କ ସପକ୍ଷ ହୋଇଥିଲେ। 10 ଏହେତୁ ଆସାଙ୍କ ରାଜତ୍ଵର ପନ୍ଦର ବର୍ଷର ତୃତୀୟ ମାସରେ ଲୋକମାନେ ଯିରୂଶାଲମରେ ଏକତ୍ରିତ ହେଲେ। 11 ଆଉ, ସେହି ଦିନ ସେମାନେ ଆପଣାମାନଙ୍କର ଆନୀତ ଲୁଟଦ୍ରବ୍ୟ ମଧ୍ୟରୁ ସାତ ଶହ ଗୋରୁ ଓ ସାତ ହଜାର ମେଷ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ 12 ପୁଣି ସେମାନେ ଆପଣା ଆପଣା ସର୍ବାନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କର ଅନ୍ୱେଷଣ କରିବାକୁ, 13 ଆଉ ସାନ କି ବଡ଼, ପୁରୁଷ କି ସ୍ତ୍ରୀ, ଯେକେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଅନ୍ୱେଷଣ ନ କରିବ, ତାହାର ପ୍ରାଣଦଣ୍ଡ ହେବ ବୋଲି ନିୟମ କଲେ। 14 ଆହୁରି ସେମାନେ ଉଚ୍ଚସ୍ୱରରେ ଜୟଧ୍ୱନି କରି ତୂରୀ ଓ ଶୃଙ୍ଗ ବଜାଇ ସଦାପ୍ରଭୁଙ୍କ ନିକଟରେ ଶପଥ କଲେ। 15 ତହିଁରେ ସମଗ୍ର ଯିହୁଦା ସେହି ଶପଥରେ ଆନନ୍ଦ କଲେ; କାରଣ ସେମାନେ ଆପଣା ଆପଣାର ସମସ୍ତ ଅନ୍ତଃକରଣ ସହିତ ଶପଥ କରିଥିଲେ ଓ ଆପଣା ଆପଣାର ସମ୍ପୂର୍ଣ୍ଣ ଇଚ୍ଛାରେ ତାହାଙ୍କର ଅନ୍ୱେଷଣ କଲେ, ଏଣୁ ସେମାନେ ତାହାଙ୍କର ଉଦ୍ଦେଶ୍ୟ ପାଇଲେ; ପୁଣି ସଦାପ୍ରଭୁ ସେମାନଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଲେ।
16 ମଧ୍ୟ ଆସା ରାଜାଙ୍କର ମାତାମହୀ ମାଖା ଆଶେରା ଦେବୀ ରୂପେ ଏକ ଘୃଣାଯୋଗ୍ୟ ପ୍ରତିମା ନିର୍ମାଣ କରିଥିବାରୁ ସେ ତାହାକୁ ରାଣୀପଦରୁ ଚ୍ୟୁତ କଲେ ଓ ଆସା ତାହାର ସେହି ପ୍ରତିମା ଛେଦନ କରି ଚୂର୍ଣ୍ଣ କଲେ ଓ କିଦ୍ରୋଣ ନଦୀ ନିକଟରେ ତାହା ପୋଡ଼ି ପକାଇଲେ। 17 ମାତ୍ର ଉଚ୍ଚସ୍ଥଳୀସକଳ ଇସ୍ରାଏଲ ମଧ୍ୟରୁ ଦୂରୀକୃତ ନୋହିଲା; ତଥାପି ଆସାଙ୍କର ଯାବଜ୍ଜୀବନ ତାଙ୍କର ଅନ୍ତଃକରଣ ସିଦ୍ଧ ଥିଲା। 18 ଆଉ ସେ ଆପଣା ପିତାଙ୍କର ପ୍ରତିଷ୍ଠିତ ବସ୍ତୁସବୁ ଓ ନିଜର ପ୍ରତିଷ୍ଠିତ ରୂପା ଓ ସୁନା ଓ ପାତ୍ରସବୁ ପରମେଶ୍ୱରଙ୍କ ଗୃହକୁ ଆଣିଲେ। 19 ପୁଣି, ଆସାଙ୍କ ରାଜତ୍ଵର ପଞ୍ଚତିରିଶ ବର୍ଷ ପର୍ଯ୍ୟନ୍ତ ଆଉ ଯୁଦ୍ଧ ହେଲା ନାହିଁ।
<- ଦ୍ୱିତୀୟ ବଂଶାବଳୀ 14ଦ୍ୱିତୀୟ ବଂଶାବଳୀ 16 ->