10 ତହିଁରେ ଲୋକମାନେ ସେପରି କଲେ; ପୁଣି, ଦୁଇ ଦୁଗ୍ଧବତୀ ଗାଭୀ ନେଇ ଶଗଡ଼ରେ ଯୋଚିଲେ ଓ ସେମାନଙ୍କ ବାଛୁରିକୁ ଘରେ ବନ୍ଦ କଲେ। 11 ଆଉ ସେମାନେ ଶଗଡ଼ ଉପରେ ସଦାପ୍ରଭୁଙ୍କ ସିନ୍ଦୁକ ଓ ସ୍ୱର୍ଣ୍ଣ ମୂଷିକ ଓ ସେମାନଙ୍କ ଅର୍ଶ-ପ୍ରତିମାର ସିନ୍ଦୁକ ରଖିଲେ। 12 ତହୁଁ ସେହି ଗାଭୀମାନେ ସଳଖ ପଥ ଧରି ବେଥ୍-ଶେମଶକୁ ଯିବା ବାଟରେ ଗଲେ; ସେମାନେ ଯାଉ ଯାଉ ହମ୍ବାରବ ପକାଇ ସଡ଼କରେ ଗଲେ, ଦକ୍ଷିଣକୁ କି ବାମକୁ ଫେରିଲେ ନାହିଁ; ଆଉ ସେମାନଙ୍କ ପଛେ ପଛେ ପଲେଷ୍ଟୀୟ ଅଧିପତିମାନେ ବେଥ୍-ଶେମଶ ସୀମା ପର୍ଯ୍ୟନ୍ତ ଗଲେ। 13 ସେହି ସମୟରେ ବେଥ୍-ଶେମଶର ଲୋକମାନେ ତଳଭୂମିରେ ଆପଣାମାନଙ୍କ ଗହମ କାଟୁଥିଲେ; ପୁଣି, ସେମାନେ ଅନାଇ ସିନ୍ଦୁକ ଦେଖିଲେ ଓ ତାହା ଦେଖି ଆନନ୍ଦିତ ହେଲେ। 14 ଏଉତ୍ତାରେ ସେହି ଶଗଡ଼ ବେଥ୍-ଶେମଶୀୟ ଯିହୋଶୂୟର କ୍ଷେତ୍ରକୁ ଆସି ଏକ ବଡ଼ ପଥର ଥିବା ସ୍ଥାନରେ ଛିଡ଼ା ହୋଇ ରହିଲା; ତହିଁରେ ସେମାନେ ସେ ଶଗଡ଼ର କାଠ ଚିରି ସେହି ଗାଭୀମାନଙ୍କୁ ହୋମବଳି ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ। 15 ପୁଣି, ଲେବୀୟମାନେ ସଦାପ୍ରଭୁଙ୍କ ସିନ୍ଦୁକ ଓ ତହିଁ ସହିତ ଥିବା ସ୍ୱର୍ଣ୍ଣ ପଦାର୍ଥର ସିନ୍ଦୁକ ଓହ୍ଲାଇ ସେହି ବଡ଼ ପଥର ଉପରେ ଥୋଇଲେ; ଆଉ ବେଥ୍-ଶେମଶର ଲୋକମାନେ ସେହି ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥକ ଉପହାର ଦେଲେ ଓ ବଳି ଉତ୍ସର୍ଗ କଲେ। 16 ତହୁଁ ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି ତାହା ଦେଖି ସେହି ଦିନ ଇକ୍ରୋଣକୁ ଫେରି ଆସିଲେ।
17 ପଲେଷ୍ଟୀୟମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୋଷାର୍ଥକ ଉପହାର ରୂପେ ଏହିସବୁ ସ୍ୱର୍ଣ୍ଣମୟ ଅର୍ଶ ପଠାଇଥିଲେ; ଯଥା, ଅସ୍ଦୋଦ ପାଇଁ ଏକ, ଘସା ପାଇଁ ଏକ, ଅସ୍କିଲୋନ ପାଇଁ ଏକ, ଗାଥ୍ ପାଇଁ ଏକ, ଇକ୍ରୋଣ ପାଇଁ ଏକ; 18 ପୁଣି, ବେଥ୍-ଶେମଶୀୟ ଯିହୋଶୂୟର କ୍ଷେତ୍ରସ୍ଥିତ ଯେଉଁ ବଡ଼ ପଥର ଆଜି ପର୍ଯ୍ୟନ୍ତ ଅଛି, ଯହିଁ ଉପରେ ସେମାନେ ସଦାପ୍ରଭୁଙ୍କ ସିନ୍ଦୁକ ରଖିଥିଲେ, ସେପର୍ଯ୍ୟନ୍ତ ପାଞ୍ଚ ଅଧିପତିଙ୍କ ଅଧୀନସ୍ଥ ପ୍ରାଚୀର-ବେଷ୍ଟିତ ନଗର ହେଉ କି ଦେଶୀୟ ଗ୍ରାମମାନ ହେଉ, ପଲେଷ୍ଟୀୟମାନଙ୍କ ନଗରସକଳର ସଂଖ୍ୟାନୁସାରେ ସ୍ୱର୍ଣ୍ଣମୟ ମୂଷିକ ପଠାଇଲେ।
19 ପୁଣି, ବେଥ୍-ଶେମଶୀୟ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକକୁ ଅନାଇବାରୁ ସେ ଲୋକମାନଙ୍କ ମଧ୍ୟରୁ ସତୁରି ଜଣଙ୍କୁ[a] ବଧ କଲେ; ପୁଣି, ସଦାପ୍ରଭୁ ମହାସଂହାରରେ ଲୋକମାନଙ୍କର ସଂହାର କରିବାରୁ ସେମାନେ ବିଳାପ କଲେ।
20 ଆହୁରି ବେଥ୍-ଶେମଶୀୟ ଲୋକମାନେ କହିଲେ, “ଏହି ପବିତ୍ର ପରମେଶ୍ୱର ସଦାପ୍ରଭୁଙ୍କ ସମ୍ମୁଖରେ କିଏ ଛିଡ଼ା ହୋଇପାରେ? ଏବେ ଆମ୍ଭମାନଙ୍କଠାରୁ ସେ କାହା ନିକଟକୁ ଯିବେ?” 21 ତହୁଁ ସେମାନେ କିରୀୟଥ୍-ଯିୟାରୀମୀୟ ଲୋକମାନଙ୍କ ନିକଟକୁ ଦୂତ ପଠାଇ କହିଲେ, “ପଲେଷ୍ଟୀୟମାନେ ସଦାପ୍ରଭୁଙ୍କ ସିନ୍ଦୁକ ଫେରାଇ ଆଣିଅଛନ୍ତି; ତୁମ୍ଭେମାନେ ଆସି ଆପଣାମାନଙ୍କ ନିକଟକୁ ତାହା ନେଇଯାଅ।”
<- ପ୍ରଥମ ଶାମୁୟେଲ 5ପ୍ରଥମ ଶାମୁୟେଲ 7 ->- a ସତୁରି ଜଣଙ୍କୁ ଅଧିକାଂଶ ଏବ୍ରୀୟ ହସ୍ତଲିପି ପୁଣି LXX: ୫୦,୦୭୦