8 ଏଥିରେ ଶାଉଲ ଅତି କ୍ରୁଦ୍ଧ ହେଲେ ଓ ଏହି କଥା ତାଙ୍କର ଦୃଷ୍ଟିରେ ମନ୍ଦ ବୋଧ ହେଲା; ଏଣୁ ସେ କହିଲେ, “ସେମାନେ ଦାଉଦଙ୍କୁ ଅୟୁତ ଅୟୁତର ଜୟୀ ଓ ଆମ୍ଭଙ୍କୁ କେବଳ ସହସ୍ର ସହସ୍ରର ଜୟୀ ବୋଲି କହିଲେ; ରାଜତ୍ୱ ଛଡ଼ା ତାହାର ଆଉ କଅଣ ପାଇବାର ବାକି ଅଛି?” 9 ସେହି ଦିନାବଧି ଶାଉଲ ଦାଉଦଙ୍କ ପ୍ରତି କୁଦୃଷ୍ଟି ରଖିଲେ।
10 ପରଦିନ ପରମେଶ୍ୱରଙ୍କଠାରୁ ମନ୍ଦ ଆତ୍ମା ଶାଉଲଙ୍କୁ ଆକ୍ରାନ୍ତ କରନ୍ତେ, ସେ ଗୃହ ମଧ୍ୟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବାକୁ ଲାଗିଲେ; ପୁଣି, ଦାଉଦ ପ୍ରତିଦିନ ପରି ହସ୍ତରେ ବାଦ୍ୟ ବଜାଇଲେ; ସେସମୟରେ ଶାଉଲଙ୍କ ହସ୍ତରେ ବର୍ଚ୍ଛା ଥିଲା। 11 ତହୁଁ ଶାଉଲ ବର୍ଚ୍ଛା ଫିଙ୍ଗିଲେ; କାରଣ ସେ କହିଲେ, “ମୁଁ ଦାଉଦଙ୍କୁ କାନ୍ଥରେ ଫୋଡ଼ିବି।” ମାତ୍ର ଦାଉଦ ତାଙ୍କ ନିକଟରୁ ଦୁଇ ଥର ଘୁଞ୍ଚିଗଲେ।
12 ପୁଣି, ଶାଉଲ ଦାଉଦଙ୍କୁ ଭୟ କଲେ, କାରଣ ସଦାପ୍ରଭୁ ତାଙ୍କ ସଙ୍ଗରେ ଥିଲେ ଓ ଶାଉଲଙ୍କୁ ତ୍ୟାଗ କରିଥିଲେ। 13 ଏହେତୁ ଶାଉଲ ଆପଣା ନିକଟରୁ ତାଙ୍କୁ ଅନ୍ତର କରି ତାଙ୍କୁ ସହସ୍ର ଉପରେ ଆପଣାର ସେନାପତି କଲେ; ଆଉ ସେ ଲୋକମାନଙ୍କ ସମ୍ମୁଖରେ ଗତାୟାତ କଲେ। 14 ଆଉ ଦାଉଦ ଆପଣାର ସବୁ କଥାରେ ବୁଦ୍ଧିମାନ ହେଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗରେ ହେଲେ। 15 ପୁଣି, ଯେତେବେଳେ ଶାଉଲ ତାଙ୍କୁ ଅତି ବୁଦ୍ଧିମାନ ଦେଖିଲେ, ସେ ତାଙ୍କ ବିଷୟରେ ଭୀତ ହେଲେ। 16 ମାତ୍ର ସମସ୍ତ ଇସ୍ରାଏଲ ଓ ଯିହୁଦା ଦାଉଦଙ୍କୁ ପ୍ରେମ କଲେ; କାରଣ ସେ ସେମାନଙ୍କ ସମ୍ମୁଖରେ ଗତାୟାତ କଲେ।
20 ପୁଣି, ଶାଉଲଙ୍କର କନ୍ୟା ମୀଖଲ ଦାଉଦଙ୍କୁ ପ୍ରେମ କଲା; ତହୁଁ ଲୋକମାନେ ଶାଉଲଙ୍କୁ ତାହା ଜଣାନ୍ତେ, ସେ କଥା ତାଙ୍କ ଦୃଷ୍ଟିରେ ପସନ୍ଦ ହେଲା। 21 ପୁଣି, ଶାଉଲ କହିଲେ, ମୁଁ ତାହାକୁ ସେହି କନ୍ୟା ଦେବି, ତହିଁରେ ସେ ତାହାର ଫାନ୍ଦ ସ୍ୱରୂପ ହେବ ଓ ପଲେଷ୍ଟୀୟମାନଙ୍କ ହସ୍ତ ତାହାର ପ୍ରତିକୂଳ ହେବ। ଏଣୁ ଶାଉଲ ଦାଉଦଙ୍କୁ କହିଲେ, “ତୁମ୍ଭେ ଆଜି ଦ୍ୱିତୀୟ ଥର ମୋର ଜୁଆଁଇ ହେବ।” 22 ଏଉତ୍ତାରେ ଶାଉଲ ଆପଣା ଦାସମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଗୋପନରେ ଦାଉଦ ସଙ୍ଗେ ଆଳାପ କରି କୁହ, ‘ଦେଖ, ରାଜା ତୁମ୍ଭ ଉପରେ ସନ୍ତୁଷ୍ଟ ଅଛନ୍ତି ଓ ତାଙ୍କର ସମସ୍ତ ଦାସ ତୁମ୍ଭଙ୍କୁ ପ୍ରେମ କରୁଅଛନ୍ତି; ଏହେତୁ ତୁମ୍ଭେ ରାଜାଙ୍କର ଜୁଆଁଇ ହୁଅ।’ ” 23 ତହିଁରେ ଶାଉଲଙ୍କର ଦାସମାନେ ଦାଉଦଙ୍କର କର୍ଣ୍ଣଗୋଚରରେ ଏହି କଥା କହିଲେ। ତହୁଁ ଦାଉଦ କହିଲେ, “ରାଜାଙ୍କର ଜୁଆଁଇ ହେବା ତୁମ୍ଭମାନଙ୍କ ଦୃଷ୍ଟିରେ କି କ୍ଷୁଦ୍ର କଥା? କାରଣ ମୁଁ ଦରିଦ୍ର ଲୋକ ଓ ଅଳ୍ପମାନ୍ୟ।” 24 ଏଥିରେ ଦାଉଦ ଏପରି ଏପରି କହିଲେ ବୋଲି ଶାଉଲଙ୍କ ଦାସମାନେ ତାଙ୍କୁ ଜଣାଇ କହିଲେ। 25 ତହିଁରେ ଶାଉଲ କହିଲେ, “ତୁମ୍ଭେମାନେ ଦାଉଦଙ୍କୁ ଏପରି କୁହ, ‘ରାଜା କିଛି ମୂଲ୍ୟ ଚାହାନ୍ତି ନାହିଁ, ମାତ୍ର ରାଜାଙ୍କ ଶତ୍ରୁମାନଙ୍କଠାରୁ ପରିଶୋଧ ନେବା ନିମନ୍ତେ ପଲେଷ୍ଟୀୟମାନଙ୍କର ଶହେ ସୁନ୍ନତ ଚର୍ମ ଚାହାନ୍ତି।’ ” ପଲେଷ୍ଟୀୟମାନଙ୍କ ହସ୍ତ ଦ୍ୱାରା ଦାଉଦଙ୍କୁ ବଧ କରିବା ପାଇଁ ଶାଉଲଙ୍କର ବିଚାର ଥିଲା। 26 ପୁଣି, ତାଙ୍କର ଦାସମାନେ ଦାଉଦଙ୍କୁ ଏହି କଥା ଜଣାନ୍ତେ, ରାଜାଙ୍କର ଜୁଆଁଇ ହେବା ପାଇଁ ଦାଉଦଙ୍କ ଦୃଷ୍ଟିରେ ପସନ୍ଦ ହେଲା। 27 ଏଥିଉତ୍ତାରେ କାଳ ସମ୍ପୂର୍ଣ୍ଣ ନୋହୁଣୁ, ଦାଉଦ ଓ ତାଙ୍କର ଲୋକମାନେ ଉଠିଯାଇ ପଲେଷ୍ଟୀୟମାନଙ୍କର ଦୁଇ ଶହ ଲୋକଙ୍କୁ ବଧ କଲେ; ପୁଣି, ଦାଉଦ ସେମାନଙ୍କର ସୁନ୍ନତ ଚର୍ମ ଆଣିଲେ, ତହୁଁ ସେ ଯେପରି ରାଜାଙ୍କର ଜୁଆଁଇ ହେବେ, ଏଥିପାଇଁ ପୂର୍ଣ୍ଣ ସଂଖ୍ୟାନୁସାରେ ତାହା ରାଜାଙ୍କୁ ଦେଲେ। ତହିଁରେ ଶାଉଲ ତାଙ୍କୁ ଆପଣା କନ୍ୟା ମୀଖଲକୁ ଭାର୍ଯ୍ୟା ରୂପେ ଦାନ କଲେ। 28 ଆଉ ସଦାପ୍ରଭୁ ଦାଉଦଙ୍କର ସଙ୍ଗରେ ଅଛନ୍ତି; ଏହା ଶାଉଲ ଦେଖିଲେ ଓ ଜାଣିଲେ; ମଧ୍ୟ ଶାଉଲଙ୍କର କନ୍ୟା ମୀଖଲ[a] ତାଙ୍କୁ ପ୍ରେମ କଲା। 29 ଏହେତୁ ଶାଉଲ ଦାଉଦଙ୍କର ବିଷୟରେ ଅଧିକ ଭୀତ ହେଲେ; ଆଉ ଶାଉଲ ସର୍ବଦା ଦାଉଦଙ୍କର ଶତ୍ରୁ ହେଲେ।
30 ଏଥିଉତ୍ତାରେ ପଲେଷ୍ଟୀୟ ଅଧିପତିମାନେ ବାହାରିବାକୁ ଲାଗିଲେ; ପୁଣି, ସେମାନେ ଯେତେ ଥର ବାହାରିଲେ, ସେତେଥର ଦାଉଦ ଶାଉଲଙ୍କର ସମସ୍ତ ଦାସ ଅପେକ୍ଷା ଅଧିକ ବୁଦ୍ଧିର କାର୍ଯ୍ୟ କଲେ; ଏଣୁ ତାଙ୍କର ନାମ ଅତିଶୟ ମାନ୍ୟ ହେଲା।
<- ପ୍ରଥମ ଶାମୁୟେଲ 17ପ୍ରଥମ ଶାମୁୟେଲ 19 ->- a ଶାଉଲଙ୍କର କନ୍ୟା ମୀଖଲ କିମ୍ବା ସମସ୍ତ ଇସ୍ରାଏଲ ଲୋକମାନେ