16 ପୁଣି, ସେହି ପଲେଷ୍ଟୀୟ ଲୋକ ଚାଳିଶ ଦିନ ପର୍ଯ୍ୟନ୍ତ ପ୍ରାତଃକାଳରେ ଓ ସନ୍ଧ୍ୟାକାଳରେ ନିକଟକୁ ଆସି ଆପଣାକୁ ଦେଖାଉଥାଏ।
17 ଏହି ସମୟରେ ଯିଶୀ ଆପଣାର ପୁତ୍ର ଦାଉଦଙ୍କୁ କହିଲା, “ଆପଣା ଭାଇମାନଙ୍କ ପାଇଁ ଏହି ଭଜାଶସ୍ୟରୁ ଏକ ଐଫା[c] ଓ ଏହି ଦଶଟା ରୁଟି ନିଅ ଓ ଛାଉଣିକୁ ଆପଣା ଭାଇମାନଙ୍କ ନିକଟକୁ ଶୀଘ୍ର ଘେନିଯାଅ। 18 ପୁଣି, ଏହି ଦଶ ଖଣ୍ଡ ଛେନାଚକ୍ତି ସେମାନଙ୍କର ସହସ୍ରପତି ନିକଟକୁ ଘେନିଯାଅ ଓ ତୁମ୍ଭ ଭାଇମାନଙ୍କର କୁଶଳବାର୍ତ୍ତା ପଚାରି ସେମାନଙ୍କର କୌଣସି ଚିହ୍ନ ଆଣ। 19 ଏହି ସମୟରେ ଶାଉଲ ଓ ସେମାନେ ଓ ସମସ୍ତ ଇସ୍ରାଏଲ ଲୋକ ଏଲା ତଳଭୂମିରେ ଥାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରୁଥିଲେ।”
20 ଏଉତ୍ତାରେ ଦାଉଦ ପ୍ରଭାତରେ ଉଠି ଜଣେ ରଖୁଆଳ ହସ୍ତରେ ମେଷପଲ ଛାଡ଼ି ଯିଶୀର ଆଜ୍ଞାନୁସାରେ ସେସବୁ ଦ୍ରବ୍ୟ ନେଇ ଗମନ କଲେ; ପୁଣି, ସୈନ୍ୟଗଣ ବାହାରି ଯୁଦ୍ଧ ନିମନ୍ତେ ମହାନାଦ କରିବା ସମୟରେ ସେ ଶଗଡ଼ବନ୍ଦି ସ୍ଥାନରେ ଉପସ୍ଥିତ ହେଲେ। 21 ତହୁଁ ଇସ୍ରାଏଲ ଓ ପଲେଷ୍ଟୀୟମାନେ ଯୁଦ୍ଧ ସଜାଇଲେ ଓ ସୈନ୍ୟଶ୍ରେଣୀ ପରସ୍ପର ସମ୍ମୁଖାସମ୍ମୁଖୀ ହେଲେ। 22 ପୁଣି, ଦାଉଦ ସାମଗ୍ରୀରକ୍ଷକ ହସ୍ତରେ ଆପଣା ସାମଗ୍ରୀ ରଖି ସୈନ୍ୟଶ୍ରେଣୀ ମଧ୍ୟକୁ ଦୌଡ଼ିଆସି ଆପଣା ଭାଇମାନଙ୍କୁ କୁଶଳବାର୍ତ୍ତା ପଚାରିଲା। 23 ସେ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ସମୟରେ, ଦେଖ, ଗାଥ୍ ନିବାସୀ ପଲେଷ୍ଟୀୟ ଗଲୀୟାତ ନାମକ ମଲ୍ଲଯୋଦ୍ଧା ପଲେଷ୍ଟୀୟ ସୈନ୍ୟଶ୍ରେଣୀ ମଧ୍ୟରୁ ଉଠି ଆସି ପୂର୍ବ ପରି କଥା କହିଲା; ପୁଣି, ଦାଉଦ ତାହା ଶୁଣିଲେ।
24 ମାତ୍ର ଇସ୍ରାଏଲ ଲୋକ ସମସ୍ତେ ସେହି ପୁରୁଷକୁ ଦେଖି ତାହା ସମ୍ମୁଖରୁ ପଳାଇଲେ ଓ ଅତିଶୟ ଭୀତ ହେଲେ। 25 ତହୁଁ ଇସ୍ରାଏଲ ଲୋକମାନେ କହିଲେ, “ଏହି ଯେ ଲୋକ ଉଠି ଆସିଅଛି, ଏହାକୁ କʼଣ ତୁମ୍ଭେମାନେ ଦେଖିଲ? ନିଶ୍ଚୟ ଇସ୍ରାଏଲକୁ ତୁଚ୍ଛ କରିବା ପାଇଁ ସେ ଉଠି ଆସିଅଛି; ପୁଣି, ଏହାକୁ ଯେଉଁ ଲୋକ ବଧ କରିବ, ରାଜା ତାହାକୁ ବହୁତ ଧନରେ ଧନବାନ କରିବେ ଓ ତାହାକୁ ଆପଣା କନ୍ୟା ଦେବେ, ଆଉ ଇସ୍ରାଏଲ ମଧ୍ୟରେ ତାହାର ପିତୃଗୃହକୁ କରମୁକ୍ତ କରିବେ।” 26 ସେତେବେଳେ ଦାଉଦ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କୁ ପଚାରିଲେ, “ଯେଉଁ ଜନ ଏହି ପଲେଷ୍ଟୀୟକୁ ବଧ କରି ଇସ୍ରାଏଲର ଅପମାନ ଦୂର କରିବ, ତାହା ପ୍ରତି କʼଣ କରାଯିବ? କାରଣ, ଏହି ଅସୁନ୍ନତ ପଲେଷ୍ଟୀୟ କିଏ ଯେ, ସେ ଜୀବିତ ପରମେଶ୍ୱରଙ୍କ ସୈନ୍ୟଶ୍ରେଣୀକୁ ତୁଚ୍ଛ କରିବ?” 27 ତହିଁରେ ଲୋକମାନେ ପୂର୍ବ ପରି ଉତ୍ତର ଦେଇ କହିଲେ, ଯେ ତାହାକୁ ବଧ କରିବ, ତାହା ପ୍ରତି ଉପରୋକ୍ତ ପ୍ରକାରେ କରାଯିବ।
28 ସେ ଲୋକମାନଙ୍କୁ କହିବା ବେଳେ ତାଙ୍କର ଜ୍ୟେଷ୍ଠ ଭ୍ରାତା ଇଲୀୟାବ୍ ଶୁଣିଲା; ତହିଁରେ ଇଲୀୟାବ୍ର କ୍ରୋଧ ଦାଉଦଙ୍କ ଉପରେ ପ୍ରଜ୍ୱଳିତ ହେଲା, ଆଉ ସେ କହିଲା, “ତୁ କାହିଁକି ଏଠିକି ଆସିଲୁ? ପ୍ରାନ୍ତରରେ ତୁ ସେ ମେଣ୍ଢା କେତୋଟି କାହା ପାଖରେ ଛାଡ଼ିଲୁ? ମୁଁ ତୋʼ ଗର୍ବ ଓ ତୋʼ ମନର ଦୁଷ୍ଟତା ଜାଣେ; କାରଣ ତୁ ଯୁଦ୍ଧ ଦେଖିବା ପାଇଁ ଆସିଅଛୁ।” 29 ଏଥିରେ ଦାଉଦ କହିଲେ, “ମୁଁ ଏବେ କଅଣ କଲି? ଏଥିରେ କି କୌଣସି କାରଣ ନାହିଁ?” 30 ପୁଣି, ସେ ତାହା ପାଖରୁ ଫେରି ଅନ୍ୟ ଲୋକ ଆଡ଼କୁ ଗଲେ ଓ ପୂର୍ବ ପରି କହିଲେ; ତହିଁରେ ଲୋକମାନେ ପୁନର୍ବାର ପୂର୍ବ ପରି ଉତ୍ତର ଦେଲେ।
31 ଦାଉଦଙ୍କର ଏହିସବୁ କଥା ଶୁଣାଯାʼନ୍ତେ, ଲୋକମାନେ ଶାଉଲଙ୍କ ସମ୍ମୁଖରେ ତାହା କହିଲେ, ତେଣୁ ସେ ତାଙ୍କୁ ଡକାଇଲେ। 32 ଏଥିରେ ଦାଉଦ ଶାଉଲଙ୍କୁ କହିଲେ, “ତାହା ସକାଶୁ କାହାରି ହୃଦୟ ନିରାଶ ନ ହେଉ; ଆପଣଙ୍କ ଦାସ ଯାଇ ସେହି ପଲେଷ୍ଟୀୟ ସଙ୍ଗେ ଯୁଦ୍ଧ କରିବ।” 33 ତହିଁରେ ଶାଉଲ ଦାଉଦଙ୍କୁ କହିଲେ, “ତୁମ୍ଭେ ସେହି ପଲେଷ୍ଟୀୟ ବିରୁଦ୍ଧରେ ଯାଇ ତାହା ସଙ୍ଗେ ଯୁଦ୍ଧ କରି ପାରିବ ନାହିଁ; କାରଣ ତୁମ୍ଭେ ତ ଯୁବା, ମାତ୍ର ସେ ଯୌବନାବଧି ଯୋଦ୍ଧା।” 34 ତହୁଁ ଦାଉଦ ଶାଉଲଙ୍କୁ କହିଲେ, “ଆପଣଙ୍କ ଦାସ ଆପଣା ପିତାର ମେଷ ଚରାଉଥାଏ; ପୁଣି, କୌଣସି ସମୟରେ ଗୋଟିଏ ସିଂହ କି ଗୋଟିଏ ଭାଲୁ ଆସି ପଲ ମଧ୍ୟରୁ ଛୁଆ ଘେନିଗଲେ, 35 ମୁଁ ତାହା ପଛେ ଗୋଡ଼ାଇ ତାକୁ ମାରି ତାʼ ମୁଖରୁ ଛୁଆକୁ ରକ୍ଷା କରେ; ପୁଣି, ସେ ମୋʼ ଉପରକୁ ଉଠିଲେ, ମୁଁ ତାହାର ଦାଢ଼ି ଧରି ତାହାକୁ ମାରି ବଧ କରେ। 36 ଆପଣଙ୍କ ଦାସ ସିଂହ ଓ ଭାଲୁ ଉଭୟ ବଧ କରିଅଛି; ପୁଣି, ଏହି ଅସୁନ୍ନତ ପଲେଷ୍ଟୀୟ ସେମାନଙ୍କର ଗୋଟିକ ପରି ହେବ, କାରଣ ସେ ଜୀବିତ ପରମେଶ୍ୱରଙ୍କ ସୈନ୍ୟଶ୍ରେଣୀକୁ ତୁଚ୍ଛ କରିଅଛି।” 37 ଆହୁରି ଦାଉଦ କହିଲେ, “ଯେଉଁ ସଦାପ୍ରଭୁ ସିଂହ ହାତରୁ ଓ ଭାଲୁ ହାତରୁ ମୋତେ ରକ୍ଷା କରିଅଛନ୍ତି; ସେ ଏହି ପଲେଷ୍ଟୀୟ ହାତରୁ ମୋତେ ରକ୍ଷା କରିବେ।” ଏଥିରେ ଶାଉଲ ଦାଉଦଙ୍କୁ କହିଲେ, “ଯାଅ, ସଦାପ୍ରଭୁ ତୁମ୍ଭର ସଙ୍ଗୀ ହେବେ।” 38 ତହୁଁ ଶାଉଲ ଦାଉଦଙ୍କୁ ଆପଣା ବସ୍ତ୍ର ପିନ୍ଧାଇ ତାଙ୍କର ମସ୍ତକରେ ପିତ୍ତଳ ଟୋପର ଦେଇ ତାଙ୍କୁ ସାଞ୍ଜୁଆ ପିନ୍ଧାଇଲେ। 39 ପୁଣି, ଦାଉଦ ଆପଣା ବସ୍ତ୍ର ଉପରେ ଖଡ୍ଗ ବାନ୍ଧି ଚାଲିବାକୁ ଚେଷ୍ଟା କଲେ; କାରଣ ସେ ତାହା ପରଖ କରି ନ ଥିଲେ। ଆଉ ଦାଉଦ ଶାଉଲଙ୍କୁ କହିଲେ, “ମୁଁ ଏହି ବେଶରେ ଯାଇ ନ ପାରେ, କାରଣ ମୁଁ ସେସବୁ ପରଖ କରି ନାହିଁ।” ଏଣୁ ଦାଉଦ ତାହା କାଢ଼ି ରଖିଲେ। 40 ପୁଣି, ସେ ଆପଣା ଯଷ୍ଟି ହାତରେ ଘେନି ନଦୀରୁ ପାଞ୍ଚୋଟି ଚିକ୍କଣ ପଥର ବାଛିଲେ ଓ ଆପଣା ପାଖରେ ମେଷପାଳକର ଯେଉଁ ଝୁଲି ଥିଲା, ସେହି ଝୁଲିରେ ତାହା ରଖିଲେ; ଆଉ ସେ ହାତରେ ଆପଣା ଛାଟିଣୀ ଧରି ସେହି ପଲେଷ୍ଟୀୟ ନିକଟକୁ ଗଲେ।
41 ଏଥିରେ ପଲେଷ୍ଟୀୟ ଅଗ୍ରସର ହୋଇ ଦାଉଦଙ୍କର ସନ୍ନିକଟ ହେଲା ଓ ତାହାର ଢାଲବାହକ ତାହାର ଆଗେ ଆଗେ ଚାଲିଲା। 42 ତହୁଁ ପଲେଷ୍ଟୀୟ ଚାରିଆଡ଼କୁ ଅନାଇ ଦାଉଦଙ୍କୁ ଦେଖି ତୁଚ୍ଛଜ୍ଞାନ କଲା, କାରଣ ସେ ଯୁବା ଓ ଈଷତ୍ ରକ୍ତବର୍ଣ୍ଣ ଓ ସୁନ୍ଦର-ବଦନ ଥିଲେ। 43 ପୁଣି, ସେହି ପଲେଷ୍ଟୀୟ ଦାଉଦଙ୍କୁ କହିଲା, “ମୁଁ କି କୁକ୍କୁର, ଯେ ତୁ ଯଷ୍ଟି ନେଇ ମୋʼ ପାଖକୁ ଆସିଛୁ?” ତହିଁରେ ପଲେଷ୍ଟୀୟ ଆପଣା ଦେବତାମାନଙ୍କ ନାମରେ ଦାଉଦଙ୍କୁ ଶାପ ଦେଲା। 44 ଆଉ ସେହି ପଲେଷ୍ଟୀୟ ଦାଉଦଙ୍କୁ କହିଲା, “ମୋʼ କତିକି ଆ, ମୁଁ ତୋର ମାଂସ ଆକାଶ-ପକ୍ଷୀ ଓ ବିଲ-ପଶୁମାନଙ୍କୁ ଦେବି।” 45 ତେବେ ଦାଉଦ ପଲେଷ୍ଟୀୟକୁ କହିଲେ, “ତୁମ୍ଭେ ଖଡ୍ଗ ଘେନି, ବର୍ଚ୍ଛା ଘେନି ଓ ଶଲ୍ୟ ଘେନି ମୋʼ କତିକି ଆସିଅଛ; ମାତ୍ର ତୁମ୍ଭେ ଯାହାଙ୍କୁ ତୁଚ୍ଛ କରିଅଛ, ସେହି ଇସ୍ରାଏଲ ସୈନ୍ୟଶ୍ରେଣୀର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି। 46 ଆଜି ଦିନ ସଦାପ୍ରଭୁ ତୁମ୍ଭକୁ ମୋʼ ହସ୍ତରେ ସମର୍ପି ଦେବେ; ଏଣୁ ମୁଁ ତୁମ୍ଭକୁ ଆଘାତ କରି ତୁମ୍ଭଠାରୁ ତୁମ୍ଭ ମସ୍ତକ ଅଲଗା କରିବି; ପୁଣି, ମୁଁ ଆଜି ପଲେଷ୍ଟୀୟମାନଙ୍କ ସୈନ୍ୟଗଣର ଶବ ଆକାଶ-ପକ୍ଷୀଗଣକୁ ଓ ପୃଥିବୀସ୍ଥ ବନ-ପଶୁମାନଙ୍କୁ ଦେବି; ତହିଁରେ ଇସ୍ରାଏଲ ମଧ୍ୟରେ ଏକ ପରମେଶ୍ୱର ଅଛନ୍ତି ବୋଲି ସମୁଦାୟ ଜଗତ ଜାଣିବେ। 47 ଆଉ ଏହି ସମସ୍ତ ସମାଜ ଜାଣିବେ ଯେ, ସଦାପ୍ରଭୁ ଖଡ୍ଗ ଓ ବର୍ଚ୍ଛା ଦ୍ୱାରା ଉଦ୍ଧାର କରନ୍ତି ନାହିଁ; କାରଣ ଏହି ଯୁଦ୍ଧ ସଦାପ୍ରଭୁଙ୍କର ଓ ସେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ।”
48 ଏଉତ୍ତାରେ ସେହି ପଲେଷ୍ଟୀୟ ଉଠି ଦାଉଦଙ୍କ ସଙ୍ଗେ ଭେଟିବାକୁ ଆସି ନିକଟବର୍ତ୍ତୀ ହୁଅନ୍ତେ, ଦାଉଦ ଶୀଘ୍ର ସେହି ପଲେଷ୍ଟୀୟ ସହିତ ଭେଟିବାକୁ ସୈନ୍ୟଶ୍ରେଣୀ ଆଡ଼େ ଦୌଡ଼ିଲେ। 49 ପୁଣି, ଦାଉଦ ଆପଣା ଝୁଲିରେ ହାତ ପୂରାଇ ତହିଁରୁ ଗୋଟିଏ ପଥର କାଢ଼ି ଛାଟିଣୀରେ ମାରି ସେହି ପଲେଷ୍ଟୀୟର କପାଳକୁ ଆଘାତ କଲେ; ତହିଁରେ ସେ ପଥର ତାହା କପାଳରେ ପଶିଯାʼନ୍ତେ, ସେ ମୁହଁ ମାଡ଼ି ଭୂମିରେ ପଡ଼ିଲା। 50 ଏହି ପ୍ରକାରେ ଦାଉଦ ଛାଟିଣୀ ଓ ପଥର ଦ୍ୱାରା ସେହି ପଲେଷ୍ଟୀୟ ଉପରେ ଜୟଲାଭ କଲେ ଓ ପଲେଷ୍ଟୀୟକୁ ଆଘାତ କରି ବଧ କଲେ, ମାତ୍ର ଦାଉଦଙ୍କ ହସ୍ତରେ ଖଡ୍ଗ ନ ଥିଲା। 51 ତହୁଁ ଦାଉଦ ଦୌଡ଼ିଯାଇ ସେହି ପଲେଷ୍ଟୀୟ ଉପରେ ଠିଆ ହେଲେ ଓ ତାହାର ଖଡ୍ଗ ଧରି ଖାପରୁ କାଢ଼ି ତାହାକୁ ବଧ କଲେ ଓ ତଦ୍ଦ୍ୱାରା ତାହାର ମସ୍ତକ ଛେଦନ କଲେ। ଆଉ ପଲେଷ୍ଟୀୟମାନେ ଆପଣାମାନଙ୍କ ବୀରକୁ ମୃତ ଦେଖି ପଳାଇଲେ। 52 ତହୁଁ ଇସ୍ରାଏଲ ଓ ଯିହୁଦାର ଲୋକମାନେ ଉଠି ଜୟଧ୍ୱନି କଲେ ଓ ଗାଥ୍ ନଗର[d] ସନ୍ନିକଟ ଓ ଇକ୍ରୋଣ ଦ୍ୱାର ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ। ତହିଁରେ ପଲେଷ୍ଟୀୟମାନଙ୍କ ହତ ଲୋକମାନେ ଶାରୟିମ୍ ପଥରେ ଗାଥ୍ ଓ ଇକ୍ରୋଣ ପର୍ଯ୍ୟନ୍ତ ପଡ଼ିଲେ। 53 ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ପଲେଷ୍ଟୀୟମାନଙ୍କ ପଛେ ପଛେ ଗୋଡ଼ାଇବାରୁ ନେଉଟି ଆସି ସେମାନଙ୍କ ଛାଉଣି ଲୁଟ କଲେ। 54 ପୁଣି, ଦାଉଦ ସେହି ପଲେଷ୍ଟୀୟର ମସ୍ତକ ନେଇ ଯିରୂଶାଲମକୁ ଆଣିଲେ; ମାତ୍ର ତାହାର ସଜ୍ଜା ଆପଣା ତମ୍ବୁରେ ରଖିଲେ। 55 ସେହି ପଲେଷ୍ଟୀୟ ବିରୁଦ୍ଧରେ ଦାଉଦଙ୍କୁ ବାହାରିବାର ଦେଖି ଶାଉଲ ସୈନ୍ୟର ସେନାପତି ଅବ୍ନରକୁ କହିଲେ; “ଅବ୍ନର, ଏ ଯୁବା କାହାର ପୁଅ?” ଅବ୍ନର କହିଲା, “ହେ ମହାରାଜ, ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ କହୁଛି, ମୁଁ କହି ପାରିବି ନାହିଁ।” 56 ତହିଁରେ ରାଜା କହିଲେ, “ପଚାର, ଏ ଭେଣ୍ଡିଆଟି କାହାର ପୁଅ?” 57 ଆଉ ଦାଉଦ ପଲେଷ୍ଟୀୟକୁ ବଧ କରି ପଲେଷ୍ଟୀୟର ମସ୍ତକ ହସ୍ତରେ ଧରି ଫେରି ଆସିବା ବେଳେ ଅବ୍ନର ତାଙ୍କୁ ନେଇ ଶାଉଲଙ୍କ ସମ୍ମୁଖକୁ ଆଣିଲା। 58 ତହୁଁ ଶାଉଲ ତାଙ୍କୁ ପଚାରିଲେ, “ହେ ଯୁବକ, ତୁମ୍ଭେ କାହାର ପୁଅ?” ଦାଉଦ ଉତ୍ତର ଦେଲେ, “ମୁଁ ଆପଣଙ୍କ ଦାସ ବେଥଲିହିମୀୟ ଯିଶୀର ପୁଅ।”
<- ପ୍ରଥମ ଶାମୁୟେଲ 16ପ୍ରଥମ ଶାମୁୟେଲ 18 ->