2 ପୁଣି, ଶାଉଲ ଆପଣା ପାଇଁ ଇସ୍ରାଏଲ ମଧ୍ୟରୁ ତିନି ହଜାର ଲୋକ ମନୋନୀତ କଲେ; ଏମାନଙ୍କର ଦୁଇ ହଜାର ମିକ୍ମସ୍ରେ ଓ ବେଥେଲ୍ ପର୍ବତରେ ଶାଉଲଙ୍କ ସଙ୍ଗରେ ରହିଲେ, ଆଉ ଏକ ହଜାର ବିନ୍ୟାମୀନ୍ ପ୍ରଦେଶସ୍ଥ ଗିବୀୟାରେ ଯୋନାଥନ ସଙ୍ଗରେ ରହିଲେ; ପୁଣି, ଅବଶିଷ୍ଟ ଲୋକମାନଙ୍କର ପ୍ରତ୍ୟେକକୁ ସେ ଆପଣା ଆପଣା ତମ୍ବୁକୁ ବିଦାୟ କଲେ। 3 ଆଉ ଯୋନାଥନ ଗେବାସ୍ଥିତ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳକୁ ସଂହାର କରନ୍ତେ, ପଲେଷ୍ଟୀୟମାନେ ତାହା ଶୁଣିଲେ। ସେତେବେଳେ ଶାଉଲ ଦେଶର ସର୍ବତ୍ର ତୂରୀ ବଜାଇ କହିଲେ, “ଏବ୍ରୀୟ ଲୋକମାନେ ଶୁଣନ୍ତୁ।” 4 ତହୁଁ ଶାଉଲ ଯେ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳକୁ ସଂହାର କରିଅଛନ୍ତି ଓ ମଧ୍ୟ ଇସ୍ରାଏଲ ଯେ ପଲେଷ୍ଟୀୟମାନଙ୍କ ନିକଟରେ ଦୁର୍ଗନ୍ଧ ସ୍ୱରୂପ ହୋଇଅଛନ୍ତି, ଏହା ସମୁଦାୟ ଇସ୍ରାଏଲ ଶୁଣିଲେ। ଏଣୁ ଲୋକମାନେ ଶାଉଲଙ୍କ ପାଖରେ ଗିଲ୍ଗଲ୍ରେ ଏକତ୍ର ହେଲେ।
5 ଏଉତ୍ତାରେ ଇସ୍ରାଏଲ ସହିତ ଯୁଦ୍ଧ କରିବା ପାଇଁ ପଲେଷ୍ଟୀୟମାନଙ୍କର ତିରିଶ ସହସ୍ର ରଥ ଓ ଛଅ ସହସ୍ର ଅଶ୍ୱାରୋହୀ ଓ ସମୁଦ୍ରତୀରସ୍ଥ ବାଲୁକାର ନ୍ୟାୟ ଲୋକସମୂହ ଏକତ୍ର ହେଲେ; ସେମାନେ ଆସି ମିକ୍ମସ୍ରେ ବେଥ୍-ଆବନର ପୂର୍ବ ଦିଗରେ ଛାଉଣି ସ୍ଥାପନ କଲେ। 6 ଏଣୁ ଇସ୍ରାଏଲ ଲୋକମାନେ ଆପଣାମାନଙ୍କୁ ବିପଦଗ୍ରସ୍ତ ଦେଖିଲେ; (କାରଣ ଲୋକମାନେ ବଡ଼ କଷ୍ଟ ଭୋଗ କଲେ), ଏହେତୁ ଲୋକମାନେ ଗୁମ୍ଫାରେ ଓ କଣ୍ଟାବଣରେ ଓ ଶୈଳରେ ଓ ଦୁର୍ଗମ ସ୍ଥାନରେ ଓ ଗାତରେ ଆପଣାମାନଙ୍କୁ ଲୁଚାଇଲେ। 7 ଏହି ସମୟରେ ଏବ୍ରୀୟମାନଙ୍କର କେତେକ ଲୋକ ଯର୍ଦ୍ଦନ ପାର ହୋଇ ଗାଦ୍ ଓ ଗିଲୀୟଦ ଦେଶକୁ ଯାଇଥିଲେ; ମାତ୍ର ଶାଉଲ ଏଯାଏ ଗିଲ୍ଗଲ୍ରେ ଥିଲେ, ଆଉ ସମସ୍ତ ଲୋକ ଥରଥର ହୋଇ ତାଙ୍କର ପଶ୍ଚାଦ୍ଗାମୀ ହେଲେ।
15 ଏଥିଉତ୍ତାରେ ଶାମୁୟେଲ ଉଠି ଗିଲ୍ଗଲ୍ରୁ ବିନ୍ୟାମୀନ୍ ପ୍ରଦେଶସ୍ଥ ଗିବୀୟାକୁ ଗଲେ। ସେତେବେଳେ ଶାଉଲ ଗଣନା କରି ଊଣାଧିକ ଛଅ ଶତ ଲୋକ ଆପଣା ନିକଟରେ ଥିବାର ଦେଖିଲେ।
16 ପୁଣି, ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ଓ ସେମାନଙ୍କ ନିକଟରେ ବର୍ତ୍ତମାନ ଥିବା ଲୋକମାନେ ବିନ୍ୟାମୀନ୍ ପ୍ରଦେଶସ୍ଥ ଗେବାରେ ରହିଲେ; ମାତ୍ର ପଲେଷ୍ଟୀୟମାନେ ମିକ୍ମସ୍ରେ ଛାଉଣି ସ୍ଥାପନ କଲେ। 17 ଏଉତ୍ତାରେ ପଲେଷ୍ଟୀୟମାନଙ୍କ ଛାଉଣିରୁ ତିନି ଦଳ ବିନାଶକ ଲୋକ ଆସିଲେ; ଏକ ଦଳ ଅଫ୍ରା ପଥରେ ଗମନ କରି ଶୂୟାଲ ପ୍ରଦେଶକୁ ଗଲେ; 18 ପୁଣି, ଅନ୍ୟ ଏକ ଦଳ ବେଥ୍-ହୋରଣ ପଥ ଆଡ଼େ ଫେରିଲେ; ଆଉ ଅନ୍ୟ ଏକ ଦଳ ପ୍ରାନ୍ତର ଆଡ଼େ ସିବୋୟିମ ଉପତ୍ୟକାର ଅଭିମୁଖସ୍ଥ ଅଞ୍ଚଳର ପଥ ଦେଇ ଗମନ କଲେ।
19 ସେସମୟରେ ସମସ୍ତ ଇସ୍ରାଏଲ ଦେଶରେ କମାର ମିଳୁ ନ ଥିଲେ; କାରଣ ପଲେଷ୍ଟୀୟମାନେ କହିଲେ, “କେଜାଣି ଏବ୍ରୀୟମାନେ ଆପଣାମାନଙ୍କ ପାଇଁ ଖଡ୍ଗ ବା ବର୍ଚ୍ଛା ନିର୍ମାଣ କରିବେ;” 20 ଏଣୁ ଆପଣା ଆପଣା ଫାଳ ଓ ଛୁରୀ ଓ କୁହ୍ରାଡ଼ି ଓ କୋଡ଼ି ପଜାଇବା ପାଇଁ ଇସ୍ରାଏଲର ସମସ୍ତ ଲୋକଙ୍କୁ ପଲେଷ୍ଟୀୟମାନଙ୍କ ନିକଟକୁ ଯିବାର ହେଲା; 21 ତେଣୁ ସମସ୍ତଙ୍କର କୋଡ଼ି ଓ ଛୁରୀ ଓ ବିଦା ଓ କୁହ୍ରାଡ଼ି ଦନ୍ଥଡ଼ା ହୋଇଥାଏ; ମଧ୍ୟ ଅଙ୍କୁଶ ଧାର କରିବା ପାଇଁ ସେମାନଙ୍କର (ପଲେଷ୍ଟୀୟମାନଙ୍କ ନିକଟକୁ ଯିବାର ହେଲା)। 22 ଏଣୁ ଯୁଦ୍ଧ ସମୟରେ ଶାଉଲ ଓ ଯୋନାଥନର ସଙ୍ଗୀ ଲୋକମାନଙ୍କ କାହାରି ହସ୍ତରେ ଖଡ୍ଗ କି ବର୍ଚ୍ଛା ନ ଥିଲା; କେବଳ ଶାଉଲ ଓ ତାଙ୍କ ପୁତ୍ର ଯୋନାଥନର ହସ୍ତରେ ଥିଲା। 23 ଏଉତ୍ତାରେ ପଲେଷ୍ଟୀୟମାନଙ୍କ ପ୍ରହରୀ-ଦଳ ବାହାର ହୋଇ ମିକ୍ମସ୍ ଘାଟିକୁ ଗଲେ।
<- ପ୍ରଥମ ଶାମୁୟେଲ 12ପ୍ରଥମ ଶାମୁୟେଲ 14 ->