10 ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ, ଏହି ଦୁଇ ଗୃହ ନିର୍ମାଣ କରିବା ପାଇଁ ଶଲୋମନଙ୍କୁ କୋଡ଼ିଏ ବର୍ଷ ଲାଗିଲା;
11 ତହିଁର ଶେଷରେ ଶଲୋମନ ରାଜା ସୋରର ରାଜା ହୂରମ୍କୁ; ଗାଲିଲୀ ଦେଶସ୍ଥ କୋଡ଼ିଏ ନଗର ଦେଲେ; ଏହି ହୂରମ୍ ଶଲୋମନଙ୍କର ସମସ୍ତ ବାଞ୍ଛାନୁସାରେ ତାଙ୍କୁ ଏରସ କାଷ୍ଠ ଓ ଦେବଦାରୁ କାଷ୍ଠ ଓ ସୁବର୍ଣ୍ଣ ଯୋଗାଇ ଦେଇଥିଲା।
12 ଏଉତ୍ତାରେ ହୂରମ୍ ଶଲୋମନଙ୍କର ଦତ୍ତ ନଗରମାନ ଦେଖିବାକୁ ସୋରରୁ ଆସିଲା, ମାତ୍ର ସେସବୁ ତାହାର ସନ୍ତୋଷଜନକ ହେଲା ନାହିଁ।
13 ତହୁଁ ସେ କହିଲା, “ହେ ମୋହର ଭାଇ, ଏସବୁ କିପରି ନଗର ମୋତେ ଦେଇଅଛ?” ପୁଣି, ସେ ସେହିସବୁର ନାମ କାବୂଲ
[a] ଦେଶ ଦେଲା, ସେହି ନାମ ଆଜି ପର୍ଯ୍ୟନ୍ତ ଅଛି।
14 ପୁଣି, ହୂରମ୍ ଏକ ଶହ କୋଡ଼ିଏ ତାଳନ୍ତ ସୁନା
[b] ରାଜାଙ୍କ ନିକଟକୁ ପଠାଇଦେଲା।
15 ସଦାପ୍ରଭୁଙ୍କ ଗୃହ, ଆପଣା ନିଜ ଗୃହ, ମିଲ୍ଲୋ, ଯିରୂଶାଲମର ପ୍ରାଚୀର, ହାସୋର, ମଗିଦ୍ଦୋ ଓ ଗେଷର ନିର୍ମାଣ କରିବା ପାଇଁ ରାଜା ଶଲୋମନ ଯେଉଁ ବେଠିକର୍ମକାରୀମାନଙ୍କୁ ସଂଗ୍ରହ କରିଥିଲେ, ତହିଁର ବିବରଣ।
16 ମିସରର ରାଜା ଫାରୋ ଯାଇ ଗେଷର ହସ୍ତଗତ କରି ତାହା ଅଗ୍ନିରେ ଦଗ୍ଧ କରି ତନ୍ନିବାସୀ କିଣାନୀୟମାନଙ୍କୁ ବଧ କରି ତାହା ଯୌତୁକ ରୂପେ ଆପଣା କନ୍ୟା ଶଲୋମନଙ୍କର ଭାର୍ଯ୍ୟାକୁ ଦେଇଥିଲା।
17 ଏହେତୁ ଶଲୋମନ ଦେଶ ମଧ୍ୟରେ ଗେଷର, ଅଧଃସ୍ଥିତ ବେଥ୍-ହୋରଣ,
18 ବାଲତ୍ ଓ ପ୍ରାନ୍ତରସ୍ଥ ତାମୋର,
19 ଆଉ ଶଲୋମନଙ୍କର ଯେ ଯେ ଭଣ୍ଡାର ନଗର ଥିଲା, ତାହାସବୁ ଓ ରଥ ପାଇଁ ନଗର ଓ ଅଶ୍ୱାରୋହୀମାନଙ୍କ ପାଇଁ ନଗର, ପୁଣି, ଯିରୂଶାଲମରେ ଓ ଲିବାନୋନରେ ଓ ଆପଣା ଅଧିକୃତ ଦେଶର ସର୍ବତ୍ର ଯାହା ଯାହା ନିର୍ମାଣ କରିବାକୁ ଶଲୋମନ ସନ୍ତୁଷ୍ଟ ହେଲେ, ତାହାସବୁ ନିର୍ମାଣ କଲେ।
20 ଯେଉଁମାନେ ଇସ୍ରାଏଲ ସନ୍ତାନ ନୁହନ୍ତି, ଏପରି ଯେସକଳ ଇମୋରୀୟ, ହିତ୍ତୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକ ଅବଶିଷ୍ଟ ରହିଥିଲେ;
21 ଅର୍ଥାତ୍, ସେମାନଙ୍କ ଉତ୍ତାରେ ଦେଶରେ ଅବଶିଷ୍ଟ ସେମାନଙ୍କର ଯେଉଁ ସନ୍ତାନଗଣକୁ ଇସ୍ରାଏଲ-ସନ୍ତାନଗଣ ସମ୍ପୂର୍ଣ୍ଣ ରୂପେ ବିନାଶ କରିପାରି ନ ଥିଲେ, ସେମାନଙ୍କ ମଧ୍ୟରୁ ଶଲୋମନ ଆଜି ପର୍ଯ୍ୟନ୍ତ ବେଠିକର୍ମ କରିବା ପାଇଁ ଦାସ ସଂଗ୍ରହ କଲେ।
22 ମାତ୍ର ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରୁ ଶଲୋମନ କାହାକୁ ଦାସ କଲେ ନାହିଁ; ସେମାନେ ଯୋଦ୍ଧା ଓ ତାଙ୍କ ରାଜଭୃତ୍ୟ, ତାଙ୍କ ଅଧିପତି, ତାଙ୍କର ସେନାପତି, ତାଙ୍କ ରଥ ଓ ଅଶ୍ୱାରୋହୀମାନଙ୍କ ଉପରେ ଅଧ୍ୟକ୍ଷ ଥିଲେ।
23 ସେମାନଙ୍କ ମଧ୍ୟରୁ ପାଞ୍ଚ ଶହ ପଚାଶ ଜଣ ଶଲୋମନଙ୍କର କର୍ମରେ ନିଯୁକ୍ତ ପ୍ରଧାନ ଅଧ୍ୟକ୍ଷ ଥିଲେ। ସେମାନେ କର୍ମକାରୀ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କଲେ।
24 ମାତ୍ର ଫାରୋର କନ୍ୟା ଦାଉଦ-ନଗରରୁ ଶଲୋମନଙ୍କ ଦ୍ୱାରା ତାହା ପାଇଁ ନିର୍ମିତ ଆପଣା ଗୃହକୁ ଆସିଲା; ତେବେ ଶଲୋମନ ମିଲ୍ଲୋ ନିର୍ମାଣ କଲେ।
25 ପୁଣି, ଶଲୋମନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଯଜ୍ଞବେଦି ନିର୍ମାଣ କରିଥିଲେ, ସଦାପ୍ରଭୁଙ୍କ ସମ୍ମୁଖସ୍ଥ ସେହି ଯଜ୍ଞବେଦି ଉପରେ ସେ ଧୂପ ଜ୍ୱଳାଇ ବର୍ଷକେ ତିନି ଥର ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଏହିରୂପେ ସେ ଗୃହ ନିର୍ମାଣ ସମାପ୍ତ କଲେ।
26 ଏଥିଉତ୍ତାରେ ଶଲୋମନ ରାଜା ଇଦୋମ ଦେଶରେ ସୂଫ ସାଗରତୀରସ୍ଥ ଏଲତ୍ ନିକଟବର୍ତ୍ତୀ ଇତ୍ସିୟୋନ-ଗେବରରେ ଜାହାଜମାନ ନିର୍ମାଣ କଲେ। 27 ପୁଣି, ହୂରମ୍ ସେହି ଜାହାଜରେ ଶଲୋମନଙ୍କର ଦାସମାନଙ୍କ ସହିତ ସାମୁଦ୍ରିକ କର୍ମରେ ନିପୁଣ ଆପଣା ଦାସ ନାବିକମାନଙ୍କୁ ପଠାଇଲା। 28 ଆଉ ସେମାନେ ଓଫୀରକୁ ଯାଇ ସେଠାରୁ ଚାରି ଶହ କୋଡ଼ିଏ ତାଳନ୍ତ ସୁନା[c] ନେଇ ଶଲୋମନ ରାଜାଙ୍କ ନିକଟକୁ ଆଣିଲେ।
<- ପ୍ରଥମ ରାଜାବଳୀ 8ପ୍ରଥମ ରାଜାବଳୀ 10 ->
- a କାବୂଲ ଅର୍ଥାତ୍ ମୂଲ୍ୟହୀନ
- b ଏକ ଶହ କୋଡ଼ିଏ ତାଳନ୍ତ ସୁନା ପ୍ରାୟ ୪,୦୦୦ କିଲୋଗ୍ରାମ୍
- c ଚାରି ଶହ କୋଡ଼ିଏ ତାଳନ୍ତ ସୁନା ପ୍ରାୟ ୧୪,୦୦୦ କିଲୋଗ୍ରାମ୍