5 ଆହୁରି ଯିହୋଶାଫଟ୍ ଇସ୍ରାଏଲର ରାଜାଙ୍କୁ କହିଲେ, “ମୁଁ ବିନୟ କରୁଅଛି, ଆଜି ସଦାପ୍ରଭୁଙ୍କ ବାକ୍ୟ ପଚାର।” 6 ତେବେ ଇସ୍ରାଏଲର ରାଜା ଭବିଷ୍ୟଦ୍ବକ୍ତାମାନଙ୍କର ଊଣାଧିକ ଚାରି ଶହ ଲୋକ ଏକତ୍ର କରି ସେମାନଙ୍କୁ ପଚାରିଲେ, “ମୁଁ ରାମୋତ୍-ଗିଲୀୟଦ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବି କି କ୍ଷାନ୍ତ ହେବି?” ତହୁଁ ସେମାନେ କହିଲେ, “ଯାଉନ୍ତୁ; କାରଣ ପ୍ରଭୁ ମହାରାଜାଙ୍କ ହସ୍ତରେ ତାହା ସମର୍ପଣ କରିବେ।” 7 ମାତ୍ର ଯିହୋଶାଫଟ୍ କହିଲେ, “ଏମାନଙ୍କ ବ୍ୟତୀତ ଯାହାକୁ ଆମ୍ଭେମାନେ ପଚାରି ପାରୁ, ସଦାପ୍ରଭୁଙ୍କର ଏପରି ଭବିଷ୍ୟଦ୍ବକ୍ତା କି କେହି ଏଠାରେ ନାହିଁ?” 8 ତହିଁରେ ଇସ୍ରାଏଲର ରାଜା ଯିହୋଶାଫଟ୍ଙ୍କୁ କହିଲେ, “ଆଉ ଜଣେ ଅଛନ୍ତି, ଯାହା ଦ୍ୱାରା ଆମ୍ଭେମାନେ ସଦାପ୍ରଭୁଙ୍କୁ ପଚାରି ପାରୁ, ସେ ଇମ୍ଲର ପୁତ୍ର ମୀଖାୟ; ମାତ୍ର ମୁଁ ତାହାକୁ ଘୃଣା କରେ; କାରଣ ସେ ମୋʼ ବିଷୟରେ ଅମଙ୍ଗଳ ବିନା ମଙ୍ଗଳର ଭବିଷ୍ୟଦ୍ବାକ୍ୟ ପ୍ରଚାର କରେ ନାହିଁ।” ତହୁଁ ଯିହୋଶାଫଟ୍ କହିଲେ, “ରାଜା ଏପରି ନ କହନ୍ତୁ।” 9 ସେତେବେଳେ ଇସ୍ରାଏଲର ରାଜା ଏକ ଅଧ୍ୟକ୍ଷଙ୍କୁ ଡାକି କହିଲେ, “ଇମ୍ଲର ପୁତ୍ର ମୀଖାୟକୁ ଶୀଘ୍ର ଆଣ।” 10 ଏଥିମଧ୍ୟରେ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଯିହୋଶାଫଟ୍ ଆପଣାମାନଙ୍କ ରାଜବସ୍ତ୍ର ପିନ୍ଧି ଶମରୀୟାର ଦ୍ୱାର-ପ୍ରବେଶ ସ୍ଥାନ ନିକଟବର୍ତ୍ତୀ ମେଲାରେ ଆପଣା ଆପଣା ସିଂହାସନରେ ବସିଥିଲେ; ଆଉ ସେମାନଙ୍କ ସମ୍ମୁଖରେ ଭବିଷ୍ୟଦ୍ବକ୍ତା ସମସ୍ତେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରୁଥିଲେ। 11 ଆଉ କନାନାର ପୁତ୍ର ସିଦିକୀୟ ଲୌହମୟ ଶୃଙ୍ଗମାନ ନିର୍ମାଣ କରି କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ଏତଦ୍ଦ୍ୱାରା ଆପଣ ଅରାମୀୟମାନଙ୍କୁ ସଂହାର କରିବା ପର୍ଯ୍ୟନ୍ତ ଭୁସି ପକାଇବେ।” 12 ତହିଁରେ ସବୁ ଭବିଷ୍ୟଦ୍ବକ୍ତା ତଦ୍ରୂପ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି କହିଲେ, “ରାମୋତ୍-ଗିଲୀୟଦକୁ ଯାଇ କୃତକାର୍ଯ୍ୟ ହେଉନ୍ତୁ; କାରଣ ସଦାପ୍ରଭୁ ତାହା ମହାରାଜଙ୍କ ହସ୍ତରେ ସମର୍ପଣ କରିବେ।”
13 ଯେଉଁ ଦୂତ ମୀଖାୟକୁ ଡାକିବାକୁ ଯାଇଥିଲା, ସେ ତାହାକୁ କହିଲା, “ଦେଖ, ଭବିଷ୍ୟଦ୍ବକ୍ତାମାନଙ୍କର ବାକ୍ୟ ଏକ ମୁଖରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଅଛି; ମୁଁ ବିନୟ କରୁଅଛି, ତୁମ୍ଭର ବାକ୍ୟ ସେମାନଙ୍କର ଜଣକର ବାକ୍ୟ ତୁଲ୍ୟ ହେଉ, ଆଉ ତୁମ୍ଭେ ମଙ୍ଗଳର କଥା କୁହ।” 14 ତହୁଁ ମୀଖାୟ କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସଦାପ୍ରଭୁ ମୋତେ ଯାହା କହିବେ, ମୁଁ ତାହା ହିଁ କହିବି।” 15 ଏଉତ୍ତାରେ ମୀଖାୟ ରାଜାଙ୍କ ନିକଟକୁ ଆସନ୍ତେ, ରାଜା ତାହାକୁ କହିଲେ, “ମୀଖାୟ, ଆମ୍ଭେମାନେ ଯୁଦ୍ଧ କରିବା ପାଇଁ ରାମୋତ୍-ଗିଲୀୟଦକୁ ଯିବା କି କ୍ଷାନ୍ତ ହେବା?” ତହିଁରେ ସେ ଉତ୍ତର କଲା, “ଯାଉନ୍ତୁ, କୃତକାର୍ଯ୍ୟ ହେଉନ୍ତୁ; ସଦାପ୍ରଭୁ ତାହା ମହାରାଜଙ୍କ ହସ୍ତରେ ସମର୍ପଣ କରିବେ।” 16 ତହୁଁ ରାଜା ତାହାକୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ନାମରେ ସତ୍ୟ ବିନୁ ଆଉ କିଛି ମୋତେ ନ କୁହ ବୋଲି ମୁଁ କେତେ ଥର ତୁମ୍ଭକୁ ଶପଥ କରାଇବି?” 17 ଏଥିରେ ସେ କହିଲା, “ମୁଁ ସମଗ୍ର ଇସ୍ରାଏଲକୁ ଅରକ୍ଷକ ମେଷପଲ ତୁଲ୍ୟ ପର୍ବତମାନରେ ଛିନ୍ନଭିନ୍ନ ଦେଖିଲି, ଆଉ ସଦାପ୍ରଭୁ କହିଲେ, ‘ଏମାନଙ୍କର କର୍ତ୍ତା ନାହିଁ; ଏମାନେ ପ୍ରତ୍ୟେକେ କୁଶଳରେ ଆପଣା ଆପଣା ଗୃହକୁ ଫେରି ଯାଉନ୍ତୁ।’ ” 18 ତହୁଁ ଇସ୍ରାଏଲର ରାଜା ଯିହୋଶାଫଟ୍ଙ୍କୁ କହିଲେ, “ଏ ଆମ୍ଭ ବିଷୟରେ ଅମଙ୍ଗଳ ବିନା ମଙ୍ଗଳର ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବ ନାହିଁ ବୋଲି କି ମୁଁ ତୁମ୍ଭକୁ କହିଲି ନାହିଁ?” 19 ପୁଣି, ମୀଖାୟ କହିଲା, “ଏହେତୁ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ମୁଁ ସଦାପ୍ରଭୁଙ୍କୁ ତାହାଙ୍କ ସିଂହାସନରେ ଉପବିଷ୍ଟ ଓ ତାହାଙ୍କ ଦକ୍ଷିଣ ଓ ବାମ ହସ୍ତରେ ତାହାଙ୍କ ନିକଟରେ ସ୍ୱର୍ଗୀୟ ସମୁଦାୟ ସୈନ୍ୟଙ୍କୁ ଉଭା ହେବାର ଦେଖିଲି। 20 ତହିଁରେ ସଦାପ୍ରଭୁ କହିଲେ, ‘ଆହାବ ଯେପରି ରାମୋତ୍-ଗିଲୀୟଦକୁ ଯାଇ ପତିତ ହେବ, ଏଥିପାଇଁ କିଏ ତାହାକୁ ଫୁସଲାଇବ?’ ତହିଁରେ ଜଣେ ଏପ୍ରକାର, ଅନ୍ୟ ଜଣେ ସେପ୍ରକାର କହିଲେ। 21 ତହିଁ ଉତ୍ତାରେ ଏକ ଆତ୍ମା ବାହାରି ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇ କହିଲା, ‘ମୁଁ ତାହାକୁ ଫୁସଲାଇବି।’ 22 ତହୁଁ ସଦାପ୍ରଭୁ ତାହାକୁ କହିଲେ, ‘କାହିଁରେ?’ ସେ କହିଲା, ‘ମୁଁ ଯାଇ ତାହାର ସମସ୍ତ ଭବିଷ୍ୟଦ୍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ହେବି।’ ତେବେ ସେ କହିଲେ, ‘ତୁମ୍ଭେ ତାହାକୁ ଫୁସଲାଇବ, ମଧ୍ୟ କୃତକାର୍ଯ୍ୟ ହେବ; ଯାଅ, ସେପରି କର।’ 23 ଏହେତୁ ଦେଖ, ସଦାପ୍ରଭୁ ତୁମ୍ଭର ଏସମସ୍ତ ଭବିଷ୍ୟଦ୍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ଦେଇଅଛନ୍ତି; ସଦାପ୍ରଭୁ ତୁମ୍ଭ ବିଷୟରେ ଅମଙ୍ଗଳର କଥା କହିଅଛନ୍ତି।”
24 ସେତେବେଳେ କନାନାର ପୁତ୍ର ସିଦିକୀୟ ନିକଟକୁ ଆସି ମୀଖାୟର ଗାଲରେ ଚାପୁଡ଼ା ମାରି କହିଲା, “ସଦାପ୍ରଭୁଙ୍କ ଆତ୍ମା ତୋତେ କହିବା ପାଇଁ ମୋʼ ଠାରୁ କେଉଁ ବାଟେ ଗଲେ?” 25 ତହିଁରେ ମୀଖାୟ କହିଲା, “ଦେଖ, ଯେଉଁ ଦିନ ତୁମ୍ଭେ ଆପଣାକୁ ଲୁଚାଇବା ପାଇଁ ଗୋଟିଏ ଭିତର କୋଠରିକି ଯିବ, ସେହି ଦିନ ତାହା ଜାଣିବ।” 26 ପୁଣି, ଇସ୍ରାଏଲର ରାଜା କହିଲେ, “ମୀଖାୟକୁ ଧରି ନଗରାଧ୍ୟକ୍ଷ ଆମୋନ୍ର ଓ ରାଜପୁତ୍ର ଯୋୟାଶ୍ର ନିକଟକୁ ଫେରାଇ ନେଇଯାଅ; 27 ପୁଣି, କୁହ, ‘ରାଜା ଏହି କଥା କହନ୍ତି, ଏଇଟାକୁ କାରାଗାରରେ ରଖ ଓ ମୁଁ କୁଶଳରେ ଫେରି ଆସିବା ପର୍ଯ୍ୟନ୍ତ ତାକୁ କେବଳ ଅଳ୍ପ ଅନ୍ନ ଓ ଅଳ୍ପ ଜଳ ଖୁଆଅ[a]।’ ” 28 ତହିଁରେ ମୀଖାୟ କହିଲା, “ଯଦି ତୁମ୍ଭେ କୁଶଳରେ ଫେରି ଆସ, ତେବେ ସଦାପ୍ରଭୁ ମୋʼ ଦ୍ୱାରା କହି ନାହାନ୍ତି।” ଆହୁରି ସେ କହିଲା, “ହେ ଲୋକମାନେ, ତୁମ୍ଭେ ସମସ୍ତେ ଶୁଣ।”
35 ସେଦିନ ଯୁଦ୍ଧ ପ୍ରବଳ ହେଲା; ପୁଣି, ଲୋକମାନେ ଅରାମୀୟମାନଙ୍କ ସମ୍ମୁଖରେ ରାଜାଙ୍କୁ ତାଙ୍କର ରଥରେ ଠିଆ କରି ରଖିଲେ, ଆଉ ସେ ସନ୍ଧ୍ୟା ବେଳେ ମଲେ; ପୁଣି, ତାଙ୍କର କ୍ଷତର ରକ୍ତ ରଥ ଗର୍ଭରେ ବହି ପଡ଼ିଲା। 36 “ଆଉ ପ୍ରତ୍ୟେକେ ଆପଣା ନଗରକୁ ଓ ଆପଣା ଦେଶକୁ ଯାଅ,” ଏହି ଡାକ ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ସୈନ୍ୟମାନଙ୍କର ସର୍ବତ୍ର ବ୍ୟାପିଗଲା। 37 ଏହିରୂପେ ରାଜା ମଲେ ଓ ଶମରୀୟାକୁ ଅଣାଗଲେ; ପୁଣି, ଲୋକମାନେ ରାଜାଙ୍କୁ ଶମରୀୟାରେ କବର ଦେଲେ। 38 ଆଉ ସେମାନେ ଶମରୀୟାର ପୁଷ୍କରିଣୀ ନିକଟରେ ରଥ ଧୋଇଲେ; ତହିଁରେ ସଦାପ୍ରଭୁଙ୍କ ଉକ୍ତ ବାକ୍ୟାନୁସାରେ କୁକ୍କୁରମାନେ ତାଙ୍କର ରକ୍ତ ଚାଟି ଖାଇଲେ। ଏହି ସ୍ଥାନରେ ବେଶ୍ୟାମାନେ ସ୍ନାନ କରନ୍ତି। 39 ଏହି ଆହାବଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ତାଙ୍କର ନିର୍ମିତ ହସ୍ତୀଦନ୍ତମୟ ଗୃହ ଓ ଯେ ଯେ ନଗର ସେ ନିର୍ମାଣ କରିଥିଲେ, ତାହାସବୁ କʼଣ ଇସ୍ରାଏଲ ରାଜାଗଣଙ୍କର ଇତିହାସ ପୁସ୍ତକରେ ଲେଖା ନାହିଁ? 40 ଏହିରୂପେ ଆହାବଙ୍କ ମୃତ୍ୟୁ ପରେ ଓ ତାହାଙ୍କ ପୁତ୍ର ଅହସୀୟ ତାହାଙ୍କ ପଦରେ ରାଜ୍ୟ କଲେ।
47 ସେହି ସମୟରେ ଇଦୋମରେ କେହି ରାଜା ନ ଥିଲା; ଜଣେ ପ୍ରତିନିଧି ରାଜ୍ୟ କଲା। 48 ଯିହୋଶାଫଟ୍ ସୁନା ପାଇଁ ଓଫୀରକୁ ଯିବା ସକାଶେ ତର୍ଶୀଶର ଜାହାଜମାନ ନିର୍ମାଣ କଲେ; ମାତ୍ର ତାହାସବୁ ଗଲା ନାହିଁ; କାରଣ ଇତ୍ସିୟୋନ-ଗେବରରେ ଜାହାଜମାନ ଭାଙ୍ଗିଗଲା। 49 ତେବେ ଆହାବଙ୍କର ପୁତ୍ର ଅହସୀୟ ଯିହୋଶାଫଟ୍ଙ୍କୁ କହିଲେ, “ମୋʼ ଦାସମାନେ ତୁମ୍ଭ ଦାସମାନଙ୍କ ସଙ୍ଗେ ଜାହାଜରେ ଯାଉନ୍ତୁ।” ମାତ୍ର ଯିହୋଶାଫଟ୍ ସମ୍ମତ ହେଲେ ନାହିଁ। 50 ଏଥିଉତ୍ତାରେ ଯିହୋଶାଫଟ୍ ଆପଣା ପିତୃଗଣ ସହିତ ଶୟନ କରି ଆପଣା ପୂର୍ବପୁରୁଷ ଦାଉଦଙ୍କର ନଗରରେ ଆପଣା ପିତୃଲୋକଙ୍କ ସହିତ କବରପ୍ରାପ୍ତ ହେଲେ; ତହୁଁ ତାଙ୍କର ପୁତ୍ର ଯିହୋରାମ୍ ତାଙ୍କର ପଦରେ ରାଜ୍ୟ କଲେ।
- a କେବଳ ଅଳ୍ପ ଅନ୍ନ ଓ ଅଳ୍ପ ଜଳ ଖୁଆଅ ଏବ୍ରୀ ଭାଷାରେ ଦୁଃଖରୂପ ଅନ୍ନ ଓ ଦୁଃଖରୂପ ଜଳ