5 ଆହୁରି ସରୁୟାର ପୁତ୍ର ଯୋୟାବ ମୋʼ ପ୍ରତି ଯାହା କରିଅଛି, ପୁଣି, ଇସ୍ରାଏଲର ଦୁଇ ସେନାପତି, ନେର୍ର ପୁତ୍ର ଅବ୍ନର ଓ ଯେଥରର ପୁତ୍ର ଅମାସା ପ୍ରତି ଯାହା କରିଅଛି, ତାହା ତୁମ୍ଭେ ଜାଣ; ସେ ସେମାନଙ୍କୁ ବଧ କରି ସନ୍ଧି ସମୟରେ ଯୁଦ୍ଧ ସମୟର ନ୍ୟାୟ ରକ୍ତପାତ କଲା ଓ ସେହି ଯୁଦ୍ଧଯୋଗ୍ୟ ରକ୍ତ ଆପଣା କଟିସ୍ଥିତ ବନ୍ଧନୀରେ ଓ ପାଦସ୍ଥିତ ପାଦୁକାରେ ଲଗାଇଲା। 6 ଏହେତୁ ତୁମ୍ଭେ ଆପଣା ଜ୍ଞାନାନୁସାରେ ତାହା ପ୍ରତି ବ୍ୟବହାର କର ଓ ତାହାର ପକ୍ୱକେଶ-ମସ୍ତକକୁ ଶାନ୍ତିରେ ପାତାଳକୁ ଯିବା ପାଇଁ ନ ଦିଅ। 7 ମାତ୍ର, ଗିଲୀୟଦୀୟ ବର୍ସିଲ୍ଲୟର ପୁତ୍ରମାନଙ୍କ ପ୍ରତି ଦୟା ପ୍ରକାଶ କର, ଆଉ, ତୁମ୍ଭ ମେଜରେ ଭୋଜନକାରୀମାନଙ୍କ ମଧ୍ୟରେ ସେମାନଙ୍କୁ ସ୍ଥାନ ଦିଅ; କାରଣ, ମୁଁ ତୁମ୍ଭ ଭ୍ରାତା ଅବଶାଲୋମଠାରୁ ପଳାଇବା ସମୟରେ ସେମାନେ ସେପରି ମୋʼ ନିକଟକୁ ଆସିଥିଲେ। 8 ଆଉ ଦେଖ, ତୁମ୍ଭ ନିକଟରେ ବିନ୍ୟାମୀନୀୟ ଗେରାର ପୁତ୍ର ବହୁରୀମ ନିବାସୀ ଶିମୀୟି ଅଛି; ମୁଁ ମହନୟିମକୁ ଯିବା ଦିନ ସେ ମୋତେ ଦାରୁଣ ଅଭିଶାପରେ ଅଭିଶାପ ଦେଇଥିଲା, ମାତ୍ର, ସେ ଯର୍ଦ୍ଦନ ନିକଟରେ ମୋତେ ଭେଟିବାକୁ ଆସିଥିଲା ଓ ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରି ତାହାକୁ କହିଥିଲି, ମୁଁ ତୁମ୍ଭକୁ ଖଡ୍ଗରେ ବଧ କରିବି ନାହିଁ। 9 ତୁମ୍ଭେ ତ ଜ୍ଞାନୀ ଲୋକ; ଏଣୁ ତାହାକୁ ନିରପରାଧ ମଣିବ ନାହିଁ; ଆଉ ତୁମ୍ଭର ତାହା ପ୍ରତି ଯାହା କର୍ତ୍ତବ୍ୟ, ତାହା ବୁଝିବ ଓ ତୁମ୍ଭେ ତାହାର ପକ୍ୱକେଶ-ମସ୍ତକ ରକ୍ତ ସହିତ ପାତାଳକୁ ଆଣିବ।”
19 ଏହେତୁ ବତ୍ଶେବା ଅଦୋନୀୟ ନିମନ୍ତେ କହିବା ପାଇଁ ଶଲୋମନ ରାଜାଙ୍କ ନିକଟକୁ ଗଲେ। ତହୁଁ ରାଜା ତାଙ୍କୁ ଭେଟିବା ପାଇଁ ଉଠି ପ୍ରଣାମ କଲେ ଓ ଆପଣା ସିଂହାସନରେ ବସି ରାଜମାତାଙ୍କ ନିମନ୍ତେ ଆସନ ରଖାଇଲେ; ତହିଁରେ ସେ ତାଙ୍କର ଦକ୍ଷିଣ ପାଖରେ ବସିଲେ। 20 ତେବେ ସେ କହିଲେ, “ତୁମ୍ଭଠାରେ ମୋହର ଏକ କ୍ଷୁଦ୍ର ନିବେଦନ ଅଛି; ମୋତେ ନାସ୍ତି ନ କର।” ତହୁଁ ରାଜା ତାଙ୍କୁ କହିଲେ, “ମୋହର ମାତା, କୁହ; କାରଣ, ମୁଁ ତୁମ୍ଭକୁ ନାସ୍ତି କରିବି ନାହିଁ।” 21 ଏଥିରେ ସେ କହିଲେ, “ଶୁନେମୀୟା ଅବୀଶଗକୁ ତୁମ୍ଭ ଭାଇ ଅଦୋନୀୟ ସହିତ ବିବାହ ଦିଆଯାଉ।” 22 ତହୁଁ ଶଲୋମନ ରାଜା ଉତ୍ତର କରି ଆପଣା ମାତାଙ୍କୁ କହିଲେ, “ତୁମ୍ଭେ ଅଦୋନୀୟ ନିମନ୍ତେ ଶୁନେମୀୟା ଅବୀଶଗକୁ କାହିଁକି ମାଗୁଅଛ? ତାହା ପାଇଁ ରାଜ୍ୟ ମଧ୍ୟ ମାଗ, କାରଣ, ସେ ତ ମୋହର ବଡ଼ ଭାଇ; ହଁ ତାହା ପାଇଁ, ପୁଣି, ଅବୀୟାଥର ଯାଜକ ଓ ସରୁୟାର ପୁତ୍ର ଯୋୟାବ ପାଇଁ ମଧ୍ୟ ମାଗ।” 23 ସେତେବେଳେ ଶଲୋମନ ରାଜା ସଦାପ୍ରଭୁଙ୍କ ନାମରେ ଶପଥ କରି କହିଲେ, “ଯେବେ ଅଦୋନୀୟ ଏହି କଥା ଆପଣା ପ୍ରାଣ ବିରୁଦ୍ଧରେ କହି ନ ଥାଏ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ। 24 ଏହେତୁ ଯେଉଁ ସଦାପ୍ରଭୁ ନିଜ ପ୍ରତିଜ୍ଞାନୁସାରେ ମୋତେ ସୁସ୍ଥିର କରି ମୋʼ ପିତା ଦାଉଦଙ୍କ ସିଂହାସନରେ ମୋତେ ବସାଇ ଅଛନ୍ତି ଓ ଯେ ମୋʼ ଗୃହ ଦୃଢ଼ କରିଅଛନ୍ତି, ତାହାଙ୍କ ଜୀବିତ ଥିବା ପ୍ରମାଣେ ଅଦୋନୀୟ ନିଶ୍ଚୟ ଆଜି ହତ ହେବ।” 25 ଏଉତ୍ତାରେ ଶଲୋମନ ରାଜା ଯିହୋୟାଦାର ପୁତ୍ର ବନାୟକୁ ପଠାଇଲେ; ତହୁଁ ସେ ତାହାକୁ ଆକ୍ରମଣ କରନ୍ତେ, ସେ ମଲା। 26 ଏଥିଉତ୍ତାରେ ରାଜା ଅବୀୟାଥର ଯାଜକଙ୍କୁ କହିଲେ, “ତୁମ୍ଭେ ଅନାଥୋତ୍କୁ ଆପଣା କ୍ଷେତ୍ରକୁ ଯାଅ; କାରଣ, ତୁମ୍ଭେ ମୃତ୍ୟୁୁଯୋଗ୍ୟ; ମାତ୍ର, ମୁଁ ତୁମ୍ଭକୁ ବର୍ତ୍ତମାନ ବଧ କରିବି ନାହିଁ, ଯେହେତୁ ତୁମ୍ଭେ ମୋʼ ପିତା ଦାଉଦଙ୍କ ସମ୍ମୁଖରେ ପ୍ରଭୁ ସଦାପ୍ରଭୁଙ୍କ ସିନ୍ଦୁକ ବହିଥିଲ, ଆହୁରି ମୋʼ ପିତାଙ୍କ ସମସ୍ତ ଦୁଃଖଭୋଗରେ ଦୁଃଖଭୋଗ କରିଥିଲ।” 27 ଏନିମନ୍ତେ ସଦାପ୍ରଭୁ ଶୀଲୋରେ ଏଲିର ବଂଶ ବିଷୟରେ ଯାହା କହିଥିଲେ, ତାହାଙ୍କର ସେହି ବାକ୍ୟ ସିଦ୍ଧ କରିବା ପାଇଁ ଶଲୋମନ ଅବୀୟାଥରକୁ ସଦାପ୍ରଭୁଙ୍କ ଯାଜକ କର୍ମରୁ ଦୂର କରିଦେଲେ। 28 ଏଉତ୍ତାରେ ଯୋୟାବ ନିକଟରେ ସମ୍ବାଦ ଉପସ୍ଥିତ ହେଲା, କାରଣ ଯୋୟାବ ଯଦ୍ୟପି ଅବଶାଲୋମର ଅନୁଗାମୀ ହେବା ପାଇଁ ବିପଥଗାମୀ ହୋଇ ନ ଥିଲା, ତଥାପି ଅଦୋନୀୟର ଅନୁଗାମୀ ହେବା ପାଇଁ ବିପଥଗାମୀ ହେଲା। ସେଥିସକାଶୁ ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ଯଜ୍ଞବେଦିର ଶୃଙ୍ଗ ଧରିପକାଇଲା। 29 ଏଉତ୍ତାରେ ଦେଖ, “ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ବେଦି ନିକଟରେ ଅଛି,” ଏହି ସମ୍ବାଦ ଶଲୋମନ ରାଜାଙ୍କୁ ଦିଆଯାଆନ୍ତେ, ସେ ଯିହୋୟାଦାର ପୁତ୍ର ବନାୟକୁ ପଠାଇ କହିଲେ, ଯାଅ, ତାକୁ ଆକ୍ରମଣ କର। 30 ତହିଁରେ ବନାୟ ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ତାହାକୁ କହିଲା, “ରାଜା କହିଅଛନ୍ତି, ବାହାରକୁ ଆସ।” ମାତ୍ର ସେ କହିଲା, “ନା, ମୁଁ ଏଠାରେ ମରିବି।” ଏଥିରେ ବନାୟ ପୁଣି, ରାଜାଙ୍କ ନିକଟକୁ ସମ୍ବାଦ ଆଣି କହିଲା, “ଯୋୟାବ ଏପରି କହିଲା ଓ ମୋତେ ଏପରି ଉତ୍ତର ଦେଲା।” 31 ତେବେ ରାଜା ତାହାକୁ କହିଲେ, “ସେ ଯେପରି କହିଅଛି, ସେପରି କର, ତାହାକୁ ଆଘାତ କର ଓ ତାହାକୁ କବର ଦିଅ; ତହିଁରେ ଯୋୟାବ ଅକାରଣରେ ଯେଉଁ ରକ୍ତପାତ କରିଅଛି, ତହିଁର ଅପରାଧ ତୁମ୍ଭେ ମୋʼ ଠାରୁ ଓ ମୋʼ ପିତୃଗୃହରୁ ଦୂର କରିବ। 32 ପୁଣି, ସଦାପ୍ରଭୁ ତାହାର ରକ୍ତପାତର ଅପରାଧ ତାହାର ନିଜ ମସ୍ତକରେ ବର୍ତ୍ତାଇବେ, କାରଣ, ସେ ମୋʼ ପିତା ଦାଉଦଙ୍କ ଅଜ୍ଞାତସାରରେ ଆପଣାଠାରୁ ଧାର୍ମିକ ଓ ଉତ୍ତମ, ଇସ୍ରାଏଲର ସେନାପତି ନେର୍ର ପୁତ୍ର ଅବ୍ନର ଓ ଯିହୁଦାର ସେନାପତି ଯେଥରର ପୁତ୍ର ଅମାସା, ଏ ଦୁଇ ଜଣଙ୍କୁ ଆକ୍ରମଣ କରି ଖଡ୍ଗରେ ବଧ କରିଥିଲା। 33 ତହୁଁ ସେମାନଙ୍କ ରକ୍ତପାତର ଅପରାଧ ଯୋୟାବର ମସ୍ତକରେ ଓ ସଦାକାଳ ତାହାର ବଂଶର ମସ୍ତକରେ ବର୍ତ୍ତିବ; ମାତ୍ର ଦାଉଦଙ୍କ ପ୍ରତି ଓ ତାଙ୍କ ବଂଶ ପ୍ରତି ଓ ତାଙ୍କ ଗୃହ ପ୍ରତି ଓ ତାଙ୍କ ସିଂହାସନ ପ୍ରତି, ସଦାପ୍ରଭୁଙ୍କଠାରୁ ସଦାକାଳ ଶାନ୍ତି ବର୍ତ୍ତିବ।” 34 ଏଉତ୍ତାରେ ଯିହୋୟାଦାର ପୁତ୍ର ବନାୟ ଯାଇ ତାହାକୁ ଆକ୍ରମଣ କରି ବଧ କଲା ଓ ପ୍ରାନ୍ତରସ୍ଥ ତାହାର ନିଜ ଗୃହରେ ତାହାକୁ କବର ଦିଆଗଲା। 35 ପୁଣି, ରାଜା ତାହାର ପଦରେ ଯିହୋୟାଦାର ପୁତ୍ର ବନାୟକୁ ସେନାପତି କରି ନିଯୁକ୍ତ କଲେ ଓ ରାଜା ଅବୀୟାଥର ପଦରେ ସାଦୋକଙ୍କୁ ଯାଜକ କରି ନିଯୁକ୍ତ କଲେ। 36 ଏଉତ୍ତାରେ ରାଜା ଲୋକ ପଠାଇ ଶିମୀୟିକୁ ଡକାଇ କହିଲେ, “ଯିରୂଶାଲମରେ ଆପଣା ପାଇଁ ଏକ ଗୃହ ନିର୍ମାଣ କରି ସେଠାରେ ବାସ କର, ଆଉ ସେଠାରୁ ଅନ୍ୟ କୌଣସି ସ୍ଥାନକୁ ଯାଅ ନାହିଁ। 37 କାରଣ, ତୁମ୍ଭେ ଯେଉଁ ଦିନ ବାହାରି କିଦ୍ରୋଣ ନଦୀ ପାର ହେବ; ସେହି ଦିନ ତୁମ୍ଭେ ନିତାନ୍ତ ମରିବ, ଏହା ନିଶ୍ଚୟ ଜାଣ; ତୁମ୍ଭ ରକ୍ତପାତର ଅପରାଧ ତୁମ୍ଭ ନିଜ ମସ୍ତକରେ ବର୍ତ୍ତିବ।” 38 ତହିଁରେ ଶିମୀୟି ରାଜାଙ୍କୁ କହିଲା, “ଏ ଉତ୍ତମ କଥା; ମୋʼ ପ୍ରଭୁ ମହାରାଜ ଯେପରି କହିଅଛନ୍ତି, ଆପଣଙ୍କ ଦାସ ସେପରି କରିବ।” ଏଣୁ ଶିମୀୟି ଅନେକ ଦିନ ଯିରୂଶାଲମରେ ବାସ କଲା। 39 ଏଥିଉତ୍ତାରେ ତିନି ବର୍ଷ ଶେଷରେ ଶିମୀୟିର ଦାସମାନଙ୍କ ମଧ୍ୟରୁ ଦୁଇ ଜଣ ମାଖାର ପୁତ୍ର ଗାଥୀୟ ରାଜା ଆଖୀଶ୍ ନିକଟକୁ ପଳାଇଲେ। ଏଥିରେ ଲୋକେ ଶିମୀୟିକୁ ଜଣାଇ କହିଲେ, “ଦେଖ, ତୁମ୍ଭ ଦାସମାନେ ଗାଥ୍ ନଗରରେ ଅଛନ୍ତି।” 40 ତହୁଁ ଶିମୀୟି ଉଠି ଗର୍ଦ୍ଦଭ ସଜାଇ ଆପଣା ଦାସମାନଙ୍କୁ ଅନ୍ୱେଷଣ କରିବା ପାଇଁ ଗାଥ୍ ନଗରକୁ ଆଖୀଶ୍ ନିକଟକୁ ଗଲା; ପୁଣି, ଶିମୀୟି ଯାଇ ଗାଥ୍ରୁ ଆପଣା ଦାସମାନଙ୍କୁ ଆଣିଲା। 41 ତହୁଁ ଶଲୋମନଙ୍କୁ ସମ୍ବାଦ ଦିଆଗଲା ଯେ, “ଶିମୀୟି ଯିରୂଶାଲମରୁ ଗାଥ୍କୁ ଯାଇଥିଲା, ପୁଣି, ଫେରି ଆସିଅଛି।” 42 ଏଥିରେ ରାଜା ଲୋକ ପଠାଇ ଶିମୀୟିକୁ ଡକାଇ ତାହାକୁ କହିଲେ, “ତୁମ୍ଭେ ଯେଉଁ ଦିନ ବାହାରି ଅନ୍ୟ କୌଣସି ସ୍ଥାନରେ ଭ୍ରମଣ କରିବ, ସେହି ଦିନ ତୁମ୍ଭେ ନିତାନ୍ତ ମରିବ, ‘ଏହା ନିଶ୍ଚୟ ଜାଣ, ମୁଁ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଶପଥ କରାଇ ତୁମ୍ଭ ବିପକ୍ଷରେ କʼଣ ଏହି ସାକ୍ଷ୍ୟ ଦେଇ ନାହିଁ?’ ଆଉ ତୁମ୍ଭେ ମୋତେ କହିଥିଲ, ‘ମୁଁ ଯେଉଁ କଥା ଶୁଣିଲି, ତାହା ଉତ୍ତମ।’ 43 ତେବେ ତୁମ୍ଭେ ସଦାପ୍ରଭୁଙ୍କ ଶପଥ ଓ ତୁମ୍ଭକୁ ଦତ୍ତ ମୋହର ଆଜ୍ଞା କାହିଁକି ପାଳନ ନ କଲ?” 44 ରାଜା ଆହୁରି ଶିମୀୟିକୁ କହିଲେ, “ମୋହର ପିତା ଦାଉଦଙ୍କ ପ୍ରତି ତୁମ୍ଭର କୃତ ଯେସକଳ ଦୁଷ୍ଟତା ବିଷୟ ତୁମ୍ଭ ମନ ପ୍ରମାଣ ଦିଏ, ତାହା ତୁମ୍ଭେ ଜାଣୁଅଛ; ଏହେତୁ ସଦାପ୍ରଭୁ ତୁମ୍ଭ ଦୁଷ୍ଟତା ତୁମ୍ଭ ନିଜ ମସ୍ତକରେ ବର୍ତ୍ତାଇବେ। 45 ମାତ୍ର, ଶଲୋମନ ରାଜା ଆଶୀର୍ବାଦ ପ୍ରାପ୍ତ ହେବ ଓ ସଦାପ୍ରଭୁଙ୍କ ସମ୍ମୁଖରେ ଦାଉଦଙ୍କ ସିଂହାସନ ଅନନ୍ତକାଳ ସ୍ଥିରୀକୃତ ହେବ।” 46 ଏଉତ୍ତାରେ ରାଜା ଯିହୋୟାଦାର ପୁତ୍ର ବନାୟକୁ ଆଜ୍ଞା କରନ୍ତେ, ସେ ଯାଇ ତାହାକୁ ଆକ୍ରମଣ କଲା, ତହୁଁ ସେ ମଲା। ଏହିରୂପେ ଶଲୋମନଙ୍କ ହସ୍ତରେ ରାଜ୍ୟ ଦୃଢ଼ ହେଲା।
<- ପ୍ରଥମ ରାଜାବଳୀ 1ପ୍ରଥମ ରାଜାବଳୀ 3 ->